ଶୁଭ ନାରାୟଣ ସ୍ବାଇଁ
କାଲି ଫେରିଲା ବେଳେ
ପୁଣିଥରେ ମେଢ଼ ପାଖକୁ ଗଲି
ଦେବୀଙ୍କୁ ଦେଖିଲି ଯେ
ଝୁଣା ଧୂଆଁ ଭିତରେ
ଥରିଲା ଭଳି ଦିଶୁଥିଲା
ଦେବୀଙ୍କ ହାତ, ପାଦ ଓ ଦେହ
ମଳିନ ଦିଶୁଥିଲା ଦେବୀଙ୍କ ମୁହଁ !
କେଜାଣି କାହିଁକି ମୋତେ ଲାଗିଲା
ଇଏ ଜମାରୁ ଦେବୀ ନୁହଁ ।।
ଫେରିଲା ବେଳକୁ
ପଛରୁ ଡାକିଲେ ଦେବୀ
କହିଲେ କ’ଣ ଚହ୍ନି ପାରୁନ ?
ଏଇ କେଇଟା ସମୟ ପୂର୍ବରୁତ
ମୋ ସହ ଦେଖା ହୋଇଥିଲା
ଗୁପ୍ ଚୁପ୍ ଠୋଲା ସହ ।।
କ’ଣ ମନେ ପଡିଲା ?
ହଁ, ମୁଁ ସେଇ ଦେବୀ
ମନ ଏବେ ଭଲ ନାହିଁ ମୋର
ଏଇଠି କୋଉଠି
ଥାଇପାରେ ମହିଷାସୁର !
ତଥାପି, ଏବେ ଆଉ ଦେବୀ ହେବାକୁ
ଇଛା ନାହିଁ ମୋର ;
ମାଟିର ଦେହତ ମାଟିରେ ମିଶିଯିବ
ହେଲେ, ସେ ପର୍ଯ୍ୟନ୍ତ ମୂର୍ତ୍ତୀ ହୋଇ
ଠିଆ ହୋଇ ରହିବାକୁ
ଲାଗୁଛି ଡର ।।
ହଁ, ଏବେ ଆଉ ଦେବୀ ହୋଇ
ଠିଆ ହେବାକୁ ଇଛା ନାହିଁ ମୋର
କେତେ ଦିନ ଯାଏଁ ଏମିତି
ଶ୍ଳୋକ ଭିତରେ ତୁମର
ଉଙ୍କି ମାରୁଥିବା ଶୋଷକୁ ଦେଖି
ଚୁପ୍ ଚାପ୍ ଠିଆ ହେବି
ମାଗୁଥିଲେ ଦେଉଥିବି
କହୁଥିଲେ ସହୁଥିବି
ମୁହଁ ଖୋଲିଲେ ଚଣ୍ଡି
ଚୁପ୍ ରହିଲେ
ଦେବୀ ପାଲଟୁଥିବି ।।
ହଁ, ସେ ମୋ ହାତରେ
ମରିବାଟା ଥୟ
ହେଲେ, ଆଉ କେତେଦିନ ଯାଏ
ମୁଁ ଏମିତି ମାରୁଥିବି ତାକୁ ,
କେତେଦିନ ଯାଏ ବାଧ୍ୟ ହେଉଥିବି
ତାକୁ ଦୁର୍ବଳ କରିଦେବା ପାଇଁ
ନିଜେ ନିଜ ଦେହରୁ ବାରମ୍ବାର
ଢାଙ୍କୁଣି ଉତାରିବାକୁ ।।
ପୁଜାରୀପୁଟ ରୋଡ୍
କୋରାପୁଟ – ୭୬୪୦୨୦
ସମ୍ପର୍କ : ୮୪୮୦୧୯୬୫୩୨
Comments are closed.