ଥିରୁଅନନ୍ତପୁରମ୍: କେରଳର ସାବରିମାଳା ପ୍ରଭୁ ଅୟପ୍ପା ମନ୍ଦିରରେ ଚାଲିଥିବା ମଣ୍ଡଳ-ମକରବିଲକ୍କୁ ତୀର୍ଥଯାତ୍ରା ଋତୁରେ ଚଳିତ ବର୍ଷ ସଡ଼କ ଦୁର୍ଘଟଣାରେ ଯଥେଷ୍ଟ ହ୍ରାସ ଘଟିଛି । ଏହା ହେଉଛି କେରଳ ମୋଟର ଯାନ ବିଭାଗ (ଏମଭିଡି) ର ‘ନିରାପଦ ଜୋନ୍ ପ୍ରୋଜେକ୍ଟ’ର ସଫଳତାର ପରିଣାମ । ତୀର୍ଥଯାତ୍ରୀମାନଙ୍କ ପାଇଁ ସୁରକ୍ଷିତ ଯାତ୍ରା ସୁନିଶ୍ଚିତ କରିବାରେ ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।
ସରକାରୀ ତଥ୍ୟ ଅନୁଯାୟୀ, ଗତ ୨୧ ଦିନ ମଧ୍ୟରେ ପଥାନାମଥିଟ୍ଟା, କୋଟାୟମ ଏବଂ ଇଡୁକ୍କି ଜିଲ୍ଲାର ଇଲାବୁଙ୍କଲ, ଏରୁମେଲି ଏବଂ କୁଟ୍ଟିକନମ ଅଞ୍ଚଳରେ ମୋଟ ୩୮ଟି ସଡକ ଦୁର୍ଘଟଣା ରେକର୍ଡ କରାଯାଇଛି ।
ଏହି ଦୁର୍ଘଟଣାରେ ୨୦ ଜଣ ସାମାନ୍ୟ ଆହତ ହୋଇଥିବାବେଳେ କେହି ମୃତାହତ ହୋଇନାହାଁନ୍ତି । ଗତ ବର୍ଷ ସମାନ ସମୟ ତୁଳନାରେ ଏହି ସଂଖ୍ୟା ବହୁତ ଭଲ, କାରଣ ଗତ ବର୍ଷ ଏହି ରାସ୍ତାରେ ୬୦ଟି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଉଲ୍ଲେଖଯୋଗ୍ୟ, ୨୦୨୩ ମସିହାରେ ଏରୁମେଲି ଏବଂ କୁଟ୍ଟିକନମ ଅଞ୍ଚଳରେ ୨୨ ଏବଂ ୨୬ ଦୁର୍ଘଟଣା ରେକର୍ଡ କରାଯାଇଥିଲା । ଚଳିତ ବର୍ଷ ଏହି ଦୁର୍ଘଟଣା ହ୍ରାସ ହେତୁ ସ୍ଥାନୀୟ ପ୍ରଶାସନ ଏବଂ ତୀର୍ଥଯାତ୍ରୀମାନେ ଖୁସି ଅନୁଭବ କରୁଛନ୍ତି ।
ଏହି ସବୁ କାରଣରୁ ଉନ୍ନତି ଆସିଛି-
ଇଡୁକ୍କି ଏନଫୋର୍ସମେଣ୍ଟ ଆରଟିଓର କେ ରାଜୀବ କହିଛନ୍ତି ଯେ, ଦୁର୍ଘଟଣା ହ୍ରାସ ହେବାର ମୁଖ୍ୟ କାରଣ ହେଉଛି ପାଟ୍ରୋଲିଂ ବୃଦ୍ଧି, ସଡକ ଅବସ୍ଥାରେ ଉନ୍ନତି ଏବଂ ଅନୁକୂଳ ପାଗ । ମୋଟର ଯାନ ବିଭାଗ ଏବଂ କେରଳ ସଡକ ସୁରକ୍ଷା ପ୍ରାଧିକରଣ ମିଳିତ ଭାବେ ୨୪ଟି ସ୍କ୍ୱାଡ୍ ନିୟୋଜିତ କରିଛନ୍ତି । ତୀର୍ଥଯାତ୍ରାର ମୁଖ୍ୟ ମାର୍ଗରେ ଏହି ସ୍କ୍ବାର୍ଡ ମୁଖ୍ୟ ମାର୍ଗରେ କଡା ନଜର ରଖିଥାନ୍ତି । ଏହି ଋତୁରେ ଏପର୍ଯ୍ୟନ୍ତ ପ୍ରାୟ ୪୦ ଲକ୍ଷ ଛୋଟ ଏବଂ ବଡ ଯାନ ସାବରିମାଳା ତୀର୍ଥଯାତ୍ରା ମାର୍ଗ ଦେଇ ଯାଇଛନ୍ତି । ଏତେ ସଂଖ୍ୟକ ଯାନ ସତ୍ତ୍ବେ ଦୁର୍ଘଟଣା ହ୍ରାସ ସେଫ୍ ଜୋନ୍ ପ୍ରକଳ୍ପର ସଫଳତାକୁ ଦର୍ଶାଏ ।
ଏହି ପ୍ରକଳ୍ପ ଅଧୀନରେ ରୁଟରେ ସଡ଼କ ଚିହ୍ନର ଉନ୍ନତି, ସିସିଟିଭି କ୍ୟାମେରା ଲଗାଇବା ଏବଂ ଡ୍ରାଇଭରମାନଙ୍କ ପାଇଁ ସଚେତନତା ଅଭିଯାନ ଭଳି ପଦକ୍ଷେପ ନିଆଯାଇଛି । ସରକାର କହିଛନ୍ତି ଯେ ଏରୁମେଲି, କୁଟ୍ଟିକନମ ଏବଂ ଇଲାଭୁଙ୍କଲ ଭଳି ସମ୍ବେଦନଶୀଳ ଅଞ୍ଚଳରେ ସଡକ ଅବସ୍ଥାରେ ଉନ୍ନତି କରାଯାଇଛି । ଏହି ଅଞ୍ଚଳରେ ବିପଜ୍ଜନକ ମୋଡ଼ ଏବଂ ସଂକୀର୍ଣ୍ଣ ରାସ୍ତାରେ ଅତିରିକ୍ତ ସୁରକ୍ଷା ପ୍ରତିବନ୍ଧକ ଲଗାଯାଇଛି । ଏହା ବ୍ୟତୀତ, ପାଟ୍ରୋଲିଂ ଏବଂ ଯାଞ୍ଚ ମାଧ୍ୟମରେ ନିୟମ ଉଲ୍ଲଂଘନ କରୁଥିବା ଡ୍ରାଇଭରମାନଙ୍କ ଉପରେ ଲଗାମ ଲଗାଯାଇଛି ।
Comments are closed.