ରାମକୃଷ୍ଣ
ଯିବାକୁ ମୋର ଜମା ଇଚ୍ଛା ନାହିଁ
ଯାହା ଅଛି ହଜିଯାଆନ୍ତି ତା ଭିତରେ
ଯାହା ନାହିଁ ତାକୁ ଭରି ଦିଅନ୍ତି
ସୁନ୍ଦର ସବୁ ମୋର କଳ୍ପନାରେ,
ଅଜସ୍ର ଇଚ୍ଛାଙ୍କ ଉତ୍ସବରେ
ମାତି ଯିବାକୁ ମନ ମୋର, କିନ୍ତୁ ଜାଣେ
ବସି ରହିବା ତ ଦୂରର କଥା
ଘଉଡାଇ ନିଆଯିବ ମୋତେ ଛିଡାହେବା ଜାଗାରୁ
ଅଟକି ରହିଯାଏ ଯଦି ପାଦ କେଉଁଠି ଘଡିଏ !
ମୁଁ ଆଦୌ ଅମଙ୍ଗ ନୁହେଁ ଯିବାକୁ
ଯୁଆଡେ କହିଲେ ଯିବି ନିର୍ଦ୍ବନ୍ଦରେ
କିନ୍ତୁ କ୍ଷତି କଣଥିଲା ଜଣାଇ ଦେଇଥିଲେ
ଯେ ଏ ଧାନଖେତ ପରେ
ପାରି ହେବାକୁ ପଡିବ ଗୋଟେ ବଢିଲାନଈ
ତା’ପରେ ଗୋଟେ ମରୁଭୂମି
ତାପରେ ଗୋଟେ ଘନ ଜଙ୍ଗଲ
ଯେଉଁଠି ରାସ୍ତା ସରିଯିବାର ଭ୍ରମ ଜାଗିପାରେ
ଏବଂ ସବାଶେଷରେ କହିଦେବାର ଥିଲା
ଯେ ସବାଶେଷ ବୋଲି କିଛି ନାହିଁ ।
କାହିଁକି କୁହାଗଲା ନାହିଁ କେଜାଣି
କହି ଦେଇଥିଲେ ହୁଏତ
ଜୋତାହଳକ ଗଳେଇ ଦେଇଥାନ୍ତି ପାଦରେ
ଛତା ବାଡି ଝୁଲାମୁଣା ନେଇଥାନ୍ତି ସାଙ୍ଗରେ
ପହଁରା ଶିଖି ନେଇଥାନ୍ତି ସଅଳ ସଅଳ
ଟିପା ଖାତାଟିଏ ବି ଧରିଥାନ୍ତି ପରିବ୍ରାଜକ ଭଳି
ମୁଁ ଜମା ନାଚିନଥାନ୍ତି ପୋଷା ମାଙ୍କଡ଼ ଭଳି
ସବୁ ରହସ୍ୟର ସବୁ ଗୁମର
ଫିଟେଇ ଦେଇଥାନ୍ତି ଅନ୍ଧମାନଙ୍କ ଆଗରେ
ତଥାପି ମୋର ଅଭିଯୋଗ କିଛି ନାହିଁ
ଅଜଣା ଗଳିକନ୍ଦି ଅନ୍ଧାର
ଯୁଆଡେ ଆଦେଶ ହେବ ଯିବି
ନର୍କକୁବି ସ୍ବର୍ଗ ଭଳି ଦେଖିବା
ଚୋରା ଆଖିଟିଏ ମୋ ପାଖରେ ଅଛି
ତେବେ ବେକରୁ ଏ ପଘାଟା
ଖୋଲିଦେଲେ ହୁଅନ୍ତା ନାହି
ପଳାଇ ଯିବାର ରାସ୍ତା ତ ମୋତେ ଜଣାନାହିଁ ।
Comments are closed.