ସୁଜାତା ମିଶ୍ର
ଚୂନା ଚୂନା ତାରା ଫୁଲ
ଆକାଶରେ ଫୁଟିବାର ବେଳାରେ
ପିରାମିଡ୍ ଦେଖା ଯାଏ
ଦୂରନ୍ତ ସ୍ବପ୍ନଟିଏ ପରି,
ତା ତୀର୍ଯ୍ୟକ୍ ଛାତର
ତ୍ରିଭୁଜାକାର ଅସ୍ତିତ୍ବରେ
ଲମ୍ବି ଥାଏ ଘନୀଭୂତ ରହସ୍ୟର ଆକର୍ଷଣ,
ସେଇ ପଥର ଆଖିର ପଲକରୁ
ପୁଲକିତ ମୁହୂର୍ତ୍ତ କିଛି
ଚୋରେଇ ନିଏ
ଶିହରିତ ଜହ୍ନ ରାତି..,
ଅନ୍ଧାର ଭିତରେ
ଉନ୍ନତ ମଥା ତୋଳି ଠିଆ ସେ ତ
ଯୁଗ ଯୁଗର ମୂକ ସାକ୍ଷୀ !
କେବେ ଲାଗେ ଯେମିତି
ବାଲି ଝଡ଼ର
ବାହୁବେଷ୍ଟନୀ ଭିତରେ ଛଟପଟ ହେଉଥିବା
ମୃଗତୃଷ୍ଣାରୁ ଟୁକୁଡ଼ାଏ..
ଅବା ଅଭିଶପ୍ତ ଏକ ଇତିହାସର
ଦୀର୍ଘଶ୍ଵାସଭରା ଛାଇ..
ପ୍ରତି ପଥର ତଳୁ ଗୁମୁରି କାନ୍ଦଇ
ଅନ୍ତର୍ଦାହର ସେହେନାଇ..,
ଶିଳାର ପଶା ପାଲିରେ
ପ୍ରେମ ଆଉ ପ୍ରତାରଣା
ଖେଳେ ଛକାପଞ୍ଝା ଖେଳ,
କଳା ଉଆଁସୀ ରାତିର
କିଳିକିଳା ରଡ଼ି ଭିତରେ
ଭିଡ଼ି ମୋଡ଼ି ହେଉ ଥାଏ
ପ୍ରସ୍ତର ଆତ୍ମା ତାହାର..!
ମାୟାବିନୀ ଶୀତୁଆ ପବନରେ ପିରାମିଡ୍
ଦିଶୁଥାଏ
ରଜତ ସମ୍ମୋହନ ପରି,
ସ୍ତୂପୀକୃତ ଶିଳାର ଲୋମକୂପରୁ ଝରେ ଶିଶିରସିକ୍ତ
ପୁଳାଏ ବେପଥୁ ,
କାହାର ଛାୟା ଜ୍ୟୋତ୍ସ୍ନାବିହାର କରୁ ଥାଏ
ଛାଇ ଅନ୍ଧାର ଭିତରେ..
ଫାରୋ ରାମେଜୀଜ୍ ଅବା
ରାଣୀ ନେଫର୍ତାରି..!
ମରୁ ଯାତ୍ରୀର ଶୋଷ.. ବେଦୁଇନର ଯାଯାବରୀ
ମନ,
ନୀଳ ନଦୀର
ନୀଳିମ ଆଭାରେ ଭାସମାନ ନୌକାର ଝଲମଲ ସ୍ବପ୍ନ..
ଅନ୍ଧାରୀ ରାତିର ଶୂନ୍ୟ ପଣ
ଭିତରେ
ଅଦ୍ଭୁତ ଇମାରତ ଏହି
ଅନନ୍ୟ ପିରାମିଡ୍ ର
ଅଦମ୍ୟ ଆକର୍ଷଣ ..,
ସାହାରାର ବୁକୁ ଚିରି
ଶୁଭୁ ଥାଏ ଡାକ ତାର..
ଏଡ଼ି ହୁଏନା ତାହାର
ପ୍ରସ୍ତର ଆତ୍ମାର ଆହ୍ବାନ!
କସ୍ମୋପଲିସ,
ଭୁବନେଶ୍ୱର
Comments are closed.