Latest Odisha News

BREAKING NEWS

କବିତା : ସ୍ନାନବେଦୀରେ ମହାପ୍ରଭୁ

ସୁଜାତା ପତି

ସ୍ନାନ ପୂର୍ଣ୍ଣିମାରେ ମାନବୀୟ ଲୀଳା
ପ୍ରତି ବରଷ ତୁ ପାଳନ କରୁ
ଡୋରୀ ଲଗାଇଲେ ମିଳେ ତୋ ଦର୍ଶନ
ସେ କଥା କି ଆମେ ଭୂଲିପାରୁ ।

ବରଷକେ ଥରେ ସ୍ନାନ କରୁ ତୁହି
ଭାଇ ଭଉଣୀକୁ ସାଥେ ଧରି
ତୋର ସେ ସ୍ନାନ ଜଗତେ ଦେଖନ୍ତି
ସ୍ନାନ ପୂର୍ଣ୍ଣିମାର ପଡେ ହୁରି।

ଶହେ ଆଠ ଗରା ସୁବାସିତ ଜଳେ
ସ୍ନାନ ମଣ୍ଡପରେ ସ୍ନାନ କରୁ
ସୁନାର କୂଅରୁ ଜଳ ଅଣାଯାଏ
ସେ କର୍ମ କରନ୍ତି ଗରାବଡୁ।

କାଳିଆ ଗାଧାଏ ପଞ୍ଚତ୍ରିଶ ଗରା
ବଳରାମ ତେତିଶରେ
ସୁଭଦ୍ରା ଗାଧାନ୍ତି ବାଇଶି ଗରା ତ
ସୁଦର୍ଶନ ଅଠରରେ।

ସ୍ନାନ ମଣ୍ଡପରେ ହାତୀ ବେଶ ହେଉ
ଭକ୍ତ ଗଣପତି ଭଟ୍ଟ ପାଇଁ
ଭାବର ଠାକୁର ମୋ କଳା ଠାକୁର
ହୃଦୟ ତରଳେ ଭକ୍ତ ପାଇଁ ।

ଗାଧୋଇ ସାରିଲେ ଥଣ୍ଡା ଧରିଯାଏ
ଜ୍ବର ହୋଇଯାଏ ତତେ ସତେ
ପନ୍ଦର ଦିନ ତୁ ଅଣସରେ ରହୁ
ଔଷଧ ମୂଳିକା ଖାଉ କେତେ !

ରତ୍ନସିଂହାସନେ ପଟିଦିଅଁ ପୂଜା
ବିଗ୍ରହ ନଥାନ୍ତି ସେଠାରେ
ନିଳାଦ୍ରୀ ବିଜୟ ଶେଷ ହେବାଯାଏ
ଦଇତା ରହନ୍ତି ସେବାରେ।

ଆହେ ଲୀଳାମୟ କାଳିଆ ଠାକୁର
କେତେ ଲୀଳା କରୁ ଜଗତରେ
ତୋର ଲୀଳା ସବୁ ଦେବେ ଅଗୋଚର
ବୁଝି ପାରୁନି ମୁଢ ମତିରେ।

ଭୁବନେଶ୍ୱର

Leave A Reply

Your email address will not be published.