ମୂଳ ବଙ୍ଗଳା : ସୁକାନ୍ତ ଭଟ୍ଟାଚାର୍ଯ୍ୟ
ହେ ସୂର୍ଯ୍ୟ, ଶୀତ ସକାଳର
ଦୀର୍ଘ ଏଇ ଥଣ୍ଡା କାକରର ରାତି ପରେ
କରୁ ଆମେ ତୁମରି ପ୍ରତୀକ୍ଷା ।
ଚାଷୀର ଚଞ୍ଚଳ ଆଖି
ଧାନ କଟାର ରୋମାଞ୍ଚ ଭରା
ଦିନଗୁଡ଼ିକ ପାଇଁ
ଅପେକ୍ଷା କଲା ପରି।
ହେ ସୂର୍ଯ୍ୟ, ତୁମେ ତ ଜାଣିଛ
କେତେ ଅଭାବ ଆମର
ଗରମ ପୋଷକର
ସାରା ରାତି କାଠି କୁଟା ଜାଳି
କାନକୁ ଘୋଡାଇ ଦେଇ
ଛୋଟ ଏକ ଲୁଗା କାନିରେ
ଶୀତକୁ ଆମେ ଅଟକାଇ ରଖୁ
ଅନେକ କଷ୍ଟରେ।
ସକାଳର ଏକ ଟୁକୁରା ଖରା
ଛୋଟ ଏକ ସୁନା ଖଣ୍ଡଠୁ ବି
ଅଧିକ ସରସ,
ଘରୁ ବାହାରି ଆସି
ଖୋଜି ବୁଲୁ ଆମେ
ଖରାର ଉଷୁମ ଝଲସ।
ହେ ସୂର୍ଯ୍ୟ
ତୁମେ ଆମର ଏଇ ଓଦା, ଭିଜା ଘରେ
ଭରିଦିଅ ଉତ୍ତାପ, ଆଲୋକ
ରାସ୍ତା କଡର ଏଇ ନଗ୍ନ ଶିଶୁଟିକୁ
ଟିକେ ଦିଅ ଉଷ୍ମ ତାପ।
ହେ ସୂର୍ଯ୍ୟ
ଆମକୁ ଅଜାଡ଼ି ଦିଅ
ଉଷ୍ମତା, ଆଲୋକ
ଶୁଣିଛି ମୁଁ ତୁମେ ଏକ
ଜ୍ୱଳନ୍ତ ଅଗ୍ନିପିଣ୍ଡ
ତୁମଠୁ ତାପ ପାଇ ପାଇ
ଦିନେ ଆମେ ବି ହୁଏତ
ପ୍ରତ୍ୟେକ ଏକ ଲେଲିହାନ
ଅଗ୍ନି ଶିଖାରେ ହେବା ପରିଣତ।
ଆଉ ସେଇ ନିଆଁର ଧାସରେ
ଯେତେବେଳେ ଜଳିଯିବ ଆମରି ଜଡ଼ତା
ହୁଏତ ଆମେ ସେତେବେଳେ
ସଡକ କଡର ଏଇ ଉଲଗ୍ନ ପିଲାଟିକୁ
ଦେଇ ପାରିବା ଗରମ ପୋଷାକର
ଉଷ୍ମତା !
ଆଜି କିନ୍ତୁ ପ୍ରାର୍ଥୀ ଆମେ
ଅକୃପଣ ତୁମ ଉତ୍ତାପର ।
ଅନୁବାଦ: ମନୋରଞ୍ଜନ ହୋତା
Comments are closed.