Latest Odisha News

BREAKING NEWS

ଅନୁବାଦ ଗଳ୍ପ : ମୁଁ ବଞ୍ଚିବି

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨୬ 

ମୂଳ ହିନ୍ଦୀ : ବିଷ୍ଣୁ ପ୍ରଭାକର

ପାର୍ଟି କେତେବେଳୁ ଶେଷ ହୋଇସାରିଥିଲା ଓ ଆମନ୍ତ୍ରିତ ଅତିଥିମାନେ ନିଜ ନିଜ ଘରକୁ ଲେଉଟି ସାରିଥିଲେ । ଆକାଶରେ ଚନ୍ଦ୍ର ଢେର ଉପରକୁ ଉଠି ସାରିଥାଏ  । ପ୍ରାନ୍‍ ହସି ହସି ରାଜ୍‍ ଆଡ଼େ ଚାହିଁଲା । ପ୍ରାନ୍‍ ସଦାବେଳେ ରାଜ୍‍କୁ ଖୁସି ରଖିବାପାଇଁ ଓ ଖୁସି ଦେଖିବାପାଇଁ ଚାହେଁ  । କେବଳ ରାଜ୍‍କୁ ଖୁସି କରିବା ସକାଶେ ସିଏ ମସୌରୀକୁ ଆସିଥିଲା । ରାଜ୍‍ କିନ୍ତୁ ନିବଦ୍ଧ ଥିଲା ସାମ୍ନା ରାସ୍ତା ଉପରେ । ସେ ରାସ୍ତାଟା ଲମ୍ବିଥିଲା ସୁଦୂର ପର୍ବତ ପର୍ଯ୍ୟନ୍ତ । ଝାପ୍‍ସା ଚନ୍ଦ୍ର କିରଣରେ ପର୍ବତ ପର୍ଯ୍ୟନ୍ତ ଅଙ୍କାବଙ୍କା ହୋଇ ଲମ୍ବିଥିବା ରାସ୍ତାଟା ବି ଅସ୍ପଷ୍ଟ ଦିଶୁଥିଲା । ଦୂର ଦିଗ୍‍ବଳୟ ସେଇ ନିଷ୍ପ୍ରଭ ଆଲୋକରେ ଆହୁରି ଦୂର ପରି ପ୍ରତୀୟମାନ ହେଉଥିଲା ।

ଅସଲ କଥାଟି ହେଲା ରାଜ୍‍ ଶରୀର ଚିନ୍ତା ଭିତରେ ଗୋଟାପଣେ ଡୁବି ରହିଥିଲା ଓ ତା’ର ଅତୀତକୁ ଭବିଷ୍ୟତଠାରୁ ଅଲଗା କରି ଦେଖିବାକୁ ଚେଷ୍ଟା କରୁଥିଲା । ହଠାତ୍‍ ପ୍ରାନ୍‍ର ହସରେ ସିଏ ତାଟକା ହୋଇ ତା’ଆଡ଼େ ଚାହିଁ ରହିଲା । ତା’ଆଖିରେ ଏପରି ଭୟ ଦେଖି ପ୍ରାନ୍‍ ବି ପ୍ରଥମେ ଭୟ ପାଇଗଲା । ସେ ପଚାରିଲା, ‘ଡରିଗଲ କି?’ ପ୍ରଶ୍ନଟି ଯେପରି ସେ ଶୁଣି ପାରିନି ସେଇଭଳି ଛଳନା କରି, ରାଜ୍‍ ଯଥାସମ୍ଭବ ସ୍ୱାଭାବିକ ଗଳାରେ ପଚାରିଲା,‘ଆଚ୍ଛା କହିଲ, ତୁମ ଡାହାଣପଟେ ଯେଉଁ ଯୁବକଟି ବସିଥିଲା ତୁମେ ତାକୁ କେତେ ଭଲଭାବେ ଚିହ୍ନିଛ?’

:‘ସିଏ ନୀଳ ରଙ୍ଗର କୋର୍ଟ ପିନ୍ଧା ଲୋକଟିକୁ?’
:‘ହଁ ।’
:‘ଆଜିକାଲି ସିଏ କ୍ରିଷନ୍‍ ପାଖରେ ରହୁଚି । ମୁଁ କ୍ରିଷନ୍‍କୁ ଫୋନ୍‍ରେ କହିଥିଲି ।
କାଇଁକିନା ତା’ସ୍ତ୍ରୀ ସହରଆଡେ ଯାଇଚି । ତୁମେ ତାକୁ ଚିହ୍ନିଚ?’
:‘ନାଇଁ, ଏମିତି ପଚାରୁଥିଲି ।’
:‘ଓଃ, ଏବେ ବୁଝିଲି । ଦିଲୀପ ସାଙ୍ଗରେ ସିଏ ଢେର ସମୟ ଧରି ଖେଳୁଥିଲା । କିଛି ଲୋକ
ପିଲାମାନଙ୍କୁ ଭାରି ସ୍ନେହ କରନ୍ତି ।’
:‘ହଁ, ହେଲେ ସେ ଲୋକଟିର ସ୍ନେହ କିଛିଟା ମାତ୍ରାଧିକ ଲାଗୁଥିଲା ।”
:‘ତା’ମାନେ କ’ଣ?’
:‘ତୁମେ ଲକ୍ଷ୍ୟ କରିନ ଯେ ଦିଲ୍ଲୀପ ମୋଟେ ତା’ କୋଳ ଛାଡ଼ି ତଳକୁ ଓହ୍ଲାଉ ନ ଥିଲା?’

ପ୍ରାନ୍‍ ପୁଣିଥରେ ହସିଉଠି କହିଲା, ‘ପିଲାମାନେ ବି ବଡ଼ ବିଚିତ୍ର  । ଯିଏ ତାଙ୍କୁ ସ୍ନେହ କଲା, ସିଏ ତାଙ୍କୁ ଛାଡ଼ିବାକୁ ନାରାଜ । ସେମାନେ ତା ନିଷ୍ପାପ, ଶରତର ଜହ୍ନ ପରି ନିରୀହ ।’

ଦୁହେଁ ଏଥର ମୁହଁ ଘୁରାଇ ଦିଲୀପ ଆଡ଼େ ଚାହିଁଲେ । ସାର୍ଟିନ୍‍ ଲେପଟିଏ ଭିତରେ ସିଏ ଆରାମରେ ଶୋଇ ରହିଥିଲା । କପାଳ ଉପରକୁ କେରାଏ ସୁନେଲି କେଶ ଲମ୍ବିଆସିଥାଏ  । ଚନ୍ଦ୍ର କିରଣରେ ତା’ର ଚେହେରା ପରୀଟିଏ ଭଳି ଭ୍ରମ ସୃଷ୍ଟି କରୁଥାଏ  । ମୁହଁରେ ସାମାନ୍ୟ ହସର ମୁଦ୍ରା ଲାଖି ରହିଥାଏ । ରାଜ୍‍ ଚୁପି ଚୁପି କହିଲା,‘କେଡ଼େ ସୁନ୍ଦର ଦିଶୁଚ, ଦିଲୀପ!’

ପ୍ରାନ୍‍ କହିଲା,‘ବେଳେବେଳେ ଲାଗେ ସତେ ଯେମିତି ଏମିତିକିଆ ନିଷ୍ପାପ ଓ ସୁନ୍ଦର ଶିଶୁଙ୍କୁ ଦେଖି ବିଧାତା ହୁଏତ ଚନ୍ଦ୍ରକିରଣ ସୃଷ୍ଟି କରିଛନ୍ତି!’

ଦୁହିଁଙ୍କ ଆଖି ପୁଣିଥରେ ମିଳିତ ହେଲା । ଉଭୟେ ବୁଝିପାରୁଥିଲେ ଯେ, ସେମାନଙ୍କ ଏପରି ସରଳ କଥା ଓ ହସର ପରିହାସ ଭିତରେ ଏକ ଝଡ଼ ମୁଣ୍ଡ ଟେକୁଥିଲା । ତେଣୁ ଦୁହେଁ ତୁନି ପଡ଼ିଗଲେ । ରାଜ୍‍ ଆଉ କିଛି ନ କହି ଦିଲୀପକୁ ନିଜ କୋଳକୁ ଉଠାଇ ନେଇ ଘର ଭିତରକୁ ପଶିଗଲା । ନିଜ କୋଳରେ ଭିଡ଼ିଧରିବା ମାତ୍ରେ ଦିଲ୍ଲୀପ ସାମାନ୍ୟ ଏକଡ଼ ସେକଡ଼ ହେଲା ଓ ଶେଯରେ ଶୁଆଇ ଦେବାମାତ୍ରେ ପୁଣି ନିଶ୍ଚଳ ହୋଇ ଶୋଇଗଲା । କିଛି ସମୟ ଲାଗି ରାଜ୍‍ ତାକୁ ସେମିତି ଚାହିଁରହିଲା । ସତେ ଯେପରି ସିଏ ଛୁଆଟିକୁ ପ୍ରଥମଥର ପାଇଁ ଦେଖୁଛି । ହେଲେ ହଠାତ୍‍ ସେ ପୁଣି ତା’ଭାବନା ରାଜ୍ୟରୁ ଫେରିଆସିଲା । ପ୍ରାନ୍‍ ଇତିମଧ୍ୟରେ ଘର ଭିତରକୁ ଆସି ରାଜ୍‍କୁ ଚାହିଁ
ପଚାରିଲା,
‘ତାକୁ ଏମିତି ଚାହିଁ କ’ଣ ଦେଖୁଚ ରାଜ୍‍?’
‘ନାଇଁ,ଏମିତି ଚାହିଁ ରହିଥିଲି ।’

ପ୍ରାନ୍‍ ପୁଣିଥରେ ହସିଉଠି କହିଲା, ‘ମତେ ଲାଗୁଚି ଯେମିତି ପ୍ରେମରେ ବି ପାର୍ଥକ୍ୟ ରହିଛି ।’

ରାଜ୍‍, ପ୍ରାନ୍‍ ପାଖରୁ ସାମାନ୍ୟ ଘୁଞ୍ଚି ଯାଉ ଯାଉ କହିଲା, ‘ଶୁଣ, ତୁମର ସିଏ ସାଙ୍ଗର ସାଙ୍ଗକୁ ଆଉ ଥରେ ବି ଏ ଘରକୁ ନିମନ୍ତ୍ରଣ କରିବନି ।’

ହେଲେ ଏଇଟା ତ ଅନୁରୋଧ ନୁହେଁ । ରାଜ୍‍ର କଣ୍ଠରେ ଭୟର ସ୍ୱର ସ୍ପଷ୍ଟ ବାରି ହୋଇ ପଡୁଥିଲା ।

ପ୍ରାନ୍‍ ଏ କଥାରୁ କିଛି ଠଉରାଇ ପାରୁନଥିଲା । ତେଣୁ ବିବ୍ରତ ହୋଇପଡ଼ିବା ଭଳି ସିଏ ପଚାରିଲା, ‘ହେଲେ କାହିଁକି? କାହିଁକି ତାକୁ ନିମନ୍ତ୍ରଣ କରିବିନି?’

ରାଜ୍‍ କିଛି ନ କହି ନୀରବ ରହିଲା ଓ ଘର ଭିତରୁ ବାହାରି ଯାଇ ପୁଣିଥରେ ବାରଣ୍ଡାରେ ପଡିଥିବା ଚେୟାର ଖଣ୍ଡିଏ ଉପରେ ବସିପଡ଼ିଲା । ପୁଣିଥରେ ତା’ଦୃଷ୍ଟି ଚାଲିଗଲା ସାମ୍ନାରେ ଲମ୍ବିଥିବା ରାସ୍ତା ଉପରକୁ । ଅଦୂରରୁ ଶୁଭୁଥିବା କୁଲିମାନଙ୍କ କୋଳାହଳ କେତେବେଳୁ ଥମି ସାରିଥିଲା । ମୁଣ୍ଡ ଉପର ଆକାଶ ବି ବାଦଲରେ ଗୋଟାପଣେ ଢାଙ୍କି ହୋଇ ସାରିଥାଏ । ପାତଳା ଚନ୍ଦ୍ରକିରଣରେ ସାରା ଆକାଶଟା କେମିତି ରହସ୍ୟମୟ ଲାଗୁଥାଏ । ରାଜ୍‍କୁ ଲାଗୁଥାଏ ବାଦଲ ଫାଙ୍କରୁ ଦିଶୁଥିବା ଏଇ ଝାପ୍‍ସା ରହସ୍ୟମୟ ଚନ୍ଦ୍ରକିରଣ ସତେ କି ତା’ ନିଜ ମନର ଏକ ଅଂଶବିଶେଷ ଓ ସେଇ ଆଲୋକ ତା’ମନର ସବୁ ସୁଖଶାନ୍ତିକୁ ପୋଛି ଦେଇଚି । ନିଜ ଅଜାଣତରେ କେତେବେଳେ ତା’ ଆଖିରେ ଲୁହ ଜକେଇ ଆସିଥିଲା । ଚେୟାରଟି ଉପରେ ଆଉଜି ପଡ଼ିବା ମାତ୍ରେ ସେ ଆଉ କାନ୍ଦକୁ ରୋକିପାରିଲାନି । କଇଁ କଇଁ ହୋଇ କାନ୍ଦି ଉଠିଲା ।

ରାଜ୍‍ର ଏପରି କାନ୍ଦଣା ଦେଖି ପ୍ରାନ୍‍ ଆଶ୍ଚର୍ଯ୍ୟ ହେଲାନି କି ବିରକ୍ତି ଭାବ ମଧ୍ୟ ପ୍ରକାଶ କଲାନି । ବରଂ ସେ ନୀରବରେ ଠିଆହୋଇ କିଛି ସମୟ ଧରି ରାଜ୍‍କୁ ଚାହିଁଲା । କାନ୍ଦ ଶେଷ ହେବାପରେ ରାଜ୍‍ ତା’ଆଖିରୁ ଲୁହ ପୋଛିନେଲା । ଏଥର ପ୍ରାନ୍‍ ତାକୁ ପଚାରିଲା,‘ଏବେ ଭଲ ଲାଗୁଚି? ଚାଲ, କିଛି ବାଟ ବୁଲଚାଲ କରିଆସିବା ।’ ଦରଭିଜା ଆଖିରେ ରାଜ୍‍ ପ୍ରାନ୍‍ ଆଡକୁ ମୁହଁ ବୁଲେଇ କହିଲା,‘ପ୍ରାନ୍‍, ମୁଁ ଫେରିଯିବାକୁ ଚାହେଁ ।’
:‘କୁଆଡେ?’
:‘କେଉଁଠିକି ହେଲେ ।’

ପ୍ରାନ୍‍, ରାଜ୍‍କୁ ବୁଝେଇବା ଭଳି କଣ୍ଠରେ କହିଲା, ‘ରାଜ୍‍, ତୁମେ ପିଲା ନୁହଁ, ତୁମର ନିଜେ ଚିନ୍ତା କରିବା ଓ ନିଜକୁ ନିଜେ ବୁଝାଇବାର ବୟସ ହୋଇସାରିଚି । ତୁମେ ନିଶ୍ଚୟ ଜାଣିପାରୁଥିବ, ଜୀବନ କେଡେ ଅନିଶ୍ଚିତ । ଏଇ ଦେଖୁନ, ମାତ୍ର କେଇଟା ମୁହୂର୍ତ୍ତ ଆଗରୁ ଚାରିଆଡ଼ ’ କେତେ ନିର୍ମଳ ଓ ଉଜ୍ଜ୍ୱଳ ଥିଲା, ଆଉ ଏବେ ଚାରିଆଡ଼ ଘନ କୁହେଳିକାମୟ ପାଲଟିଯାଇଛି ।’

:‘ମୁଁ କିନ୍ତୁ ସେ କୁହେଳିକା ଭିତରେ ନିଜକୁ ହଜେଇ ଦେବାକୁ ଚାହେଁନି ।’ ପ୍ରାନ୍‍ ନିଜ ହାତରେ ଅଭୟ ମୁଦ୍ରା ପ୍ରକାଶ କଲା ପରି କରି ଗମ୍ଭୀର କଣ୍ଠରେ କହିଲା,‘ହଉ, ତୁମର ଯାହା ଇଚ୍ଛା । ତୁମେ ଯେକୌଣସି ମୁହୂର୍ତ୍ତରେ ଯାଇପାରିବ । ମୁଁ କେବେବି ତୁମକୁ ବାଧା ଦେବିନି । ମୁଁ ତ ତୁମକୁ ଏଠି ଜୋର ଜବରଦସ୍ତ ଅଟକେଇ ରଖିନି ।

ରାଜ୍‍ ସେମିତି ନିଶ୍ଚଳ ହୋଇ ବସିରହିଲା । କେଉଁ ଏକ ଗଭୀର ଚିନ୍ତା ଭିତରେ ସେ ଗୋଟାପଣେ ଡୁବି ଯାଇଥାଏ । ରାତି ସାରା ରାଜ୍‍ ସେମିତି ବସିରହିଲା । ତା’ପର ଦିନ ତା’ର ଚିନ୍ତା ସତେକି ଆଉ କେଇ ଗୁଣ ବଢ଼ିଗଲା । ଦିଲ୍ଲୀପକୁ ତା’ଆଖି ଆଗରୁ ଗୋଟିଏ ବି ମୁହୂର୍ତ୍ତ ଅନ୍ତର କଲାନି । ପାଖ ପାର୍କକୁ ଦିଲୀପକୁ ନେଇ ଦୋଳିରେ ବସି କିଛି ସମୟ ଖେଳାଇଲା । ତା’ପରେ ତାକୁ ଧରି କିଛି ସମୟ ଚାଲବୁଲ କଲା । ତାକୁ ଖୁଆଇଦେଲା । ଶୁଆଇଲାବେଳେ କେତେ ପ୍ରକାର ନାନାବାୟା ଗୀତ ବୋଲି ଶୁଣେଇଲା ଓ ପିଠି ଥାପୁଡ଼େଇ ଶୁଆଇ ପକାଇଲା । ଦିଲ୍ଲୀପ ଶୋଇପଡ଼ିବା ପରେ ପ୍ରାନ୍‍ ସ୍ମିତହସି, ଦୁଇହାତ ଯୋଡ଼ି ନମସ୍କାର କରୁ କରୁ କହିଲା, ‘ଓଃ!’ କିନ୍ତୁ ତା ମନ ଭିତରେ ଏକ ବିଚିତ୍ର ଦ୍ୱନ୍ଦ୍ୱ ସୃଷ୍ଟି ହୋଇସାରିଥାଏ । ତଥାପି ମୁହଁରେ ଯଥାସମ୍ଭବ ସ୍ୱାଭାବିକତା ପ୍ରକଟ କରି ସେ ପଚାରିଲା, ‘ଆପଣ କୋଉଠି ରହୁଛନ୍ତି?’

ବନ୍ଧୁଙ୍କ ବନ୍ଧୁ କହିଲେ,‘ଆମେ କେଉଁଠି ରହୁଛୁ ? ଭଗବାନ ଆମକୁ ଏମିତି ବାସ୍ତୁହରା କରିଛନ୍ତି ଯେ, ଆଉଥରେ ଏ ଜୀବନରେ କେଉଁଠି ସ୍ଥାୟୀ ଭାବେ ଘର କରି ରହିବା ସମ୍ଭବତଃ ଆମ ଭାଗ୍ୟରେ ଲେଖାନାହିଁ ।’

ପ୍ରାନ୍‍ କହିଲା, ‘ହଁ । ଯାହାସବୁ ଅଘଟଣ ଘଟିଗଲା ସେକଥା ତ ସମସ୍ତଙ୍କୁ ଜଣା । ହେଲେ ଏତେବେଳେ ଆମେ ସାହାଯ୍ୟ ପାଇଁ ବି କାହାରି ପାଖକୁ ଦୌଡିଯିବା ଭଳି ପରିସ୍ଥିତି ନାହିଁ ।’ ତା’ପରେ ରାଜ୍‍ ଆଡକୁ ମୁହଁ ଘୁରେଇ ନେଇ କହିଲା,‘ବନ୍ଧୁମାନଙ୍କ ଲାଗି ଚା’ ପାଣିର ବନ୍ଦୋବସ୍ତ କର ।’ ରାଜ୍‍ ତଥାପି ନିଶ୍ଚଳ ପ୍ରତିମାଟିଏ ପରି ବସିରହିଥାଏ ।

ବନ୍ଧୁ ହଠାତ୍‍ କଥା ଛଡାଇ ନେଇ ସୌଜନ୍ୟ ପ୍ରକାଶ କରି କହିଲେ,‘ନାଇଁ, ନାଇଁ, ପ୍ଲିଜ୍‍, ସେ ସବୁ ଥାଉ । ଆମଲାଗି ଚା’ ଜଳଖିଆ ପ୍ରସ୍ତୁତ କରି କଷ୍ଟ କରନ୍ତୁ ନାହିଁ । ଆମେ ଗୋଟିଏ ଜରୁରୀ କାମରେ ଆସିଛୁ ।’

ପ୍ରାନ୍‍ କହିଲା,‘ହଁ, କହୁନାହାନ୍ତି? କି ଜରୁରୀ କାମ?’ ବନ୍ଧୁ ସେ କଥାଟି ପ୍ରକାଶ କରିବାକୁ ସାମାନ୍ୟ ସଙ୍କୋଚ ବୋଧ କଲେ  । ପ୍ରାନ୍‍ ପୁଣି ପଚାରିଲା, ‘ବୋଧହୁଏ ମୋ ସହିତ ଏକାନ୍ତରେ ଆପଣମାନେ କିଛି କଥାବାର୍ତ୍ତା ହେବାକୁ ଚାହାନ୍ତି ।’

:‘ହଁ  ।’
:‘ତା’ହେଲେ ଚାଲନ୍ତୁ, ସେଇଠି ବସି ଗପସପ ହେବା ।’

ସମସ୍ତେ ହାତରେ ଖଣ୍ଡିଏ ଲେଖାଏଁ ଚେୟାର ଟେକିନେଇ ବାରଣ୍ଡା ଆଡକୁ ଚାଲିଗଲେ  । ସାମାନ୍ୟ ରହି ବନ୍ଧୁ ଆରମ୍ଭ ମୋର ବିଶ୍ୱାସ, ଆପଣ ମତେ ଆଦୌ ଭୁଲ୍‍ ବୁଝିବେନି ।’କଲେ,‘କ୍ଷମା କରିବେ, ମୁଁ ଆପଣମାନଙ୍କୁ କେଇଟି ପ୍ରଶ୍ନ ପଚାରିବାକୁ ଚାହେଁ ।

ପ୍ରାନ୍‍ ପୁଣି ହସହସ ମୁହଁରେ ଅଭୟ ଦେବାଭଳି କହିଲା,‘ନାଇଁ, ଆପଣ ନିଃଶଙ୍କୋଚରେ କୁହନ୍ତୁ । କୌଣସି ପ୍ରଶ୍ନ ଆଦୌ ଅବାନ୍ତର ନୁହେଁ ।’ ବନ୍ଧୁ ତଥାପି ମନରେ ସନ୍ତର୍ପଣ ଭାବ ରଖି ପଚାରିଲେ,‘ଆଚ୍ଛା, ଆପଣ ସତ କୁହନ୍ତୁ, ଦିଲୀପ କ’ଣ
ଆପଣଙ୍କ ପୁଅ?’

ପ୍ରାନ୍‍ର ଛାତି ଧଡ଼ଧଡ଼ ହୋଇଉଠିଲା । ତଥାପି ସେ ନିଜର ବାହ୍ୟ ମନୋଭାବକୁ ସ୍ୱାଭାବିକ ରଖିବା ଲାଗି ଯଥାସମ୍ଭବ ଚେଷ୍ଟାକରି କହିଲା, ‘ହଁ ! ସିଏ ମୋ ପୁଅ ।’
:‘ଏବେ?’
:‘ହଁ । ସିଏ ସଦାବେଳେ, ଅର୍ଥାତ୍‍ ପୂର୍ବରୁ ମୋ ପୁଅ ନ ଥିଲା ।’
‘ସତେ ନା କ’ଣ?’
‘ହଁ । ରାଜ୍‍ ଯେତେବେଳେ ପଞ୍ଝାଏ ଲୋକଙ୍କ ସହ ଲାହୋର୍‍ରୁ ପ୍ରାଣ ବିକଳରେ ପଳାଇ ଆସୁଥିଲା, ତାକୁ ବାଟରୁ ପାଇଥିଲା ।’
ବନ୍ଧୁ ଆଶ୍ଚର୍ଯ୍ୟ ହେଲାଭଳି କହିଉଠିଲେ! ‘କ’ଣ ହେଲା ? ସିଏ ତାକୁ କେଉଁଠୁ ପାଇଥିଲେ?’

:‘ଲାହୋର ନିକଟରୁ ଏକ ଟ୍ରେନ୍‍ ଭିତରୁ ।’
‘ପ୍ରାନ୍‍ ବାବୁ, ମୁଁ ଆପଣଙ୍କୁ କେମିତି ବୁଝେଇ କହିବି, ମତେ ବୁଦ୍ଧିବାଟ ଦିଶୁନି । ଆପଣ ଜାଣିନାହାନ୍ତି, ସିଏ ମୋ ଭଉଣୀର ପୁଅ । ତାକୁ ଦେଖିବା ମାତ୍ରେ ମୁଁ ତାକୁ ଚିହ୍ନିପାରିଥିଲି । ପ୍ରାନ୍‍ ବାବୁ, ଆପଣ ବିଶ୍ୱାସ କରି ପାରିବେନି, ପୁଅକୁ ହରାଇଲା ମୋ
ଭଉଣୀ ଭିଣୋଇ କେତେ କଷ୍ଟ ପାଇଛନ୍ତି ।’

ଏତିକି କହି ସେ ଚେୟାରରୁ ଉଠିପଡି ଡାକ ଛାଡିଲେ,‘ଭାଇ ସା’ବ୍‍, ଭାଇ ସା’ବ୍‍! ଆମ ରମେଶ ମିଳିଚି । ଆମେ ତାକୁ ପାଇଛେ ।’ ଏଥର ସିଏ ପ୍ରାନ୍‍ ଆଡ଼କୁ ବୁଲିପଡ଼ି କହିଲେ,‘ଆପଣ ଏହାର ପ୍ରମାଣ ଚାହାନ୍ତି? ମୋ ପାଖରେ ତା’ର ଫଟୋ ବି ଅଛି ।’

ପ୍ରାନ୍‍ଙ୍କ ମନରେ ବିଶ୍ୱାସ ଭାବ ସୃଷ୍ଟି କରିବା ଲାଗି ସେ ନିଜ ପକେଟ୍‍ ଭିତରୁ ଗୋଟିକ ପରେ ଗୋଟିଏ ଫଟୋ କାଢି, ଦେଖାଇବାରେ ଲାଗିଲେ । ମାତ୍ର କେଇଟା ମୁହୂର୍ତ୍ତ ଭିତରେ ସମଗ୍ର ବାତାବରଣଟି କିପରି ଓଲଟପାଲଟ ହୋଇଗଲା ।

ଭଦ୍ରମହିଳା ଚିତ୍କାର କରିଉଠିଲେ,‘କାହିଁ ସିଏ? ମୋ ରମେଶ କାହିଁ?’

ରାଜ୍‍ କିଛି କହିପାରୁ ନଥାଏ । ସେ ସିଧା ଉଠି ନିଜର ଶୋଇବା ଘର ଭିତରକୁ ଚାଲିଗଲା ଓ ଶେଯରୁ ଦିଲ୍ଲୀପକୁ ଉଠାଇ ଆଣି ନିଜ ଛାତିରେ ଭିଡ଼ିଧରିଲା । ପର ମୁହୂର୍ତ୍ତରେ ସମସ୍ତେ ଆସି ତା’ଚାରିକଡ଼େ ଘେରି ଠିଆହୋଇ ପଡ଼ିସାରିଥିଲେ । ସମସ୍ତଙ୍କ ମୁହଁରେ ଉତ୍କଣ୍ଠା ଓ ଉତ୍ତେଜନାର ମୁଦ୍ରା । ପ୍ରାନ୍‍ କିନ୍ତୁ ତଥାପି ସ୍ୱାଭାବିକ ପରି ଲାଗୁଥାଏ । ସେ ରାଜ୍‍ କାନ୍ଧରେ ହାତଥାପି
କହିଲା,‘ରାଜ୍‍, ଦିଲୀପର ମା’ ଆସିଛି ।’

ରାଜ୍‍ ଚିହିଁକି ଉଠିଲା ପରି କହିଲା,‘ଦିଲୀପର ମା’! ତୁମେ ସମସ୍ତେ ଏଠୁ ପଳାଅ । କାଇଁକି ଯେ ତୁମେମାନେ ଏଠିକି ଆସିଚ? ଦିଲୀପ ମୋ ପୁଅ । ମୁଁ ତା’ର ମା’!’ ଭଦ୍ରମହିଳା ଏଥର ରାଜ୍‍ କାନ୍ଧରେ ସଙ୍କୋଚରେ ହାତ ଥାପି କହିଲେ, ‘ହଁ, ପ୍ରକୃତରେ ତୁମେ ହିଁ ଦିଲୀପର ମା’ । ତୁମେ ହିଁ ତ ତାକୁ ପୁନର୍ଜନ୍ମ ଦେଇଚ । ମରଣ ମୁହଁରୁ ବଞ୍ଚେଇଛ ।’

ରାଜ୍‍ ଏକଥା ଶୁଣି ଗୋଟାପଣେ ଥରିବାକୁ ଆରମ୍ଭ କଲା । ମୁଣ୍ଡଟେକି ଦିଲୀପର ମା’କୁ ଚାହିଁବା ମାତ୍ରେ ରାଜ୍‍ ଆଉ ତା’ର ମୁହଁ ଫେରାଇ ନେଇପାରିଲା ନାହିଁ । ସେତେବେଳକୁ ଦିଲୀପ ନିଦରୁ ଉଠି ସାରିଥାଏ ଓ ପାଖରେ ଏତେ ଲୋକଙ୍କୁ ଠିଆ ହୋଇଥିବାର ଦେଖି ମନେମନେ ଡରିଯାଇଥାଏ । ତେଣୁ ରାଜ୍‍ କୋଳରୁ ସେ ଓହ୍ଲାଇବା ପାଇଁ ଏକବାରେ ନାରାଜ୍‍ ।

ମାତ୍ର କେଇମାସ ତଳେ ରାଜ୍‍ ଯେତେବେଳେ ତାକୁ ପାଇଥିଲା, ସେତେବେଳକୁ ତା’ ବୟସ ବର୍ଷେ ବି ହୋଇ ନ ଥିଲା । ସେତେବେଳେ ଭୟ ଓ ଆଶଙ୍କାରେ ଜୀବନ ବିତାଉଥାନ୍ତି । ଜୀବନ ବଞ୍ଚାଇବା ଲାଗି ଲୋକମାନେ ନିଜ ନିଜ ଘରଦ୍ୱାର ଛାଡ଼ି ଏଣେତେଣେ ପଳାଇଯାଆନ୍ତି । ଚାରିଆଡ଼େ ହତ୍ୟା, ଲୁଟ୍‍, ହାଣକାଟ, ପୋଡ଼ାଜଳା ଓ ଦଙ୍ଗା ଚାଲିଥାଏ । ଯୁଆଡେ ଦେଖ କୁଡ଼ କୁଡ଼ ଶବ । ସତେ ଯେପରି ରକ୍ତ ନଦୀରେ ସମସ୍ତଙ୍କ ବିବେକ ଓ ମାନବିକତା କାହିଁ କୁଆଡ଼େ ଧୋଇ ହୋଇ ଯାଇଥାଏ ।
ସେଇ ଅବସ୍ଥାରେ ରାଜ୍‍ ଏକ ଶରଣାର୍ଥୀ ଭରା ଟ୍ରେନ୍‍ରେ ନିଜକୁ ଆବିଷ୍କାର କରିଥିଲା ।

ଯେତେବେଳେ ତା’ଉପରେ ଦଙ୍ଗାକାରୀମାନେ ଚଢ଼ାଉ କଲେ, ଯିଏ ଯେଉଁଆଡ଼େ ପାଇଲା ପ୍ରାଣ ନେଇ ପଳେଇଲା । ରାଜ୍‍ ବି ତା’ର ହାତରେ ଯାହା କିଛି ପଡ଼ିଲା ତାକୁ ଧରି ପଳେଇ ଆସିଥିଲା । ଯେଉଁ ପୁଡାଟି ସିଏ ଟ୍ରେନ୍‍ରୁ ଉଠେଇ ଧରି ଚାଲି ଆସିଥିଲା, ପରେ ସେ ଜାଣିବାକୁ ପାଇଲା ଯେ, ତା’ଭିତରେ ଛୋଟ ଶିଶୁଟିଏ ଥିଲା । ଆଶ୍ଚର୍ଯ୍ୟ ! ଯାହା ତା’ର ନିଜର ସେସବୁ ସିଏ ହରେଇ ସାରିଥିଲା, କିନ୍ତୁ ଏ ଶିଶୁଟି, ଯାହା ତା’ର ନୁହେଁ, ଏବେ ତା’ପାଖରେ ଆସି ପହଞ୍ଚିଲା! କନା ପୁଡାଟି ଭିତରେ ଶିଶୁଟି ଆରାମରେ ଶୋଇ ଯାଇଥିଲା । ଏପରି ଦୁର୍ଦ୍ଦିନରେ ସିଏ ଭଲା ଶିଶୁଟିକୁ ନେଇ ଯିବ କୁଆଡେ ? ଶରଣାର୍ଥୀ ଶିବିରରେ ପହଞ୍ଚି ସିଏ ଶିଶୁଟିକୁ ଆବିଷ୍କାର କରିଥିଲା । ତେଣୁ ଭଗବାନଙ୍କ ଉଦ୍ଦେଶ୍ୟରେ ସିଏ ହାତଯୋଡ଼ି କହିଥିଲା, ‘ଭଗବାନ୍‍, ତୋ ଇଚ୍ଛା, ମୋ ଠାରୁ ତ ସବୁକିଛି ଛଡ଼ାଉନେଲୁ  । ପ୍ରତିଦାନରେ କାହିଁକି ଏ ନିଷ୍ପାପ ଶିଶୁଟିକୁ ଦେଲୁ, ତାହା ତୋତେ ହିଁ ଜଣା ।’
ଏବେ ଚିନ୍ତା କରିବା ଲାଗି ସୁଦ୍ଧା ତା’ପାଖରେ ଅଧିକ ସମୟ ନଥିଲା । ତେଣୁ ଛୁଆଟିକୁ କୋଳରେ ପୁରେଇ ସିଏ ଭାରତମୁହାଁ ଚାଲିଲା । ବାଟରେ, ତା’ନିଜ ନିରାପତ୍ତା ଓ ଶିଶୁଟିର ନିରାପତ୍ତା ମଧ୍ୟରେ, ସେ ନିଜେ ବିପଦକୁ ସାମ୍ନାକରି ଶିଶୁଟିକୁ ରକ୍ଷା

କରିବାରେ ତିଳେ ହେଲେ ଅବହେଳା ପ୍ରଦର୍ଶନ କରିନଥିଲା । ମୃତ୍ୟୁ ଓ ବିପଦ ସହ ଲଢ଼ି ଶିଶୁଟିକୁ ରକ୍ଷା କରିଥିବା ରାଜ୍‍ଠାରୁ ଆଜି ତା’ରି ଆଖି ଆଗରେ ଏଇ କେଇଜଣ ଲୋକ ତାକୁ ଛଡ଼ାଇନେବେ? ଆଉ ତା’ର ଏକମାତ୍ର କାରଣ ହେଲା ଏଇଆ ଯେ ରାଜ୍‍ ତା’ର ଜନ୍ମକଲା ମା’ ନୁହେଁ!

ରାଜ୍‍ ପୁଣିଥରେ ବିଳିବିଳେଇ ଉଠିଲା,‘ନା, ନା…. ଦିଲୀପ ମୋ’ ପୁଅ!’ ପ୍ରାନ୍‍ ପୁଣିଥରେ ରାଜ୍‍ ପାଖକୁ ଲାଗିଆସି ତାକୁ ବୁଝେଇଲା ପରି ଧୀର ସ୍ୱରରେ କହିଲା,‘ରାଜ୍‍! ମା’ ହେବାଠାରୁ ବି ଅଧିକ କିଛି ଗୌରବର କଥା ଏ ଦୁନିଆଁରେ ହାସଲ କରିବାର ଅଛି । ଆଉ ସେଇଟା ହେଲା ଜଣେ ନାରୀର ମାତୃତ୍ୱକୁ ସୁରକ୍ଷା ପ୍ରଦାନ କରିବା!’ ରାଜ୍‍ କିନ୍ତୁ କିଛି ବୁଝିବା ଅବସ୍ଥାରେ ସମ୍ଭବତଃ ନ ଥିଲା । ତେଣୁ ସିଏ ସେମିତି ଅବାଧ ଶିଶୁଟିଏ ପରି କାନ୍ଦିଉଠି ପ୍ରତିବାଦ କଲାଭଳି କହିଲା, ‘ନା, ନା! ମୋର ସେସବୁ ଗୌରବର ଅଧିକାରୀ ହେବା ଦରକାର ନାହିଁ । ସେ ସୌଭାଗ୍ୟ ମୁଁ ଚାହେଁନା ।’

‘ଭାଗ୍ୟକୁ ତୁମେ ଚାହିଁଲେ ବି ବଦଳେଇ ପାରିବନି । ହେଲେ ନିଜ ଦୁର୍ଭାଗ୍ୟରୁ ଯଦି କିଛି ଗୌରବ ହାସଲ କରିବାର ଥାଏ ତେବେ ତୁମେ ଚାହିଁଲେ ତାହା କରିପାରିବ ।’ ରାଜ୍‍ ଏଥର ହଠାତ୍‍ ପ୍ରାନ୍‍ ଆଡକୁ ମୁହଁ ବୁଲେଇ ଆଣି ପଚାରିଲା,‘ତୁମେ କ’ଣ ଚାହୁଁଛ ମୁଁ ମୋ ପୁଅକୁ ଏମାନଙ୍କୁ ଦେଇଦେବି?’ ‘ନା, ମୁଁ ସେକଥା କହୁଛି । ତୁମକୁ କିଛି କରିବାକୁ ମଧ୍ୟ କହୁନି । ଅସଲ କଥାଟି ହେଲା, ଇଏ ସେମାନଙ୍କ ପୁଅ । ତୁମେ ଯଦି ତାକୁ ସେମାନଙ୍କୁ ଲେଉଟାଇ ଦିଅନ୍ତ ତା’ହେଲେ ତୁମର ବଦାନ୍ୟତା, ମହାନତା ସେମାନେ ସାରାଜୀବନ ମନେରଖନ୍ତେ । ତୁମେ ଦିଲୀପକୁ ସେମାନଙ୍କୁ ଫେରେଇ ଦିଇ ନିଜ ମନରେ ଯେଉଁ ଆନନ୍ଦ ଓ ଶାନ୍ତି ପାଇବ, ସେ ଆନନ୍ଦ ତୁମକୁ ଦିଲୀପକୁ ପାଖରେ ରଖିଲେ ମିଳିବନି । ନିଜ କୋଳରୁ କାଢ଼ି ପୁଅକୁ ଅନ୍ୟହାତରେ ଟେକିଦେବାର ସୌଭାଗ୍ୟ କେତେଜଣଙ୍କୁ ମିଳେ? ତେଣୁ, ମୋ ମତରେ, ଏପରି ଗୌରବକୁ ତୁମେ ହାତଛଡ଼ା କରନା । ତୁମର ସାମୟିକ ସ୍ନେହ, ହୁଏତ ଆଉ ଜଣେ ମା’ ଆଖିରେ ସାରା ଜୀବନ ଲୁହ ଭରିଦେବ ।’

ରାଜ୍‍ ପୁଣିଥରେ ପ୍ରାନ୍‍ ମୁହଁକୁ ଚାହିଁଲା । ସେ ଚାହାଣୀରେ ରାଗ, କାରୁଣ୍ୟ, ଅସହାୟବୋଧ ସବୁକିଛି ଭରି ରହିଥିଲା । ତା’ପରେ ବିନା ବାକ୍ୟ ବ୍ୟୟରେ ସେ ଧୀରେ ନିଜ କୋଳରୁ ଦିଲୀପକୁ ତା’ ମା’ କୋଳକୁ ଟେକିଦେଲା । ସେତେବେଳକୁ ତା’ର ସର୍ବାଙ୍ଗ ଶରୀର କମ୍ପି ଉଠୁଥାଏ । ହାତ ଓ ଓଠ ଥରି ଯାଉଥାଏ । ଦିଲୀପର ମା’ ଏତେଦିନ ପରେ ପୁଅକୁ ଫେରିପାଇ ତାକୁ ନିଜ କୋଳରେ ଭିଡ଼ି ଧରିଲା । ରାଜ୍‍ ସତେକି ନିଜ ଆଖିରେ ଆଗରେ ଏ ଦୃଶ୍ୟ ଦେଖି ସହ୍ୟ କରିପାରୁ ନଥାଏ । ସେ ଚିତ୍କାର
କରି ଉଠିଲା, ‘ପଳାଅ । ସମସ୍ତେ ଏଠୁ ପଳାଅ! ଏଇ ମୁହୂର୍ତ୍ତରେ ପଳାଅ!’ ପ୍ରାନ୍‍ବି ରାଜ୍‍ କଥାରେ ପ୍ରତିବାଦ କଲାନି । ସେ ଦିଲ୍ଲୀପର ମାତା ପିତାଙ୍କୁ ଶିଡ଼ିି ପର୍ଯ୍ୟନ୍ତ ଯାଇ ବାଟୋଇଦେଇ ଆସିଲା । ସେମାନେ ପ୍ରାନ୍‍କୁ କିଛି କହିବାକୁ ଚାହୁଁ ନ ଥିଲେ । କିନ୍ତୁ ତା’ପୂର୍ବରୁ ପ୍ରାନ୍‍ ସେମାନଙ୍କୁ କହିଲା, ‘ମୋର ଦୃଢ ବିଶ୍ୱାସ ଯେ ଦିଲୀପ ଆପଣଙ୍କ ପୁଅ । ଆପଣ ଏବେ ଆପଣଙ୍କ ପୁଅକୁ ଫେରି ପାଇଲେ । ଭଗବାନ୍‍ ଆପଣଙ୍କ ଭଳି ସମସ୍ତଙ୍କୁ ସୌଭାଗ୍ୟଶାଳୀ କରନ୍ତୁ । ହେଲେ ମୋର ଆପଣଙ୍କୁ ଗୋଟିଏ ବିଶେଷ ଅନୁରୋଧ ଅଛି । ଆପଣ ରଖିବେ?’

:‘ହଁ, ହଁ, କୁହନ୍ତୁ ନା । ଆମେ ଆପଣଙ୍କ ଲାଗି ସବୁକିଛି କରିବାକୁ ପ୍ରସ୍ତୁତ ଅଛୁ ।’

ପ୍ରାନ୍‍ କିନ୍ତୁ ସେମାନଙ୍କ ଉତ୍ତର ନ ଶୁଣିଲା ପରି କହିଚାଲିଲା,‘ଆପଣ ଆଉ କେବେ ଏଠିକି ଆସିବେନି ।’

ପତିପତ୍ନୀ ଏକଥା ଶୁଣି ପରସ୍ପର ମୁହଁକୁ ଆଶ୍ଚର୍ଯ୍ୟ ହୋଇ ଚାହିଁଲେ ଓ ପଚାରିଲେ, ‘ହେଲେ କାହିଁକି?’

:‘ଆପଣ ଏ ଅନୁରୋଧଟି ରକ୍ଷାକଲେ ମୁଁ ଆପଣଙ୍କ ନିକଟରେ କୃତଜ୍ଞ ରହିବି ।’
:‘ହେଲେ…..’

ପ୍ରାନ୍‍ ଆଉ କିଛି ଶୁଣିବାକୁ ପ୍ରସ୍ତୁତ ନ ଥିଲା । ତା’ପରଦିନ ରାଜ୍‍ ଓ ପ୍ରାନ୍‍ ଦୁହେଁ ମସୌରୀରୁ ଫେରିଗଲେ । ମସୌରୀରୁ ଫେରିବା ପରେ ରାଜ୍‍ ସତେଯେପରି ଏକ ଜିଅଁନ୍ତା ଶବ ପାଲଟି ଯାଇଥାଏ । ଦେହମୁହଁ ଶେତା ପଡିଯାଇଥାଏ  । ଆଖି ସବୁ ଫୁଲା ଫୁଲା । ସେଇ ଦିନଠାରୁ ପ୍ରାନ୍‍ ବି ତାକୁ ଦିଲୀପ ସମ୍ପର୍କରେ କିଛି କହିବାକୁ ସାହସ କରିନି । ହେଲେ କେବଳ କ’ଣ ଜଣେ ସ୍ମୃତିକୁ ଉସ୍କେଇଲେ ଅତୀତର ପୃଷ୍ଠା ମନକୁ ଆସେ? ସ୍ମୃତି ତ ଆଗ୍ନେୟଗିରିର ଲାଭା ପରି ଆପଣାଛାଏଁ ମାନସପଟକୁ ଆବୋରି ବସେ । ରାଜ୍‍ ମନକୁ ସେଇ ଗୋଟିଏ ସ୍ମୃତି ହିଁ ସଦାବେଳେ ଆକ୍ରାନ୍ତ କରି ରଖିଥିଲା । ମନ ପରିବର୍ତ୍ତନ ଲାଗି ପ୍ରାନ୍‍ ରାଜ୍‍କୁ ଧରି ଲକ୍ଷ୍ନୌ ବୁଲିଗଲା । ତା’ପରେ କଲିକତା, ମାନ୍ଦ୍ରାଜ ଓ ଶେଷରେ ଦିଲ୍ଲୀ । ୟା’ଭିତରେ ଦିନ ପରେ ଦିନ ଗଡ଼ି କେତେବେଳେ ମାସ ମାସ ବିତିସାରିଥିଲା ସେକଥା ଦୁହିଁଙ୍କୁ ଜଣା ନ ଥିଲା ।

ଧୀରେ ଧୀରେ ରାଜ୍‍ ମନରୁ ଦିଲୀପର ସ୍ମୃତି ପତଳା ହୋଇଯିବାକୁ ଲାଗିଲା । ପ୍ରାନ୍‍ ବି ନିଜ ବ୍ୟବସାୟ ଭିତରେ ପୁଣିଥରେ ମନଦେଲା । ହେଲେ ତା’ମନ ଭିତରେ ସଦାବେଳେ ସେ ଯେପରି କିଛି ଏକ ଶୂନ୍ୟତା ଅନୁଭବ କରୁଥାଏ । ସେ ଭାବୁଥାଏ, ରାଜ୍‍ କୋଳରେ ଯଦି ଛୁଆଟିଏ ଥାଆନ୍ତା ତେବେ ତା’ରି ସହ ହସିଖେଳି ସେ ତା’ର ଦୁଃଖକୁ ସମ୍ପୂର୍ଣ୍ଣ ରୂପେ ଭୁଲିଯାଇ ସାରନ୍ତାଣି । ଏଇ କଥା ଭାବି ସେ ସହରର ଗୋଟିଏ ଅନାଥାଶ୍ରମକୁ ବି ଅନେକଥର ଯାଇଛି । ହେଲେ ସେଠାରୁ ଛୁଆଟିଏ ଆଣି ଘରକୁ ଫେରିବାର ସାହସ ତା’ମନରେ ଆସିନି ।

ଯେତେବେଳେ ସିଏ ଏପରି ଏକ ପଦକ୍ଷେପ ନେବାକୁ ବସିଛି, ତା’ ନିଜ ଭିତରୁ କିଏ ଯେପରି ତାକୁ ଚେତାଇ ଦେଇଛି- ‘ପ୍ରାନ୍‍, ଭଲ କରି ଭାବିଦେଖ୍‍ । ତୁ ଯେଉଁ ପିଲାଟିକୁ ନେବାକୁ ଚାହୁଁଚୁ, ତା’ର ମାତାପିତା ଆସି ଦିନେ ତୋ ଘରେ ପହଞ୍ଚିଯିବେ ନାହିଁ ତ?’ ଏପରି ଦ୍ୱନ୍ଦ୍ୱ ମନରେ ସୃଷ୍ଟି ହେବାମାତ୍ରେ ପ୍ରାନ୍‍ ସେଠାରୁ ଚୁପ୍‍ଚାପ୍‍ ଫେରିଆସେ । କେତେବେଳେ ଯଦି ପ୍ରାନ୍‍ ଆଉଥରେ ସନ୍ତାନଟିଏ ଗ୍ରହଣ କରିବା କଥା ରାଜ୍‍ ଆଗରେ କହେ, ରାଜ୍‍ ମନ ଭିତରେ ଏକ ଅକୁହା ଯନ୍ତ୍ରଣା ଅନୁଭବ କରେ । ବରଂ, ଏକାନ୍ତ ଜୀବନ ସହ ରାଜ୍‍ ନିଜକୁ ସାଲିସ୍‍ କରିନେଇଛି । ଅତୀତ ତା’ପାଇଁ କିଛି ଅର୍ଥ ରଖେନି, ଭବିଷ୍ୟତ ସମ୍ପର୍କରେ ସେ କେବେ ଆଶାୟୀ ନୁହେଁ । ପ୍ରାନ୍‍ ବି ରାଜ୍‍ର ମନକଥା ଠିକ୍‍ ବୁଝିପାରେ   । ଦୁନିଆର ଆହୁରି ଅସଂଖ୍ୟ କଥା ଭଳି ତା’ଆଗରେ ରାଜ୍‍ର ମନର ଭାବ ବି ଜଳଜଳ ହୋଇ ଦେଖାଯାଏ । ସମୟ ସହ ରାଜ୍‍ କେବଳ ଯାହା ନିଜକୁ ପରିବର୍ତ୍ତନ କରିନେଇଛି । କିନ୍ତୁ ତା’ମନର ଅଶାନ୍ତ ଆଗ୍ନେୟଗିରି ଯେ ଏବେସୁଦ୍ଧା ସୁପ୍ତ ଅବସ୍ଥାରେ ରହିଛି ସେକଥା ପ୍ରାନ୍‍କୁ ଭଲଭାବେ ଜଣାଥିଲା । ଯଦି ସେ ଆଉ ଗୋଟିଏ ଶିଶୁକୁ ଘରକୁ ଆଣେ ତେବେ କିଏ ଜାଣେ ତାକୁ ନେଇ ଭବିଷ୍ୟତରେ ପୁଣି କି ପରିସ୍ଥିତି ଉପୁଜିବ!

ପ୍ରାନ୍‍ ଏଇ କଥାକୁ ଗଭୀର ଭାବେ ବସି ଚିନ୍ତା କଲାବେଳେ ଲକ୍ଷ୍ୟ କଲା ଯେ, ତା’ରି ହୋଟେଲ୍‍ରେ ବସି କେହି ଜଣେ ଅପରିଚିତ ଲୋକ ତା’ଆଡକୁ ଚାହିଁରହିଚି । ପ୍ରାନ୍‍ର ତା’ଆଡ଼କୁ ନଜର ନ ଥାଏ । ଲୋକମାନେ ପରସ୍ପର ମୁହଁକୁ ଚାହାଁଚାହିଁ ହୁଅନ୍ତି । ଏଥିରେ ଅବା ଅସ୍ୱାଭାବିକତା କ’ଣ ଅଛି? ରାଜ୍‍କୁ ତ ପୁଣି ପଡିଶାଘରେ ରହୁଥିବା ଭଦ୍ରବ୍ୟକ୍ତି ଅଧିକାଂଶ ସମୟରେ ଚାହୁଁଥିଲେ । ଏପରିକି ଏଇକଥା ରାଜ୍‍ ଅନେକବାର ପ୍ରାନ୍‍ ଆଗରେ ଅଭିଯୋଗ ବାଢ଼ିଛି ।

ତା’ପରଦିନ ହୋଟେଲ୍‍ରେ ରହୁଥିବା ଭଦ୍ରବ୍ୟକ୍ତି ପ୍ରାନ୍‍ ପଛରେ ତାକୁ ଅନୁଧାବନ କଲେ । ଦିନେ, ଦୁଇଦିନ ପରେ ଏଇଟା ଯେପରି ଏକ ଅଭ୍ୟାସରେ ପରିଣତ ହୋଇଗଲା । ପ୍ରତିଦିନ ସେ ପ୍ରାନ୍‍ ପଛେପଛେ ତାଙ୍କୁ ଅନୁସରଣ କଲେ । ପ୍ରାନ୍‍କୁ ଏକଥା କେମିତି ଅସ୍ୱାଭାବିକ ଲାଗୁଥାଏ । ଭଦ୍ରବ୍ୟକ୍ତିଙ୍କ ବ୍ୟବହାର କି ବିଚିତ୍ର ଜଣାପଡୁଥାଏ । ରାଜ୍‍ ଥିବାବେଳେ ଭଦ୍ରବ୍ୟକ୍ତି କିନ୍ତୁ ଦେଖା ଦିଅନ୍ତିନି । ରାଜ୍‍ ସମ୍ଭବତଃ ତାଙ୍କୁ ଆଦୌ ଦେଖି ନ ଥାଇପାରେ ।

ଦିନେ ଭଦ୍ରବ୍ୟକ୍ତିଙ୍କ ସାମ୍ନାକୁ ଯାଇ ତାଙ୍କୁ ପଚାରିବ ବୋଲି ପ୍ରାନ୍‍ ମନେମନେ ସ୍ଥିରକଲା । ପ୍ରାନ୍‍ ଦେଖିଲା ଭଦ୍ରବ୍ୟକ୍ତି ତାଙ୍କ ହୋଟେଲ୍‍ ରୁମ୍‍ରେ ସ୍ୱାଭାବିକ ଢଙ୍ଗରେ ବସିଛନ୍ତ । ତେଣୁ ସେ ତାଙ୍କ ନିକଟକୁ ଗଲା ଓ ଧୀରେ ଭଦ୍ରବ୍ୟକ୍ତିଙ୍କ କାନ୍ଧରେ ହାତଥାପିଲା । ଭଦ୍ରବ୍ୟକ୍ତି ହଠାତ୍‍ ଚିହିଁକି ଉଠିଲା ପରି ହୋଇ ଠିଆ ହୋଇପଡିଲେ ଓ ପଚାରିଲେ,‘କ’ଣ ହେଲା? କ’ଣ ଚାହାନ୍ତି ଆପଣ?’

ମାତ୍ର ଗୋଟିଏ ମୁହୂର୍ତ୍ତ ପୂର୍ବରୁ ଗୋଟାପଣେ ଥରୁଥିବା ପରି ଦିଶୁଥିବା ଲୋକଜଣକ ଏବେ ସ୍ୱାଭାବିକ ସ୍ୱରରେ କହିବାକୁ ଆରମ୍ଭ କଲେ, ‘ତା’ହେଲେ ଆପଣ ବୁଝିପାରିଛନ୍ତି । ମତେ କ୍ଷମା କରିବେ, ମୁଁ ଆପଣଙ୍କ ସହ ବ୍ୟକ୍ତିଗତ ଭାବେ କିଛି କଥାବାର୍ତ୍ତା ହେବାକୁ ଚାହେଁ ।’

:‘ହଁ, ସେଥିରେ ମୋର କୌଣସି ଆପତ୍ତି ନାହିଁ ।’
:‘ମୋ ମନରେ କିନ୍ତୁ ସାହସ କୁଳାଉ ନ ଥିଲା । ଆପଣ ତ ଜାଣନ୍ତି,ଏପରି କଥା କହିବା ଅର୍ଥ ମୃତ୍ୟୁକୁ ନିମନ୍ତ୍ରଣ କରିବା ସଙ୍ଗେ ସମାନ ।’

ପ୍ରାନ୍‍ ଭଦ୍ରବ୍ୟକ୍ତିଙ୍କ କଥାର ଗୁରୁତ୍ୱ ଓ ତାଙ୍କ ମନର ନିଷ୍ଠାକୁ ଭଲଭାବେ ବୁଝିପାରିଲା । ତା’ମନରେ କିନ୍ତୁ ଏକଥା ଶୁଣିବା ଲାଗି ପ୍ରବଳ ଉତ୍କଣ୍ଠା ସୃଷ୍ଟି ହୋଇସାରିଥାଏ  । ତେଣୁ ସିଏ ପଚାରିଲା, ‘ଆପଣ ଯାହା କହୁଛନ୍ତି ତାହା ଅକ୍ଷରେ ଅକ୍ଷରେ ସତ । ହେଲେ ମୁଁ ଆପଣଙ୍କୁ କଥା ଦେଉଚି, ଆପଣ ଯାହା କହିବାକୁ ଚାହାନ୍ତି, ତାହା ନିର୍ଭୟରେ କହି ପାରନ୍ତି ।’

ଭଦ୍ରବ୍ୟକ୍ତି ଉତ୍ତର ଦେଲେ, ‘ମୁଁ କିନ୍ତୁ ଆପଣଙ୍କୁ ଯାହା କହିବାକୁ ଚାହେଁ ତାହା ଏକ ଗୁରୁତର ସମସ୍ୟା । ମୋର ବିଶ୍ୱାସ ଓ ଆଶା ଆପଣ ମତେ ଭୁଲ୍‍ ବୁଝିବେନି କିମ୍ବା ମନକଷ୍ଟ କରିବେନି ।’

:‘ନା, ଆପଣ ନିର୍ଭୟରେ କୁହନ୍ତୁ ।’

ଭଦ୍ରବ୍ୟକ୍ତି କେଇଟି ମୁହୂର୍ତ୍ତ ଲାଗି ଦ୍ୱନ୍ଦ୍ୱରେ ପଡ଼ିଯିବା ପରି ଅନୁଭବ କଲେ ଓ ତା’ପରେ ହଠାତ୍‍ ପଚାରିଲେ,‘ଆଚ୍ଛା, ଆପଣଙ୍କ ସହିତ ଯେଉଁ ଭଦ୍ରମହିଳା ଅଛନ୍ତି ସିଏ କିଏ?’

:‘ଆପଣ କ’ଣ ପଚାରୁଛନ୍ତି?’

ପ୍ରାନ୍‍ ଏଥର ଧୀର ଓ ସ୍ୱାଭାବିକ ସ୍ୱରରେ ଉତ୍ତର ଦେଲା, ‘ସିଏ ମୋର ସବୁକିଛି ଓ ପୁଣି କେହି ନୁହେଁ ।’

:‘ନା, ମୁଁ ଜାଣିବାକୁ ଚାହୁଁଥିଲି, ସିଏ ଆପଣଙ୍କ ପତ୍ନୀ କି ନୁହଁନ୍ତି ।’
:‘ମୋ ପତ୍ନୀ?’
:‘ହଁ ।’
:‘ନା ।’
:‘ନା?’
:‘ନା ।’

‘ଆପଣ ମତେ ସତ କହୁଛନ୍ତି?’ ଅଜଣା ଭଦ୍ରବ୍ୟକ୍ତିଙ୍କ ମୁଖମଣ୍ଡଳ ହଠାତ୍‍ ସତେ ଯେପରି ଉଜ୍ଜ୍ୱଳ ହୋଇଉଠିଲା । ତାଙ୍କ କଣ୍ଠସ୍ୱରରେ ଉତ୍କଣ୍ଠା ଭରିଗଲା ।
:‘ହଁ, ମୁଁ ଆପଣଙ୍କୁ ସତ କହୁଛି । ମୁଁ ତାଙ୍କୁ ବେଦିରେ ବସି ବାହା ହୋଇନାହିଁ କି ତାଙ୍କ ଗଳାରେ ମଙ୍ଗଳସୂତ୍ର ପକାଇନାହିଁ ।’
:‘ତା’ହେଲେ?’
: ‘ଲାହୋରରୁ ଯେତେବେଳେ ପ୍ରାଣ ବଞ୍ଚାଇ ମୁଁ ଭାରତ ପଳେଇ ଆସୁଥିଲି, ବାଟରେ ମୁଁ ତାଙ୍କୁ ଭେଟିଥିଲି । କୋଳରେ ଶିଶୁଟିଏ ଧରି ସିଏ ବି ହଜାର ହଜାର ଶରଣାର୍ଥୀଙ୍କ ପରି ଅସହାୟ ଅବସ୍ଥାରେ ଭାରତ ଆଡକୁ ଆସୁଥିଲେ ।’
:‘ଆପଣ ତାଙ୍କୁ ସାଙ୍ଗରେ ନେଇ ଆସିଲେ?’
:‘ହଁ ।’
:‘ତା’ପରେ କ’ଣ ହେଲା?’
:‘ତା’ପରେ କ’ଣ ହେବ? ସେ ମୋ ସହ ରହୁଛନ୍ତି ।’
:‘ଲୋକେ କ’ଣ ବିଶ୍ୱାସ କରନ୍ତି ଯେ ସିଏ ଆପଣଙ୍କ ପତ୍ନୀ?’
:‘ହଁ, ସେପରି ଭାବିବା ସ୍ୱାଭାବିକ । ଲୋକେ ଆଉ କ’ଣ ଭାବିବେ? ହେଲେ ଆପଣ ଏସବୁ କଥା ମୋତେ କାହିଁକି ପଚାରୁଛନ୍ତି? ଆପଣ କ’ଣ ତାଙ୍କୁ ଚିହ୍ନନ୍ତି?’
:‘ହଁ, ସିଏ ମୋ ସ୍ତ୍ରୀ ।’ ଭଦ୍ରବ୍ୟକ୍ତି ସାମାନ୍ୟ ସଙ୍କୋଚର ସହ କହିଲେ ।
:‘ଆପଣଙ୍କ ପତ୍ନୀ!’ ପ୍ରାନ୍‍ ଆଶ୍ଚର୍ଯ୍ୟ ହୋଇ ପଚାରିଲେ ।
:‘ହଁ ।’

‘ଆଉ ଆପଣ ତାଙ୍କୁ ଅନୁଧାବନ କରି ତାଙ୍କ ପଛେ ପଛେ ଚୋରଟିଏ ଭଳି ଘୁରି ବୁଲୁଛନ୍ତି?’ ଭଦ୍ରବ୍ୟକ୍ତି ଏକଥା ଶୁଣି ଏକବାରେ ଶେତା ପଡ଼ିଗଲେ । ତାଙ୍କ ମନରୁ ସବୁ ଆନନ୍ଦ ଓ ଆଗ୍ରହ କୁଆଡ଼େ ଉଭେଇ ଗଲା । କିନ୍ତୁ ହଠାତ୍‍ ସେ କିଛି ଗୋଟିଏ ବଡ଼ ସମସ୍ୟାର ସମାଧାନର ସୂତ୍ର ପାଇଗଲା ପରି କହିଉଠିଲା,‘ତା’ର ଗୋଟିଏ କାରଣ ଅଛି । କିନ୍ତୁ ମୁଁ ଆପଣଙ୍କ ନିକଟରେ ଆଜି କିଛି ଲୁଚେଇବିନି ।

ସେତେବେଳେ ଦେଶ ସାରା ଯେଉଁ ଦଙ୍ଗା ଲାଗିଥିଲା, ମୁଁ ତାକୁ ସୁରକ୍ଷା ଦେଇପାରି ନଥିଲି ।’ ପ୍ରାନ୍‍ ନିଜେ ଜାଣିନଥିଲା ସେ କେତେବେଳେ ସେଇ ଅପରିଚିତ ବ୍ୟକ୍ତିଙ୍କ ହାତକୁ ଧରି ସାରିଥିଲା । ଏଥର ସେ କହିଲା,‘ଆପଣ କ’ଣ ନିଜ ପ୍ରାଣ ବଞ୍ଚେଇବାକୁ କୁଆଡ଼େ ଏକୁଟିଆ ପଳେଇଗଲେ? ନିଜ ପତ୍ନୀକୁ ଏକୁଟିଆ ଛାଡ଼ିଦେଇ!

:‘ହଁ, ବେଳେବେଳେ ଏପରି ବି ପରିସ୍ଥିତି ଉପୁଜିଥାଏ ।’
‘ନା, ମୁଁ ପଳେଇ ଯାଇ ନ ଥିଲି । କିନ୍ତୁ ତାଙ୍କୁ ବଞ୍ଚେଇବା ଲାଗି ମୁଁ ନିଜ ଜୀବନକୁ ବିପନ୍ନ କରିବାର ସାହସ କରିପାରି ନ ଥିଲି ।’
:‘ଏକଥା କ’ଣ ଆପଣଙ୍କ ପତ୍ନୀ ଜାଣିଛନ୍ତି?’
:‘ସେକଥା ମୁଁ ଜାଣେନା ।’
:‘କିନ୍ତୁ ଆପଣ ଯେମିତି ଆଶଙ୍କା କରୁଚନ୍ତି, ହୁଏତ ସେ ଜାଣିଥାଇପାରନ୍ତି ।’
‘ନା, ମୁଁ ଭୟ କି ଆଶଙ୍କା କରୁନି, କେବଳ ଯାହା ମୋ ବିବେକ ମୋତେ ଦଂଶନ କରୁଚି ।’

ପ୍ରାନ୍‍କୁ ଲାଗୁଥିଲା, ସତେ ଯେପରି ନିଜ ଭିତରେ କେହି ଜଣେ ତା’ ଅନ୍ତରାତ୍ମାକୁ ଛୁରୀରେ ଖିନ୍‍ଭିନ୍‍ କରି କାଟି ପକାଉଛି । କିନ୍ତୁ ନିଜ ମନର ଭାବକୁ ନିଜ ଭିତରେ ଚାପିରଖି ସେ ପୁଣି ପଚାରିଲା,‘ଆପଣ କ’ଣ ସତ କହୁଛନ୍ତି, ରାଜ୍‍ ଆପଣଙ୍କ ପତ୍ନୀ?’
ଭଦ୍ରବ୍ୟକ୍ତିଙ୍କ ଦୁଇ ଆଖି ଛଳଛଳ ହୋଇ ଆସିଲା ଓ ସେ ଥରଥର ଗଳାରେ ଉତ୍ତର ଦେଲେ, ‘ଏ ପ୍ରଶ୍ନର ଉତ୍ତର ମୁଁ କ’ଣ ଅବା ଦେବି? ମୁଁ ତାକୁ ଖୋଜିବା ଲାଗି କେତେ ଚେଷ୍ଟା ନକରିଚି । ପ୍ରତି ଶରଣାର୍ଥୀ ଶିବିରରେ ତା’ବିଷୟରେ ରିପୋର୍ଟ ଲେଖିଛି । ରେଡିଓ ଷ୍ଟେସନରେ ରିପୋର୍ଟ ଦେଇଛି, ପୋଲିସ୍‍ ଷ୍ଟେସନରେ ରିପୋର୍ଟ ଦରଜ କରେଇଛି ।’

ପ୍ରାନ୍‍ ପୁଣିଥରେ ସେଇଭଳି ଏକ ସିଧାସଳଖ ପ୍ରଶ୍ନ ପଚାରିଲା,‘ଆପଣ ତାକୁ ଫେରେଇ ନେବାକୁ
ଚାହାନ୍ତି?’
ଭଦ୍ରବ୍ୟକ୍ତି ବିନା ଦ୍ୱିଧାରେ ତତ୍‍କ୍ଷଣାତ୍‍ ଉତ୍ତର ଦେଲେ, ‘ହଁ, ସେଇଥି ପାଇଁ ତ ଏଠିକି ଦୌଡି
ଆସିଛି ।’
:‘ଆପଣଙ୍କ ମନରେ କିଛି ସନ୍ଦେହ ନାହିଁ ତ?’
ଭଦ୍ରବ୍ୟକ୍ତି ବିସ୍ମିତ ହେଲଭଳି ପଚାରିଲେ,‘ସନ୍ଦେହ? ମୋ ନିଜ ପାପକୁ କାହିଁକି ଭଲା ବଢ଼େଇବି? କାଇଁକି ତାକୁ ସନ୍ଦେହ କରିବି? ମହାତ୍ମାଜୀ …’

ଭଦ୍ରବ୍ୟକ୍ତିଙ୍କ ତୁଣ୍ଡରୁ କଥା ଶେଷ ହେବାକୁ ନଦେଇ ପ୍ରାନ୍‍ କହିଲା, ‘ତା’ହେଲେ ମୋ ସାଙ୍ଗରେ ଆସନ୍ତୁ ।’
:‘କ’ଣ,ଏଇ ସାଙ୍ଗେ ସାଙ୍ଗେ?’
:‘ଏଇ ମୁହୂର୍ତ୍ତରେ । ଆପଣ ଏବେ କେଉଁଠି ରହୁଛନ୍ତି?’
‘:ଜଳନ୍ଧର ।’
:‘ଆପଣ କିଛି ଚାକିରି କରନ୍ତି?’
:‘ହଁ, ଗୋଟିଏ ସ୍କୁଲ୍‍ରେ ଚାକିରି କରୁଛି ।’
:‘ଆପଣଙ୍କର ଦିଓଟିଯାକ ସନ୍ତାନ ପରା ଦଙ୍ଗାରେ ପ୍ରାଣ ହରାଇଥିଲେ?’
:‘ନା, ଗୋଟିଏ ପ୍ରାଣ ହରାଇଥିଲା ।’
:‘ସତେ ନା କ’ଣ?’
:‘ହଁ,ଏବେ ଅନ୍ୟ ପିଲାଟି ମୋ ପାଖରେ ଅଛି ।’

ପ୍ରାନ୍‍ର ମନ ହଠାତ୍‍ ଉତ୍‍ଫୁଲ୍ଲିତ ହୋଇଉଠିଲା । ସେ ତତ୍‍କ୍ଷଣାତ୍‍ କହିଉଠିଲା, ‘ତା’ହେଲେ ଶୁଣନ୍ତୁ, ରାଜ୍‍, ଏବେ ଘରେ ଅଛି । ଆପଣ ତାକୁ ନେଇଯାଇ ପାରନ୍ତି । ମୁଁ ଆପଣଙ୍କ ହାତରେ ତା’ପାଖକୁ ଚିଠିଟିଏ ଲେଖିଦେଉଚି ।’
:‘ଆପଣ କ’ଣ ମୋ ସାଥିରେ ଆସିବେନି?’
:‘ନା, ମୋର ଟିକେ ସହର ବାହାରକୁ ଯିବାର ଅଛି । ଲକ୍ଷ୍ନୌରେ ମୋର ଗୋଟିଏ ଜରୁରୀ କାମ ଅଛି । ମୋତେ ଦେଖିଲେ ବି ରାଜ୍‍ ରାଗିବ । ଆପଣ ବୁଝିପାରୁଥିବେ ।’
:‘ହଁ, ମୁଁ ବୁଝୁଛି ।’
:‘ଆପଣ ଭାଗ୍ୟବାନ । ମୁଁ ଆପଣଙ୍କୁ ବଧେଇ ଜଣାଉଚି ଓ ଆପଣଙ୍କ ସାହସକୁ ବାସ୍ତବିକ ମୁଁ ପ୍ରଶଂସା ନ କରି ରହି ପାରୁନି ।”

ଭଦ୍ରବ୍ୟକ୍ତି କିନ୍ତୁ ନିଜର କୃତଜ୍ଞତା ପ୍ରାନ୍‍କୁ ଜଣେଇବା ପୂର୍ବରୁ ପ୍ରାନ୍‍ ତାଙ୍କ ହାତରେ ଛୋଟ ଚିଠିଟିଏ ଧରାଇ ଦେଇ ଚାଲିବାକୁ ଆରମ୍ଭ କଲେ ।

ଚିଠିରେ ଲେଖାଥିଲା :

‘ରାଜ୍‍!
ସାହସୀ ଲୋକ ହିଁ ଜୀବନରେ ଭୁଲ୍‍ କରିବସିଥାଆନ୍ତି । କିନ୍ତୁ ସେମାନଙ୍କ ଉଦ୍ଦେଶ୍ୟ କୌଣସି ଲୋକକୁ ଧୋକା ଦେବା ପାଇଁ ନୁହେଁ । ତଥାପି, ମୁଁ ଆଶା ରଖୁଛି ଯେ, ମୋ ପାଖକୁ ତୁମେ ଚିଠି ଖଣ୍ଡେ ଲେଖିବ ଓ ମୁଁ ବି ତୁମକୁ ଭେଟିବି । ମୋର ଆଶା, ତୁମେ ମନଦୁଃଖ କରିବନି । ତୁମେ ମତେ ଜାଣିଛ । ତୁମେ ଏକଥା ବି ଜାଣିଚ ଯେ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ସାହସର ସହ ବଞ୍ଚି ରହିପାରିବି ।
ପ୍ରାନ୍‍ ।’

ଭଦ୍ରବ୍ୟକ୍ତି ଚିଠିଟି ପଢି ସେଇଠି ଦୀର୍ଘ ସମୟ ଧରି ଠିଆ ହୋଇ ରହିଲେ  । ତାଙ୍କୁ ଲାଗୁଥିଲା ସତେକି ହାତ ପତେଇଥିବା ଜଣେ ଭିକାରିର ଥାଳରେ କେହି ଜଣେ ଅମୂଲ୍ୟ ହୀରାଖଣ୍ଡେ ପକେଇ ଦେଇଛି ! କିନ୍ତୁ ସିଏତ ଜନ୍ମରୁ ଭିକାରି ନଥିଲେ । ତେଣୁ, ପ୍ରାନ୍‍ ତାଙ୍କୁ ଦେଖେଇ ଦେଇଥିବା ରାସ୍ତାରେ ଆଗକୁ ପାଦ ବଢ଼ାଇବା ଲାଗି କିଛି ଅସୁବିଧା ହେଲାନି । ସାହସରେ ସିଏ ଆଗକୁ ଚାଲିଲେ ।

ପନ୍ଦର ଦିନ ପରେ ପ୍ରାନ୍‍ ଘରକୁ ଫେରିଲା । ନିଜ ଘରର ଦୁଆରମୁହଁରେ ପହଞ୍ଚିବା ପର୍ଯ୍ୟନ୍ତ ତା’ଛାତି ଭିତରେ ଏକ ଅହେତୁକ ଭୟ ଜମାଟ ବାନ୍ଧି ରହିଥାଏ । ଯେତେବେଳେ ସିଏ ଦେଖିଲା ଯେ, ସାମ୍ନା ଦରଜାରେ ତାଲା ଝୁଲୁଛି, ତା’ର ସର୍ବାଙ୍ଗ ଶରୀର ଥରି ଉଠିଲା । କବାଟ ଖୋଲି ସେ ଅନ୍ଧ ଭଳି ଘର ଭିତରକୁ ପଶିଗଲା । ଛୋଟ ଖଟଟି ଦେହରେ ସେ ପଡ଼ିଗଲା ଓ ଶେଯ କଡ଼ରେ ତା’ର ମୁଣ୍ଡ ଖୁବ୍‍ ଜୋର୍‍ରେ ବାଜିଲା । ନିଜ ଅଜାଣତରେ ତା’ ପାଟିରୁ ଏକ ଯନ୍ତ୍ରଣାର ଚିତ୍କାର ବାହାରି ଆସିଲା । ଏବେ ମୁଣ୍ଡଫାଟି ସେଥିରୁ ପ୍ରବଳ ରକ୍ତସ୍ରାବ ଘଟୁଥିଲା । ହାତରେ ପୋଛି ଆଣୁ ଆଣୁ ତା’ଆଖିରେ ପଡ଼ିଲା ରକ୍ତ, ଦିଲୀପର ଛୋଟ ଝୁଲଣା ଖଟ, ତା’ ନିଜ ଶେଯ, ଆଉ ଘର । ଘରସାରା ଚାରିଆଡ଼ ଶୁନ୍‍ଶାନ୍‍ । ସବୁ ଜିନିଷ ନିଜ ନିଜ ସ୍ଥାନରେ ସୁବ୍ୟବସ୍ଥିତ ରହିଥାଆନ୍ତି ।

ପ୍ରାନ୍‍ ପାଟିରୁ ବାହାରି ଆସିଲା,‘ରାଜ୍‍!’ ହଠାତ୍‍ ତାକୁ ଭୟ ଲାଗିଲା, ‘ରାଜ୍‍ କାହିଁ? ଓ! ସିଏତ ଯାଇସାରିଛି । ତା’ସ୍ୱାମୀ ତ ତାକୁ
ନେବାକୁ ଆସିଥିଲା । ତା’ର ପୁଅ ବଞ୍ଚିଛି । ସୁଖ କେମିତି ଜଣକ ପ୍ରତି ଏତେ ଦୟାବାନ୍‍ ହେଲାବେଳେ ଆଉ ଜଣକ ପ୍ରତି ଏତେ ନିଷ୍ଠୁର କାହିଁକି? ସୁଖ ଓ ଶାନ୍ତି କେଡ଼େ ଅପ୍ରତ୍ୟାଶିତଭାବେ ଆସି ପୁଣି କେଡ଼େ ଆକସ୍ମିକ ଭାବେ ଉଭେଇଯାଏ! ରାଜ୍‍ ତା’ର ସ୍ୱାମୀ ଓ ସନ୍ତାନକୁ ଫେରି ପାଇଲା । ଦିଲୀପ ତା’ବାପ ମା’ଙ୍କ କୋଳକୁ ଫେରିଗଲା । ଆଉ ମୁଁ … ମୁଁ କ’ଣ ପାଇଲି?’

ହଠାତ୍‍ ଚଉତରା ଉପରୁ କିଛି କୋଳାହଳ ଶୁଭିଲା । ଯେଉଁ ପଡୋଶୀ ଭଦ୍ରବ୍ୟକ୍ତି ସେଇ ଚଉତରା ଉପରୁ ରାଜ୍‍କୁ ବେଳେବେଳେ ଚାହାଁନ୍ତି, ସେଇଆଡ଼ୁ । ଯେତେବେଳେ ସିଏ ପ୍ରାନ୍‍କୁ ଦେଖିଲେ, କେମିତି ଏକ ରୁକ୍ଷ କଣ୍ଠରେ ପଚାରିଲେ, ‘ତା’ହେଲେ ଆପଣ ଶେଷରେ ଘରକୁ ଫେରିଲେ?’
:‘ହଁ ।’
:‘ଆପଣ କେଉଁଠିକି ଯାଇଥିଲେ?’‘ଲକ୍ଷ୍ନୌ ।’
:‘କ’ଣ କିଛି ଜରୁରୀ କାମ ଥିଲା? କ୍ଷମା କରିବେ, ଆପଣଙ୍କ ଅନୁପସ୍ଥିତିରେ…’
:‘କ’ଣ ହେଲା, କହୁ ନାହାନ୍ତି?’
:‘ଆପଣଙ୍କ ପତ୍ନୀ …’
:‘ମୋ ପତ୍ନୀ?’
:‘ଖରାପ ଭାବିବେନି, ସିଏ ଅନ୍ୟ ଜଣଙ୍କ ସଙ୍ଗରେ ପଳେଇଗଲା ।’
:‘ପଳେଇ ଗଲା? ସତେ ନା କ’ଣ? ଆପଣ ତାକୁ ଦେଖିଛ ନ୍ତି?’

‘ପ୍ରାନ୍‍ ବାବୁ, ମୁଁ ଏକଥା ବହୁ ଆଗରୁ ଜାଣିଥିଲି । ଆପଣ ଖରାପ ଭାବିବେନି, ଆପଣଙ୍କ ପତ୍ନୀ ସେଇଭଳି ଜଣେ ଲୋକ ପରି ଜଣାପଡୁଥିଲେ । ପ୍ରାୟ ପନ୍ଦର ଦିନ ତଳେ ଜଣେ କିଏ ଅଚିହ୍ନା ବ୍ୟକ୍ତି ତାଙ୍କୁ ଭେଟିବାକୁ ଆସିଥିଲା । ପ୍ରଥମେ ତ ସିଏ ତାଙ୍କୁ ଦେଖିବା ମାତ୍ରେ ବହୁତ ଗାଳି ଗୁଲଜ କଲେ ।’
:‘ଆପଣ ଶୁଣିଛନ୍ତି ସିଏ ତାଙ୍କୁ କ’ଣ କହି ଗାଳି ଦେଉଥିଲେ?’

‘ହଁ, ମୁଁ ତ ନିଜେ ସେଠାରେ ଉପସ୍ଥିତ ଥିଲି । ମୁଁ ନିଜ କାନରେ ଶୁଣିଚି – ସିଏ ତାଙ୍କୁ ଚଢାଗଳାରେ ‘ପଳାଅ, ପଳାଅ ଏଠୁ ।’ ଏଠିକି ଆସିବା ଲାଗି ତୁମକୁ କିଏ କହିଲା ? ତୁମେ କାହିଁକି ଆସିଛ ? ମୁଁ ତାଙ୍କୁ ଡାକିବି!” ଏମିତି ଅନେକ କଥା କହି ଗାଳି ଦେଲେ ।’
:‘ସତେ ନା କ’ଣ, ଏତେ କଥା କହି ଗାଳିଦେଲେ?’
:‘ହଁ ।
:‘ତା’ପରେ କ’ଣ ହେଲା?’
:‘ତା’ପରେ କ’ଣ ହେବ?
ପ୍ରାନ୍‍ ବାବୁ, ସେ ଲୋକଟା ଗୋଟାଏ ଲାଜ ସରମ ନଥିବା ଲୋକ ପରି ଲାଗୁଥିଲା  । ସିଏ ଏ ଜାଗା ଛାଡି ମୋଟେ ଗଲାନି । ସିଏ ଆପଣଙ୍କ ସ୍ତ୍ରୀକୁ କ’ଣ ଗୋଟାଏ ଚିଠି ଦେଖେଇଲା ଓ ତାଙ୍କ ଆଗରେ ହାତଯୋଡି ଅନୁରୋଧ କଲାଭଳି ଠିଆହୋଇ ରହିଲା  । ତାଙ୍କ ଗୋଡତଳେ ପଡିଗଲା ।’
:‘ଆପଣ ଏସବୁ ନିଜ ଆଖିରେ ଦେଖିଛନ୍ତି?
:‘ହଁ, ମୁଁ ନିଜ ଆଖିରେ ଦେଖିଚି ।’
:‘ତା’ପରେ?’
:‘ସିଏ ଲୋକଟା ତ ଆପଣଙ୍କ ସ୍ତ୍ରୀ ଲୋକ ଗୋଡତଳେ ପଡି ସେମିତି କାକୁତି ମିନତି କଲା ।

ଏକଥା ଦେଖି ଆପଣଙ୍କ ସ୍ତ୍ରୀ ଖାଲି କାନ୍ଦିଲେ । ମୁଁ ଠିକ୍‍ ଜାଣିନି ସେ ଲୋକଟା ତାଙ୍କୁ କ’ଣ କହିଲା କେଜାଣି, ତା’ପରେ ମାଡାମ୍‍ ସଂଜ୍ଞାହୀନ ହୋଇପଡିଲେ । ତା’ପରେ ମୁଁ ଆପଣଙ୍କୁ କ’ଣ କହିବି ଆଜ୍ଞା- ମତେ ସେକଥା କହିବାକୁ ଲାଜ ମାଡୁଛି । ମୁଁ ତ ଭାବୁଥିଲି କାନ୍ଥ ଡେଇଁ ଯାଇ ସେ ଲୋକଟାର ତଣ୍ଟି ଚିପିଦେବି । ତା’ପରେ ପୁଣି ନିଜକୁ ବୁଝେଇଲି, ଅନ୍ୟ କାହାର କଥାରେ ମୁଁ
ଭଲା କାଇଁକି ଅଯଥାରେ ମୁଣ୍ଡ ଖେଳେଇବି? ଆପଣ ତ ଫେରିବେ, ସବୁ କଥା ଜାଣିପାରିବେ । ସେଦିନ ରାତିରେ ଢେର ସମୟ ପର୍ଯ୍ୟନ୍ତ ମୁଁ ଆପଣଙ୍କୁ ଅପେକ୍ଷା କରି ରହିଥିଲି । ଆଉ ତା’ ପରଦିନ ମୁଁ ସକାଳୁ ଉଠିଲା ବେଳକୁ ଜାଣିବାକୁ ପାଇଲି ଯେ, ଦୁହେଁ ଘରଛାଡି କୁଆଡେ ପଳେଇ ଯାଇଛନ୍ତି ।’

:‘ସେମାନେ କ’ଣ ସେଇଦିନ ରାତିରେ ପଳେଇଲେ?’
:‘ହଁ  ।’
ପ୍ରାନ୍‍ ଦୀର୍ଘ ଶ୍ୱାସଟିଏ ଛାଡ଼ି କହିଲା,‘ତା’ହେଲେ ସିଏ ମତେ ସତ କଥା କହୁଥିଲେ ।’ ପ୍ରତିବେଶୀ ଭଦ୍ରବ୍ୟକ୍ତି ହତବାକ୍‍ ହେଲାପରି ପଚାରିଲେ, ‘କ’ଣ?’
:‘ହଁ । ତାଙ୍କର ଯାହା କରିବା ଉଚିତ ସିଏ ସେଇଆ ହିଁ କରିଛନ୍ତି ।’ ତା’ପରେ ଆବାକାବା ହୋଇ ଠିଆ ହୋଇଥିବା ପଡୋଶୀ ଭଦ୍ରବ୍ୟକ୍ତିଙ୍କ ଆଡେ ଚାହିଁ ପ୍ରାନ୍‍ କହିଲା,‘ଭାଇ, ସେ ଭଦ୍ରବ୍ୟକ୍ତି ରାଜ୍‍ର ସ୍ୱାମୀ ।’
:‘ରାଜ୍‍ର ସ୍ୱାମୀ!’ ହତବାକ୍‍ ହୋଇ ଭଦ୍ରବ୍ୟକ୍ତି ପଚାରିଲେ ।
:‘ହଁ । ଆପଣ ତ ଜାଣିଛନ୍ତି ପାକିସ୍ତାନ ପଟ ପଞ୍ଜାବ ଛାଡ଼ି ଆମେ ଯେତେବେଳେ ଭାରତକୁ ଆସିଲୁ ଆମକୁ କି ପ୍ରକାର ଦୁଃଖକଷ୍ଟ ବିତାଇବାକୁ ପଡ଼ଥିଲା, କି ପ୍ରକାର ବିପଦକୁ ସାମ୍ନା କରିବାକୁ ହୋଇଥିଲା । ମୁଁ କୁଢ଼ କୁଢ଼ ଶବ ଭିତରୁ ରାଜ୍‍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିଥିଲି । ସେତେବେଳେ ରାଜ୍‍ ଭାବିଥିଲା ଯେ ତା’ ସ୍ୱାମୀ ମରି ଯାଇଛନ୍ତି । ସେଇଥିଲାଗି ସିଏ ମୋ ସାଥିରେ ରହିବାକୁ ରାଜି ହୋଇଥିଲା ।’

ପ୍ରାନ୍‍ ମୁହଁରୁ ଏପର୍ଯ୍ୟନ୍ତ ଆବାକାବା ହୋଇ ଏତେକଥା ଶୁଣି ସାରିଲା ପରେ ଭଦ୍ରବ୍ୟକ୍ତି ପଚାରିଲେ, ‘ଆପଣଙ୍କ ସାଥିରେ ଭଦ୍ରମହିଳା ଏତେଦିନ ଧରି ରହିଲା ପରେ ସୁଦ୍ଧା, ତାଙ୍କ ସ୍ୱାମୀ ତାଙ୍କୁ ସାଙ୍ଗରେ ଫେରେଇ ନେବାକୁ ରାଜିହେଲେ ।’

ପ୍ରାନ୍‍ ଉତ୍ତର ଦେଲା, ‘ହଁ । ସେଇ କଥା ତ ଆପଣ ନିଜ ଆଖିରେ ଦେଖିଲେ ।’

ଭଦ୍ରବ୍ୟକ୍ତି ବୁଝିପାରୁ ନ ଥିଲେ ପ୍ରାନ୍‍କୁ କି ଉତ୍ତର ଦେବେ, କିମ୍ବା କି ପ୍ରଶ୍ନ ପଚାରିବେ । କିଛି ସମୟ ନୀରବ ରହି ସେ ପଚାରିଲେ,‘ଆପଣଙ୍କ ନିଜ ପରିବାର କେଉଁଠି ଅଛନ୍ତି?’

‘ଆମେ ପାକିସ୍ତାନପଟୁ ପଳେଇ ଆସିବାକୁ ଉଦ୍ୟମ କରୁଥିବାବେଳେ, ନଈ ସୁଅରେ ମୋ ପତ୍ନୀ ଓ ତା’ର ବାପା ମା’ ଭାସିଗଲେ । ଆଉ ବାଟରେ ଆସିଲା ବେଳକୁ ମୋ ପିଲାମାନେ ଜଣ ଜଣ କରି ସମସ୍ତେ ଚାଲିଗଲେ – ଆରପୁରକୁ ।’

ଭଦ୍ରବ୍ୟକ୍ତି ନିଜକୁ ସମ୍ଭାଳି ନ ପାରି କହିଉଠିଲେ, ‘ଭାଇ ସା’ବ୍‍… ।’ ତାଙ୍କ ତୁଣ୍ଡରୁ ଆଉ କିଛି ବାହାରିବା ଆଗରୁ କଣ୍ଠ ବାଷ୍ପରୁଦ୍ଧ ହୋଇଗଲା । ସେ କେବଳ ପ୍ରାନ୍‍ର ମୁହଁକୁ ଚାହିଁରହିଲେ । ସତେ କି ସେ ପ୍ରାନ୍‍ର ଅସଲ ସ୍ୱରୂପକୁ ଏଇ ମୁହୂର୍ତ୍ତରେ ହିଁ ଚିହ୍ନିପାରିଚନ୍ତି ।

ଅନୁସୃଜନ: ସୁଭାଷ ଶତପଥୀ
ମୋ:୯୭୭୬୪୯୭୭୩୩ 

Comments are closed.