Latest Odisha News

BREAKING NEWS

କବିତା : ବନସ୍ତେ ଡାକିଲା ଗଜ

ବିନୋଦିନୀ ଦାଶ

ବନସ୍ତେ ଡାକିଲା ଗଜ ପାଖେଇ ଆସିଲା ପରବ ରଜ
ପରବ ରଜ ଲୋ ପଲ୍ଲୀଭୂଇଁ ସଜବାଜ
ବଉଳ ଲୋ ପଲ୍ଲୀଭୂଇଁ ସଜବାଜ ।

ଚୂନାକୁଟା ବିରି ବଟା ପୋଡ଼ପିଠା ସହ ନାନାଦି ପିଠା
ନାନାଦି ପିଠା ଲୋ ପାଟିକୁ ଲାଗିବ ମିଠା
ବଉଳ ଲୋ ପାଟିକୁ ଲାଗିବ ମିଠା ।

ନିଆରା ପହିଲି ରଜ ସଜ କରିଦେବେ ନୂଆ ଭାଉଜ
ନୂଆ ଭାଉଜ ଲୋ ଆସ ହୋଇ ସଜବାଜ
ବଉଳ ଲୋ ଆସ ହୋଇ ସଜବାଜ ।

ତୋଟାରେ ଭଳିକିଭଳି ଲାଗିଅଛି ପରା କେତେ ଯେ ଦୋଳି
କେତେ ଯେ ଦୋଳି ଲୋ ଝଲୁଥିବା ହଲିହଲି
ବଉଳ ଲୋ ଝୁଲୁଥିବା ହଲିହଲି ।

ଗାଇ ରଜଦୋଳି ଗୀତ ଝୁଲିବା ଆମେରେ ଯେତେକ ମିତ
ଯେତେକ ମିତ ଲୋ ଖୁସିହୋଇ ଅପ୍ରମିତ
ବଉଳ ଲୋ ଖୁସିହୋଇ ଅପ୍ରମିତ ।

ରଜପାନେ ଓଠ ନାଲି ଯେତେ ସାଙ୍ଗସାଥୀ ହୋଇଣ ମେଳି
ହୋଇଣ ମେଳି ଲୋ ଘର ଘର ଯିବା ବୁଲି
ବଉଳ ଲୋ ଘର ଘର ଯିବା ବୁଲି ।

ଖେଳିବା ଲୁଡୁ ତାଆସ ଭାଉଜଙ୍କ ସଙ୍ଗେ ଥଟ୍ଟାତାମସା
ଥଟ୍ଟା ତାମସା ଲୋ ଭାରି ମଜ୍ଜା ତାଙ୍କ ଭାଷା
ବଉଳ ଲୋ ଭାରି ମଜ୍ଜା ତାଙ୍କ ଭାଷା ।

ବାଳକେ ବାଗୁଡି଼ ଖେଳେ ମାତନ୍ତି ତାଙ୍କର ସଙ୍ଗୀ ମେଳରେ
ସଙ୍ଗୀ ମେଳରେ ଲୋ ଉଛୁଳନ୍ତି ହରଷରେ
ବଉଳ ଲୋ ଉଛୁଳନ୍ତି ହରଷରେ ।

ଯୁବକ ବୟସ୍କମାନ କ୍ୟାରମ୍ ପଶା ଖେଳେ ରଖନ୍ତି ଧ୍ୟାନ
ରଖନ୍ତି ଧ୍ୟାନ ଲୋ ହସି ଉଠୁଥାଏ ମନ
ବଉଳ ଲୋ ହସି ଉଠୁଥାଏ ମନ ।

ମାଆ ପରା ସର୍ବଂସହା କାମ କରିକରି ସିଏ ହାଲିଆ
ସିଏ ହାଲିଆ ଲୋ ତଥାପି ଚାନ୍ଦଉଦିଆ
ବଉଳ ଲୋ ମୁଖଟା ଚାନ୍ଦଉଦିଆ ।

ସଂକ୍ରାନ୍ତି ଭୂଇଁନହଣ କଟିବ ଏମିତି ତିନୋଟି ଦିନ
ତିନୋଟି ଦିନ ଲୋ ପରେ ବସୁମତୀ ସ୍ନାନ
ବଉଳ ଲୋ ପରେ ବସୁମତୀ ସ୍ନାନ ।

ରଜର ନାନା ମଉଜ ପାଞ୍ଚଦିନ ଧରି ଅଭୁଲା ହେଜ
ଅଭୁଲା ହେଜି ଲୋ ଶ୍ରୀରାଧାଗୋବିନ୍ଦ ଭଜ
ବଉଳ ଲୋ ଶ୍ରୀରାଧାଗୋବିନ୍ଦ ଭଜ ।

କୁରୁଆଁ, ମୁଗପାଳ, ଯାଜପୁର

Leave A Reply

Your email address will not be published.