Latest Odisha News

BREAKING NEWS

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ମେୟର ସୁଲୋଚନା ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ସ୍ୱତନ୍ତ୍ର ଶାସନ ସଚିବ ରଞ୍ଜନ କୁମାର ଦାସ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଉପ ସଭାପତି ମନ୍ମଥ କୁମାର ଶତପଥୀ ଏବଂ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପୂର୍ବତନ କାର୍ଯ୍ୟ ନିର୍ବାହୀ ଅଧିକାରୀ ସଙ୍ଗୀତା ଗୋସାଇଁ ଅତିଥି ଭାବରେ ଯୋଗ ଦେଇଥିଲେ ।

ଗୁରୁ ନିମକାନ୍ତ ରାଉତରାୟ ଓ ସାଥୀଙ୍କ ଦ୍ୱାରା ଶିବ ବନ୍ଦନା ଶଙ୍କର ଶିବ ପାର୍ବତୀ ଦେବ ଚନ୍ଦ୍ରଶେଖର ତ୍ରାହୀମାମ୍‍ରୁ କାର୍ଯ୍ୟକ୍ରମର ଆରମ୍ଭ ହୋଇଥିଲା, ଯାହାର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁରୁ ନିମକାନ୍ତ ରାଉତରାୟ । ଓଡ଼ିଶୀ ନୃତ୍ୟର ଏକକ ପର୍ଯ୍ୟାୟରେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଶିକତା ଦାସଙ୍କ ଦ୍ୱାରା ପ୍ରଥମେ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଦ୍ୱାରା ରଚିତ ଓଡ଼ିଆ କାବ୍ୟ ନନ୍ଦିକା କେଶରୀ ଯାହା ରାଗ ମଲ୍ଲିକା ଓ ତାଳ ମଲ୍ଲିକା ଉପରେ ନିବଦ୍ଧ ଥାଇ ପରିବେଶିତ ହୋଇଥିଲା ଯାହାର ସଙ୍ଗୀତ ସଂଯୋଜନା ଗୁରୁ ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ, ବାଦ୍ୟ ଗୁରୁ ସଚ୍ଚିଦାନନ୍ଦ ଦାସ ଏବଂ ନୃତ୍ୟ ସଂରଚନା କରିଥିଲେ ଗୁରୁ ଶିକତା ଦାସ । ଯୁଗ୍ମ ନୃତ୍ୟ ପର୍ଯ୍ୟାୟରେ ହିମାଂଶୁ କୁମାର ରାୟ ଓ ଦିପ୍ତୀରଞ୍ଜନ ବରାଳଙ୍କ ଦ୍ୱାରା ରୁଦ୍ର ମଣ୍ଡଳ ପରିବେଶିତ ହୋଇଥିଲା । ଯାହାକୁ ପରିବେଶଣ କରିଥିଲେ ସୃଜନ ଅନୁଷ୍ଟାନର ଶିଳ୍ପୀମାନଙ୍କ ଦ୍ୱାରା ପରିବେଷିତ ଦଳଗତ ଓଡ଼ିଶୀ ନୃତ୍ୟ ଏହି ଉତ୍ସବର ଶେଷ କାର୍ଯ୍ୟକ୍ରମ ଥିଲା ।

ଶ୍ରୀନିବାସ ଘଟୁଆରୀ ଓ ସଂହତି ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି ଉଦଯାପନୀ ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀର ଅଧିକାରୀମାନେ ପରିଚାଳନା କରିଥିଲେ ଏବଂ ସମଗ୍ର କାର୍ଯ୍ୟକ୍ରମ ପାଇଁ ଦେବୀପ୍ରସାଦ ମିଶ୍ର ଆଲୋକ ସଞ୍ଚାଳନ କରିଥିଲେ ।

Leave A Reply

Your email address will not be published.