Latest Odisha News

କବିତା : ପାଦଚିହ୍ନ

ରାଜ କିଶୋର ଦାସ 

ପାଦକଥା କ’ଣ ବା କହିହେବ
ଏକଥା ସତ୍ୟ ଯେ, ମୋଠୁ, ଆମଠୁ
ତୁମେ ପାଦେ ଅଧିକା ।
ନଖ କୋଣରୁ ବୁହାଇ ପାର ନଈ
ସମୁଦ୍ର ଉପରେ ଉପରେ
ବେଶ୍ ପାଦଥାପି ଚାଲିପାର,
ବହୁ ଚିତ୍ରବିଚିତ୍ରର ତଳିପା !

ଭୂମିରେ କେବେ ତୁମ ପାଦ ଲାଗିଛି
ଜାଣେନା,
ମୋ ଛାତି ସାରା କିନ୍ତୁ ବିଛେଇ ପଡ଼ିଛି
ପାଦଚିହ୍ନ,
ଏଣୁ ତ, ଅନେକ ରାତି ଯାଏ
ମୁଁ ଶୋଇପାରେନା ଜମା,
ଆଜିକାଲି କାଳେ ରୋଗୀ ରୋଗୀ ଲାଗୁଛି
ମୁହଁ, ଆଖିରେ ବୟସ ଚିହ୍ନ ବାରି ହେଇଗଲାଣି ।

ତୁମେ ତ ଚିର ବସନ୍ତରେ ରାଜ୍ କରୁଛ
ତୁମକୁ ଦେଖି କିଏ କ’ଣ କହିବ
ତୁମକୁ ଏତେ ବୟସ ହେଲାଣି ?
ତୁମେ ଯେତେ ଲୁଚେଇଲେବି
ମୁଁ ଜାଣିଛି ବୟସ କମ୍ ଦିଶିବାର
ବଡ଼ ମହୋଷଧି ପରା ପ୍ରେମ ।

ତୁମେ ପ୍ରେମରେ ବୁଡ଼ିରହିଛ, ରହିଥାଅ
ପ୍ରେମ ନଥିଲେ କିଏ କ’ଣ କାହାର ପାଦ
ମୁଣ୍ଡରେ ଧରେ, ନାଁ ପାଦ ତଳେ ନଇଁପଡ଼େ ?
ଛାତି କଥା ଛାଡ଼ ।
ଖାଲି ମୁଁ ତୁମ ପାଦକୁ ଚାହିଁ ରହିଛି ବୋଲି
ମୋ ନାଁରେ ଅପବାଦ,
ଯା’ଅ ଯା’ଅ ମୋତେ ବି ଜଣା’
ଯୁଦ୍ଧରେ ପ୍ରେମରେ ସବୁ ଉଚିତ୍‌
ସବୁ ଉଚିତ୍ ।

Comments are closed.