Latest Odisha News

BREAKING NEWS

କବିତା : ନିଖୋଜ ଈଶ୍ୱର

ମଞ୍ଜୁରାଣୀ ବେହେରା 

 

ସେମାନେ ବାରମ୍ବାର
ବିଦ୍ରୋହ ରଚନ୍ତି
ପୁଳା ପୁଳା ଷଡଯନ୍ତ୍ର ଭିତରୁ
ବନ୍ଦୀ ହୋଇଥିବା ଈଶ୍ୱରଙ୍କୁ
ମୁକୁଳେଇବାର ଅନେକ
ପ୍ରୟାସ କରନ୍ତି।

କେତେ ଭୂତ, ଭବିତବ୍ୟ
ଯୁକ୍ତିତର୍କ,ପ୍ରଶ୍ନ ଉତ୍ତରର
କାଠ ଗଡ଼ାରେ
ତାଙ୍କୁ ଠିଆ କରାଯାଏ
ଏକ ଅନନ୍ତ ଆକୁଳତାରେ
ତାଙ୍କ ଭିନ୍ନ ଭିନ୍ନ ସ୍ଵରୁପ
କେଉଁ ଅତଳ ତଳ ସନ୍ଧିରୁ
ଆବିଷ୍କୃତ ହୁଏ।

ଜ୍ଞାନ ବିଜ୍ଞାନର ସିଦ୍ଧାନ୍ତରେ
ଧର୍ମ ଅଧର୍ମର ବିଶ୍ବାସରେ
ସ୍ଥିତି ଅବସ୍ଥିତିର ଚକ୍ରବ୍ୟୁହରେ
ତାଙ୍କୁ ଖୋଜା ଚାଲେ ଅନେକବାର ।

ତଥାପି ସେ ମଉନ ରୁହନ୍ତି।

ପ୍ରମାଣର କଣ ଆବଶ୍ୟକତା ଯେ?
ସେ ତ ବନ୍ଦୀ
ଆମ ହାତ ମୁଠାରେ
ସେ ତ ନିଖୋଜ
ଏକ ଦୁର୍ବଳ ମାନସିକତାରେ।

କିନ୍ତୁ ହାୟ!
ସେ ବାରମ୍ବାର ହାରି ଯାଆନ୍ତି
ନିଜ ଅବସ୍ଥିତିକୁ ଜାହିର କରି

ସେ ଖୋଦ୍ ଈଶ୍ୱର
ସେତିକି କଣ ପର୍ଯ୍ୟାପ୍ତ ନୁହେଁ କି?

Comments are closed.