Latest Odisha News

BREAKING NEWS

ଅନୁବାଦ ଗଳ୍ପ : ଧୀରେନ୍ଦୁ ମଜୁମଦାରର ମା’

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୨

ମୂଳ ମାଲୟାଲମ୍‌ : ଲଳିତାମ୍ବିକା ଅନ୍ତର୍ଜାନମ୍‌ 

ଆପଣ ଜାଣନ୍ତି ମୁଁ କିଏ ? ମୋ ନାଁ ଶାନ୍ତି ମଜୁମଦାର । ମୋର ବୟସ ନବେ ବର୍ଷ । ପୂର୍ବ ବଙ୍ଗର ଗୋଟିଏ ଅଖ୍ୟାତ ପଲ୍ଲୀରେ ମୋର ଜନ୍ମ ଓ ସେଇଠି ମୁଁ ବଢ଼ିଥିଲି । ବାହା ସାହା ହୋଇ ନଅଟି ସନ୍ତାନ ଜନ୍ମ କରିଥିଲି,  ସାତଟି ପୁଅ ଓ ଦିଓଟି ଝିଅ । ସେମାନଙ୍କ ଭିତରୁ ପାଞ୍ଚଜଣଙ୍କୁ ମୁଁ ଭାରତ ଲାଗି ହରାଇ ସାରିଥିଲି ଓ ପାକସ୍ତାନ ପାଇଁ ଚାରିଜଣ ପ୍ରାଣ ଦେଇଥିଲେ । ତେଣୁ ନୂଆ ପିଢ଼ିର ସବୁ ପିଲାଙ୍କୁ ମୁଁ ମୋର ପୁଅଝିଅ ଓ ନାତୀନାତୁଣୀ ଭାବେ ଗ୍ରହଣ କରିନେଇଥିଲି । ମୁଁ ସେଇ ଭୂଇଁରେ ମରିବାକୁୁ ବି ଚାହୁଁଥିଲି । ମୋର ପୂର୍ବ ପୁରୁଷମାନେ ସେଇ ଭୂଇଁରେ ଜନ୍ମ ନେଇଥିଲେ ଓ ସେଇ ପାଣିପବନ ଓ ପରିବେଶର ଅଂଶ ପାଲିଟିଥିଲେ । ଯଦି ମୁକ୍ତି-ବାହିନୀର ଯବାନମାନେ ମୋତେ କାନ୍ଧରେ ପକେଇ ଜୋର ଜବରଦସ୍ତ ଏଠାକୁ ନେଇ ଆସିନଥାନ୍ତେ, ତା’ହେଲେ ମୁଁ ସେଇ ଯୁଦ୍ଧକ୍ଷେତ୍ରରେ ପ୍ରାଣ ହରାଇ ସହିଦ ହୋଇଥାନ୍ତି । ଆଉ ମୋ ସାଥିରେ ଶାନ୍ତି ମୁତ୍ତାସୀ ବି । ଏଇଟା କ’ଣ ଡରିଯିବାର ପ୍ରଶ୍ନ ? କାହିଁକି ଅବା ଜଣେ ଡରିବ ? କାହାକୁ ଡରିବ ? ଶାନ୍ତିର କୌଣସି ଗୋଟିଏ ପିଲା ଡରିନଥିଲେ । ଡରିଥିଲେ କି ? ଏଇ ଭୂଇଁରେ ମୋର ପାଞ୍ଚ ପାଞ୍ଚଟା ପିଲାଙ୍କ ହାଡ଼ ଚୁରମାର ହୋଇ ଧୂଳିରେ ମିଶିଯାଇଚି । ହେଲେ ପିଲାମାନେ, ଶାନ୍ତି ମୁତ୍ତାସୀ ଯେଉଁ କଥାଟିକୁ ଆଦୌ ପସନ୍ଦ କରେନି ସେଇଟା ହେଲା, ପୁଣି ସେଇ ଜାଗାକୁ ଶରଣାର୍ଥୀ ହୋଇ, ଜଣେ ବାହାର ଲୋକ ଭଳି ଫେରିବା । ତୁମେ ହୁଏତ ଏକଥା ଜାଣି ନଥିବ । ହେଲେ ଭାରତ ଆମ ଲାଗି କେବଳ ମୁଠାଏ ମାଟି ନଥିଲା ।

ଭାରତ ଆମ ଲାଗି ଥିଲା ସୁଜଳା ସୁଫଳା ଶସ୍ୟଶ୍ୟାମଳା ପବିତ୍ର ମା’ ଆଉ ସେଇ ଭୂଇଁରେ ହଜାର ହଜାର ଖଣ୍ଡା ଉଠି ଆମକୁ ସୁରକ୍ଷା ପ୍ରଦାନ କରିବା ଲାଗି ସଦାବେଳେ ଚକମକ କରୁଥିଲା । ସେଇଠି ଆମେ ଆମ ପିଲାମାନଙ୍କୁ ପାଳି ପୋଷି ମଣିଷ କରିଥିଲୁ । ଆଉ ତା’ରି ମୁକ୍ତି ଲାଗି ତ ଆମେ ଆମ ସନ୍ତାମାନଙ୍କୁ ମୂର୍ଚ୍ଛି ଦେଇଥିଲୁ ସେମାନେ ହେଲେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଆଦ୍ୟ ସେନାନୀ । ବୀର ଓ ନିଃସ୍ୱାର୍ଥପର ସହିଦ- ଆପଣମାନେ ସେମାନଙ୍କ ବିଷୟରେ ଶୁଣିଛନ୍ତି?  ସେମାନେ କ’ଣ ଆପଣଙ୍କ ଇତିହାସର ଅଙ୍ଗ ପାଲଟିଛନ୍ତି?

ସ୍ମୃତି ତ ମନକୁ ଆସିବ ହିଁ ଆସିବ । କେଡ଼େ ରୋମାଞ୍ଚକର ସେ ସ୍ମୃତି ! ସେ ସ୍ମୃତି କୌଣସି ଜଣକର ନୁହେଁ କି କୌଣସି ଗୋଟିଏ ପରିବାରର ନୁହେଁ । ତାହା ହେଲା ଗୋଟିଏ ଦେଶର, ଗୋଟିଏ ଜାତିର କରୁଣ କାହାଣୀ । ଆଉ ଶାନ୍ତି ମଜୁମଦାରର ଜୀବନ କାହାଣୀ ଆପଣଙ୍କ ଆଗରେ ସେ କଥାକୁ ସ୍ପଷ୍ଟ କରିଦେବ । ତା’ହେଲେ ଶୁଣ ଆମ ଘର ଯେଉଁଠି ଥିଲା ଏବେ ତାକୁ ଆପଣମାନେ ପୂର୍ବ ପାକିସ୍ତାନର କେନ୍ଦ୍ରସ୍ଥଳ ବୋଲି କହିପାରନ୍ତି । ପଦ୍ମାନଦୀ ଯେଉଁଠି ଯାଇ ସମୁଦ୍ରରେ ମିଶିଚି, ସେଇ ନଈର ବାମପଟକୁ ଆମର ଖଣ୍ଡିଏ ଜମିଦାରୀ ଥିଲା । ସେଠାରେ ଫି ଧୀରେନ୍ଦୁ ମଜୁମଦାରର ମା’ ବନ୍ୟା ଆସେ । ବେଳେବେଳେ ସେ ବନ୍ୟାର ପ୍ରକୋପ ଏତେ ଭୟଙ୍କର ହୁଏ ଯେ, ଗାଁ ଲୋକମାନେ ଆସି ଦୁର୍ଗ ମନ୍ଦିର ପାଖକୁ ଲାଗିଥିବା ଛାତ ପକା ମଣ୍ଡପରେ ଆଶ୍ରୟ ନିଅନ୍ତି । ଆଉ ସେତିକିବେଳେ ମଜୁମଦାର ପରିବାରର ଝିଅବୋହୂମାନେ ତାଙ୍କ କୋଠାର ବାଲକୋନୀ ଉପରେ ବସି ପଦ୍ମାର ସେ ଭୟଙ୍କର ତାଣ୍ଡବଲୀଳାକୁ ମନଭରି ଦେଖନ୍ତି, ଉପଭୋଗ କରନ୍ତି । ସେମାନେ କେବେ ଘରୁ ପଦାକୁ ପାଦ କାଢ଼ି ବାହାରନ୍ତିନି କି ସେମାନଙ୍କ ଉପରେ ପଦା ଲୋକଙ୍କ ନଜର ପଡ଼େନି । ଥରେ ଅବନୀ ମଜୁମଦାରଙ୍କ ପତ୍ନୀ ଚେରିଆ ଚିତ୍ତାପାନ ପ୍ରସବ ବେଦନାରେ କଷ୍ଟ ପାଉଥାନ୍ତି । ଶେଷରେ ଅନ୍ୟ ଉପାୟ ନଦେଖି ଅବନୀ ମଜୁମଦାର ସହରରୁ ଜଣେ ଡାକ୍ତରଙ୍କୁ ଡାକିବାକୁ ସ୍ଥିରକଲେ । ହେଲେ ବଡ଼ ମଜୁମଦାର, ରାଜା ସାହେବ ତାଙ୍କୁ ଏଥିଲାଗି ଅନୁମତି ଦେଇନଥିଲେ । ମଜୁମଦାର ପରିବାରରେ ପ୍ରଚଳିତ ପରମ୍ପରା ଅନୁସାରେ, ସେ ପରିବାରର ଜଣେ ମହିଳା ଯଦିବା ରୋଗରେ ପଡ଼ନ୍ତି, ତଥାପି ବାହାର ଲୋକ ଅନ୍ତପୁରକୁ ପ୍ରବେଶ କରିପାରିବେନି ।

ନାଲି ରଙ୍ଗର ସିଲ୍‌କ୍ ଶାଢ଼ୀ ପିନ୍ଧି,ମୁଣ୍ଡରେ ସିନ୍ଦୁର ଟିପା ଲଗେଇ ମୁଁ ଶବାରୀରେ ବସି ଏଇ ପରିବାରକୁ ବୋହୂଟିଏ ସାଜି ଆସିଥିଲି । ସେତେବେଳକୁ ମୋତେ ମୋଟେ ନଅ ବର୍ଷ ବୟସ । ଆଉ ମୋତେ ପଚାଶ ବର୍ଷ ହେବା ପର୍ଯ୍ୟନ୍ତ ସେ ଘରୁ ମୁଁ ଥରେ ସୁଦ୍ଧା ପଦାକୁ ପାଦ କାଢ଼ିବାର ସାହସ କରିନଥିଲି । ସେତେବେଳେ ମୋ ବଡ଼ପୁଅ ଧୀରେନ୍ଦୁ କଲେଜରେ ପଢ଼ୁଥଲା । ସେଇ ମୋତେ ଥରେ ବୈଠକଖାନାର ଏରୁଣ୍ଡିବନ୍ଧ ପାଖକୁ ଆସି ତା’ର ଜଣେ ସାଙ୍ଗକୁ ଭେଟିବା ଲାଗି ଜିଦ୍ କରିଥିଲା । ଯେଉଁଦିନ ଗଭର୍ଣ୍ଣର ସା’ବ ଓ ତାଙ୍କ ପତ୍ନୀ ଆମ ଘରକୁ ବୁଲି ଆସିଥିଲେ, ସେଦିନ ବି ସିଏ ପଦାକୁ ଆସି ତାଙ୍କୁ ସଂଖୋଳିବାକୁ ଅନୁରୋଧ କରିଥିଲା । ହେଲେ ମୁଁ ତା’ର ସେ ଅନୁରୋଧ କି ଅଳିକୁ ରକ୍ଷା କରିପାରିନଥିଲି । କାରଣ, ମଜୁମଦାର ପରିବାରର ପରମ୍ପରା ଭଙ୍ଗ କରିବା କୌଣସି ଜଣେ ମହିଳାଙ୍କ ପକ୍ଷେ ସମ୍ଭବପର ନଥିଲା । ଉନବିଂଶ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ଅନ୍ତତଃ ସେକଥା ଚିନ୍ତା କରିବା ପାପ ବୋଲି ଧର୍ତ୍ତବ୍ୟ ହେଉଥିଲା । ଏପରି ନିୟମ ଭଙ୍ଗ କରିବା ମହାପାପ ବୋଲି ଆମେ ଭୟ କରୁଥିଲୁ । କିନ୍ତୁ ତା’ପରେ, ଆମ ନିଜ ସନ୍ତାନମାନେ ସେଇ ନିୟମକୁ ଭାଙ୍ଗି ଦେଇଥିଲେ… ଗୋଟିଏ ପଟେ ସ୍ୱାମୀ- ଅନ୍ୟ ପଟେ ସନ୍ତାନ । ଯେତେବେଳେ ଏପରି ବାଦ ବିବାଦ ପରିସ୍ଥିତି ଉପୁଜେ, ମା’ଭଲା କେଉଁ ପକ୍ଷ ନେବ? ସିଏ କାହାକୁ ସମର୍ଥନ ଜଣାଇବ ? କର୍ତ୍ତବ୍ୟର ପ୍ରବଳ ବିବାଦ । ପିଲାମାନେ, ତୁମେମାନେ ସେକଥା ଏବେ ବୁଝି ପାରିବନି…କେବେ ବିି ବୁଝିପାରିବନି ।

ଅପରପକ୍ଷେ ମଜୁମଦାର ପରିବାର ଥିଲେ ଅତି ମାତ୍ରାରେ ଦେଶପ୍ରେମୀ । ଆମେ ଥିଲୁ ସାମନ୍ତ ଜମିଦାର ଶ୍ରେଣୀର, ସେ ଇଲାକାର ଅଧିକାଂଶ ଗାଁର ମୁଖିଆ । ଜମିଦାର ଆଉ ଗାଁ ମୁରବୀ । ତା’ଛଡ଼ା ମୋ ସ୍ୱାମୀ ନିଜେ ଥିଲେ ରାୟ ବାହାଦୁର । ଅର୍ଥାତ୍‌, ସେ ଥିଲେ ଜଣେ ସମ୍ମାନୀୟ ବିଚାରପତି ଓ ବ୍ରିଟିଶ ସରକାରଙ୍କ ଉପଦେଷ୍ଟା କମିଟିର ସଦସ୍ୟ । ଅଧିକାଂଶ ସମୟରେ ଗଭର୍ଣ୍ଣର ଓ ବଡ଼ଲାଟ ଆମ ଘରେ ଅତିଥି ହେଉଥିଲେ । ତେଣୁ ଆମ ପରିବାରର ବଡ଼ପୁଅ ଧୀରେନ୍ଦୁକୁ ଆମେ ଆଇସିଏସ ପରୀକ୍ଷାରେ ବସାଇବାକୁ ସ୍ଥିର କରିଥିଲୁ । କେବଳ ତା’ର ବିଏ ପୀରକ୍ଷାରେ ପାଶ୍‌ କରିବା ପର୍ଯ୍ୟନ୍ତ ଯାହା ଅପେକ୍ଷା ଥିଲା । ସେ ସବୁବେଳେ କହନ୍ତି, ‘ରାୟ ବାହାଦୂରଟା ହେଲା ଗୋଟାଏ ଉପାଧି । କିନ୍ତୁ ଆଇସିଏସ ହେଲେ ଯେତିକି ଧନ ଆସିବ ସେତିକି ସମ୍ମାନ ମିଳିବ ।’

ଏସବୁ ଯୋଜନା ସଂପର୍କରେ କିନ୍ତୁ ଧୀରେନ୍ଦୁ ଆଦୌ ସଚେତନ ନଥିଲା । ତା’ର ଆତଯାତ କେବଳ ଘର ଓ କଲିକତା ଭିତରେ । ପାଠପଢ଼ାରେ ସେ ବେଶ୍ ଭଲ ଥିଲା । ଦେଖିବାକୁ ବି ସେମିତି ସୁନ୍ଦର । କଥାବାର୍ତ୍ତାରେ ଖୁବ୍ ଧୀରସ୍ଥିର । ଆଉ ସବୁଠାରୁ ବଡ଼ କଥାଟି ହେଲା, ଦୁଃଖୀ ରଙ୍କିଙ୍କ ଲାଗି ତା’ମନରେ ଥିବା ଦରଦ କଥା ଦେଖି ତାକୁ ସମସ୍ତେ ଅଜସ୍ର ପ୍ରଶଂସା କରୁଥିଲେ । ଯେତେବେଳେ ଦେଖ, ସେ ପଞ୍ଝାଏ ଦୀନଦୁଃଖୀଙ୍କ ଗହଣରେ ଥିବ । ସେମାନଙ୍କ ଭିତରୁ କେଇଜଣଙ୍କୁ ଆସି ବାହାର ଘରେ ରଖେଇଥିବ । ଆଉ କେଇଜଣ ଅଗଣା ପାଖ ବାରଣ୍ଡାରେ ବି ଥିବେ । ସେମାନଙ୍କ ନିକଟକୁ ଠିକ୍ ସମୟରେ ବବୁର୍ଚ୍ଚିଖାନାରୁ ଖାଦ୍ୟପଦାର୍ଥ ପହଞ୍ଚାଇ ଦିଆଯାଉଥିବ । ଏଭଳି ଦୁଃଖୀ ଓ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ସକାଶେ ସିଏ ମୋ ଠାରୁ କେତେ ଯେ ଟଙ୍କା ନିଏ ତା’ର ହିସାବ ମୁଁ ରଖେନି । କିନ୍ତୁ ଧୀରେନ୍ଦୁର ପ୍ରଶଂସା ସମସ୍ତଙ୍କ ତୁଣ୍ଡରେ ଶୁଣି ମୋ ମନ କୁଣ୍ଢେମୋଟ ହୋଇଯାଏ ।

ଦିନେ ରାତିରେ ସିଏ ଆମ ଘରର ଅନ୍ତପୁରକୁ ଜଣେ ଓଢ଼ଣାଟଣା ମହିଳାଙ୍କୁ ଧରି ଆସି ପହଁଚିଲା ଓ ମୋତେ କହିଲା, ‘ମା’, ଇଏ ଜଣେ ସାଧ୍ୱୀ । ଭୈରବ ସମ୍ପ୍ରଦାୟର । ସିଏ କୌଣସି ପୁରୁଷଙ୍କୁ ଭେଟନ୍ତିନିକି ସେମାନଙ୍କ ସହ କଥାବାର୍ତ୍ତା କରନ୍ତିନି । ତୁ ତାଙ୍କୁ ଆମ ଠାକୁରଘର ପାଖ ଛୋଟ କୋଠରୀଟିରେ ରଖେଇ ପାରିବୁନି? ଆଉ ତାଙ୍କ ଖାଇବା ପିଇବା ଓ ଅନ୍ୟ ଭଲମନ୍ଦ ବୁଝିବା ଦାୟିତ୍ୱ ତୋର ।’ ଏକଥା ଶୁଣି ମୋତେ ବି ଭଲ ଲାଗିଲା । ଯେତେବେଳେ ତା’ ବୟସର ପିଲାମାନେ ଝିଅମାନଙ୍କ ପଛରେ ଗୋଡ଼ାଉଛନ୍ତି, ସେତେବେଳେ ମୋ ପୁଅ ଧୀରେନ୍ଦୁ ଏମିତି ସାଧୁସନ୍ନ୍ୟାସିନୀମାନଙ୍କ ସହ ମିଶି ଧର୍ମକର୍ମ କରିବା କେଡ଼େ ଭଲ କଥା । ସନ୍ନ୍ୟାସିନୀ ସେଇ ଛୋଟ ଘରଟି ଭିତରେ ବସି ସଦାବେଳେ କିଛି ପଢ଼ାଶୁଣା କରନ୍ତି ଅବା କିଛି ଲେଖାଲେଖି କରୁଥାନ୍ତି । ଯେତେବେଳେ ସେଇ ଲେଖା ପୃଷ୍ଠାଗୁଡ଼ିକ ବଢ଼ିିଯାଏ, ଧୀରେନ୍ଦୁ ଆସି ସେସବୁକୁ ନେଇଯାଏ । ସେମାନଙ୍କ ଦୁହିଁଙ୍କ କଥାବାର୍ତ୍ତା ମୋତେ ମନ୍ତ୍ରପାଠ କଲାପରି ଶୁଭେ । କିନ୍ତୁ ମୁଁ ଯେତେବେଳେ ତାଙ୍କ ଲାଗି ଖାଦ୍ୟପଦାର୍ଥ ନେଇ ଯାଏ ବୃଦ୍ଧା ସନ୍ନ୍ୟାସିନୀ ତାଙ୍କ ମୁହଁକୁ ଘୋଡ଼େଇ ନିଅନ୍ତି ଓ କାନ୍ଥ ଆଡ଼କୁ ମୁହଁକରି ଗୋଟିଏ କୋଣକୁ ଠିଆ ହୋଇରହନ୍ତି । ମୋତେ ଲାଗେ, ମୁଁ ତାଙ୍କ ଶିଷ୍ୟା ହୋଇ ନଥିବାରୁ ସେ ମୋ ମୁହଁକୁ ଚାହୁଁନାହାନ୍ତି ।

ଦିନେ ଅମାବାସ୍ୟା ରାତିରେ ବାହାରେ ମୂଷଳ ଧାରାରେ ବର୍ଷା ହେଉଥାଏ । ନଈ ବି ସେତେବେଳକୁ ବଢ଼ି ଦୁଇ କୂଳ ଖାଉଥାଏ । ସେତିକିବେଳେ ଧୀରେନ୍ଦୁ୍ ମୋତେ ସେଇ ଅନ୍ଧାରୁଆ କୋଠରୀ ଭିତରକୁ ଡାକିଆଣି କହିଲା, ‘ମା’, ଆଜି ରାତିରେ ସନ୍ନ୍ୟାସିନୀ ଆମ ଘରୁ ବିଦାୟ ନେବାକୁ ଚାହୁଁଚନ୍ତି । ସେ ଆମ ଘରୁ ବିଦାୟ ନେବା ପୂର୍ବରୁ ତୋତେ ଭେଟିବାକୁ ଓ ଆଶୀର୍ବାଦ ଦେବାକୁ ଚାହାନ୍ତି । ଆସ୍‌…’ ଏତିକି କହି ସେ ସନ୍ନ୍ୟାସିନୀଙ୍କ ମୁହଁକୁ ଆବୃତ୍ତ କରି ରଖିଥିବା ଆଚ୍ଛାଦନଟିକୁ ଟାଣିଦେଲା । ମୁଁ ଏବେ ଯାହା ଦେଖୁଥିଲି ସେଥିରେ ବାକ୍‌ଶକ୍ତିରହିତ ହୋଇ ଯାଇଥିଲି । ଜଣେ ସୌମ୍ୟକାନ୍ତ ପୁରୁଷ! ଦେଖିବାକୁ ବେଶ୍ ହୁଷ୍ଟପୁଷ୍ଟ । ସତ କହିବାକୁ ଗଲେ ଧୀରେନ୍ଦୁର ବଡ଼ ଭାଇ ପରି ଦିଶୁଥାନ୍ତି । ଦୁଇହାତ ଯୋଡ଼ି ସେ କହିଲା, ‘ମା’, ମୋତେ କ୍ଷମା କରିଦିଅ । କାଳୀ ମା’ ପରା ତାଙ୍କ ହାତରେ ଶହେଟା ଖଡ୍ଗ ଧରିଚନ୍ତି! ଅନ୍ୟ ଶହେ ହାତରେ ଶହେ ଚକ୍ର । ଶତ୍ରୁଙ୍କ ରକ୍ତରଞ୍ଜିତ କଟାମୁଣ୍ଡକୁ ଧରିଛନ୍ତି! ସେମାନଙ୍କ ଅନ୍ତନାଡି଼କୁ ଗଳାରେ ଲମ୍ବାଇଚନ୍ତି କିନ୍ତୁ ଆଜି ମୋ ଜୀବନରେ ମୁଁ ସେଇ ଦେବୀଙ୍କୁ ଅନ୍ନପୂର୍ଣ୍ଣାର୍ ଭାବେ ଦେଖୁଛି । କରୁଣାମୟୀ, ସ୍ନେହମୟୀ ରୂପରେ ଦେଖୁୁଛି । ମା’ର ସେଇ ରୂପକୁ ମୁଁ ମୋ ହୃଦୟରେ ସାରା ଜୀବନ ଧରିରଖିଚି । ମେ।।ତ ଆଶୀର୍ବାଦ କର ମା’… ।’

ମାଷ୍ଟର ଦା’ ନଇଁ ପଡ଼ି ମୋ ପାଦକୁ ଛୁଇଁ ପ୍ରଣାମ କଲେ । ସେତେବେଳକୁ ତାଙ୍କ ଆଖି ଲୁହ ଛଳଛଳ । ମୁଁ ବି ମୋ ଆଖିର ଲୁହ କି ଅନ୍ତରର କୋହକୁ ଚାପି ରଖି ପାରିନଥିଲି । ଇଏ କ’ଣ ସେଇ ସୂର୍ଯ୍ୟସେନ୍‌ ? ସେଇ ବିଖ୍ୟାତ ସୂର୍ଯ୍ୟସେନ୍‌ ! ଆତଙ୍କବାଦୀ! …ପ୍ରତାରକ! ଯାହାଙ୍କୁ ପୁଳିସ୍‌ ଦିନରାତି ଖୋଜିବୁଲୁଚି ! ତାଙ୍କର ସେଇ ନତମସ୍ତକ ଉପରେ ହାତ ଥାପୁଥାପୁ ମୋର ହୃଦୟ ବିଳାପ କରିକହିଲା, ‘ସୂର୍ଯ୍ୟ ସେନ୍‌…ନା…ମାଷ୍ଟର ଦା’ । ତୁମକୁ ଯେଉଁର୍ ମା’ ଜନ୍ମ ଦେଇଛି, ସିଏ କ’ଣ ମୋର ବଡ଼ ଉଭଣୀ?’

ହାତରେ ଆଉ ବେଶୀ ସମୟ ନଥିଲା । ପଦ୍ମାନଦୀ କୂଳରେ ଡଙ୍ଗାଟିଏ ଅପେକ୍ଷା କରି ରହିଥିଲା । ଧୀରେନ୍ଦୁ ଓ ମାଷ୍ଟର ଦା’ ସେଥିରେ ବସିଲେ । ମୁଁ ନିଶ୍ଚଳ ପ୍ରତିମାଟିଏ ଭଳି ଠିଆ ହୋଇ ରହିଥାଏ । ପଦ୍ମାନଦୀର ଅଶାନ୍ତ ବକ୍ଷରେ ଛୋଟ ଡଙ୍ଗାଟି ହଲି ଦୋହଲି ଆଗକୁ ଆଗକୁ ମାଡ଼ି ଚାଲିଥାଏ । ଶେଷରେ ଡଙ୍ଗାଟି ମୋ ଆଖି ଆଗରୁ ଅଦୃଶ୍ୟ ହୋଇଗଲା । ନିଜ ଘର ବାହାରକୁ ଜୀବନରେ କେବେ ସୁଦ୍ଧା ପାଦ ବଢ଼ାଇନଥିବା ଶାନ୍ତି ମଜୁମଦାର ଭଳି ଜଣେ ନାରୀର ସେଇଦିନ ମୃତ୍ୟୁ ଘଟିଥିଲା । ତା’ସ୍ଥାନରେ ଜନ୍ମ ନେଇଥିଲା ଆଉ ଜଣେ ନାରୀ- ବଙ୍ଗମାତା । ହେଲେ, ମୁଁ ସବୁ ଜାଣି ସୁଦ୍ଧା କିଛି ନଜାଣିଲା ପରି ରହିଲି । ଏକା ସାଙ୍ଗରେ ଯୋଡ଼ିଏ ଜୀବନ ବିତାଇଲି । ଏହାର କିଛିଦିନ ପରେ ଯେତେବେଳେ ସୂର୍ଯ୍ୟସେନ୍‌ ଧରାପଡ଼ିଲେ ଓ ପୁଲିସ ତାଙ୍କୁ ଫାଶୀ ଦେଲେ, ଧୀରେନ୍ଦୁର ବାପା ମୋତେ କହିଥିଲେ, ‘ଦେଖିଲ, ଦେଶଦ୍ରୋହୀ,ପ୍ରତାରକମାନଙ୍କର ଦଶା ଏଇଆ ହୁଏ । ସେ ଟୋକା ଓ ତା’ଭଳିଆ ଲୋକଗୁଡ଼ାକ କି ଉତ୍ପାତ କରୁଥିଲେ । ଏଇ ଗଲାକାଲି ପରା ଗଭର୍ଣ୍ଣର ସାହେବ ମୋତେ କହୁଥିଲେ- ମଜୁମଦାର ସା’ବ୍‌, ଆପଣଙ୍କ ବଡ଼ପୁଅଟା ଭାରୀ ସାହସୀ । ଆମେ ତାଙ୍କୁ ପୁଲିସରେ ଭର୍ତ୍ତି କରିଦେବା ଲାଗି ମନସ୍ଥ କରିଛୁ ।’

ଏକଥା ଶୁଣିଲା ମାତ୍ରେ ମୁଁ ଆଉ ଧୈର୍ଯ୍ୟ ଧରି ନିଜକୁ ରଖି ପାରିଲିନି । ମୋ ଆଖିରୁ ଧାର ଧାର ଲୁହ ଗଡ଼ିପଡ଼ିଲା । ଏ ଲୁହ କ’ଣ ସୂର୍ଯ୍ୟସେନ୍‌ଙ୍କ ମୃତ୍ୟୁ ଖବର ଶୁଣି ନା ମୁଁ ଭାବୁଥିଲି ମୋ ପୁଅ ଦିନେ ପୁଲିସ କମିଶନର ହେବ ବୋଲି ଜାଣି ? ସେକଥା ମୁଁ ବୁଝି ପାରୁନଥିଲି ସେକଥା ଏଇଠି ଥାଉ । ମାଷ୍ଟର ଦା’ଙ୍କ ମୃତ୍ୟୁ ପରେ ବି ଧୀରେନ୍ଦୁ ନାନାପ୍ରକାର ଲୋକଙ୍କୁ ସାଙ୍ଗରେ ଧରି ଘରକୁ ଆସେ । ମୁଁ ସେମାନଙ୍କୁ ଘରର ଅନ୍ତପୁରରେ ଦିନ ଦିନ ଧରି ଲୁଚାଇରଖେ । କିନ୍ତୁ ହଠାତ୍ ଦିନେ କେହି ଜଣେ ବୋମାଟିଏ ଫିଙ୍ଗିଦେଲା ।

ଯେତେବେଳେ ମୋ ସ୍ୱାମୀ ପୁଲିସଠାରୁ ଜାଣିବାକୁ ପାଇଲେ ଯେ ସନ୍ଦେହ କରାଯାଉଥିବା ଲୋକଟି ଭିତରେ ତାଙ୍କ ପୁଅ ଅଛି, ନିହାରେନ୍ଦୁ ମଜୁମଦାର ଅନ୍ତପୁର ପର୍ଯ୍ୟନ୍ତି ଚିହିଁକି ଆସି ଚିତ୍କାର କରି କହିଥିଲେ, ‘ନା, ନା, ମୋର ସେମିତି କେହି ପୁଅ ନାହାନ୍ତି । ମୋ ବଡ଼ପୁଅ ମରିସାରିଛି ।’ ଏଥର ମୋ ଆଡ଼କୁ ଚାହିଁ ସେ କହିଥିଲେ, ‘ଯଦି ସେ ପ୍ରତାରକ ଏ ଘରେ ପାଦ ପକାଏ, ତାକୁ ପାଣି ଟୋପାଏ ସୁଦ୍ଧା ଦେବନି । ତାକୁ ପୁଲିସ ଜିମ୍ମା ଦେଇଦେବ ।’

ଏଇ ଘଟଣା ପରେ ସୁଦ୍ଧା ଜଣେ ପତିଭକ୍ତା ପତ୍ନୀଭାବେ ମୁଁ ମୋର ସବୁ କର୍ତ୍ତବ୍ୟ ପାଳନ କରିଥିଲି । ପୁଣି ଜଣେ ମା’ଭାବେ ପୁଅକୁ ଲୁଚେଇ ରଖିବା ଓ ଗୁପ୍ତରେ ସାହାଯ୍ୟ କରିବା ସକାଶେ ସବୁପ୍ରକାର ଉଦ୍ୟମ ଅବ୍ୟାହତ ରଖିଥିଲି । ଧୀରେନ୍ଦୁ ଯେତେବେଳେ ଯାହା ଚାହୁଁଥିଲା, ସେସବୁ ମୁଁ ତାକୁ ଯୋଗେଇ ଦେଉଥିଲି । ଥରେ ନୁହେଁ, ଅନେକ ଥର । ଫି’ଥର କାନ୍ଦି କାନ୍ଦି ତାକୁ ବୁଝାଉଥିଲି, ‘ପୁଅ ମୋର, ମୋତେ କଥା ଦେ, ତୁ ଅନ୍ୟ କୁଆଡ଼େ ପଳେଇ ଯିବୁନି ।’

ଚିଟ୍ଟାଗଙ୍ଗ ଷଡ଼ଯନ୍ତ୍ର ମାମଲାରେ ସେ ଗିରଫ ହେବାର ମାତ୍ର କେଇଦିନ ଆଗରୁ ଧୀରେନ୍ଦୁ ମୋତେ କହିଥିଲା, ‘ମା’,ଜାଣିଛୁ, ପ୍ରାଚୀନ କାଳରେ ଗ୍ରୀସରେ ଦେଶପ୍ରାଣ ମା’ମାନେ ସେମାନଙ୍କ ବଡ଼ପୁଅକୁ ଯୁଦ୍ଧଦେବୀଙ୍କ ନିକଟରେ ସମର୍ପି ଦେଉଥିଲେ । ନିଜ ଦେଶମାତୃକା ଲାଗି ପ୍ରାଣବଳି ଦେବା ହିଁ ପ୍ରକୃତ ମୋକ୍ଷ । ଆଉ ମୋ ମା’ତ ଜଣେ ସାକ୍ଷାତ ଦେବୀ, ନା କ’ଣ ମା’n? ତେଣୁ ତୁ ତୋ ବଡ଼ପୁଅକୁ ଦେଶମାତୃକା ଲାଗି ଉତ୍ସର୍ଗ କରିଦେ । ତୋର ତ ଆହୁରି ଆଠଟି ସନ୍ତାନ ଅଛନ୍ତି ।’ ଧୀରେନ୍ଦୁ ତୁଣ୍ଡରୁ ଏପରି କଥା ଶୁଣି ମୁଁ କାନ୍ଦି କାନ୍ଦି ଆତ୍ମହରା ହୋଇ ପଡ଼ିଥିଲି ଓ ତାକୁ ବୁଝାଇଥିଲି, ‘ପୁଅରେ, ମାତୃଭୂମିଠାରୁ ମା’ ଆହୁରି ବଡ଼ । ମା’ର ପରା ହୃଦୟ ଅଛି । ଆଉ ସେ ହୃଦୟ ତୁଟିଯିବାର ଭୟ ଅଛି । ହେଲେ ମାତୃଭୂମି ପରା କେବଳ ମାଟି ପଥରର ସମାହାର ।’ ଧୀରେନ୍ଦୁ ମୋ କପାଳରେ ଭକ୍ତିରେ ଚୁମାଟିଏ ଦେଇ କହିଥିଲା, ‘ ନା ମା’ । ତୋରି ଭଳିଆ କୋଟି କୋଟି ମା’ଙ୍କ ହୃଦୟର ସମାହାରରେ ପରା ଏ ଦେଶ ଗଢ଼ା ! ସମସ୍ତଙ୍କ ମନରେ ସେଇ ଏକା କ୍ଷୋଭ, ଏକା ଦୁଃଖ । ସମସ୍ତେ ଆଖିରୁ ଲୁହ ଗଡ଼ାଇ, ଉତ୍କଣ୍ଠାର ସହ ସେମାନଙ୍କ ପୁଅକୁ ଚାହିଁ ରହିଛନ୍ତି । ହେଲେ ଦେଶମାତୃକା ମୁକ୍ତଲାଭ କରିବ କେମିତି? ଆଉ ଯଦି ମୋତେ ଏ ଦୁଃଖିନୀ ମାତୃଭୂମି ଲାଗି ପ୍ରାଣବଳି ଦେବାକୁ ପଡ଼େ, ତା’ହେଲେ ମୋର
ମା’ ହିସାବରେ ତୁ ହସି ହସି ଗାଇବୁ- ବନ୍ଦେ ମାତରମ୍ । ମୋତେ କଥା ଦେ’ ମା’, ତୁ ନିଶ୍ଚେ ମୁହଁରେ ହସ ଫୁଟାଇ ମାତୃଭୂମିର ବନ୍ଦନା କରିବୁ ।’

ଏତିକି କହି ଧୀରେନ୍ଦୁ ମୋ ପାଦ ଛୁଇଁ ପ୍ରଣାମ କଲା ଓ ଏକମୁହାଁ ହୋଇ ଚାଲିଗଲା । ତା’ର କିଛିଦିନ ପରେ ମୁଁ ଖବର ପାଇଲି ଯେ ଗୋଟାଏ ଗୋଳାବାରୁଦ ଭଣ୍ଡାରକୁ ଉଡ଼ାଇ ଦେବାକୁ ଉଦ୍ୟମ କଲାବେଳେ ଡ଼ିନାମାଇଟ ବିସ୍ଫୋରଣରେ ତା’ର ମୃତ୍ୟୁ ଘଟିଛି । ଏ ଖବର ପାଇବାମାତ୍ରେ ମୁଁ ତା’ର ବାପାଙ୍କ ସାମ୍ନାରେ ହିଁ ‘ବନ୍ଦେ ମାତରମ୍‌’ ଗାଇଥିଲି । ବାପା ତା’ର ଦୁଃଖ ଓ କ୍ରୋଧରେ ଗୋଟାପଣେ ଭାଙ୍ଗି ପଡ଼ିଥିଲେ । କାନ୍ଦି କାନ୍ଦି, ପୁଣି ହସି ହସି ପୁଣି ଚିତ୍କାର ଛାଡ଼ି ମୁଁ ପାଗଳୀଟିଏ ପରି ଗାଇ ଚାଲିଥିଲି- ‘ଯାହାର ହାତରେ ସହସ୍ର ଖଣ୍ଡା, କରେ ସଦା ଝଲମଲ…’ ‘ଆଃ…ମୁଁ ତୃଷାର୍ତ୍ତ, ପିଲାମାନେ! ମୋ ତଣ୍ଟି ଶୁଖିଯାଉଛି… ମୋତେ ମୁନ୍ଦାଏ ପାଣି ଦିଅ ।…ଶୀତଳ ଜଳ…ହଁ ।

ଏସବୁ ଘଟଣା ମୋର ସ୍ପଷ୍ଟ ମନେଅଛି । ବାରମ୍ବାର ମନେପଡ଼ୁଛି । ଯେତେହେଲେ ମୁଁ ପରା ଆଜି ଜଣେ ବାହାର ଲୋକ । ମୁଁ ପରା ଜଣେ ଶରଣାର୍ଥୀ ସାଜି ତୁମ ନିକଟକୁ ଦୟା, ଅନୁକମ୍ପା ଭିକ୍ଷା କରିବାକୁ ଆସିଚି । ଧୀରେନ୍ଦୁ ମଜୁମଦାରର ଆତ୍ମବଳୀ କଥା ଲୋକମାନଙ୍କ ସ୍ମୃତିରେ କେବେଠାରୁ ଲିଭି ହଜି ଗଲାଣି । ତା’ହେଲେ ସେମାନେ ତା’ ମା’କୁ ଭଲା କେମିତି ମନେରଖିବେ?

ଧୀରେନ୍ଦୁର ଅଶାନ୍ତ ଆତ୍ମା ତା’ର ସାନଭାଇମାନଙ୍କ ମନକୁ ମଧ୍ୟ ଗୋଟାପଣେ ଆକ୍ରାନ୍ତ କରିରଖିଲା । ଶରଦିନ୍ଦୁ ଆଇନ ପଢ଼ିବାକୁ ବିଲାତ ଯାଇଥିଲା । ସେଇଠି ଇଣ୍ଡିଆ ଅଫିସ ସାମ୍ନାରେ ସେ ଜଣେ ଗୋରା ଅଫିସରକୁ ଗୁଳିକରି ହତ୍ୟାକଲା ଓ ପରେ ପରେ ନିଜେ ଆତ୍ମହତ୍ୟା କଲା । ନିତ୍ୟେନ୍ଦୁ ଓ ସତ୍ୟେନ୍ଦୁ କଲେଜ ପର୍ଯ୍ୟନ୍ତ ଯାଇପାରିଲେନି । ତାଙ୍କ ବାପାଙ୍କର ମଧ୍ୟ ୟା’ ଭିତରେ ପକ୍ଷାଘାତ ଘଟି ସାରିଥିଲା । ସେତେବେଳକୁ ସରକାର ଆମର ସବୁ ସମ୍ପତ୍ତି ଓ ଜମିବାଡ଼ି ଜବତ କରି ସାରିଥାନ୍ତି । ତଥାପି ମଜୁମଦାର ପରିବାରର ଏବେ ସୁଦ୍ଧା ନାଁ ଡ଼ାକ୍ ଥାଏ । ସାରା ଦେଶରେ ସବୁ ସ୍ୱାଧୀନତା ସଂଗ୍ରାମୀ ଆସି ଆମରି ଘରେ ରୁଣ୍ଡ ହୁଅନ୍ତି । ଭବିଷ୍ୟତର ଯୋଜନା ପ୍ରସ୍ତୁତ କରନ୍ତି । ଆମରି ଘର ଭିତରୁ ତ ଗୋରା ପୁଲସି ତାରକେଶ୍ୱରକୁ ଗିରଫ କରିଥିଲା । ଗଣେଶ ଘୋଷ, ସାବିତ୍ରୀ, କଳ୍ପନା ଏମିତି ଆହୁରି ଅନେକ ସଦାବେଳେ ଆମ ଘରକୁ ଆସୁଥିଲେ ।

ପ୍ରୀତିଲତା ୱାଡେଦାରଙ୍କ ନାଁ ଶୁଣିଚ? ସେ ଥିଲା ମୋ ଝିଅ ମିନତୀର ସବୁଠାରୁ ଭଲ ସାଙ୍ଗ । ବିଚାରୀ, ସିଏ ତା’ ଜୀବନରେ ବିପ୍ଳବିନୀଟିଏ ସୁଦ୍ଧା ହୋଇପାରିଲାନି । ଓଃ! ଟୋପାଏ ରକ୍ତ ଦେଖିଲେ ତା’ ମୁଣ୍ଡ ଘୁରେଇଯିବ, ଚେତାଶୂନ୍ୟ ହୋଇପଡ଼ିବା ପରି ଅନୁଭବ କରିବ । ହେଲେ, କେବେ ବିଶ୍ୱାସ କରିପାରିବ…ସେଇ ଝିଅ ଦିନେ ସହରତଳି ଅଞ୍ଚଳରେ ଥିବା ୟୁରୋପିଆନ୍ କ୍ଲବ ଉପରକୁ ବୋମା ଫିଙ୍ଗି ପୁଲିସ ହାତରେ ଧରାପଡ଼ିବା ଆଗରୁ ପୋଟାସିୟମ୍ ସାଏନାଇଡ଼ କ୍ୟାପସୁଲ ଗିଳି ଆତ୍ମହତ୍ୟା କରିଥିଲା?

ତୁମେମାନେ ଆଜି ଯେଉଁ ସ୍ୱାଧୀନତା ଉପଭୋଗ କରୁଛ, ଦିନେ ସେଇ ସ୍ୱାଧୀନତା ଏଇମାନଙ୍କ ରକ୍ତ ଭିତରୁ ଜନ୍ମ ନେଇଥିଲା । ନିତ୍ୟେନ୍ଦୁ, ସତ୍ୟେନ୍ଦୁ କି ମିନତୀ କେହି ହେଲେ ଆଜି ସେ ସ୍ୱାଧୀନତାକୁ ଦେଖିବାକୁ ଜୀବିତ ନାହାନ୍ତି । ତା’ପରେ ଗାନ୍ଧୀ ଆସିଲେ, କଂଗ୍ରେସ ଆସିଲା । ଯେଉଁଦିନ ଗାନ୍ଧୀଜୀ ଯୁକ୍ତି କରିଥିଲେ ଯେ ଗୋପୀନାଥକୁ କ୍ଷମା ଦିଆଯିବା ଉଚିତ ନୁହେଁ, ମୁଁ ତାଙ୍କୁ କହିଥିଲି: ଆପଣଙ୍କୁ ଇତିହାସ କେବେ ବି କ୍ଷମା ଦେବନି । ବାପୁଜୀ, ସାହସ ପ୍ରଦର୍ଶନ ଅପରାଧ ନୁହେଁ । ନିଜ ମାତୃଭୂମିର ସମ୍ମାନ ରକ୍ଷାଲାଗି କାହାକୁ ମାରିବା କି ନିଜେ ମରିବା ସକାଶେ ଏଇ ବଙ୍ଗୀୟ ଯୁବକମାନେ ଇତିହାସରେ ଅମର ହୋଇ ରହିବେ ।’ ଆଉ ଯେତେବେଳେ ଧର୍ମ ଓ ଜାତିର ଦ୍ୱାହି ଦେଇ ସେମାନେ ଦେଶଟାକୁ ଭାଗ ଭାଗ କରିଦେଲେ, ମୁଁ ନେହରୁଙ୍କୁ ପଚାରିଥିଲି- ‘କାହାର ସ୍ୱୀକୃତି ନେଇ ଆପଣ ବଙ୍ଗଳା ମୁଣ୍ଡକୁ କାଟି ଦି’ଖଣ୍ଡ କରିଦେଲେ? କାହାର ଅନୁମତି ନେଇ ଆପଣ ଆମ ନିଜ ଘରୁ ନିଜକୁ ଅଲଗା କରିଦେଲେ? ଏଠି ତ କେହି ହିନ୍ଦୁ କି କେହି ମୁସଲମାନ ନୁହଁ । ଆମେ ସମସ୍ତେ ବଙ୍ଗୀୟ । ଆମେ ଏକ । ଯଦି ଗଣ୍ଡିଠାରୁ ମୁଣ୍ଡ ଅଲଗା ହୋଇଗଲା, ତା’ହେଲେ ରାହୁ ଓ କେତୁ ଭଳି ସେମାନେ ଏକ ବିଚିତ୍ର ସଂହାରଲୀଳା ଘଟାଇ ଚାଲିବେ । ସୂର୍ଯ୍ୟ ଓ ଚନ୍ଦ୍ର ପୂର୍ଣ୍ଣଗ୍ରାସ ଭିତରେ ରହିବେ । ମୋର କହିବାର ଉଦ୍ଦେଶ୍ୟ କ’ଣ ତାହା ବୁଝି ପାରୁଥିବ ।’

ହଁ, ସେପରି ଗ୍ରହଣ ସଂଘଟିତ ହୋଇଛି ଓ ତା’ରି ଛାୟାରେ ସବୁକିଛି ଗ୍ରାସ କରି ପକାଇଛି । ଦେଶ ବିଭାଜନ ସମୟରେ ଆମେ ବି ଚାହିଁଥିଲୁ, ଭାରତକୁ ପଳେଇଯିବୁ । କିନ୍ତୁ ପରେ ଚିନ୍ତାକଲୁ;  ଯାହାକିଛି ବିପଦ ଆସୁ ପଛେ ଆମେ ଏଇଠି ରହିବୁ । ଏଠା ଓ ସେଠା ଭିତରେ ଅବା ପାର୍ଥକ୍ୟ କ’ଣ ? ତୁମେ ଯେଉଁଠି ରୁହ, ଯଦି ଦେଶ ମାତୃକାର ସେବା କଲ , ଏକମନ ଏକପ୍ରାଣ ହୋଇ ରହିଲ, ସବୁଠାରେ ଶାନ୍ତି ଓ ସମୃଦ୍ଧି ଘଟିବ ।

ଏଇ କଥା ଭାବି ଆମେ ନୂଆକରି ଜନ୍ମଲାଭ କରିଥିବା ଦେଶ ସେବାରେ ଲାଗିପଡ଼ିଲୁ । ମଜୁମଦାର କୋଠାର ଭଙ୍ଗାଛାତ ତଳେ ଲୋକମାନେ ମାତାଜୀଙ୍କୁ ଭେଟିବା ଲାଗି ପୁଣି ରୁଣ୍ଡ ହେଲେ । ମାତାଜୀ ନୂଆଖାଲିରେ ଗାନ୍ଧୀଜୀଙ୍କ ସାଙ୍ଗରେ ପାଦକୁ ପାଦ ମିଳାଇ ପଦଯାତ୍ରା କରୁଥିଲେ । ଚିଟ୍ଟାଗଙ୍ଗଠାରେ ଗୋଟିଏ ସେବାଶ୍ରମ ଖୋଲିଥିଲେ । ଢାକାରେ ଏକତା ସମ୍ମିଳନୀର ଆୟୋଜନ ବି କରିଥିଲେ । କେଉଁଠି ହେଲେ ସିଏ ଆଇନ ଅମାନ୍ୟ କରିଥିବାର ନଜିର ନଥିଲା । ତଥାପି ସରକାର ଆମକୁ ସନ୍ଦେହ କରୁଥିଲେ । ସେମାନେ ଶୁଭେନ୍ଦୁକୁ ପ୍ରଫେସର ପଦବୀରୁ ହଟେଇଦେଲେ । ଶୁଭେନ୍ଦୁ ଢ଼ାକାରେ ପ୍ରଫେସର ଚାକିରୀ କରୁଥିଲା । ଯୋଗେନ୍ଦୁ ବନ୍ୟାବେଳେ ରିଲିଫ୍ କାମ କରୁଥିବା ବେଳେ ହଠାତ୍ ମୃତ୍ୟୁବରଣ କଲା । ପିଲାମାନେ, ଏଇ ହେଲା ଆମ ବଙ୍ଗୀୟମାନଙ୍କ ଦୁର୍ଦ୍ଦଶା । ଏପରିକି ପ୍ରକୃତି ସୁଦ୍ଧା ଆମମାନଙ୍କ ଲାଗି ସଦାବେଳେ ନିଷ୍ଠୁର । ସମୁଦ୍ର ସଦାବେଳେ ଆମ ଇଲାକାକୁ ମାଡ଼ିଆସେ । ଝଡ଼ ଆସି ଆମ ଘରଦ୍ୱାର ଉଡ଼ାଇନିଏ । ପଦ୍ମାନଦୀରେ ବାରମ୍ବାର ବନ୍ୟା ଆସେ । ହଇଜା, ମହାମାରୀ, ଅନାହାର ମୃତ୍ୟୁ ଚାରିଆଡ଼େ ବ୍ୟାପେ । ଆମେ କ’ଣ ଧର୍ମ ଓ ଜାତିକୁ ଜାବୁଡ଼ିଧରି ଏସବୁ ପ୍ରାକୃତିକ ପ୍ରକୋପ ସାଙ୍ଗରେ ଯୁଝିପାରିବା ?

ମୋ ସାନଝିଅ ଜଣେ ମୁସଲମାନ ଯୁବକକୁ ବାହାହେଲା । ଆମେ ସମସ୍ତେ ଏକତ୍ର ରହିଲୁ । ସେତେବେଳେ ମୁଁ ମୋର ତିନିବର୍ଷର ନାତୁଣୀ ନଜିମାକୁ ପାଳିବାରେ ଅଧିକାଂଶ ସମୟ ବିତାଉଥାଏ । ତାକୁ ଟାଗୋରଙ୍କ ସଂଗୀତ ଗାଇ ଶୁଣାଏ- ‘ସୋନାର ବାଂଲା…’ ଆଃ ! ହଠାତ୍ ଦିଦେ ସୈନିକମାନେ ସେ ନାତୁଣୀକୁ ନେଇ ଚାଲିଗଲେ ଓ ରାସ୍ତା ଉପରେ ତାକୁ ମାରି ଫିଙ୍ଗିଦେଲେ । ବାସ୍‌, ସେଇଠି ମୋର ବଂଶବୃକ୍ଷଟି ସଂପୂର୍ଣ୍ଣ ରୂପେ ମୂଳୋତ୍ପାଟିତ ହୋଇଗଲା । ସବୁକିଛି ଶେଷ ହୋଇଗଲା । ମୋର ଶେଷ ହେବା ସକାଶେ ଆଉ ମାତ୍ର ଗୋଟିଏ କଥା ବାକି ଥିଲା…ଭୂମି… ଯାହା ଥିଲା ମୋର ମା’, ମୋର କନ୍ୟା…ଯେଉଁ ଭୂଇଁରେ ମୁଁ ନିଜେ ଜନ୍ମଲାଭ କରିଥିଲି…ମୋ ବଙ୍ଗଭୂମି…ଆଉ ତା’ର ସେଇ ଚିର ଭୟଙ୍କର ନଦୀ ହ୍ରଦ ଓ ସନ୍ତାନମାନେ । ଏବେ ସେସବୁ ବି ମୋର ହୋଇ ରହିନଥିଲା ।

ମୁଜିବୁର ସା’ବ୍ ସଦାବେଳେ କହୁଥିଲେ, ‘ଶାନ୍ତି ଦେବୀ, ତୁମେ ହେଲ ବଙ୍ଗଳାର ପ୍ରତୀକ । ତୁମେ ହେଲ ଆମ ସମସ୍ତଙ୍କର ମା’ । ତୁମେ ଆମର ଆଈ । ତୁମର ଆଶୀର୍ବାଦ ପାଇଲେ ବଙ୍ଗଭୂଇଁ ମୁକ୍ତିଲାଭ କରିବ ।’ ମୋ ଧମନୀରେ କିନ୍ତୁ ଆଉ ସାମାନ୍ୟ ମାତ୍ର ରକ୍ତ ବଞ୍ଚିଥିଲା । ତଥାପି ମୁଁ ମୋର ବୁଢ଼ାଆଙ୍ଗୁଠି କାଟି ତାଙ୍କ କପାଳରେ ରକ୍ତର ଟିକାଟିଏ ଲଗାଇ ଦେଇଥିଲି ।

‘ଯାଅ, ଆଗେଇଯାଅ, ବିଜୟୀ ହୁଅ ପୁତ୍ର! ଆଗେଇ ଯାଅ । ବିଜୟ ତୁମର ଶିର ମଣ୍ଡନ କରୁ । ବଙ୍ଗଭୂଇଁକୁ ମୁକ୍ତ କରିବାର ସୌଭାଗ୍ୟ ତୁମକୁ ପ୍ରାପ୍ତ ହେଉ ।’

ଶାନ୍ତି ମଜୁମଦାରକୁ ଉଠେଇ ତା’ର ନାତି ଅଣନାତିମାନେ, ମୁକ୍ତିବାହିନୀର ଫଉଜମାନେ ଶେଷର ଭାରତ ନେଇ ଆସିଥିଲେ । ଆଉ ଏଠାରେ ସେ ଜଣେ ଶରଣାର୍ଥୀ ପାଲଟି ଯାଇଥିଲା! ଜଣେ ଭିକ୍ଷୁଣୀ ଶରଣାର୍ଥୀ! ଜଣେ ବିଦେଶିନୀ ! ଏକଥା କ’ଣ ସତ ଇନ୍ଦିରା, ମୋତେ କହ । ଶାନ୍ତି ମଜୁମଦାର କ’ଣ ଏ ଭୂଇଁକୁ ଜଣେ ଶରଣାର୍ଥୀ ହୋଇ ଆସିଛି ? ଧୀରେନ୍‌, ସମରେନ୍‌, ସତ୍ୟେନ୍‌ଙ୍କ ଭଳି ସନ୍ତାନମାନଙ୍କୁ ଜନ୍ମ ଦେଇଥିବା ମା’ କ’ଣ ଏ ଭୂଇଁରେ ଜଣେ ବିଦେଶିନୀ, ଶରଣାର୍ଥୀ ! ମୁଁ ଟାଗୋର, ଭାରତେନ୍ଦୁ, ଦେଶବନ୍ଧୁ ଚିତ୍ତରଂଜନ ଓ ନେତାଜୀଙ୍କ ଭୂଇଁର । ଏପରି ପ୍ରଶ୍ନ ପଚାରୁଛି । ଶାନ୍ତି ମଜୁମଦାର କ’ଣ ଏଠି ଜଣେ ଅପରିଚିତ ଆଗନ୍ତୁକ, ନା ଭୂଇଁ ତା’ର ଓ ସେ ଏ ଭୂଇଁର? ତୁମେ ଯଦି ମୋତେ କହିବ ଯେ ଏ ଭୂଇଁ ମୋର ନୁହେଁ, ତା’ହେଲୋ ଏ ଭୂଇଁରେ ମୁଁ ମରିବି ସୁଦ୍ଧା ନାହିଁ । ଓଃ…ପୁଣି ଥରେ ମୋ କଣ୍ଠ ବାଷ୍ପରୁଦ୍ଧ ହୋଇଯାଉଛି । ମୁଁ ମୋ ଆଖିର ଲୁହକୁ ରୋକିପାରୁନାହିଁ । ମୋ ମୁଣ୍ଡ ଘୂରେଇ ଦେଉଚି…ନା, ମୁଁ କାନ୍ଦିବିନି । ଧୀରେନ୍ଦୁ ମଜୁମଦାରର ମା’ କେବେ ବି କାନ୍ଦିବନି । ଆସ । ଆମେ ଯେମିତି ପୂର୍ବରୁ ସେଇ ସଙ୍ଗୀତ ଗାଉଥିଲେ, ପୁଣିଥରେ ସମସ୍ତେ ମିଶି ଗାଇବା ।

‘ଯାହାର ହାତରେ ସହସ୍ର ଖଣ୍ଡା, କରେ ସଦା ଝଲମଲ…
ସୁଫଳାମ୍‌, ସୁଜଳାମ୍‌…ଶସ୍ୟ ଶ୍ୟାମଳାମ୍‌, ମାତରମ୍‌…ବନ୍ଦେ ମାତରମ୍ ।’

ରୂପାନ୍ତରଣ: ସୁଭାଷ ଶତପଥୀ                                                                    ମୋ: ୯୯୩୭୮୨୬୧୩୩  

 

Comments are closed.