ସୁଜାତା ମିଶ୍ର
ସମୁଦ୍ରକୁ ଶୋଷି ନେଇପାରେ
ନାରୀର ତୃଷ୍ଣା ….
ଫଗୁଣର ପିଆଲାରେ ମନମତାଣିଆ ଫୁଲ..
ଆଉ ଆମ୍ବକଷିର ସ୍ଵାଦ ଭରିଦେଇ ପାରେ
ନାରୀତ୍ଵର ମହମହ ବାସ୍ନା !
ସମଗ୍ର ଆକାଶକୁ ମେଘର ଓଢଣୀରେ
ଢାଙ୍କି ଦେଇପାରେ ନାରୀର ଲଜ୍ଜା …..,
ଅଥଚ ପ୍ରିୟ ମଣିଷର ଛୋଟ ଭୁଲ୍ ଟିଏ ପାଇଁ..
ନିଜକୁ ସେ ଦେଇପାରେ ସଜା !
ବର୍ଷିବାକୁ ଉଦ୍ୟତ ଥମ୍ ଥମ୍ କଳାମେଘ ପରି ସ୍ତୁପୀକୃତ ଅଭିମାନ ତା’ର..
କଅଁଳ ପଦେ କଥାରେ ତରଳି….
ଝରୁଥାଏ ଅଶ୍ରୁ ଧାର ଧାର I
ସାରା ବସୁଧାକୁ ମୁଠେଇ ନେଇ ପାରେ
ପଣତରେ ସାଉଁଟି ଧରି ପାରେ….
ନାରୀର ମମତା,
ନିଃଶବ୍ଦ ଅନ୍ତର୍ଦାହର କଥା ବଖାଣିପାରେ
ତା’… ନୀରବତା !
କେବେ ସାଜି ଝାନ୍ ସୀର ରାଣୀ
କରେ ନାରୀ…. ଶତ୍ରୁର ସଂହାର,
ବ୍ୟଭିଚାରୀ ରାବଣର ସ୍ଵର୍ଣ୍ଣଲଙ୍କା
ଜାଳିପୋଡ଼ି ଧ୍ଵଂସ କରିପାରେ..
ନାରୀ ଆଖିର ନିଆଁ ଝୁଲ !
ଜହ୍ନରାତିର ଜ୍ୟୋତ୍ସ୍ନା ପଖଳା
କବିତାଟିଏ,
କେବେ ଅସରା ଗପର ପସରାଟିଏ..
ତ କେବେ ନୀରବ ଉପତ୍ୟକାଟିଏ..
ପ୍ରେମରେ ତା’ ଗରିମା,
ତ୍ୟାଗରେ ତା’ ମହିମା..
କ୍ଷତବିକ୍ଷତ ହୃଦୟର ଯନ୍ତ୍ରଣାକୁ
ଚୁପ୍ ଚାପ୍ ପିଇଯାଇ
ହସିବାକୁ ଦିଏ ସେତ ପ୍ରେରଣା !
ଗଢୁଥାଏ, ଭାଙ୍ଗୁଥାଏ ..
ଢୋକେ ପିଇ ଦଣ୍ଡେ ଜୀଉଁଥାଏ ..
ଜଞ୍ଜାଳର ନିଆଁରେ ଜଳିଜଳି
ନିଜ ଗୃହିଣୀ ପଣିଆକୁ
ଆହୁରି ଚକ୍ ଚକ୍ କରୁଥାଏ….,
କି ମରୀଚିକା ପଛରେ କେ ଜାଣେ
ସେ ଧାଇଁଥାଏ !
ଅନ୍ତରର ପ୍ରତି କୋଣେ ଅନୁକୋଣେ
ଶକ୍ତି ତା’ର ରହିଥାଏ ଭରି
କସ୍ତୁରୀ ମୃଗ ପରି !
ଅବଳା, ଦୁର୍ବଳା ନୁହେଁ
ସର୍ବଂ ସହା ବୋଲି
ସେ ତ ସହୁଥାଏ ସମାଜର, ଅତ୍ୟାଚାର..,
ଯେବେ ଖୋଲେ ଅନ୍ତର୍ମନ,
ଯେବେ ଶୁଣେ ଅନ୍ତର ଆହ୍ଵାନ,
ଶକ୍ତିକୁ ଖୋଜିପାଏ
ମନ ତଳେ…. ଫରୁଆ ଭିତରେ….,
ସ୍ଵର ତୋଳେ, ଅନ୍ୟାୟର ପ୍ରତିବାଦ କରେ….
ଆଉ ନିର୍ଭୟରେ ପଥ ଚାଲେ….
ଦୁନିଆ ଭିତରେ..!
କସ୍ମୋପଲିସ
ଭୁବନେଶ୍ୱର
Comments are closed.