ରମେଶ ରଥ
ପ୍ରବାସରେ ଥାଇ ମାଆର ଚିଠିରେ
ପୁଅ ତା ଉତ୍ତର ଲେଖୁଛି
କେମିତି ଅଛି ମୁଁ କାଇଁ ମା ପଚାରୁ
ହୃଦୟ ମୋ ଫାଟି ଜାଉଛି।।
ପରିବାର ସାଙ୍ଗ ସାଥି ଦେଖିବାକୁ
ସବୁବେଳେ ସିନା ହସୁଛି
ସେ ହସରେ କେତେ ଯନ୍ତ୍ରଣା ରହିଛି
ସେକଥା ମୁଁ ଏକା ଜାଣିଛି।।
କୋର୍ଟ ସୁଟ ପିନ୍ଧି ବଡ଼ କାର ଚଢି
ବାବୁ ପରି ଦେଖା ଯାଉଛି
ଭିତରେ ପୋଡି ମୁଁ ଅଙ୍ଗାର ହେଲାଣି
ସେକଥା କିଏବା ଯାଣୁଛି।।
ଯେବେ ଇଚ୍ଛା ହୁଏ ତୋ ବୋହୁ ସାଙ୍ଗରେ
ବଡ଼ ହୋଟେଲେରେ ଖାଉଛି
ହେଲେ ସେ ଖାଦ୍ୟରେ ତୋ ହାତ ସୁଆଦ
ଖୋଜିଲେବି କୋଉ ମିଳୁଛି।।
ତୋ ନାତିଟା ଏବେ ବାପା ଡାକ ଛାଡି
ଡ୍ୟାଡି ବୋଲି ମତେ ଡାକୁଛି
ମାଆକୁ ତାହାର ମମୀ ଡାକି ଡାକି
ମଶାଣିରେ ନେଇ ଥୋଉଛି।।
ତୋ ବୋହୁ ସାଙ୍ଗରେ କଥା ହେବା ପାଇଁ
ଚାତକ ପରି ମୁଁ ଚାହୁଁଛି
ପିଲା ପାଇଁ ତାକୁ ସମୟ ମିଳୁନି
ମୋ କଥା କୋଉଠୁ ଉଠୁଛି।।
ସ୍ମାର୍ଟ ଫୋନ ଧରି ଫେସେବୁକରେ
ଲାଇଭ ଚାଟିଙ୍ଗ କରୁଛି
ଦିନୁ ଦିନ ତାର ଫଲୋଅର ବଢେ
ଭାରି ଡିମାଣ୍ଡ ତା ରହିଛି।।
ମାସେକେ ଦିଥର ବିନା ନିମନ୍ତ୍ରଣେ
ଶାଶୁ ଶାଳୀ ଶଳା ଆସୁଛି
ପାଟି ଫିଟାଇଲେ ଧର୍ମପତ୍ନୀ ମୋର
ଚଉଦ ପୁରୁଷ ଗାଳୁଛି।।
ଦେଖି ପାରୁନିକି ଦେଖାଇ ପାରୁନି
ଅଜାଗା ଘାଆ ମୋ ହୋଇଛି
କା ଆଗେ କହିଲେ ଲାଯେ ମରିଯିବି
ତତେ ଖାଲି ଖୋଲି କହୁଛି।।
ସବୁ ଦେଖି ମୁହିଁ ନିରବ ରହୁଛି
ଅନ୍ଧ ଧୂତରାଷ୍ଟ୍ର ସାଜିଛି
ଥକି ପଡ଼ିଲାଣି ତୋ କୋଳେ ବୋଉଲୋ
ଶୋଇବାକୁ ଟିକେ ଚାହୁଁଛି।।
Comments are closed.