ଅଳକା ମହାପାତ୍ର
ବାପାଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଆସିଥିଲେ ଅଶୋକବାବୁ । ସୁସ୍ଥହେବା ପରେ ଘରକୁ ଫେରୁଛନ୍ତି ବାପପୁଅ । ଠିକ ସମୟରେ ଷ୍ଟେସନରେ ଲାଗିଥିଲା ରେଳଗାଡ଼ି । ରାତିର ଖାଇବାସାରି ନିଜ ସ୍ଲିପରବଗିକୁ ଉଠିଥିଲେ ଦୁହେଁ । ବାପାଙ୍କୁ ତଳ ବର୍ଥରେ ଶୋଇବାକୁ ଦେଇ, ନିଜେ ଉପର ବର୍ଥକୁ ଉଠି ଯାଇଥିଲେ ଅଶୋକବାବୁ ।
ଦିନସାରାର ଧାଁ, ଦଉଡରେ ହାଲିଆ ହୋଇ ଯାଇଥିଲେ ସେ, ସାଙ୍ଗେ ସାଙ୍ଗେସାଙ୍ଗେ ନିଦ ଆସିଗଲା ।
ଏ ଚା ବାଲା, ଏ ଗରମ ସମୋସା, ଗରମ ଆଳୁବଡା ଶୁଣି, ନିଦ ଭାଙ୍ଗିଲା । ଅଳସ ଭାଙ୍ଗି ଓହ୍ଲେଇ ପଡ଼ିଲେ ତଳକୁ । ମୁହଁ ହାତ ଧୋଇବା ପାଇଁ, ଶୌଚାଳୟ ଆଡ଼କୁ ମୁହାଁଇଲେ । ଗଲାବାଟରେ ଦେଖିଲେ, ଜଣେ ଯୁବକକୁ ଟିଟି ଧମକ ଚମକ କରୁଛନ୍ତି । ଶିକ୍ଷିତ, ଭଦ୍ର ଭଳି ଦିଶୁଥିବା ଯୁବକଟି ଅନୁନୟ ବିନୟ ହୋଇ କିଛି କହୁଛି, କିନ୍ତୁ ତା କଥା ଶୁଣୁ ନାହାଁନ୍ତି ଟିଟି । ଅଶୋକବାବୁ ସେଥିରେ ମୁଣ୍ଡ ନ ପୁରାଇ ନିଜ ସିଟରେ ଆସି ବସିଲେ ।
କିଛି ସମୟପରେ ସେହି ଯୁବକ ଅଶୋକବାବୁଙ୍କ ପାଖକୁ ଆସି ଅନୁରୋଧ କଲା, କିଛି ଟଙ୍କା ଧାର ଦେବାପାଇଁ । କହିଲା, ଅନେକ ଲୋକଙ୍କୁ ଧାର ମାଗିଲିଣି କେହି ଦେଉନାହାନ୍ତି । ଆପଣ ଦୟାକରି କିଛି ଟଙ୍କା ଦିଅନ୍ତୁ । ମୁଁ ଆପଣଙ୍କ ଟଙ୍କା ଫେରାଇ ଦେବି । ମୋ ନା ନବୀନ, ସମୟ ଅଭାବରୁ ଟିକେଟ କରି ପାରିଲିନାହିଁ, ଟ୍ରେନରେ ଚଢ଼ିଗଲି । ଏବେ ଟିଟି ଫାଇନ ସ୍ୱରୂପ ଟିକେଟର ଦୁଇଗୁଣ ଟଙ୍କା ମାଗୁଛନ୍ତି, ଯାହାକି ମୋ ପାଖରେ ନାହିଁ । ଟଙ୍କା ନଦେଲେ ଏଇଠି ଓହ୍ଲେଇ ଯାଅ କହୁଛନ୍ତି । ଆସନ୍ତାକାଲି ସୁଦ୍ଧା ମୋତେ ବୋକାରୋରେ ପହଞ୍ଚିବା ଜରୁରୀ ଅଟେ । ବହୁଦିନର ବେକାରୀ ପରେ, ବହୁ କଷ୍ଟରେ ଚାକିରି ଖଣ୍ଡିଏ ମିଳିଛି, ସେଥିରେ ଯୋଗଦେବା ପାଇଁ ଯାଉଛି । ଏଇଠି ଓହ୍ଲାଇ ପଡ଼ିଲେ ମୋ ଚାକିରି ଚାଲିଯିବି ।
ଅଶୋକବାବୁ ଭାବିଲେ, ଯୁବକକୁ ବିଶ୍ୱାସ ଅବିଶ୍ବାସ କରିବାର ବେଳ ୟେ ନୁହଁ । ସେ ସତ ବି କହୁଥାଇ ପାରେ, ମିଛୁଆ ବି ହୋଇଥାଇପାରେ । କିନ୍ତୁ ଏବେ ତା ଆବଶ୍ୟକତାଟି ମୁଖ୍ୟ । ନିଜ ପ୍ୟାଣ୍ଟ ପକେଟରେ ହାତ ପୁରାଇ ପର୍ସ କାଢ଼ିଲେ । ଘରକୁ ପହଞ୍ଚିବା ପର୍ଯ୍ୟନ୍ତ ବାପପୁଅଙ୍କ ସମ୍ଭାବ୍ୟ ଖର୍ଚ୍ଚକୁ ରଖି , ଦେଖିଲେ କିଛିଟଙ୍କା ବଳକା ଅଛି, ଯୁବକଟିର ଆବଶ୍ୟକତା ପୂରଣ ହୋଇଯିବ । ବଳକା ଟଙ୍କା ତା ହାତକୁ ବଢ଼େଇଦେଲେ ସେ । ଅଶୋକବାବୁଙ୍କୁ କୃତଜ୍ଞତା ଜଣେଇ, ଠିକଣାନେଇ ନିଜ ସ୍ଥାନକୁ ଚାଲିଗଲା ଯୁବକ ଜଣକ ।
ପାଖରେ ଥିବା କେତେଜଣ ସହଯାତ୍ରୀ ଅଶୋକବାବୁଙ୍କୁ କହିଲେ, ଆପଣଙ୍କୁ ମୂର୍ଖ ବନେଇ ଚାଲିଗଲା ଯୁବକଟି । ବିନା ଟିକେଟରେ ଯାତ୍ରା କରୁଥିବ, ଧରା ପଡ଼ିଯିବାରୁ କାହାଣୀଟିଏ ଗଢ଼ିଦେଲା । ଆଜିକାଲି ଏମିତି ଠକଙ୍କ ସଂଖ୍ୟା କାହିଁରେ କ’ଣ । ଆପଣ ଆଉ ଆପଣଙ୍କ ଟଙ୍କା ଫେରି ପାଇବେ ନାହିଁ । ଅଶୋକବାବୁ କହିଲେ, ମୁଁ ଟଙ୍କା ଫେରିପାଇବା ଆଶାରଖି ତାକୁ ଟଙ୍କା ଦେଇନି, ତାର ଅସମୟରେ ସାହାଯ୍ୟ କରିବା ଉଚିତ ଭାବି, ତାକୁ ଟଙ୍କା ଦେଇଛି।
ଜଞ୍ଜାଳମୟ ଜୀବନରେ ପଛକୁ ଓଲଟି ଦେଖିବାର ସମୟ କାହିଁ ? ଘଣ୍ଟାର କଣ୍ଟାଭଳି ଅନବରତ ଆଗକୁ ଆଗକୁ ଚଳତମାନ ଜୀବନ । ଛୁଆଙ୍କ ପାଠପଢା ସରଞ୍ଜାମ, ବାପଙ୍କ ଔଷଧ, ଘରଣୀଙ୍କ ତେଲଲୁଣର ବରାଦ, ଯୋଗାଡ କରୁକରୁ ସମୟ ନିଅଣ୍ଟ । ତା ଉପରେ ପୁଣି ବ୍ୟାଙ୍କର କିରାଣୀ ଚାକିରୀ, ସବୁ ସମୟକୁ ଭାଗବଣ୍ଟା କରି ନେଇଯାଆନ୍ତି । ତଥାବି ହସଖୁସିଆ ମଣିଷଟିଏ ଅଶୋକବାବୁ । ଆର୍ଥିକ ସ୍ୱଚ୍ଛଳତା ନ ଥିଲେ ବି ଅଭାବ ତାଙ୍କର ନାହିଁ ।
ଅଫିସ ଯିବାପାଇଁ ତର ତର ହେଉଛନ୍ତି, ଡ଼ାକବାଲା ଆସି ଘରର କଲିଙ୍ଗ ବେଲ ମାରିଲା । ଆସି ଦେଖନ୍ତି ତ, ତାଙ୍କ ନାମରେ ମନିଅଡ଼ର ଆସିଛି । ଆଶ୍ଚର୍ଯ୍ୟ ହେଲେ ଅଶୋକବାବୁ !! କିଏ କାହିଁକି ତାଙ୍କୁ ଟଙ୍କା ପଠାଇବ ? ପୁଣି ଏତେ ଅଳ୍ପ ? ଫର୍ମରେ ଦସ୍ତଖତ ଦେଇ ଟଙ୍କା ରଖିଲେ । ଦେଖିଲେ କୃତଜ୍ଞତା ଭରା ଦୁଇଧାଡ଼ି ଲେଖା ଅଛି ସେଠାରେ । ମନେ ପଡ଼ିଗଲା ଛଅମାସ ତଳେ ଚେନ୍ନାଇରୁ ଫେରୁଥିବା ବେଳେ, ଟ୍ରେନରେ ଯୁବକର ଅସହାୟତା ଓ ତାକୁ ଦେଇଥିବା କିଛି ଟଙ୍କା। ସେହି ଯୁବକଟି ଡାକ ଯୋଗେ ଧାରଟଙ୍କା ଫେରେଇ ଦେଇଛି ।
ପ୍ରକୃତରେ ଯୁବକଟି ତାଙ୍କ ଠାରୁ ଧାର ହିଁ ନେଇଥିଲା । ତାଙ୍କୁ ଠକିବା ବା ଲୁଟିବା, ତାର ଉଦ୍ଦେଶ୍ୟ ନଥିଲା । ଖୁସି ଓ ସନ୍ତୁଷ୍ଟିରେ ଭରିଗଲା ଅଶୋକବାବୁଙ୍କ ହୃଦୟ । ଫେରି ପାଇଥିବା ଅଳ୍ପ ଟଙ୍କା ପାଇଁ ନୁହଁ , ମଣିଷ ମଣିଷ ଉପରୁ ଉଠି ଯାଉଥିବା ବିଶ୍ୱାସକୁ, ଯୁବକଟି ଭୁଲ ପ୍ରମାଣିତ କରି ଦେଇଛି ।
ସମ୍ବଲପୁର
Comments are closed.