Latest Odisha News

କବିତା : ଦେହକଳ୍ପ

ରାମକୃଷ୍ଣ

ସମାଧିରେ ସୁରକ୍ଷିତ ମୁଁ
ଶୂନ୍ୟତାର ସୀମାହୀନତାରେ,
ପାଦେ ଓହ୍ଲାଇ ଆସିଲେ ତଳକୁ
ଘେରି ପକାଏ ପଞ୍ଚଭୂତରେ ନିର୍ମିତ
ଅନ୍ନମୟ ଗୋଟେ ମାଂସାଶୀ ଶରୀର।

ଅମୃତବୃକ୍ଷ ପରି ଶୂନ୍ୟରେ ଚେରାଏ
ପାଦରେ ପୃଥିବୀ ବାନ୍ଧେ
ଅଣ୍ଟାରେ ଇନ୍ଦ୍ରଧନୁ ଆଉ
ମଥାରେ କେରା କେରା ଆକାଶ
ଡାଳେ ଡାଳେ ରୂପ ରସ ଗନ୍ଧ
ପକ୍ଷୀର କୂଜନ ଓ ପବନର ନୃତ୍ୟ ।

ଗୃହପାଳିତ ଇଚ୍ଛାମାନଙ୍କୁ ନେଇ
ମୋର ଲାଭକ୍ଷତି ହସକାନ୍ଦର ସଂସାର
ନିଜ ରକ୍ତମାଂସରେ ପ୍ରତିପାଳିତ
ମୋର ସ୍ବପ୍ନମାନେ,
ସେମାନଙ୍କ ଉଚ୍ଚିଷ୍ଟରେ ଅନୁଗୃହୀତ
ଅଗଣାରେ ସମବେତ ବାରବୁଲା ଲୋଭ।

କୁଆଡୁ ଡେଣାହଳେ ଉଡି ଉଡି ଆସି
ଯୋଡି ହୋଇଯାଏ ଦେହରେ
ତା’ପରେ ଗ୍ରହ ନକ୍ଷତ୍ର ଜହ୍ନ
ସବୁ ହାତ ପାଆନ୍ତାରେ
କ୍ଳାନ୍ତ ହେଲେ ପାଦ ଫେରିଆସେ
ଖୁଣ୍ଟ ପାଖକୁ, ପଘାର ପାଶକୁ ବେକ

ଆକଟ ନୁହେଁ
ଉନ୍ମୋଚନ ମୋର ନିୟତି
ଆକାଶ ଘେରିବା ପାଇଁ ମାଟିର ମହକ
ଫୁଲକୁ ଯେତିକି କଣ୍ଟାକୁ ବି
ମୋର ସେତିକି ସମ୍ମତି।

Comments are closed.