Latest Odisha News

BREAKING NEWS

ଅନୁବାଦ କବିତା : ଏକା ହୋଇଯାଅ

ମୂଳ ରଚନା : ମହାଦେବ ସାହା

ସଙ୍ଗହୀନ ଗଛ ପରି ଏକା ହୋଇଯାଅ

ଠିକ ବ୍ୟଥାରେ ମଗ୍ନ କଏଦୀ ପରି ଅସହାୟ

ନିର୍ଜନ ନଦୀ ସମ

ହୋଇଯାଅ ତୁମେ

ଆହୁରି ପୃଥକ, ବିଚ୍ଛିନ୍ନ

ସ୍ୱତନ୍ତ୍ର, ସ୍ୱାଧୀନ, ଖଣ୍ଡ ଖଣ୍ଡ

ୟୁରୋପର ମାନଚିତ୍ର ପରି;

ଅଲଗା ହୋଇଯାଅ

ସବୁ ସଙ୍ଘଠାରୁ

ଭିନ୍ନ ହୋଇଯାଅ ମୋ ଉନ୍ମାଦନାରୁ

ଆକାଶର ସର୍ବଶେଷ ଉଦାସ ପକ୍ଷୀ ପରି

ନିର୍ଜନ , ନିସ୍ତବ୍ଧ ପାହାଡ଼ ପରି ମୌନ ହୋଇଯାଅ।

 

ତୁମେ ଏତେ ଦୂରକୁ ଚାଲିଯାଅ

ଯେ କାହାରି ଡାକ ବି ନ ପହଞ୍ଚୁ ସେଠାରେ

ଅବା କେହି ଶୁଣି ନପାରନ୍ତୁ ଡାକ ତୁମର

ସେଇ ଜନଶୂନ୍ୟ, ନିଃଶବ୍ଦ, ଦ୍ବୀପପରି

ନିଜର ଛାଇ ପରି, ପଦଚିହ୍ନ ପରି

ଶୂନ୍ୟତା ପରି ଏକା ହୋଇଯାଅ

ଏକା ହୋଇଯାଅ ଏଇ ଦୀର୍ଘଶ୍ବାସ ପରି

ଏକା ହୋଇଯାଅ ।

 

ଅନୁବାଦ : ମନୋରଞ୍ଜନ ହୋତା

Leave A Reply

Your email address will not be published.