ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଅନନୁମେୟ ଏ ପ୍ରକୃତି
ଦେଖୁଥିଲେ ହେଁ ଲୋକେ ନିତି
କରଂତି ଭବିଷ୍ୟ ଗଣନା
ଲାଗୁ ହୋଇନି କଟକଣା
‘ ଏହା କଲେ, ତାହା ହିଁ ହେବ ‘
ମନରେ ରଖି ଏହି ଭାବ
ପ୍ରତ୍ୟହ ହେଉଁ ପରାଜିତ
ତେବେ ବି ବଦଳୁନି ମତ
ପ୍ରାପ୍ତିର ଆଶା ରଖି କାମ
କରିଲେ ହୁଏନି ଉତ୍ତମ
ଲୋଡ଼ିଲେ କ୍ଷଣଜୀବୀ ତୃପ୍ତି
ଜାଗ୍ରତ ହୁଏ ଅଂତର୍ଶକ୍ତି
ବିଶାଳ ଯୋଜନା ପ୍ରସ୍ତୁତ
କଲେ ହୁଏନି କାହା ହିତ
କରିଲେ ସାନ ସାନ କାମ
ଜୀବନ ହୁଏ ଅନୁପମ
ନ କଲେ ଔଚିତ୍ୟ ବିଧାନ
ସଦା ସ୍ବାଧୀନ ରହେ ମନ
ମନକୁ ଦେଲେ ବେଶି ଧ୍ୟାନ
ଚିତ୍ତ ହୁଏନି ଅପ୍ରସନ୍ନ
ଆମେ ତ ପ୍ରକୃତି ସଂତାନ
ମାଆକୁ ଦେଉଁ ଅପମାନ
ଆମର ଏହି ବୈପରୀତ୍ୟ
ନୁହେ କି ମୂଳତଃ ଅସତ୍ୟ ?
ପ୍ରଥମେ ଶିଖୁଁ ଯେଉଁ ଭାଷା
ତାହାର ଦାରୁଣ ଦୁର୍ଦଶା
ଆମକୁ ଯାଏନାହିଁ ଦେଖା
କେହି ତ ନୋହୁଁ ଭାଷାସଖା