Latest Odisha News

BREAKING NEWS

କବିତା : ହୋଲି

ଶୁଭନାରାୟଣ ଶତପଥୀ 

ଆସିଛି ଏବେ ଦୋଳପୁନେଇଁ
ତା ପଛେପଛେ ହୋଲି
ଆଲୋକ ମାଳେ ଦାଣ୍ଡ ମନ୍ଦିର
ଦିଶଇ ନେଳି ନାଲି ।

ଅଜା ଓ ଆଈ ଯାଆନ୍ତି ଦେଖ
ସାଥୀରେ ଡଲି ମିଲି
ମେଲି ଦେଇଛି ଦୋକାନୀ ତାର
ଖଇ ଶାକର ଥାଳି ।

ଦୋଳ ବିମାନେ ରାଧା ଓ କୃଷ୍ଣ
ଆସନ୍ତି ଝୁଲି ଝୁଲି
ବିଜେ ହୁଅନ୍ତି ମଣ୍ଡପପରେ
ଫୁଲ କୁଞ୍ଜର ଦୋଳି ।

ପାଞ୍ଜି ପଢ଼ନ୍ତି ନାହକ ଅଜା
ଫୁଲ ବିକନ୍ତି ମାଳି
ମୁଣ୍ଡରେ ନାଇ ଚନ୍ଦନ ଟିପା
ପୂଜକ ମାରେ ତାଳି ।

ତା’ ପରଦିନ ଗାଁ ଦାଣ୍ଡରେ
ପିଲା ହୁଅନ୍ତି ମେଳି
ପିଚକାରୀ ଓ ରଙ୍ଗ ଅବିରେ
ଖେଳନ୍ତି ଡଲି ମିଲି ।

ପାଟି କରନ୍ତି ଅଜା ଓ ଆଈ
ସେତିକି ଥାଉ ହୋଲି
ନାତୁଣୀ ଦୁହେଁ ଚାହିଁ କୁହନ୍ତି
କିଆଁ ଡରଉ ବୋଲି ।

ସବୁଜ ରଙ୍ଗେ ଖେଳୁଛୁ ଖେଳ
ଦେବି ତୋ ଦେହେ ବୋଳି
ହେବନି ଜମା ଚର୍ମରେ ରୋଗ
ହସନ୍ତି ଖିଲିଖିଲି ।

 

ମୋ- ୯୪୩୮୪୩୨୦୨୩

Leave A Reply

Your email address will not be published.