ମଞ୍ଜୁ ରାଣୀ ବେହେରା 
ସେମାନେ ଅନେକ ପ୍ରଶ୍ନ କରନ୍ତି
କ୍ୟାମେରା ଧରି
ବୁମ୍ ଧରି
କଲମଟେ ଧରି।
ମାଳ ମାଳ ଦିଗହରା ପକ୍ଷୀ ପରି
ଆହାର ସନ୍ଧାନେ
ମେଞ୍ଚାଏ ଖୁଦ ଖେମ୍ପିବା ପାଇଁ
ମୋ ଦୁଆରେ ମାଡ଼ି ବସନ୍ତି।
ଧାନ ଅମଳ, ଆର୍ଥିକ ସାହାଯ୍ୟ
ଭଲ ବିହନ,
ଏ ସବୁକୁ ନେଇ
ଢେର୍ ଯୁକ୍ତି ଚାଲେ।
ତାଙ୍କ ପ୍ରଶ୍ନିଲ ବାଣରେ
ଆସ୍ତେ ଆସ୍ତେ ଆହତ ହୁଏ
ମୋ ଭିତରର ଦାମ୍ଭିକପଣ ଯେତେ।
ମୁଁ କଣ ବୁଝେ ଯେ,
କେଉଁ ଏକ ଲୋକପ୍ରିୟ ଖବକାଗଜର
ପହିଲି ଫର୍ଦ୍ଦରେ ମୋ ନାଁ
ମୁଁ କଣ ଜାଣେ
କେଉଁ ନିଉଜ୍ ବୁଲେଟିନର
ହେଡଲାଇନ୍ ରେ ଆଜି ମୋ ଗାଁ ।
ମୁଁ ଖାଲି ଦେଖେ,
ସେମାନଙ୍କ ତର୍କରେ
ନିଜ ପେଟର ଭୋକକୁ
ଚିରା ଚରିତ ଢଙ୍ଗରେ
ମୋ କପାଳକୁ ଉପହାସ କରୁଥିବା
କିଛି ଶାଣିତ ଶଦ୍ଦ ମାନଙ୍କୁ।
ମୁଁ କେବଳ ଜାଣେ,
ଗଣ୍ଡାଏ ଭାତ ତ କେବଳ
ଜୀଇଁବା ପାଇଁ ଲୋଡା
ହେଲେ ମୋ ଜୀବନ
ମୋ ଜୀବିକା ଆଉ
ମୁଁ ତ ଆଜନ୍ମ ବନ୍ଧା ଏ ମୋହରେ
କେଉଁ ବାପ ଅଜା, ପଣ ଅଜା ଅମଳରୁ
ମୋତେ ସଅଁପି ଥିବା
ଏ ମୁଠାଏ ମାଟିର ବାସ୍ନାରେ।
Comments are closed.