Latest Odisha News

BREAKING NEWS

ଶିକ୍ଷାର୍ଥୀଙ୍କ ନିରାପତ୍ତା ନେଇ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍‌ ଜାରି  

ନୂଆଦିଲ୍ଲୀ: ଶିକ୍ଷାର୍ଥୀଙ୍କ ନିରାପତ୍ତା ନେଇ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଦ୍ୟାଳୟ ମାନଙ୍କରେ ବାଧ୍ୟତାମୂଳକ ଭାବେ ସୁରକ୍ଷା ଅଡିଟ୍ କରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।

ତେବେ ରାଜସ୍ଥାନର ଝାଲାୱାର ଜିଲ୍ଲାରେ ଏକ ସରକାରୀ ସ୍କୁଲର କୋଠା ଭୁଶୁଡ଼ିବା ଘଟଣାରେ ପ୍ରାୟ ସାତ ଜଣ ପିଲାଙ୍କ ମୃତ୍ୟୁ ହୋଇଥିବା ବେଳେ ୨୮ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଯାହା ପରେ କେନ୍ଦ୍ର ପକ୍ଷରୁ ଏଭଳୀ ନିର୍ଦ୍ଦେଶନାମା ଜାରି ହୋଇଛି।

ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଜାତୀୟ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ସ୍କୁଲ ଏବଂ ଶିଶୁ ମାନଙ୍କ ସୁରକ୍ଷା ପାଇଁ ବାଧ୍ୟତାମୂଳକ ଭାବରେ ସୁରକ୍ଷା ଅଡିଟ୍ କରାଯିବ। ଯେଉଁଥିରେ କର୍ମଚାରୀ ଏବଂ ପିଲାମାନଙ୍କୁ ଜରୁରୀକାଳୀନ ପରିସ୍ଥିତି ପାଇଁ ପ୍ରସ୍ତୁତି କରିବା ପାଇଁ ତାଲିମ ଦିଆଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍କୁଲର କାନ୍ଥର ଦୃଢ଼ତା ସହ ଅଗ୍ନି ନିରାପତ୍ତା, ଜରୁରୀକାଳୀନ ପ୍ରସ୍ଥାନ ପଥ ଏବଂ ବିଦ୍ୟୁତ୍ ତାର ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। କର୍ମଚାରୀ ଏବଂ ପିଲାମାନଙ୍କୁ ଉଦ୍ଧାର ଅଭ୍ୟାସ, ପ୍ରାଥମିକ ଚିକିତ୍ସା ଏବଂ ସୁରକ୍ଷା  ନିୟମ ବିଷୟରେ ସଚେତନତା କରାଇବା ସହ ବ୍ୟାୟାମ କରିବା ମଧ୍ୟ ବାଧ୍ୟତା ମୂଳକ ହେବା ଉଚିତ୍।

ତେବେ କେବଳ ଶାରୀରିକ ଭାବରେ ସୁରକ୍ଷିତ ନୁହେଁ ବରଂ ମାନସିକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଗୁରୁତ୍ୱ ଦେବା ଉଚିତ୍ ବୋଲି ସେ କହିଛନ୍ତି। ଏଥିସହିତ ଛାତ୍ରଛାତ୍ରୀଙ୍କ ସମ୍ବଦ୍ଧିତ କୌଣସି ଦୁର୍ଘଟଣା କିମ୍ବା ବିପଦପୂର୍ଣ୍ଣ ଘଟଣା ସମ୍ପର୍କରେ ୨୪ ଘଣ୍ଟା ମଧ୍ୟରେ ସମ୍ପୃକ୍ତ ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ କରିବା ବାଧ୍ୟତାମୂଳକ। ତେବେ ଯଦି କେହି ଏହାକୁ ଅଣଦେଖା କରନ୍ତି ସେମାନଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି।

ବିଳମ୍ବ ନ କରି ଏହି ସବୁ ସୁରକ୍ଷା ପଦକ୍ଷେପଗୁଡ଼ିକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନେବା ଉଚିତ ବୋଲି ଅଧିକାରୀ କହିଛନ୍ତି।

 

Comments are closed.