Latest Odisha News

BREAKING NEWS

କବିତା : ରଥ ଯାତରା

କୁଞ୍ଜବିହାରୀ ସାହୁ 

ତିନି ରଥେ ତିନି ଦିଅଁ ବସିଛନ୍ତି
ବଳିଆ, ସୁଭଦ୍ରା, ଜଗତନାଥ,
ହରଷ ମନରେ ବୁଲି ବାହାରିଲେ
ଦେଖିବା ପାଇଁକି ଗୁଣ୍ଡିଚାମାତ ।

ବାଜୁଅଛି ଘଣ୍ଟ, ଘଣ୍ଟା, କାହଳୀ ଯେ
ଭେରି, ତୂରୀ, ଗିନି, ଖୋଳ ମୃଦଙ୍ଗ,
ଶୁଭୁଛି ଭଜନ- କୀର୍ତ୍ତନ-ଜଣାଣ
ଠାକୁର ହସନ୍ତି ହୋଇଣ ସଙ୍ଗ ।

ଭକତି ଭୋଳରେ ଶରଧାବାଲିରେ
ମୁଣ୍ଡିଆ ମାରନ୍ତି ଭକତ ରହି,
ଶୁଣୁଛନ୍ତି ଦିଅଁ ହରିହରିବୋଲ
ହୁଳହୁଳି ସୁରେ କମ୍ପୁଛି ମହୀ ।

ଭୋଗ ଖାଉଛନ୍ତି ଭକତ ହାତରୁ
ରଥେ ବିଜେ ହୋଇ ଭକତେ ଚାହିଁ,
ସଭିଏଁ କହନ୍ତି ଏମିତି ଦିଅଁ ଯେ
କୋଉଠି ନାହିଁରେ କୋଉଠି ନାହିଁ ।

କହୁଛନ୍ତି ଦିଅଁ ଆସରେ ଆସରେ
ତୁମପାଇଁ ଶୀରିମନ୍ଦିର ଛାଡ଼ି,
ରଥରେ ଯାଉଛୁ ଯାତରା କରିକି
ଦୁଃଖଶୋକ ସବୁ ଦେବାକୁ ଛାଡ଼ି ।

ଦେଖ ଦେଖ ଦେଖ ଏ ଆମ ଯାତରା
ରଥକୁ ଥରୁଟେ ଦିଅରେ ଛୁଇଁ
ବରଷକ ଆଜି ଖୁସିରେ ନାଚରେ
ନାଚରେ ନାଚିବ ମରତ ଭୂଇଁ ।

 

ପାତ୍ରପଡା, ଭୁବନେଶ୍ବର
୭୦୦୮୧ ୪୨୦୪୦

Comments are closed.