Latest Odisha News

କବିତା : ଅଜନ୍ମା

ରାମକୃଷ୍ଣ

ତାର ଜନ୍ମ ନହେବା
ଅଥଚ ଦେହଟିଏ ପିନ୍ଧି
ଆମେ ଦେଖିପାରି ନଥିବା ସ୍ବପ୍ନ ପରି
ମାଟିରେ ଛିଡ଼ାହେବା
ଗୋଟେ ଅଲୌକିକ ସମ୍ଭାବନାର
ଉଦୟ ନିଶ୍ଚୟ ।

ଯେଉଁ ଦିନ ତାକୁ
ଓହ୍ଲାଇ ଦିଆଗଲା ଏ ମାଟିରେ
ମୃତ୍ୟୁ ତାର ହାତ ଧରି
ବୁଲାଇ ଆଣିଲା ଆମର ଚରାଭୁଇଁରେ
ଯେଉଁଠି ସେ ସଜାଇ ରଖିଥିଲା
ତାର ରଚନାର ବୈଚିତ୍ର୍ୟ ।

ସେ ଜନ୍ମ ହୋଇ ନଥିଲା
ଆସିଥିଲା କେବଳ ଆଙ୍କିବା ପାଇଁ
ମୃତ୍ୟୁର ପିଠିରେ ଆମର ଅମରତ୍ବର ଚିତ୍ର,
ବୟସର ମାଇଲଖୁଣ୍ଟ ପୋତି ପୋତି
ମାପିବାକୁ ମୃତ୍ୟୁର ଆୟୂଷ,
ସେ ବି ଏକ ସ୍ବପ୍ନର ଚାରଣଭୂମି
ଯାହା ଆମର ମରଣଶୀଳ ଆଖିରେ
ମରୁର ଛାତିରେ ସ୍ବପ୍ନର ଗୋଟେ ସ୍ବର୍ଗ ।

ତାର ଜନ୍ମ ନହେବାର ଏକମାତ୍ର କାରଣ
ଯେ ସେ ବାନ୍ଧି ହେବାକୁ ଚାହୁଁନଥିଲା
ମୃତ୍ୟୁର ଅସ୍ଥାୟୀ ସୁଖଦୁଃଖର ମାୟାରେ
ଛନ୍ଦି ହେବାକୁ ଚାହୁଁ ନଥିଲା
ଗୋଟେ ନଥିବା ସମୟର ଜାଲରେ ।

ଛୁଇଁବା ଚାଖିବାର ଦରକାର ନଥିଲା
ଦେଖିବାର ସ୍ବାଦ ହିଁ ଥିଲା ଅପୂର୍ବ,
ତଥାପି କଣ ଆମେ ଶିଖିପାରିଲେ
ତା’ପାଖରୁ ଜନ୍ମ ନନେବାର କଳା ?

Comments are closed.