Latest Odisha News

BREAKING NEWS

ଶିଶୁ ଗଳ୍ପ : ଏମିତି ପୁଅ ଜଗତେ ସାର

କୁଞ୍ଜ ବିହାରୀ ସାହୁ

ମିଟୁ ବୋଉର ଦେହ ଭଲନାହିଁ । ମିଟୁ ହୋଲି ଖେଲିବାକୁ ଇଛା କଲାନି । ଦି ଚାରିଦିନ ତଳେ କୋହଲା ପାଗ ହେଇଥିଲା । ଝିପିଝିପି ମେଘ ବରଷୁଥିଲା । ଫଗୁଣ ମାସରେ ଏମିତି ପାଗ ହେବ ବୋଲି ସେ ଜାଣିନଥିଲା । ତଥାପି ତା ବୋଉ ପାଇଁ ଏମିତି ମେଘୁଆ ପାଗରେ ମେଡିସିନ ଦୋକାନରୁ ମେଡିସିନ ଆଣିଛି । କାଳେ ତାକୁ ଜ୍ଜର ହେଇଯିବ, ତେଣୁ ପଦାକୁ ବାହାରିଲାନି । କେବଳ ଝରକାବାଟେ ଦାଣ୍ଡ ଦୁଆରକୁ ଚାହିଁରହିଲା ପିଲାମାନଙ୍କର ରଙ୍ଗଖେଳକୁ ।
ମିଟୁ ଘରକୁ ତା ସାଙ୍ଗ ନଟ ଆସିଲା । କହିଲା – ଆ ଆ ସାଙ୍ଗ ଘର ବାହାରକୁ ଆ, ଆମେ ଦୁହେଁ ରଙ୍ଗ ବୋଳାବୋଳି ହେବା । ମଜା କରିବା । ମୁଁ ତୋ ପାଇଁ ଅବିର ଆଣିଛି ।

ନଟ ମୁଣ୍ଡ ଟୁଙ୍ଗାରି ମନାକଲା । ନା ମିଟୁ, ମୁଁ ବାହାରକୁ ଯିବିନି କି ହୋଲି ଖେଳିବିନି । ମୋର ଇଛା ହେଉନି । ତୁ ଯଦି ଖେଳିବୁ ଯା…ସାଙ୍ଗମାନଙ୍କ ମୁହଁରେ ରଙ୍ଗ ବୋଳିଦେବୁ । ମୋ ବୋଉର ଦେହ ଭଲ ନାହିଁ, ଖଟରେ ଶୋଇଛି ।
ନଟ ଟିକେ ରହିଯାଇ କହିଲା – ହଉ ହଉ, ମୁଁ ଟିକେ ମାଉସୀଙ୍କୁ ଦେଖିଦେବି । ଆଜି ହୋଲି ଖେଳ ନ ହେଉ, ଆର ବର୍ଷକୁ ଖେଳିବା ।
ନଟ ଘର ଭିତରକୁ ଯାଇ ମାଉସୀଙ୍କୁ ଦେଖିଲା । ମିଟୁର ବୋଉ ଘୋଡ଼େଇ ଶୋଇଛନ୍ତି । ନଟ ବହୁତ ପରୋପକାରୀ ପିଲାଟିଏ । ପାଖରେ ବସି ମୁଣ୍ଡ ଗୋଡ-ହାତ ଚିପିଦେଲା । ମୁଣ୍ଡରେ ଓଦାପଟି ଲଗେଇଦେଲା । ମାଉସୀଙ୍କ ମୋବାଇଲରୁ ନଟ ତା ବାପାଙ୍କୁ ଫୋନ କଲା । ତା ବାପା ଡାକ୍ତର ।  କିଛି ସମୟ ପରେ କାର୍ ଧରି ମିଟୁ ଘରେ ପହଞ୍ଚିଲେ ।

ମିଟୁ ମା’ର ଦେହ ପରୀକ୍ଷା କଲେ । ଦେହରେ ଜ୍ୱର ଅଛି । ଜିଭ ଶୁଖିଲା ଦିଶୁଛି ।  ଔଷଧ ଦେଲେ । ଆଶ୍ୱାସନା ଦେଇ କହିଲେ- ବର୍ତ୍ତମାନ ତୁମକୁ ଔଷଧ ଦେଉଛି । ମନେକରି ଖାଇଦେବେ ।  ବ୍ଲଡ ନେଉଛି । ଟେଷ୍ଟ ପରେ ଜଣାଇବି । ଭାବୁଛି ଭାଇରାଲ ଫିଭର । ଏ ବସନ୍ତ ଋତୁରେ ପାଗ ବଦଳେ । ଦିନବେଳା ଭୀଷଣ ଗରମ ହେତୁ ଥଣ୍ଡା ପାଣି ପିଇବାରେ ଟନସିଲ୍ ବଢିଯାଏ । ଜ୍ୱର ହୁଏ । ତିନି ଚାରିଦିନ ରହେ,ଦେହ ହାତ ଦୁର୍ବଳ ଲାଗେ । ବ୍ୟସ୍ତ ହୁଅନ୍ତୁନି । ଦୁଇ ଚାରିଦିନ ତଳେ ମେଘୁଆ ପାଗ ହେଇଥିଲା । ସବୁଆଡ଼େ ଲୋକମାନଙ୍କୁ ଜ୍ୱର କାଶ ହେଉଛି । ମିଟୁ ହୋଲି ଖେଳିବାକୁ ଯାଇନି, ଭଲ ହେଇଛି । ନଟ ମିଟୁ ସହ ହୋଲି ଖେଳିବ ବୋଲି ଘରୁ ପଳେଇଆସିଲା । ଯାହାହେଉ ସେ ମୋତେ ସଅଳ ସଅଳ ଖବର ଦେଇଦେଲା । କାହାର ଦେହ ଖରାପ ହେଲେ ନଟ ଚୁପଚାପ୍ ରହିପାରେନି । ସେବା କରିବାକୁ ଆଗେଇଆସେ । ନଟ ପାଖରେ ଅଛି, ଆଉ ଡରିବାର ନାହିଁ । ନଟର ବାପା ମିଟୁକୁ କହିଲେ – ତୁ ଠିକ୍ କରିଛୁ ପୁଅ । ତୋ ବୋଉ ପାଖରେ ଜଗିଛୁ। ହୋଲିଖେଳରେ ବାର୍ଣ୍ଣିସ୍  କି ମୁଣ୍ଡଫଟା ରଙ୍ଗ ନ ଖେଳି ବରଂ ଘରେ ବସିବା ଭଲ । ନଟଏଇଠି ଥାଉ । ମୁଁ ଯାଉଛି ଘରୁ ଖାଇବାପାଇଁ ନେଇଆସିବି । ଆସିଲାବେଳେ ନଟର ମାଆକୁ ସାଥିରେ ନେଇଆସିବି । କିଛି ସମୟ ଏଇଠି ରହି ଦେଖାଶୁଣା କରିବ । ଏହା କହି ମିଟୁର ବାପା ଘରକୁ ଗଲେ । ଗଲାବେଳକୁ ନଟକୁ କହିଲେ – ତୁ ମିଟୁର ବୋଉ ପାଖରେ ଥିବୁ । ମିଟୁ ତ ଅଛି । ଜରୁରୀ ହେଲେ ଫୋନ୍ କରିବୁ । ହଁ ଆଜି ବାହାରକୁ କେହି ଯିବନି କି ହୋଲି ଖେଳିବନି ।
ନଟର ବାପା ଘରକୁ ଗଲେ। ଘଣ୍ଟାଏ ପରେ ସମସ୍ତଙ୍କ ପାଇଁ ଖାଦ୍ୟ ଆଣିଦେଲେ । ନଟ ମା ବି ସାଥିରେ ଆସିଥିଲେ । ଦେଖିଲେ ମିଟୁ ବୋଉଙ୍କ ସହ ଦୁଇପଦ କଥାହେଲେ । ଜ୍ୱର କମିଛି । ଦୁର୍ବଳ ଓ ପାଟି ପିତା ପିତା ଲାଗୁଛି । ଖାଇବାକୁ ଇଛାହେଉନି । ବୁଝେଇ କହିଲେ ଖାଇବାକୁ । ବହୁତ କଷ୍ଟରେ ମିଟୁର ବୋଉ ଅଳ୍ପ ଖାଇଲେ । ତାପରେ ଔଷଧ ନେଲେ । ବ୍ଳଡ ରିପୋର୍ଟରୁ ଜଣାପଡିଲା ସବୁ ଠିକ୍ ଠାକ୍  ଅଛି । ଭାଇରାଲ ଫିଭର । ଡରିବାର ନାହିଁ । ମିଟୁ ଓ ନଟ ସାଥୀହୋଇ ଖାଇଲେ ।

ମିଟୁ ତା ସାଙ୍ଗ ନଟକୁ କହିଲା – ସତରେ ତୋ ସହ ସିନା ହୋଲି ଖେଳିଲିନି କିନ୍ତୁ ତୋ ବାପା-ମା ଙ୍କର ସାହାଯ୍ୟ ଭୁଲିପାରିବିନିନି । ବିପଦବେଳରେ ସାହାଯ୍ୟ ହିଁ ପ୍ରକୃତ ସାହାଯ୍ୟ । ଦେହ ଅସୁସ୍ଥ ରହିଲେ ଖେଳରେ ମଜା ରହେନି ।

ମିଟୁର ବୋଉ ଖୁସିରେ ନଟର ପିଠିକୁ ଥାପୁଡ଼ାଇ କହିଲେ –  ଏଡେ ବକଟେ ପିଲା ହେଇ ବି ସଵୁ ବୁଝିପାରୁଛୁ । ତୁ ବି ମୋର ପୁଅ ।

ମିଟୁର ବୋଉ ଦୁହିଁଙ୍କୁ ଗେଲକରି କହିଲେ –  ତୁମେ ଦୁହେଁ ଆର ବରଷକୁ ବୁଲିବ । ଫଗୁ ରଙ୍ଗ ଧରି ସାଙ୍ଗମାନଙ୍କ ଦେହରେ ବୋଳିଦେବ । ଯାଅ , ଫ୍ରିଜ ଖୋଲି ମିଠା ଆଣି ଖୁସିରେ ଖାଇଦିଅ । ମୁଁ ଭଲହେଇଯିବି ।”
ନଟର ମା ମିଟୁକୁ ଗେଲ କରିଦେଲେ । ସତରେ ତୋ ଭଳି ପୁଅଟିଏ ଏ ଜଗତରେ ସାର । ଆଜି ଏ ପର୍ବରେ ହୋଲି ନ ଖେଳି ନିଜ ବୋଉ ପାଖେ ପାଖେ ଅଛୁ, ଭଲ କରିଛୁ ।

 

ଭୁବନେଶ୍ବର
୭୦୦୮୧ ୪୨୦୪୦

Leave A Reply

Your email address will not be published.