Latest Odisha News

କବିତା : ମୁଁ ନାରୀ

ଶ୍ୱେତପଦ୍ମା ପାଢ଼ୀ

କେବେ ଲକ୍ଷ୍ମୀ, ସରସ୍ଵତୀ, କାମିନୀ ତ କେବେ ଦୁର୍ଗା
ଶତାବ୍ଦୀ ପରେ ଶତାବ୍ଦୀ ବିତିଗଲାଣି ପ୍ରଶଂସାରେ
ଅଥଚ, ନାରୀର ଗୁଣ ଓ ସୈାନ୍ଦର୍ଯ୍ୟ ବର୍ଣ୍ଣନା
ତୁମ ଭାଷାକୋଷ ବର୍ହିଭୁତ !

ଭୟ ଦେଖେଇ ମୋତେ ନୀରବ କରିଦିଏ ସମାଜ
ସ୍ବପ୍ନ ଭାଙ୍ଗିଗଲେ ସଜେଇ ଦିଏ ମୋତେ ଚିର ବନ୍ଦିନୀ
ପ୍ରତିଥର ମୋର ପରିଚୟ ଦେଇ ଜଣେଇ ଦିଏ
“ମୁଁ ନାରୀ !”

ମୁଁ କେବଳ କୋମଳ ସୁନ୍ଦର ଗୋଲାପଟିଏ ନୁହଁ
ସେଥିରେ ଥିବା କଣ୍ଟା ଓ ପତ୍ର ବି ମୁଁ
ରକ୍ତ ଜୁଡବୁଡ ହେବା ପରେ ବି ବାନ୍ଧି ରଖେ ସବୁ ସମ୍ପର୍କ !

କାହାଣୀରେ ଥିବା ବୋଉ, ଭଉଣୀ, ଶାଶୁ, ବୋହୂ
ଏବଂ ଉପନ୍ୟାସରେ ଥିବା ପ୍ରେମିକା/ସ୍ତ୍ରୀ ତଥାପି;
ମୁଁ ପଢି ହେଉନଥିବା ଏକ ସୁନ୍ଦର କବିତା !

ଜଗତ ଖୋଜୁଛି ନିଜର ଅସ୍ତିତ୍ଵ
ସେ ଅସ୍ତିତ୍ବକୁ ଧାରଣ କରିବାକୁ ନୁହଁ ଦାୟୀ ଏକମାତ୍ର ମୁଁ
ବରଂ ସେ ଅସ୍ତିତ୍ବର ଅଭିମାନ ମୁଁ, ମୁଁ ନାରୀ !

ମୁଁ ଖୋଜେ ନାହିଁ ନାରୀତ୍ବ ର ପରିଚୟ
ମୁଁ ଖୋଜେ ନାହିଁ ସ୍ୱତନ୍ତ୍ରତା ର ଅଧିକାର
ବରଂ ଅର୍ଦ୍ଧନାରୀଶ୍ବର ଭରା ଏଇ ପୃଥିବୀରେ
ମୁଁ ଖୋଜୁଛି ସମାନତା !

ଗାଁ ରୁ ଗାଁ ସହର ପରେ ସହର ବଦଳି
ସମୟ ପରେ ସମୟ କଡ ଲେଉଟୋଉଛି
ସମ୍ପର୍କର ଭାଗଶେଷ ବି ବଦଳିଗଲାଣି
କିନ୍ତୁ ମୁଁ ଟିକେ ବି ବଦଳି ପାରିଲି ନାହିଁ !

ସବୁ ପରିଭାଷାର ବିଶ୍ଳେଷଣ ପରେ
ଯେତେବେଳେ ଇତିହାସରେ
ନିଜ ପ୍ରତିବିମ୍ବକୁ ଖୋଜେ
ଏକ ଚିତ୍କାର ବାରମ୍ବାର ପ୍ରତିଧ୍ବନିତ ହୁଏ
“ନାହିଁ ଅରି ଯାହାର” …
ମୁଁ ନାରୀ !!

Comments are closed.