ସବିତା ତ୍ରିପାଠୀ
କବିତା ଗୋ ତୁମେ
ମୋ ଚିନ୍ତା ଚେତନେ
ହୃଦୟଟା କିଣି ଦେଲଣି,
ମନ ଉପଵନେ ଗୋଲାପି ସ୍ପନ୍ଦନେ
ହୃଦୟଟା ଚୋରି ହେଲାଣି……।
ନିର୍ଜନ ବେଳାରେ ସାଥି ହୋଇ ତୁମେ
ଯେବେ ଆସିଥାଅ ଚିନ୍ତା ଚେତନେ,
ହୃଦୟ ବିଚରା ସ୍ତବ୍ଧ ହେଇଥାଏ
ତମ ଗୁଣୁ ଗୁଣୁ କୁହୁକ ତାନେ….।
ନିସ୍ତବ୍ଧ ପ୍ରହରେ ନୀରବତାରେ
ମନ ଖୋଜୁଥାଏ ଶବ୍ଦ ସମୁଦ୍ରେ
କବିତା ଗୋ ତୁମେ
ମିଳିଯାଓ ଯେବେ,
ବାକ୍ୟ ର ଚୁମ୍ବନେ
ଡ଼ାଇରୀ ମୋ ଭିଜେ
ପ୍ରୀତି ଭରା ଜୋଛନାରେ…….
ମଉଳା ଗୋଲାପ ପାଖୁଡ଼ାରେ
ଶବ୍ଦ ଗୁଚ୍ଛେ ତମ ଚିତ୍ରପଟ୍ଟ ଆଙ୍କି
ହୃଦୟର ଝରକା ଫାଙ୍କେ
ଆଖି ପଲକ ଖୋଲି
ପ୍ରୀତିର ରଙ୍ଗେ ରଙ୍ଗେଇ
ଦୁନିଆ ନଜରେ ଲୁଚେଇଦିଏ……।
କବିତା ଗୋ ତୁମେ ଯେବେ
ଆସିଥାଅ ମୋ ମନ ସ୍ମୃତିପଟ୍ଟ
ଅମାବାସ୍ୟା ରାତ୍ରିର ଅନ୍ଧାରେ ବି
ଚନ୍ଦ୍ରମା ର ଆଲୋକ ଖେଳିଯାଏ,
ପ୍ରେମ, ପ୍ରତାରଣା, ଘୃଣା
ସବୁକୁ ଚାପିକି ନିଜ ଛାତିରେ
ଯନ୍ତ୍ରଣା ରେ ଛଟପଟ ହେଇ ଥାଏ
ପୁଣି ନୂତନ ଖୁସିର ସନ୍ଧାନେ
ହସ ଗୁଡିକୁ ସାଇତି ରଖେ…… ।
କବିତା ଗୋ ଯେବେ ଆସିଯାଅ
ନିଃସଙ୍ଗତା ମୁହୂର୍ତ୍ତେ
ସବୁ ସାଇତିଥିବା ହୃଦୟ ସିନ୍ଦୁକରୁ
ଭାବନାର ଗନ୍ତାଘରେ
ଶବ୍ଦ ର ମେଳି ରେ କଲମ ମୁନରେ
ଉତ୍ତାରି ଦିଏ ଧୋବ ଫର ଫର
କାଗଜରେ…..
Comments are closed.