Latest Odisha News

ଅନୁବାଦ କବିତା : ଫୁଲ ଫୁଟୁ କି ନଫୁଟୁ , ଆଜି ବସନ୍ତ

3ମୂଳ ରଚନା : ସୁଭାଷ ମୁଖୋପାଧ୍ୟାୟ

ଫୁଲ ଫୁଟୁ କି ନଫୁଟୁ
ଆଜି ବସନ୍ତ
ସିମେଣ୍ଟ ଢଳାଇ ଫୁଟପାଥରେ
ପଥର ତଳେ ପାଦରଖି, ଏକ ବିବର୍ଣ୍ଣ,
ଦରମଲା ଗଛ, ନୂଆ ନୂଆ କଅଁଳ ପତ୍ରରେ
ସଜ ହୋଇ ପଞ୍ଜରା ଫଟାଇ ହସୁଛି
ଫୁଲ ଫୁଟୁ କି ନଫୁଟୁ
ଆଜି ବସନ୍ତ।

ଆଲୁଅ ଆଖିରେ କଳାପଟି ଦେଇ
ତାପରେ ଖୋଲି
ମୃତ୍ୟୁ କୋଳରେ ମଣିଷକୁ ଶୁଆଇ ଦେଇ
ତାପରେ ଉଠାଇ
ଯେଉଁ ଦିନଗୁଡିକ ଏ ବାଟରେ
ଚାଲି ଯାଇଛନ୍ତି, ସେମାନେ ଆଉ ଫେରିବେନି।

ଦେହରେ ହଳଦିମଖା ଅପରାହ୍ନ
ଅଳ୍ପ କିଛି ପଇସା ଦେଲେ
ଯେଉଁ ବାରବୁଲା ପିଲାଟି
ପଶୁ ପକ୍ଷୀଙ୍କ ରାବ ଅନୁକରଣ କରି
କୋଇଲି ପରି ଡାକୁଥିଲା
ତାକୁ ଡାକି ନେଇ ଯାଇଛନ୍ତି ଦିନମାନେ

ନାଲି କାଳିରେ ଛପା ହଳଦିଆ ଚିଠି ପରି
ଆକାଶଟାକୁ ମୁଣ୍ଡରେ ଧରି
ଏ ଗଳିର ଏକ କାଳୀ, କୁତ୍ସିତ ଦରବୁଢ଼ୀ,
ଅଭିହାଡ଼ି ଝିଅଟେ, ରେଲିଂରେ ଛାତିକୁ ଚାପି
କଣ ସବୁ ଏଣୁ ତେଣୁ ଚିନ୍ତା କରୁଥିଲା।

ଠିକ ସେଇ ସମୟରେ ଆଖି ଉପର ଦେଇ ଉଡ଼ିଆସି
ଦେହରେ ବସି ପଡ଼ିଲା
( ଆହା ମତେ ଯାହା ମରଣ ନାହିଁ )
ଏକ ପୋଡ଼ା ମୁହାଁ, ଲକ୍ଷ୍ମୀଛଡ଼ା ପ୍ରଜାପତି

ତାପରେ ଧଡ଼ କରି କବାଟ
ବନ୍ଦ ହେବାର ଶବ୍ଦ
ଅନ୍ଧକାରରେ ମୁହଁ ଚାପି
ଫାଶୀ ଲଗା ସେଇ ଗଛ
ସେ ସମୟରେ ବି ହସୁଛି ।

ଫୁଲ ଫୁଟୁ ବା ବଫୁଟୁ
ଆଜି ବସନ୍ତ !

ଅନୁବାଦ : ମନୋରଞ୍ଜନ ହୋତା 

Leave A Reply

Your email address will not be published.