ସଞ୍ଜୟ କୁମାର ସାହୁ
ମୋତେ ଏକା ପରି ଦିଶନ୍ତି
ଆକାଶ ଆଉ ପୁରୁଷ !!
ସମୁଦ୍ରରେ ପାଦ ଥାଇ
ଦୁହିଁଙ୍କ ଆଁ ଭିତରେ ଯେମିତି
ଅୟୁତ ଯୁଗର ଶୋଷ !!
ପିଲାଙ୍କ ଚିତ୍ରଖାତା ପରି
ବହୁବର୍ଣ୍ଣା ଚିତ୍ରିତ ଆକାଶ
ତା’ ହସରେ ଜହ୍ନରାତି
ତା’ ଲୁହରେ ମେଘରାତି
ତା’ କୋହରେ ଖରାତାତି
ତା’ ଗୁମାନରେ ବୟଳ ବତାସ !!
କେବେ ସଂସାରୀ ମଣିଷ ପରି
ପରିପୂର୍ଣ୍ଣ ଦିଶେ
ଆଉ କେବେ ଗୁରୁ ଗମ୍ଭୀର
ଧ୍ୟାନସ୍ଥ ମୁଦ୍ରାରେ ଆଦରି ନିଏ
ଯୋଗୀବେଶ !!
କୋଉ କମ୍ କି ପୁରୁଷ ?
ଛାତି ତଳେ ଥିଲେ ଥାଉ ଦୁଃଖ-ଶୋକ
ଥାଉ ଅବା ଗ୍ଲାନି, ଅବଶୋଷ
ଶିବ ପରି ହଳାହଳ ବିଷ ପିଇ
ଦାନ୍ତୁରା କଣ୍ଢେଇ ପରି
ମୁହଁରେ ତା’ ଚିରକାଳ ଅନାବିଳ ହସ !!
ଋତୁ ଆସେ, ଋତୁ ଯାଏ
ଖରା, ବର୍ଷା, ଶୀତ
ଆକାଶ ତ ନିର୍ବିକାର
ତା’ ପିଠିର କଳାପଟାରେ
ଲେଖି ପୁଣି ଲିଭି ହେଇଯାଏ
କେତେ କେତେ ମନଲୋଭା ଚିତ୍ର !!
ପୁରୁଷ ତ
ପାଦ ପାଇଁ ପିଠି ହୁଏ
ହୁଏ କୁସୁମିତ ପଥ
ସେ ପଥ ର ଚକ ହୁଏ ଅଖ ହୁଏ
ନିଜ ପାଇଁ ନିଜେ ହୁଏ
ନନ୍ଦିଘୋଷ ରଥ !!
ବଢ଼ିଆସାହି, କସର୍ଦା, କଟକ
Comments are closed.