ଶ୍ଵେତପଦ୍ମା ପାଢ଼ୀ
ଚାହୁଁ ଚାହୁଁ ବର୍ଷେ ଗଲା
ଆଉ ଆଜି ବି ଦିନ ସରିଗଲା
ଭାତ ହାଣ୍ଡିରୁ ବଳକା ବିରିୟାନୀ
ବୁଢୀ ମାଉସୀ ନେଇଗଲା !
ଅସ୍ତରାଗରୁ ସୂର୍ଯ୍ୟ
ମୁହଁ ଫେରେଇ ନେଲାଣି
ବର୍ଷର ଶେଷ କୁହୁଡ଼ି ଖେଳ
ନିଜର କାୟା ବିସ୍ତାର କରି ହସୁଛି !
କାଲି ସଞ୍ଜବତୀ ବାଟଦେଇ
ନା ଶାନ୍ତି ନା ନିରୋଳା ଭାବ ନା ଶୂନ୍ୟତା
ବରଂ କୋଳାହଳର ସମୁଦ୍ରକୁ ନେଇ
ଜିରୋ ନାଇଟ୍ ଫେରୁଛି !
ଖା ଭୁଞ୍ଜ ଗିଳ ନୀତିରେ
ଦୟାନଦୀ ଶୁଖିଗଲାଣି କିନ୍ତୁ;
ନାଲିପାଣି ସହରର ମୁଖା
ଉତାରି ଦେବାରେ ଲାଗି ପଡିଛି !
ଏମିତି କାହିଁକି ହୁଏ
ପୁଳେ ହସକୁ ପିନ୍ଧି ଦୁଃଖକୁ ବେଉସା କରି
ନିଜ ଅନ୍ତରର କୋହକୁ ଚାପି
ମୁହଁରେ ମିଛ ହସ ଫୁଟେଇବାକୁ
ପଡ଼େ ଏଇ ସହରକୁ !
ଡିସେମ୍ବର ଡାକେ ଜାନୁଆରୀକୁ
ପ୍ରେମିଯୁଗଳ ପରି ଆସନ୍ତି ହାତ ଛନ୍ଦି
ସମ୍ପର୍କର ନିଃଶ୍ବାସ ଆଉ ବିଶ୍ବାସରେ
ଅନେକ କଥା ଏଇ ସହରରେ ହଜିଯାଏ !
ଆଉ ମୁଁ ;
ମୁଁ ବି ଫେରେ ନିଜ ଭିତରକୁ
ଯନ୍ତ୍ରଣାର ଚାଦର ଉପରେ ଓଢ଼େଇ
ପୁଣି କିଛି ନୂତନ ଉଦ୍ଦୀପନା ମନରେ ଭରି !!
ଭୁବନେଶ୍ବର
Comments are closed.