ଗଦାଧର ସାହୁ
ସମସ୍ତେ କୁହନ୍ତି ଆମେ ଜାଣି ନାହୁଁ
ଆମେ କରି ନାହୁଁ କିଛି
କାହା ଦୋଷେ ଆଉ ଅଭିମାନ କରି
ମୌସୁମୀ ଛପି ରହିଛି ।
ପ୍ରତ୍ଯେକ ମଣିଷ ଖୋଳ ପିନ୍ଧା ଏଠି
ନିଜର ସୁବିଧା ଦେଖେ
କେବେ ଖୋଜେ ନାହିଁ ମୋ ପାଇଁ କିଏ ସେ
ସଢୁଛି ଯନ୍ତଣା ଦୁଃଖେ ।
ଆକାଶ ତତଲା ପବନ ତତଲା
ଜଳ ବି ଯାଉଛି ତାତି
ମନ୍ଦିର ତତଲା ଦିଅଁ ତ ତତଲା
ତତଲା ଉଠିଛି ମାତି ।
ତାତିଲା ମାଟିର ଯନ୍ତଣା କାହାଣୀ
କିଏ ବା ପାରିଛି ଶୁଣି
ଶୁଣୁ ଥିଲେ କିଏ ଆହା କହୁଥାନ୍ତା
ନିଜ ଦୁଃଖ ପ୍ରାୟ ମଣି ।
ଏ ଜ୍ଞାନୀ ମଣିଷ ଜ୍ଞାନ ହୀନ ହୁଏ
ନିଜ ସ୍ବାର୍ଥେ ଥିଲେ ମଜ୍ଜି
ଶୁଣି ପାରେ ନାହିଁ ମାଟିର ଚିତ୍କାର
ନିଜ ମୃତ୍ଯୁ ନିଜେ ସାଜି ।
କାନ୍ଦୁଛି ଉଦ୍ଭିଦ ଜଳୁଛି ଜଳଦ
ନାହିଁ ତା ଦେହରେ ଜଳ
କେମିତି କରିବ ଶୀତଳ ଭୂମିକୁ
ଛୁଇଁବାକୁ ନଦୀ କୂଳ ।
ଭାଙ୍ଗିଛି ସେ ଆଶା ତୁଟିଛି ବିଶ୍ବାସ
ବିଜ୍ଞ ମଣିଷ ପାଖରୁ
ଅନୁଶାସନରେ ନାହିଁ ମଉସୁମୀ
ଜୁହାର କରଇ ଦୂରୁ ।
ଏବେ କାହିଁ ଉହୁ ଉହୁ ହେଉ ଥାଅ
ରୌଦ୍ର ଦଗ୍ଧକୁ ନ ସହି
କିଏ ତିଆରିଛି ମରଣର ଯନ୍ତା
କୁହ ହେ ମଣିଷ ଭାଇ ।
ନିଜେ ତ ଜଳୁଛ ଜାଳୁଛ ଦୁନିଆ
ମରୁଛି ନିରୀହ ପ୍ରାଣି
ନିଜେ ଦୋଷ କରି ଅନ୍ଯ ମୁଣ୍ଡେ ଅଠା
ଲଗାଉଛ ଜାଣି ଶୁଣି ।
ପ୍ରକୃତି ରାଗିଲେ କିଛି ରଖିବନି
ଭାଙ୍ଗିଦେବ ସବୁ ଗେଲ
ପ୍ରକୃତି ପାଖରେ ନତଜାନୁ ହୋଇ
ସୁଧାରିବା ତା’କୁ ଚାଲ ।
ପ୍ରକୃତି ହସିଲେ ଦୁନିଆ ହସିବ
ହସିବେ ଉଦ୍ଭିଦ ଜୀବ
ମଉସୁମୀ ଆଉ ଦୂରେଇ ଯିବନି
ଜଳ ସ୍ଥଳେ ବରଷିବ।
Comments are closed.