Latest Odisha News

BREAKING NEWS

ପୁସ୍ତକ ପରିଚୟ : ବ୍ଲାକ୍ କଫି, ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ

ରାଜକିଶୋର ମହାପାତ୍ରଙ୍କ ସମୀକ୍ଷା 

ବ୍ଲାକ୍ କଫି : ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ
ମୂଳ ରଚନା ‐ ଆଗାଥା କ୍ରିଷ୍ଟ
ଅନୁସୃଜନ ‐ ସୁରେନ୍ଦନାଥ ଦାଶ 
ପ୍ରକାଶକ ‐ଇଙ୍କଡିଉ
ପୃଷ୍ଠା ‐ ୧୮୮, ମୂଲ୍ୟ ‐ ଟ୧୫୦/- ମାତ୍ର !

ରହସ୍ୟ ରୋମାଞ୍ଚ ସାହିତ୍ୟର ଦୁର୍ଗ ପତନ ସମୟରେ ଅନୁବାଦକ ସୁରେନ୍ଦ୍ରନାଥ ଦାଶଙ୍କ ଲେଖନୀ ଚାଳନା ନୂତନ ସମ୍ଭାବନା ସୄଷ୍ଟି କରିଛି । ଶ୍ରୀ ଦାଶ ସାହିତ୍ୟର ବିଭିନ୍ନ ବିଭାଗରେ ଲେଖନୀ ଚାଳନା କରିଥିଲେ ମଧ୍ୟ ଏକଦା ପାଠକମାନଙ୍କର ଅତିପ୍ରିୟ ତଥା ଅଧୁନା ବିଲୁପ୍ତ ପ୍ରାୟ ରହସ୍ୟ ସାହିତ୍ୟକୁ ପୁନଃ ଅବସ୍ଥାପିତ କରିବା ପାଇଁ କ୍ରମାଗତ ଭାବେ କେତୋଟି ବିଶ୍ବ ପ୍ରସିଦ୍ଧ ଲୋକପ୍ରିୟ ରହସ୍ୟ ଉପନ୍ୟାସକୁ ଖୁବ୍ ସୁନ୍ଦର ଭାବେ ଅନୁସୃଜନ କରି ଓଡ଼ିଆ ପାଠକମାନଙ୍କୁ ଭେଟି ଦେଇଛନ୍ତି । ଏଇ ଶୃଙ୍ଖଳାରେ ତାଙ୍କର ୩ଟି ପୁସ୍ତକ ପ୍ରକାଶ ପାଇ ଯଥେଷ୍ଟ ଲୋକପ୍ରିୟତା ହସଲ କରିପାରିଛି । ବିଶ୍ବବିଖ୍ୟାତ ଲେଖିକା ଆଗାଥା କ୍ରିଷ୍ଟିଙ୍କ ଦୁଇଟି ସ୍ମରଣୀୟ କୄତିର ଓଡ଼ିଆ ଅନୁସୃଜନ “ବ୍ଲାକ୍ କଫି : ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ” ତାଙ୍କ ଲେଖକୀୟ ପ୍ରତିବଦ୍ଧତାର ତୃତୀୟ ପଦକ୍ଷେପ । ଏ ଧରଣର ଲେଖା ସୃଷ୍ଟି କରିବା ସାଧାରଣତଃ ଯେଉଁମାନେ ସହଜ ମନେ କରନ୍ତି ତାହା ଯେ ଆଦୌ ସମ୍ଭବ ନୁହେଁ, ଏ ଉପନ୍ୟାସିକା ଦ୍ବୟ ତା’ର ବଳିଷ୍ଠ ପ୍ରମାଣ ।

ଅପରାଧଟିଏ ସଙ୍ଘଟିତ ହୁଏ, ଅପରାଧି ନାନା ଫନ୍ଦି ଫିକର କରି ପ୍ରମାଣର ଲେଶ ମାତ୍ର ଚିହ୍ନ ଛାଡ଼ିଯାଇ ନଥାଏ । ତଦନ୍ତ ଆରମ୍ଭ ହୁଏ । ଅପରାଧର ଧାରା ଯେତେ ଭୟାନକ ହେଉ ବା ଅସାଧାରଣ ମାତ୍ର ଖୁବ୍ ସରଳ ଭାବେ ଅନୁସନ୍ଧାନର ପ୍ରଥମ ପଦକ୍ଷେପ ଗୋଟିଏ ସାଧରଣ ପ୍ରମାଣରୁ ଆରମ୍ଭ ହୁଏ । ତଦନ୍ତର ଗତି ଯେତେ ଆଗକୁ ଆଗକୁ ଗଡିଚାଲେ ଘଟଣାର ରୋମାଞ୍ଚ ବେଳକୁବେଳ ବଢ଼ିଚାଲେ । ସମ୍ପୃକ୍ତ ଚରିତ୍ରମାନଙ୍କର ସଂଖ୍ୟା ମଧ୍ୟ ବଢ଼ିଚାଲେ । ପୋଲିସ ଓ ଅପରାଧି ମଧ୍ୟରେ ଏ ଛକାପଞ୍ଝା ଖେଳ କ୍ରମଶଃ ପାଠକୀୟ ଉତ୍କଣ୍ଠାକୁ ମଧ୍ୟ ବଢ଼େଇ ଦିଏ । ବୈଜ୍ଞାନିକ ପଦ୍ଧତିର ସଠିକ୍ ଅବଲମ୍ବନ, ସ୍ଥାନ ଖାଳ ପାତ୍ରର ସଠିକ୍ ଉପସ୍ଥାପନ, ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଶୀଳନ ସର୍ବୋପରି ଚରିତ୍ରମାନଙ୍କ ମନସ୍ତାତ୍ତ୍ବିକ ବିଶ୍ଳେଷଣ ଏହାକୁ ରୋଚକ କରିଥାଏ । ପୋଲିସ ବ୍ୟତୀତ ଯେଉଁ ବିଶେଷ ଚରିତ୍ରଟି ପାଠକ ହୃଦୟରେ ଗଭୀର ରେଖାପାତ କରିଥାଏ ସେ ହେଲା ‘ଡିଟେକ୍ଟିଭ୍’ । ଆଗାଥା କ୍ରିଷ୍ଟିଙ୍କ ଅନେକ ଗଳ୍ପ, ଉପନ୍ୟାସରେ ସେଇ ପ୍ରଖ୍ୟାତ ଡିଟେକ୍ଟିଭ୍ ଜଣକ ହେଲେ ‘ହରକ୍ୟୁଲ୍ ପଏରଟ’ । ଦେଖିବାକୁ ଗେଡା, ମୋଟା, ଅନାକର୍ଷଣୀୟ, ବଡ ମୁଣ୍ଡିଆ ଏଇ ଲୋକଟି ମସ୍ତିଷ୍କ କିନ୍ତୁ ଏକ ଚଳନ୍ତା କମ୍ପ୍ୟୁଟର ସଦୃଶ । ଖୁବ୍ କମ୍ ସମୟ ଭିତରେ ବହୁତ ବଡ଼ବଡ଼ କେସମାନଙ୍କୁ ଅଚିରେ ସମାଧାନର ରାସ୍ତା ଦେଖାଇ ବେଲଜିୟମର ଏହି ଚତୁର ଡିଟେକ୍ଟିଭ୍ ଜଣକ ସମଗ୍ର ଇଉରୋପ, ଆଫ୍ରିକା ଓ ଆମେରିକାରେ ମଧ୍ୟ ଉଚ୍ଚ ପ୍ରଶଂସିତ ହୁଅନ୍ତି । ସାଧାରଣ ଜ୍ଞାନ, ସମୟ ଜ୍ଞାନ, ବିଜ୍ଞାନ ଓ ଆଧୁନିକ ଅନୁସନ୍ଧାନ ପଦ୍ଧତିର ଚମତ୍କାର ମିଶ୍ରଣ ହେଲା ପଏରଟଙ୍କ ଅନୁସନ୍ଧାନ ଶେଳୀ । ସେ କହନ୍ତି ‘ତାଙ୍କ ବ୍ରେନର ଗ୍ରେ‐ମ୍ୟାଟର ଅସାଧାରଣ ଭାବେ କାର୍ଯ୍ୟକ୍ଷମ, ତାହା ତାଙ୍କୁ ସବୁବେଳେ ଠିକ୍ ବାଟ ଦେଖାଇଥାଏ’ ।

ବ୍ଲାକ୍ କଫି:

ସାର୍ କ୍ଲାଉଡ ଆମେରୀ, ବିଖ୍ୟାତ ବୈଜ୍ଞାନିକ । କ୍ଲେଭ୍ ଗ୍ରାମରେ ନିଜସ୍ବ ବାସଭନରେ ରହି ଗବେଷଣାରତ । ସହରର ଚାକଚକ୍ୟ ଓ ଗହଳିଚହଳି ଠାରୁ ଯଥେଷ୍ଟ ଦୂର ଏଇ ଅପେକ୍ଷାକୃତ ସ୍ବଳ୍ପ ଗହଳ ସ୍ଥାନକୁ ସେ ନିଜ ପାଇଁ ବାଛି ନେଇଛନ୍ତି । କାରଣ ତାଙ୍କ ପାଇଁ ଲୋଡା ମାନସିକ ସ୍ଥିରତା, ନିରୋଳା ପରିବେଶ ଓ ମାତ୍ର ଅଳ୍ପ କିଛି ବିଶ୍ବସ୍ଥ ସଦସ୍ୟ । ବିସ୍ଫୋରକ, ପାରମାଣବିକ ବୋମା ପ୍ରସ୍ତୁତିର ବିଭିନ୍ନ ଦିଗ ଉପରେ ତାଙ୍କର ଗବେଷଣା । ଗବେଷଣାର ଶେଷ ପର୍ଯ୍ୟାୟ ସୁଦ୍ଧା ଯଦିଓ ତାଙ୍କର ଫର୍ମୁଲାଟି ପୂର୍ଣ୍ଣ ପ୍ରସ୍ତୁତ ଏବଂ ତାକୁ ସେ ସରକାରଙ୍କୁ ଦେବା ପାଇଁ ଇଚ୍ଛୁକ ମାତ୍ର ଏକ ଅଜଣା ଭୟ ତାଙ୍କୁ ଏବେ ଆଚ୍ଛନ୍ନ କରି ରଖିଛି । ସେଇଟି ହେଉଛି ତାଙ୍କର ନିର୍ମମ ହତ୍ୟା ଓ ଫର୍ମୁଲା ଚୋରି । ଦେଶବିଦେଶର ବହୁ ଅସ୍ତ୍ରଶସ୍ତ୍ର ମାଫିଆ ଓ ସେମାନଙ୍କ ଏଜେଣ୍ଟମାନେ ସକ୍ରିୟ । ବାହାର ଶତ୍ରୁମାନଙ୍କୁ ତ ପ୍ରତିହତ କରାଯାଇ ପାରେ ମାତ୍ର ଘରର ? ସାର୍ କ୍ଲାଉଡଙ୍କ ପରିବାର କହିଲେ ଯାହା ବୁଝାଯାଏ ସେମାନେ ହେଲେ

ଝିଆରୀ ବାର୍ବରା ଆମୋରୀ, ବୟସ ୨୨ବର୍ଷ, ସୁନ୍ଦରୀ, ଚୁଲବୁଲୀ ଓ ପ୍ରଗଳ୍ଭା

ପୁତ୍ର ରିଚାର୍ଡ ଆମୋରୀ, ବୟସ ୩୦ ବର୍ଷ, ସବୁବେଳେ ଗମ୍ଭୀର, ନିଜ ପତ୍ନୀ ଲୁସିଆର ଭଲମନ୍ଦ ପ୍ରତି ଅତ୍ୟଧିକ ଯତ୍ନଶୀଳ ।

ପୁତ୍ର ବଧୁ ଇଟାଲୀ ଜନ୍ମିତା ଲୁସି, ରିଚାର୍ଡର ସ୍ତ୍ରୀ, ସୁନ୍ଦରୀ ଓ ଆକର୍ଷଣୀୟା ମାତ୍ର ସର୍ବଦା ଚିନ୍ତିତା

ଇଟାଲିଆନ ଅତିଥି ବନ୍ଧୁ ଡ. କରେଲୀ ଯିଏ ନିଜକୁ ଲୁସିର ବନ୍ଧୁ ତଥା ଜଣେ ବୈଜ୍ଞାନିକ ବୋଲି ଦାବୀ କରେ

ସାର୍ କ୍ଲାଉଡଙ୍କ ଅବିବାହିତା ବଡ ଭଉଣୀ କାରୋଲିନା ଆମୋରୀ ଯିଏ କି ଏ ଗୃହର ମୁଖ୍ୟ ପରିଚାଳିକା, ରୁଚିଶୀଳା ମାତ୍ର ରକ୍ଷଣଶୀଳା, ତରତର ଓ ଗପୁଡି ପ୍ରକୃତିର ମହିଳା ।

କ୍ଲାଉଡଙ୍କ ଯୁବ ସେକ୍ରେଟାରୀ ଏଡୱାର୍ଡ ରେନର, ବୟସ ୩୫ବର୍ଷ
ତା’ପରର ଘଟଣାଟି ଠିକ୍ ଏହିପରି । କ୍ଲାଉଡ ତାଙ୍କ ଫର୍ମୁଲାଟି ବିଶିଷ୍ଟ ଡିଟେକ୍ଟିଭ ହରକ୍ୟୁଲ ପଏରଟଙ୍କ ମାଧ୍ୟମରେ ସରକାରଙ୍କୁ ହସ୍ତାନ୍ତର କରିବାକୁ ଇଚ୍ଛୁକ । ତେଣୁ ସମସ୍ତଙ୍କ ଅଜାଣତରେ ସେ ପଏରଟଙ୍କୁ ଘରକୁ ନିମନ୍ତ୍ରଣ କରିଛନ୍ତି । ମାତ୍ର ତାଙ୍କ କଫି ଟେବୁଲ ଉପରୁ ହିଁ ଫର୍ମୁଲା ଲେଖା ହୋଇଥିବା କାଗଜଟି ଗାୟବ । ତା’ପରେ ଅପରାଧି ଆହୁରି ନିଷ୍ଠୁର ହୋଇଯାଇ ସାର୍ କ୍ଲାଉଡଙ୍କୁ ମଧ୍ୟ ହତ୍ୟା କରିଛି । ହତ୍ୟାକାଣ୍ଡଟି ଯେପରି ନିଃଶବ୍ଦ ସେପରି ଚାଞ୍ଚଲ୍ୟକର । ଏକ ରହସ୍ୟଜନକ ପରିସ୍ଥିତିରେ କ୍ଲାଉଡଙ୍କ ଟେବୁଲରେ ମୁଣ୍ତ ରଖି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପାଖରେ ଥୁଆ ହୋଇଛି ତାଙ୍କର ଅତି ପ୍ରିୟ ପାନୀୟ “ବ୍ଲାକ୍ କଫି” କପ୍ । କଫିରେ ବିଷାକ୍ତ ପଦାର୍ଥ ମିଶାଯାଇ ତାଙ୍କୁ ହତ୍ୟା କରାଯାଇଛି । ଡେଟେକ୍ଟିଭ୍ ପଏରଟ ତାଙ୍କ ତଦନ୍ତର ଧାରା ଠିକ୍ ଏଇ କଫି କପରୁ ହିଁ ଆରମ୍ଭ କରିଛନ୍ତି । ମୁଖ୍ୟ ଅପରାଧି ସେଇ ଘର ଭିତରେ ହିଁ ମହଜୁଦ । ଘଟଣାର ପୂର୍ବାପର ସଂଗତିକୁ ଯୋଡିଯୋଡି ଡିଟେକ୍ଟିଭ ଶେଷରେ କ୍ଲାଉଡଙ୍କ ବ୍ୟକ୍ତିଗତ ସେକ୍ରେଟାରୀ ରେୟନରକୁ ଉପଯୁକ୍ତ ପ୍ରମାଣ ସହ ଧରିଛନ୍ତି ଏବଂ ତାକୁ ପୋଲିସକୁ ହସ୍ତାନ୍ତର କରିଛନ୍ତି ।

ମର୍ଡର ଅନ୍ ଦି ଓରିଏଣ୍ଟ ଏକ୍ସପ୍ରେସ୍ ବା ଓରିଏଂଟ୍ ଏକ୍ସପ୍ରେସରେ ହତ୍ୟା:

ଦ୍ବିତୀୟ ଉପନ୍ୟାସିକାଟିର ପୃଷ୍ଠଭୂମି ହେଉଛି ଓରିଏଣ୍ଟ ଏକ୍ସପ୍ରେସ । ବେଲଜିୟମର ସର୍ବାଧୁନିକ ବିଳାସପୂର୍ଣ୍ଣ ରେଳ ଯାହା ପଶ୍ଚିମ ଏସିଆକୁ ଇଉରୋପ ସହିତ ଯୋଡୁଥିଲା । ସେଦିନ ଉକ୍ତ ବଳାସମୟ ଟ୍ରେନଟିର ଯାତ୍ରା ଯେ ଆଗକୁ ଷଡଯନ୍ତ୍ର, ରକ୍ତରଞ୍ଜିତ ହତ୍ୟା, ପ୍ରମାଣ ନଷ୍ଟ କରିଦେବାର ଚକ୍ରାନ୍ତ ଭଳି ଅନେକ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ଯାଉଛି ଏକଥା ଅଦୃଷ୍ଟ ଛଡା କିଏ ଜାଣିଥିଲା । ମି. ରାଚେଟି ଓରଫ କାସେଟି,କୁଖ୍ୟାତ ଆମେରିକାନ୍ ଯିଏ କି ଉକ୍ତ ଯାତ୍ରାରେ ସାମିଲ ହୋଇଥିଲା, ଦୁର୍ଭାଗ୍ୟବଶତଃ ସେ ହିଁ ହତ୍ୟାକାଣ୍ଡର ଶୀକାର ହୋଇଛି । ଅତି ବୀଭତ୍ସ ଭାବେ ତାକୁ ୧୨ଥର ଛୁରୀକାଘାତ କରାଯାଇଛି । ସେଦିନ ତା’ ବ୍ୟତୀତ ଉକ୍ତ ଟ୍ରେନର ସେଇ ନିର୍ଦ୍ଦିଷ୍ଟ ବଗିରେ ବିଭିନ୍ନ ଦେଶର ୧୨ଜଣ ଯାତ୍ରୀ ମଧ୍ୟ ଥିଲେ । ସେମାନେ ହେଲେ ହେକ୍ଟର ମାକ୍ କୁଇନ୍, ଆମେରିକାନ, ରିଚେଟର ବ୍ୟକ୍ତିଗତ ସହାୟକ ଏଡୱାର୍ଡ ମାଷ୍ଟରମାନ, ଇଂଲିଶ ନାଗରିକ, ମିସ୍ ହବାର୍ଡ, ଆମେରିକାନ ମହିଳା
ଗ୍ରେଟା ଓହଲସନ, ସ୍ବିଡିଶ୍ ମହିଳା
କାଉଣ୍ଟ ଆଣ୍ଡ୍ରେନିଲ, ହଙ୍ଗେରୀୟ କୂଟନୀତିଜ୍ଞ, କାଉଣ୍ଟେସ ଆଣ୍ଡ୍ରେନିଲ, କାଉଣ୍ଟଙ୍କ ପତ୍ନୀ
# କଲୋନେଲ ଅର୍ବୁଥନଟ, ବ୍ରିଟିଶ ନାଗରିକ
# ସାଇରସ ହାଡମ୍ୟାନ, ଆମେରିକାନ
# ଆଂଟୋନିଓ ଫସକାରିଲି, ଆମେରିକାନ
# ମେରୀ ଦେବୋନହାମ, ଇଟାଲିୟନ ସୁନ୍ଦରୀ ମହିଳା
# ହିଲଡିଗ୍ରେଡ ସିମିଡ, ଜର୍ମାନୀ ନାଗରିକା

ଏମାନଙ୍କ ବ୍ୟତୀତ ଉକ୍ତ ବଗିର କଣ୍ଡକ୍ଟର ପିରେ ମାଇକେଲ ଓ ଅନ୍ୟାନ୍ୟ କର୍ମଚାରୀଙ୍କ ସହିତ ସଂଯୋଗବଶତଃ ଡିଟେକ୍ଟିଭ ହରକ୍ୟୁଲ ପଏରଟ ମଧ୍ୟ ସାମିଲ ହୋଇଛନ୍ତି । ତେଣୁ ପୋଲିସ ଆସିବା ପୂର୍ବରୁ ହିଁ ସମସ୍ୟା ସମାଧାନର ଭାର ମୁଣ୍ତେଇଛନ୍ତି ପଏରଟ୍ । ଏଥରକ ମଧ୍ୟ ସେଇ କଥା । ହତ୍ୟାକାଣ୍ଡ ଯେଉଁଠି, ହତ୍ୟାକାରୀ ବି ସେଇଠି । ଏଠି ମଧ୍ୟ ଡିଟେକ୍ଟିଭ୍ ନିଜର ସୂକ୍ଷ୍ମ ଅନୁଶୀଳନ ପଦ୍ଧତି, ପୂର୍ବ ସଂପୃକ୍ତି, ଅନୁସନ୍ଧାନରେ ନିଜର ଆସାଧାରଣ ଧିଶକ୍ତିର ଉପଯୋଗ କରି ଉକ୍ତ ବଗିର ୧୨ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ସଂଯୋଗକ୍ରମେ ସମସ୍ତଙ୍କୁ ମଧ୍ୟ ଛାଡି ଦେଇଛନ୍ତି ।

ଉଭୟ ଉପନ୍ୟାସର ପୃଷ୍ଠଭୂମି ଯଦିଓ ଏକ ସୀମିତ ସ୍ଥାନ ମଧ୍ୟରେ ସୀମାବଦ୍ଧ ମାତ୍ର ଘଟଣାର ଅନ୍ତରାଳରେ ଥିବା ଉଦ୍ଦେଶ୍ୟ ଭିନ୍ନ । ପ୍ରଥମ ଘଟଣାରେ ଆମେ ଦେଖିବାକୁ ପାଇବା ବୈଜ୍ଞାନିକ ଫର୍ମୁଲାଟିର ଅସଦ୍ ଉପାୟରେ ଅପହରଣ, ହତ୍ୟା ସହିତ ପଶ୍ଚାତରେ ଥିବା ମନ୍ଦ ଉଦ୍ଦେଶ୍ୟ । କିନ୍ତୁ ଦ୍ବିତୀୟଟି ବିଲକୁଲ ଅଲଗା । ଜନୈକା ଛୋଟ ବାଳିକାର ଅପହରଣ ଓ ହତ୍ୟା ସହିତ ଜଡିତ ଥିଲା ଅପରାଧି ରିଚାଟ୍ । ମାତ୍ର ଅର୍ଥବଳ ଓ ବାହୁବଳ ପ୍ରୟୋଗ କରି ସେ ଆଇନ ଫାଶରୁ ନିଜକୁ ମୁକ୍ତ କରିପାରିଥିଲା । ଏଥିରେ ବାଳିକାଟିର ୧୨ଜଣ ନିକଟ ଆତ୍ମୀୟ ଓ ଶୁଭେଚ୍ଛୁ ପ୍ରତିଶୋଧ ନେବାପାଇଁ ଏକତ୍ର ହୋଇ ସମ୍ମିଳିତ ଭାବେ ୧୨ଥର ଛୁରୀକାଘାତ କରି ଯେସାକୁ ତେସା ନୀତିରେ ନିର୍ମମ ହତ୍ୟା କରିଛନ୍ତି । ପ୍ରଥମଟିର ଅପରାଧିକୁ ପୋଲିସ ଗିରଫ କରିଛି ମାତ୍ର ଦ୍ବିତୀୟଟିରେ ଅପରାଧିମାନେ ନିଜ ଦୋଷ ସ୍ବୀକାର କରିବା ପରେ ମଧ୍ୟ ଛାଡ ପାଇଛନ୍ତି । ଯେଉଁ ମହତ୍ତ୍ବାକାଂକ୍ଷାକୁ ପରିପୂର୍ଣ୍ଣ ରୂପ ଦେବା ପାଇଁ ୧୨ଜଣିଆ ନେତୃତ୍ବର ପରିକଳ୍ପନା କରାଯାଇଥିଲା, ସେସବୁ ହୃଦୟଙ୍ଗମ କଲାପରେ ଢିଟେକ୍ଟିଭ୍ ହରକ୍ୟୁଲ ତାଙ୍କୁ ଛାଡି ଦେଇ ନିଜ ମାନବୀୟ ଉଦାରତାର ପରିଚୟ ଦେଇଛନ୍ତି । ଉଭୟ କ୍ଷେତ୍ରରେ ଅନୁବାଦକଙ୍କ ଭାଷା ସହଜ, ସାବଲୀଳ ହେବା ସହ ମୂଳ ଉପନ୍ୟାସର ନିକଟବର୍ତ୍ତୀ ହୋଇପାରିଛି ଯାହା ପାଠକୀୟ ଉତ୍କଣ୍ଠା ଶେଷ ପର୍ଯ୍ୟନ୍ତ ବଜାୟ ରଖି ପାରିଛି ।

ଇତ୍ୟବସରେ ଆଜିର ବହି ଲେଖକ ଡାଃ ସୁରେନ୍ଦ୍ରନାଥଙ୍କୁ ଅଜସ୍ର ଶୁଭେଚ୍ଛା ଜଣାଇବା ସହ ଅସ୍ତିତ୍ବ ହରାଇ ପରିଚୟ ସଙ୍କଟରେ ପଡିଥିବା ଓଡିଆ ରହସ୍ୟ ରୋମାଞ୍ଚ ସାହିତ୍ୟରେ ପୁଣି ଥରେ ପ୍ରାଣ ସଂଚାର କରିବା ପାଇଁ ଲେଖକୀୟ ପ୍ରଚେଷ୍ଟାକୁ ସହସ୍ରବାର ପ୍ରଣାମ ଜଣାଉଛି ।

ନୀଳଚକ୍ର ନଗର
ଅଠରନଳା
ପୁରୀ

Leave A Reply

Your email address will not be published.