Latest Odisha News

BREAKING NEWS

ଗୁରୁବାର ସନ୍ଧ୍ୟା ୬ରୁ ରାତି ୧୦ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ

ପୁରୀ: ରାତିପାହିଲେ ମାର୍ଗଶିର କୃଷ୍ଣ ନବମୀ ତିଥି । ଏହି ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସାଧାରଣ ଲୋକଙ୍କ ପାଇଁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ସନ୍ଧ୍ୟା ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଦର୍ଶନ ବନ୍ଦ ରହିବ ।

ଦ୍ୱିତୀୟ ଭୋଗ ମଣ୍ତପ ପରେ ଦତ୍ତ ମହାପାତ୍ର ସେବାୟତମାନେ ରତ୍ନବେଦୀରେ ମହାପ୍ରଭୁଙ୍କ ଏହି ଗୁପ୍ତ ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ଏହା ଏକ ଗୁପ୍ତ ସେବା ହୋଇଥିବାରୁ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ ।

ପ୍ରଥା ଓ ପରମ୍ପରା ଅନୁଯାୟୀ, ମହାପ୍ରଭୁଙ୍କ ଶ୍ରୀମୁଖକୁ ବିଭିନ୍ନ ପ୍ରାକୃତିକ ରଙ୍ଗରେ ସଜ୍ଜିତ କରାଯିବ । ଏଥିପାଇଁ ଆବଶ୍ୟକ ହେଙ୍ଗୁଳ, ହରିତାଳ, କର୍ପୁର ଓ କସ୍ତୁରୀ ବ୍ୟବହାର କରାଯାଇ ଦତ୍ତ ମହାପାତ୍ର ସେବାୟତମାନେ ଏହି ନୀତି ସମ୍ପନ୍ନ କରିବେ । ବନକ ଲାଗି ବା ଶ୍ରୀମୁଖ ଶୃଙ୍ଗାର ଦ୍ୱାରା ଶ୍ରୀଜିଉଙ୍କ ମୁଖ ମଣ୍ତଳ ଅଧିକ ସୁନ୍ଦର ଓ ଆକର୍ଷଣୀୟ ଦେଖାଯାଇଥାଏ ।

Comments are closed.