ମିରିନା ମହାନ୍ତି
ସେଇଠି, ସେପାଖେ
ଯୁକ୍ତଚିହ୍ନ ସହ ଲେଖା ହୋଇଥିଲା
ଆମ ନାଁ ।
ଆଜି ସେଠି ଗାଢ ସବୁଜ ରଙ୍ଗର
ଘନ କୁଞ୍ଜଲତା,
ତା ଦେହରେ ନାଲି ନାଲି କୁନିଫୁଲ।
ସେତେବେଳେ ଆକାଶଟା ବେଶି ନୀଳ ନୀଳ
ଢେଉମାନେ ଧୋବ ଫରଫର
ତୁମ ଆଖି ଥିଲା ଏତିକି ଗଭୀର ଯେ,
ଏକାବେଳକେ ଲୁଚିଯାଏ ସମୁଦ୍ର, ଆକାଶ।
ଆଜି ଅବିକଳ ଦିଶିଯାଏ ଆଖି ବୁଜିଦେଲେ।
ପଥର ଦିଶୁନାହିଁ ସିନା
କୁଞ୍ଜଲତାର କୁନି ପାହାଡ଼ ସେପାଖୁ ଦିଶୁଛି ହସିଲା ଆଖିରେ ତୁମ ମୁହଁ।
କେବେ ଯଦି ଏକୁଟିଆ ତୁମେ ଆସିଥିବ, ହୁଏତ ଭେଟିଥିବ ସମୟକୁ ଏଠି।
ସେହି ସମୟକୁ ଯୁକ୍ତ ଚିହ୍ନର
ଅବା ଯୁକ୍ତ ଓଠର।
ଅଥଚ କଥା ନଥିଲା ଏକୁଟିଆ ଭେଟିବାକୁ ତାକୁ।
ସେଇ ଦୁଷ୍ଟାମିଭରା ହସ,
ହାତପାପୁଲିରେ ସ୍ବପ୍ନ
ଆଉ ଚଞ୍ଚଳ ସମୟକୁ
କାନି ପଣତରେ ଗୋଟାଇ ନେବାକୁ, କଥା ଥିଲା।
ସ୍ବପ୍ନର ମୋତିସବୁ ପାଲଟି ଯାଇଛନ୍ତି କୁଞ୍ଜଲତାର ନାଲିଫୁଲ।
ସେଥିପାଇଁ ଆଜି ମୁଁ ଏକଲା ପକ୍ଷୀ।
ମତେ ଆଉ କିଏ ଫେରାଇ ପାରେନା
ମୋର ସବୁକୁ, ପଥର ଛାତିରେ ଲେଖାଥିବା
ମୋ ଓଠର ଛୁଆଁକୁ ।