Latest Odisha News

ଅକୁହା କଥା

ଅକୁହା କଥା

ପ୍ରଜ୍ଞା ନିବେଦିତା ନାୟକ

ଧୀରେ କୁହ;
କାଳେ କିଏ ଶୁଣିନେବ
ତୁମ ଛାତିତଳର ସ୍ପନ୍ଦନ
ଆଉ ମୋ ନିଃଶ୍ଵାସର ସ୍ଵର ।

ମିଞ୍ଜିମିଞ୍ଜି ତାରାଭରା ଜହ୍ନରାତିରେ
ଗୋଲାପ ପାଖୁଡାର ବର୍ଷା
ପୁଣି ନିଦର ସଉଦା।

ପ୍ରଶ୍ନଭରା ଆଖିରେ ପ୍ରଣୟର ପ୍ରତିଛବି
ଲଜ୍ଜାର ଓଢ଼ଣା ଫାଙ୍କେ
ଚାହିଁ ରହିଥାଏ ନିରବରେ।

ବୟସ ଜ୍ଵାଳାରେ
ଲେଲିହାନ ଶିଖାପରି
କଣ୍ଠ ଆଜି ବାଷ୍ପରୁଦ୍ଧ
ସ୍ଵର ଅବନମିତ
ଆଉ ତୁମ ଶୀତଳ ଛୁଆଁରେ
ଦେହରେ ପୁଲକ ।

କାନ ପାଖରେ ଗୁଞ୍ଜନ
ଭଅଁରଟି ପରି ଉଡିବୁଲେ
ଏପାଖରୁ ସେପାଖ
ଅନାୟାସରେ..

ସାଗରେ ତରଙ୍ଗ ପୁଣି
ଶାମୁକାରେ ମୁକ୍ତା
ପ୍ରୀତିଭରା ମଧୁଭରା
ଆଉ ପୁଣି ସମ୍ମୋହନର କୁହେଳିକା ।

କି ମିଠା ଅନୁଭୂତି ସତେ !
ଏ ଶୁନଶାନ୍ ରାତିରେ
କାଳେ କିଏ ଶୁଣି ନେବ
ଟିକେ ଧୀରେ କୁହ ନା…!

…………………………………………
ସାଲେପୁର, କଟକ, ୭୫୪୨୦୨
ମୋ – ୬୩୭୦୧୬୯୬୪୯

Comments are closed.