Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୦)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ

ସେଇ ମୀନାକ୍ଷି ଆଜି ତାଙ୍କୁ ଅଜସ୍ର ଅଭିଶାପର ମର୍ମଦାହୀ ଆଘାତରେ ରକ୍ତାକ୍ତ କରି ଏ ଅଟ୍ଟାଳିକାର ସୀମା ଅତିକ୍ରମ କରି ଚାଲିଯାଇଛି । ବିବାହ ବିଚ୍ଛେଦ ଦଲିଲରେ ସ୍ୱାକ୍ଷର କରିବା ପରେ ଆଜି ଶେଷଥର ପାଇଁ ସେ ଆସିଥିଲା ତାଙ୍କର ବାସଭବନକୁ । ତାଙ୍କର ଅତୀତ କଳଙ୍କକୁ ଓଝାଳି ଦେବାବେଳେ ସ୍ୱରରେ ଘୃଣାର ବ୍ୟଞ୍ଜନା ଭରି କହିଥିଲା- ତମେ ବିଶ୍ୱାସଘାତକ… ଅସାମାଜିକ ।
ତମ ପାଇଁ ଆଜି ମୁଁ ବନ୍ଧୁତାକୁ କଳୁଷିତ କରିଛି । ତମେ ହୃଦୟହୀନ… ଧିକ୍‌କାର ତମ ପୁରୁଷତ୍ୱକୁ… ।

ମୀନାକ୍ଷିର ସକଳ ଭତ୍ସନା ଶୁଣିବା ବ୍ୟତୀତ ଚନ୍ଦ୍ରଭାନୁଙ୍କ ମୁଖ ଖୋଲିବାପାଇଁ ସାମର୍ଥ୍ୟ ହିଁ ନଥିଲା । ସ୍ଥାନୀୟ ଅଫିସ୍‌ରେ ଜଏନ୍ କରିବା ଦିନ ପଦ୍ମିନୀକୁ ଦେଖି ତାଙ୍କ ମନ ଭିତରେ ଭୟ ସଂଚାର ହୋଇଥିଲା । ପ୍ରଥମତଃ ବିନା ଛାଡ଼ପତ୍ରରେ ସେ ମୀନାକ୍ଷି ଭଳି ଜଣେ ସୁଶିକ୍ଷିତା ଝିଅକୁ ବିବାହ କରିଛନ୍ତି । ଦ୍ୱିତୀୟତଃ ତାଙ୍କର ପ୍ରଥମ ପତ୍ନୀ ମୀନାକ୍ଷିର ସାଙ୍ଗ । କିନ୍ତୁ ଏଇ କିଛି ଦିନର ରହଣି ଭିତରେ ସେ ମୀନାକ୍ଷି ତରଫରୁ କି ପଦ୍ମିନୀ ତରଫରୁ କିଛି ବି ଆକ୍ରମଣସୂଚକ ଇଙ୍ଗିତ ପାଇ ପାରି ନଥିଲେ । ସେ ଜାଣି ନଥିଲେ କ୍ରୋଧର ଲାଭା ଦିନେ ଏଇ ଭଳି ବିଷ୍ଫୋରିତ ହୋଇପାରେ ବୋଲି । ମୀନାକ୍ଷିର କ୍ରୋଧ ତାଙ୍କୁ ମୂକ କରିଦେଇଥିଲା । ପାପର ପାଚେରୀ ଭାଙ୍ଗିଯିବା ପରେ ମଣିଷ ଏମିତି କିଛି ସମୟ ମୂକ ହୋଇଯାଏ

ମୀନାକ୍ଷି ଆଜି ନାହିଁ…. ସମ୍ଭବତଃ ସେ ଆଉ ଆସିବ ନାହିଁ । ତା’ କବରୀର ସୁଗନ୍ଧରେ ଶୟନକକ୍ଷର ପ୍ରତିକୋଣ ଅନୁକୋଣ ଆଉ ମତୁଆଲା ହେବନାହିଁ । ରୂପର ବସନ୍ତ ହୋଇ ତାଙ୍କ ଜୀବନର ସଜ୍ଜିତ ଉପବନରେ ସେ ପତ୍ରଝଡ଼ା ଦେଇ ଚାଲିଗଲା । ଚନ୍ଦ୍ରଭାନୁ ଗବାକ୍ଷ ବାହାରୁ ଦୃଷ୍ଟି ଫେରାଇ ଶଯ୍ୟାଧାରକୁ ଲକ୍ଷ୍ୟ କଲେ । ଏକ ପରିଚିତ ଉତ୍କଟ ସୁଗନ୍ଧରେ ତାଙ୍କର ଘ୍ରାଣେନ୍ଦ୍ରିୟ ଉତ୍ତେଜିତ ହୋଇଉଠିଲା । ଏଇ ଗନ୍ଧ ସେ ପ୍ରତିଦିନ ମୀନାକ୍ଷି ଦେହରୁ ପାଆନ୍ତି । ତେବେ ମୀନାକ୍ଷି କ’ଣ ଏ ଘରର କେଉଁଠି ଆତ୍ମଗୋପନ କରି ରହିଛି ? ସନ୍ଦେହୀ ଦୃଷ୍ଟିକୁ ସେ କୋଠରୀର ଚାରିପାଖେ ଘୂରାଇ ଆଣିଲେ । ଚେୟାର ଉପରେ ବାଦାମୀ ରଙ୍ଗର ଗୋଟିଏ ରୁମାଲ ପଡ଼ିଥିବା ସେ ଲକ୍ଷ୍ୟ କଲେ । ହାତ ବଢ଼େଇ ସେ ସେଇଟିକୁ ଉଠାଇ ଆଣିଲେ । ତୀବ୍ର ସୁଗନ୍ଧ ତାଙ୍କର
ଆପାଦମସ୍ତକ ଛାଇ ହୋଇଗଲା ।

କ୍ରମଶଃ

Leave A Reply

Your email address will not be published.