କୁଞ୍ଜ ବିହାରୀ ସାହୁ
ବାପା-ବୋଉ ସାଥେ ଯାଇଥିଲି ବୁଲି
ମୟୁରଭଞ୍ଜର ଶିମିଳିପାଳ,
ଦେଖୁଥିଲି ମୁହିଁ ଚାରିପଟେ ଅଛି
ଉଚ୍ଚ ପରବତ, ନଦୀ ଓ ନାଳ।
ଗୋଡ଼ିମାଟି ରାସ୍ତା ବାଟେ ଖାଲଖମା
ଚାଲୁଥିଲି ମୁହିଁ ଥିଇରିଥିରି,
ବେଳେବେଳେ ବୋଉ ହାତ ଧରୁଥିଲା
ପିଲା ହସୁଥିଲେ କିଇରିକିରି ।
ଜଙ୍ଗଲ ଭିତରେ କୁଡ଼ିଆ ଘରକୁ
ଚାହିଁଦେଲି ଦଣ୍ଡେ ହୋଇ ମୁଁ ଠିଆ,
କୁନି କୁନି ପିଲା ପାଖକୁ ଆସିକି
କହିଲେ ‘ଜଙ୍ଗଲ ଆମରି ମାଆ ।
ଏ ବଣ-ପାହାଡ଼ ସବୁଠୁ ସୁନ୍ଦର
କେତେ ଗଛଲତା ଅଛନ୍ତି ଏଠି,
କେହି ଆସନ୍ତିନି କାଟିବା ପାଇଁକି
ଆମେ ଜଗିଅଛୁ ହୋଇ ଏକାଠି ।
ଏଇ ଘରେ ଆମେ ଖୁସିରେ ରହିଛୁ
ଖୋଲାପଡ଼ିଆରେ ଖେଳୁଛୁ ଖେଳ,
ବାପା ବୋଉ ବୋଲ ମାନୁଛୁ ସଭିଏ
ପୁନିଅଁ ପରବେ ହେଉଛୁ ମେଳ ।
ଥିରିଥିରି ଯା ଦେଖିବ ଆଗରେ
ପାହାଡ଼ୁ ଝରୁଛି ଝରଣା ପାଣି,
ଝର ଝର ହୋଇ ଭୂଇଁରେ ପଡ଼ୁଛି
ନାଁ ଟି ତାହାର ‘ବରେହିପାଣି।”
ଦେଖିଲି ବାଟରେ ହରିଣ, ସମ୍ବର,
ଠେକୁଆ, ବାରହା, ଶୁଆ ଓ ଶାରୀ,
ଡାଳରୁ ଡାଳଜୁ ଡିଆଁଟେ ମାରୁଛି
ଖୁସିରେ ମାଙ୍କଡ଼ ଛୁଆକୁ ଧରି ।
ହାତୀକୁ ଦେଖି ମୁଁ ଛାନିଆ ହୋଇଲି
ବୋଉ କହିଦେଲା – ‘ଡରନା ତୁ,
ହାତୀ ଚାଲିଯିବ ତାଆରି ବାଟରେ
ଆମକୁ ଦେଖି ସେ କରିବ ଛୁ ।’
ବାପା କହିଦେଲେ – “‘ଖଇରି’, ‘ସାଳନ୍ଦୀ’
‘ପଳପଳା’ ନଈ ଯାଉଛି ବୋହି,
‘ଦେଓ’,’ଗଙ୍ଗାହାର,’ସାଞ୍ଜୋ’,’ଖରଖାଇ’
ସଭିଙ୍କ ମନକୁ ନେଉଛି ମୋହି ।
ଗହଳ ପତର ଗହଳ ଲଟାରେ
ସୁନ୍ଦର ଦିଶୁଛି ଶିମିଳିପାଳ,
ଜାତୀୟ ଉଦ୍ୟାନ ନାଁ ତା ରହିଛି
ସଜେଇରଖିବା ତା ଗଛ ଡାଳ ।”
ବାପାଙ୍କ କଥାରେ ହୁଁ ଟେ ମାରିଲି
ଫେରିଲି ଖୁସିରେ ଗୀତଟି ଗାଇ
ଗାଉଁଲି ପିଲାଙ୍କ କଥାକୁ ଝୁରିଲି
ଶିମିଳିପାଳକୁ ଭୁଲିିବି ନାହି ।
ମୟୁରଭଞ୍ଜରେ ଶିମିଳିପାଳ
ରହିଛି, ରହିବ କାଳକୁ କାଳ
ବାପା ବୁଝେଇଲେ ପୋଡ଼ିବ ନାହିଁରେ
ଜଙ୍ଗଲର ଗଛ-ପତର, ଡାଳ ।
ଏଲ୍.ଆଇ.ଜି – ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର ୭୫୧୦୧୧୨
୭୦୦୮୧ ୪୨୦୪୦