Latest Odisha News

BREAKING NEWS

ଇଂଜିନିୟର ଅକ୍ଷୟ ରାୟ : ଏକ ଶ୍ରଦ୍ଧାଂଜଳି

ଏଇ ଏବେଏବେ ଖବର ଆସିଛି, ସେ ଚାଲିଗଲେ । କିଛିଦିନ ଆଗରୁ ଖବର ଆସିଥିଲା, ସେ ଗୁରୁତର ଅସୁସ୍ଥ ହୋଇ ମାସେକାଳ ହସ୍‍ପିଟାଲରେ ପଡ଼ିଥିଲେ, ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଆସିବା ଓ ଫେରିବା ତ ଜୀବନର ଶଶିକଳା । ପ୍ରତିପଦରୁ ବଢେ଼, ପହଂଚେ ପୂର୍ଣ୍ଣମୀରେ ତାପରେ କ୍ଷୟ ପାଏ… । ହେଲେ ଅକ୍ଷୟଙ୍କର କ୍ଷୟ କାହିଁ? ଭାରତବିଖ୍ୟାତ ଜଣେ ଲେଖିକା ଯାହାଙ୍କର ପତ୍ନୀ, ତାଙ୍କର ଫେରିଯିବା କି ସତରେ ଫେରିଯିବା? ତାଙ୍କର କ୍ଷୟ କଣ ସତରେ କ୍ଷୟ?

ଇଂଜିନିୟର ଅକ୍ଷୟ ଚନ୍ଦ୍ର ରାୟ । ସୁଖ୍ୟାତ ଲେଖିକା ଡକ୍ଟର ପ୍ରତିଭା ରାୟଙ୍କ ସ୍ୱାମୀ । ରାଜକୀୟ ଚେହେରା । ଠୋ ଠା କଥାବାର୍ତ୍ତା । କେତେଥର ‘ଆଖ୍ୟାୟିକା’ରେ ଭେଟ ହୋଇଛି । ଗଂଭୀର ଅଥଚ ମେଳାପୀ । ପ୍ରଶ୍ନରେ କାବୁ କରିନେବାର କଳା ଜଣା ତାଙ୍କୁ । ଅସରନ୍ତି ଅଭିଜ୍ଞତାର ଗପରେ ମୋହିତ କରିବାରେ ସେ ମାହିର୍‍ । ବାହାରକୁ ରୁକ୍ଷ ଓ ପଥୁରିଆ ଦିଶୁଥିବା ତାଙ୍କ ବ୍ୟକ୍ତିତ୍ୱର ଭିତରପଟେ ଥାଏ ଏକ ଛଳଛଳ ରସିକତାର ଝରଣା ।

ବିବାହ ପରେ, ପତ୍ନୀ ପ୍ରତିଭାଙ୍କ ସହ ପ୍ରଥମ ସାକ୍ଷାତରେ ସେ କଣ ଆଦେଶ ଦେଇଥିଲେ ଜାଣନ୍ତି? “ମୋ ବାପାଙ୍କର କୌଣସି ଫଟୋ ଆମେ ରଖିପାରିନାହୁଁ । ପ୍ରଥମେ ମୋ ବାପାଙ୍କୁ ସ୍ମରଣ କରି ସେଠି କାନ୍ଥରେ ପ୍ରଣାମ କର ।” ନବବିବାହିତା ପତ୍ନୀ, ସ୍ୱାମୀଙ୍କର ଏ ନିଦେ୍ର୍ଧଶ ପଛରେ ଥିବା ପିତୃଭକ୍ତି ଦେଖି ତରଳି ଯାଇଥିଲେ ଓ ତାଙ୍କ କଥାମାନି ପିତୃପୁରୁଷଙ୍କୁ ପ୍ରଣାମ ଜଣାଇଥିଲେ । ହେଲେ ତା ପରେ କଣ ହେଲା ଜାଣନ୍ତି? ସେଇପରି ଗଂଭୀର ଗଳାରେ ସେ କହିଥିଲେ, “ଏବେ ମୋତେ ପ୍ରଣାମ କର ।” ଦ୍ୱିତୀୟ ବାକ୍ୟଟି ଶୁଣି ଓଢ଼ଣା ଭିତରେ ହସିପକାଇଥିଲେ ପ୍ରତିଭା ।

ଗଂଭୀରତା ଭିତରେ ରସିକତାର ଇଏ ଏକ ଛୋଟ ଉଦାହରଣ । ସଂଭ୍ରାନ୍ତ ରାୟବଂଶର ବୋହୂ, ଇଂଜିନିୟରଙ୍କର ପତ୍ନୀ, ପରେପରେ ତିନୋଟି ପିଲାଙ୍କର ମା ହେବାର ସାଂସାରିକ ଦାୟିତ୍ୱ ଓ ଜଂଜାଳ ଭିତରେ ଜଣେ ଲେଖିକା ଭାବେ ନିଜକୁ ପ୍ରତିଷ୍ଠା କରିପାରିବାର ସିଂହଭାଗ ଶ୍ରେୟ ନିଶ୍ଚୟ ଯିବ ଡକ୍ଟର ପ୍ରତିଭା ରାୟଙ୍କ ପାଖକୁ; ଏଥିରେ ସଂଦେହ ନାହିଁ । କିନ୍ତୁ କିଛି ଭାଗର ହକ୍‍ଦାର ତ ନିଶ୍ଚୟ ହେବେ ଇଂଜିନିୟର ଅକ୍ଷୟ ରାୟ । ପ୍ରଚ୍ଛଦପଟ୍ଟରେ, ଅନ୍ତରାଳରେ ରହି ପତ୍ନୀଙ୍କ ଲେଖିବାର ତାଡ଼ନାକୁ ହୁଏତ ତୀବ୍ର କରିଥିବେ ସେ ଅଦୃଶ୍ୟ ଭାବେ ।

ଅକ୍ଷୟ ରାୟଙ୍କ ମରଦେହ ଆଜି କ୍ଷୟ ହୋଇଛି । ଝିଅ ଆଦ୍ୟାଶା, ପୁଅ ଅନ୍ୱେଷ ଓ ଅୟସ୍କାନ୍ତଙ୍କ ଉପସ୍ଥିତିରେ ସେ ବିଦାୟ ନେବେ ଏ ପୃଥିବୀରୁ । ହେଲେ ସତରେ କଣ ତାଙ୍କର କ୍ଷୟ ସଂଭବ, ଯେତେଦିନଯାଏ ଆମ ହାତରେ ପ୍ରତିଭା ରାୟଙ୍କ ବହି ଅଛି?

ଜୀବଦ୍ଧଶାରେ ଯଂତ୍ରଣାର ହଜାରେ ବୈଧବ୍ୟ ଭୋଗିଥିବା ପି୍ରୟ ଲେଖିକାଙ୍କୁ ଏ ଅସମୟରେ କେଉଁ ଭାଷାରେ ବା ପ୍ରବୋଧି ହେବ? ପଦ୍ମପତ୍ରରେ ଜୀବନ ଯେ ଢଳଢଳ, ତାହା ତାଙ୍କଠୁ ଅଧିକ ବା କିଏ ଜାଣିଥିବ!!

Leave A Reply

Your email address will not be published.