Latest Odisha News

କବିତା : ଆଗମନୀ

ସୁଜାତା ମିଶ୍ର

ଦେବୀ ଆସିଲା ବେଳକୁ
ଫେରି ଯାଇଥିଲା ମୌସୁମୀ,
ଧଳା ମେଘର ଓଢଣୀ ତଳେ
ମୁହଁ ଲୁଚାଇଥିଲା କୁଆଁରୀ ଜହ୍ନ,
ବିଜୁଳି ଯାଉ ଥିଲା ଫେରି
ପାଦ କଚାଡ଼ି .. ।

ପୁଳାଏ ଆଣ୍ଟକୁ ଗଣ୍ଠି କରି
ଫେରୁ ଥିଲା ଘଡ଼ଘଡ଼ି..
ସବୁଜ ପଣତ ମେଲାଇ
କାଚକେନ୍ଦୁ ପାଣିରେ ।

ମୁହଁ ଦେଖୁଥିଲା ଧାନକ୍ଷେତ,
ଫର ଫର ଉଡୁଥିଲା ଗାଆଁ ମୁଣ୍ଡ
ଦେଉଳର ନେତ.., ।

ଦେବୀ ମାଙ୍କର
କଜ୍ଜ୍ଵଳକଳା କେଶରେ
ପଡ଼ିଥିଲା ଅଶିଣ ସକାଳର
ବିନ୍ଦୁ ବିନ୍ଦୁ କାକର ..
ଘାସ ଫୁଲ ଆଖି ମିଟ୍ ମିଟ୍
କରୁଥିଲା.. ।

ପାଦ ତଳେ ତାଙ୍କର..,
ପଣତ ସାରା ବିଛାଡି ହୋଇ ଗଲା
କମଳା ରଂଗ ଧଡ଼ିରେ
ଧଳା ପାଟ ପିନ୍ଧା ଗୋଛାଏ
ଗଙ୍ଗ ଶିଉଳୀ ଫୁଲ..!

ରାତି ଆସୁଥିଲା ଜହ୍ନି ଫୁଲେ ଫୁଲେ..ଗାଆଁ ଦାଣ୍ଡ
କିଆ ଗୋହିରିରେ..
ନଈ ପଠା ଝୁମୁଥିଲା କାଶତଣ୍ଡୀର
କୋମଳ କୋଳାହଳରେ..,

ଦେବୀ ଫେରୁଥିଲେ ନିଜ ଭିତରକୁ …
ଭକ୍ତିର ପରିଧି ଡେଇଁ..
ପକ୍ଷୀର କବିତା ହୋଇ ..
ଭିଜି ଭିଜି ଗୋଧୂଳିର
ନୀଡ଼ ଫେରା ଉଚ୍ଛ୍ୱାସରେ..
ସନ୍ଧ୍ୟା ଦୀପର ବିଶ୍ୱାସରେ..
ମନ୍ଦିରର ଧୂପ ଝୁଣା ଆଳତିରେ..
ଆସ୍ଥାର ଆସ୍ଥାନକୁ
ଖୋଜି ଖୋଜି ହୃଦୟ ଭିତରେ
ନିଃଶବ୍ଦରେ..!

କସ୍ମୋପଲିସ, ଭୁବନେଶ୍ୱର

Comments are closed.