ସୁସ୍ମିତା ରଥ ସମକାଳର ଓଡ଼ିଆ କଥାସାହିତ୍ୟରେ ଏକ ଜଣାଶୁଣା ନାମ। କଟକର କାଳୀଗଳିରେ 6 ଅକ୍ଟୋବର 1958ରେ ତାଙ୍କର ଜନ୍ମ। ଭକ୍ତକବି ମଧୁସୂଦନ ରାଓ ଏବଂ ପ୍ରସିଦ୍ଧ କବି ଭାନୁଜୀ ରାଓଙ୍କ ବଂଶରେ ଜନ୍ମଗ୍ରହଣ କରି ସେ ସାହିତ୍ୟ ସହ ପିଲାଟିଦିନରୁ ଜଡିତ ହେବାର ଅବକାଶ ପାଇଥିଲେ। ସ୍ମୃତିର ରଙ୍ଗ, ଭିନ୍ନ ପୃଥିବୀ, ଦୃଷ୍ଟିର ଏପାଖ ସେପାଖ, ପରିବର୍ତ୍ତିତ ମୂହୁର୍ତ୍ତ କେତୋଟିକୁ ନେଇ, ଅଦ୍ଵିତୀୟା, ଶ୍ରେଷ୍ଠ ଗଳ୍ପ, ଅସ୍ତିତ୍ଵ – ଆଦି ଗଳ୍ପ ସଙ୍କଳନର ଲେଖିକା ଭାବେ ସେ ପାଠକ ମହଲରେ ଜଣାଶୁଣା। ଝଙ୍କାର ଗଳ୍ପ ସମ୍ମାନ, ସହକାର ଗଳ୍ପ ସମ୍ମାନ, ଅଞ୍ଜନ ପ୍ରଧାନ ସ୍ମୃତି ସମ୍ମାନ, ଫକୀରମୋହନ ଗଳ୍ପ ପୁରସ୍କାର, ଲେଖିକା ସଂସଦ ପୁରସ୍କାର ଆଦି ଅନେକ ସ୍ୱୀକୃତି ସେ ପାଇଛନ୍ତି ଜଣେ ସୁଲେଖିକା ଭାବେ। ଡାକ୍ତର ଜୟନ୍ତ ରଥଙ୍କ ସହଧର୍ମିଣୀ ଭାବେ ଶ୍ରୀମତୀ ରଥ ସମ୍ପ୍ରତି ‘ଗଙ୍ଗାଧର ରଥ ଫାଉଣ୍ଡେସନ’ର ସମ୍ପାଦିକା ଭାବେ କାର୍ଯ୍ୟ କରିବା ସହିତ ସପରିବାର କଟକରେ ଅବସ୍ଥାନ କରୁଛନ୍ତି। ତାଙ୍କ ସହ ସରୋଜ ବଳଙ୍କ ଅନ୍ତରଙ୍ଗ ଆଳାପ:
ସଫଳ ଗଳ୍ପ ଜଣଙ୍କୁ କିଛି ସମୟ ପାଇଁ ଚୁପ୍ କରେଇଦିଏ: ସୁସ୍ମିତା ରଥ
ଆପଣ ଜଣେ ଗାଳ୍ପିକ ଭାବେ ପାଠକମହଲରେ ଜଣାଶୁଣା। ପ୍ରସିଦ୍ଧ କବି ଭାନୁଜୀ ରାଓଙ୍କ ବଂଶଧର ହୋଇ ଆପଣ କବିତା ପ୍ରତି କେମିତି ନଜରଅନ୍ଦାଜ କଲେ?
ମୁଁ ଲେଖା ଆରମ୍ଭ କଲି ବୋଧେ୨୦୦୨ରେ । ତା ପୂର୍ବରୁ ଲେଖିବି ବୋଲି କେବେ ଭାବି ନଥିଲି। ୨୦୦୧ରେ ମୋ ବଡବାପା ଓ କାକାଙ୍କର ମାସେ ତଫାତରେ ମୃତ୍ୟୁ ହେଲା। କାକାଙ୍କ ମୃତ୍ୟୁ ଏତେ ଆକସ୍ମିକ ଥିଲା ଯେ ମନଭିତରେ ସବୁକିଛି ଓଲଟପାଲଟ ହେଇଗଲା। ଚାରିଆଡ ଶୂନ୍ୟ। କେଜାଣି କାହିଁକି ମନେ ହେଲା ଆମଘରର ସାହିତ୍ୟିକ ପରମ୍ପରାକୁ ଏବେ ମତେ ଆଗକୁ ନବାକୁ ହବ। କାକାଙ୍କୁ ନେଇପ୍ରଥମ ଗପଟି ଲେଖା। ସେତେବେଳେ କେମିତି କଣ ଲେଖାହୁଏ, ସେକଥା ମନକୁ ଆସିନଥିଲା। ଆବେଗବଶତଃ ଲେଖିଯାଉଥିଲି। କବିତା ଲେଖିପାରିବି ବୋଲି ସନ୍ଦେହ ଥିଲା। ତେଣୁ ଗପକୁ ମାଧ୍ୟମ କରିଥିଲି। ଯାହା ଏଯାଏଁ ବଦଳିନି।
ପ୍ରତିଟି ଲେଖକ ତାର ନିଜ ସୃଷ୍ଟିର ଶ୍ରେଷ୍ଠ ସମୀକ୍ଷକ। ଆପଣ ନିଜ ଗଳ୍ପ ରଚନାର ସବଳ ଓ ଦୁର୍ବଳ ଦିଗ ବିଷୟରେ କଣ କହିବେ?
ଯେତେବେଳେ ମୁଁ ଲେଖା ଆରମ୍ଭ କଲି, (ଯଦିଓ ମୁଁ ଓଡ଼ିଆ ସାହିତ୍ୟର ଛାତ୍ରୀ ଥଲି) ଭଲ-ମନ୍ଦ, ସବଳ-ଦୁର୍ବଳ ଦିଗ ବିଷୟରେ ଭାବିନଥିଲି। କ୍ରମଶଃ ମୁଁ ନିଜ ଭିତରକୁ ଫେରିଲି। ଗପ କେମିତି ହବା ଉଚିତ ଭାବିଲି। ଗପଟିକୁ ଠିକ୍ ଭାବେ ଲେଖିବାକୁ ଚେଷ୍ଟା କଲି। ସେଥରେ ସମାଜର ଚିନ୍ତା ରହିଲା। ମଣିଷ ବିଷୟରେ କଥା ରହିଲା। ତଥାପି ମୁଁ ଭାବେ, ଯାହା ମୁଁ ପ୍ରଥମ ପ୍ରୟାସରେ ଆବେଗବଶତଃ, ମଗ୍ନ ହେଇ ଲେଖିଥିଲି, ସେଗୁଡିକ ହୁଏତ ଅଧିକ ପରିମାଣରେ ମୋର ଅନ୍ତର ଭିତରୁ ଆସିଥିଲା।
ନାରୀଟିଏ ଲେଖନୀ ଚାଳନା କଲାବେଳେ ଅନେକ ବିଚାରଗତ ବାଧା ସାମ୍ନାରେ ଠିଆହୁଏ ବୋଲି ବହୁ ସମୟରେ ଚର୍ଚ୍ଚା ହୋଇଛି। ଆପଣ କେଉଁ ବାଧାସବୁ ସାମ୍ନା କରିଛନ୍ତି?
ବୟସ ହିସାବ କଲେ ମୁଁ ବହୁତ ଡେରିରେ ଲେଖା ଆରମ୍ଭ କଲି। କିନ୍ତୁ ଜଣେ ଲେଖିକା ଭାବରେ ମତେ ତରୁଣ କୁହାଯାଇ ପାରେ। ସେଥିପାଇଁ ପୁରାତନ ଓ ନୂତନ ଚିନ୍ତାଧାରା ନେଇ କିଛିଟା ତଫାତ ରହିଯାଏ। ବିଚାରଧାରାର ଫରକ୍ । ଆଜିର ନାରୀ ବେଶ୍ ସୁନ୍ଦର ଭାବରେ ନିଜକୁ ଉପସ୍ଥାପନ କରିପାରେ। ବେଳେବେଳେ ଖୁବ୍ ଖୋଲାଖୋଲି ମଧ୍ୟ। କିନ୍ତୁ ମୁଁ ଲେଖିବାକୁ ବସିଲେ ବହୁତ କିଛି ଭାବିଚିନ୍ତି ଲେଖେ। କିଛି ଶବ୍ଦ, କିଛି ବାକ୍ୟ ଚାହିଁ କରି ମଧ୍ୟ ଲେଖି ପାରେନି। ଏହା ମୋ ନିଜର ଅନ୍ତରଗତ ବାଧା। ଏହାକୁ ଟପିଯିବା ମୋ ପାଇ ସହଜ ନୁହେଁ ଓ ଏଥିପାଇଁ ମୁଁ ଦୁଃଖ କରୁନି।
ଆପଣଙ୍କ ଦୃଷ୍ଟିରେ ସଫଳ ଗଳ୍ପ କେଉଁଟା? କେଉଁ ଉପାଦାନ ଥିଲେ ଗପଟିଏ ପରିପୁଷ୍ଟ ହୁଏ ବୋଲି ଆପଣ ଭାବନ୍ତି?
ମୋ ଦୃଷ୍ଟିରେ ସଫଳ ଗପ ଜଣଙ୍କୁ କିଛି ସମୟ ପାଇଁ ଅନ୍ତତଃ ଚୁପ୍ କରେଇଦିଏ। କିଛି ସମୟ ଚିନ୍ତା କରିବାକୁ ବାଧ୍ୟ କରେ ଓ ଚିରଦିନ ପାଇଁ ମନଭିତରେ ଛପି ରହିଯାଏ। ଏଥିପାଇଁ କୌଣସି ଗୋଟିଏ ଉପାଦାନ ଜରୁରୀ ନୁହେଁ। କିଛି ଆବେଗ, କିଛି ସଙ୍ଘାତ, କିଛି ଘଟଣା- କୋଉଟା ହଠାତ ମଣିଷକୁ ସ୍ତବ୍ଧ କରିଦବ, କହିହୁଏନି।
ଭାରତୀୟ ସଂସ୍କୃତିରେ ଗୋଟେ ବିବାହିତା ନାରୀ ଦଶଭୁଜା ହୋଇ ଅନେକ ଦାୟିତ୍ଵ ଏକକାଳୀନ ହାତକୁ ନେଇଥାଏ। ଆପଣ ବି ଜଣେ ସୁଗୃହିଣୀ। ସଂସାର ଓ ସାହିତ୍ୟକୁ କେମିତି ହ୍ୟାଣ୍ଡଲ୍ କରନ୍ତି?
ଏକଥା ସତ ଜଣେ ଲେଖକ ଓ ଲେଖିକାଙ୍କ ମଧ୍ୟରେ ତଫାତ ରହେ। କିନ୍ତୁ ନାରୀ ଓ ପୁରୁଷ ଦୁହିଁଙ୍କ ଜୀବନରେ ଅନେକ ସମସ୍ୟା ଥାଏ। ନାରୀକୁ ଘର ଓ ବାହାର ସବୁ ଦେଖିବାକୁ ହୁଏ ସତ। ମୋ ମତରେ ସାହିତ୍ୟ ହିଁ ଆମମାନଙ୍କ ଜୀବନର ଏକମାତ୍ର ଖୋଲା ଝରକା। ସେଇଟି ନଥିଲେ କେବେଠୁ ମୁଁ ଅଣନିଶ୍ୱାସୀ ହୋଇ ସାରନ୍ତିଣି। ଦୁଃଖରେ ସୁଖରେ ସେଇଠୁ ମୁଁ ଠିଆହେଇ ରହିବାର ଶକ୍ତି ପାଏ। ସାହିତ୍ୟକୁ ଛାଡି ରହିବାକୁ ଭାବିନି ନୁହେଁ, କିନ୍ତୁ ଜାଣେ ତା ମୋ ପାଇଁ ସମ୍ଭବ ନୁହେଁ।
କେବେ ଉପନ୍ୟାସ ଲେଖିବାକୁ ଇଚ୍ଛା ହୋଇନି? କାହିଁକି?
ଉପନ୍ୟାସ ଲେଖିବାକୁ ବହୁଥର ଭାବିଛି। ବହୁ ଗୁରୁଜନ, ବନ୍ଧୁ ବି ଉପନ୍ୟାସ ଲେଖିବାକୁ ଉପଦେଶ ଦେଇଛନ୍ତି। ମାତ୍ର ଉପନ୍ୟାସ ପାଇଁ ଗୋଟିଏ ବିରାଟ କାନଭାସ ଦରକାର। ବହୁ ଚରିତ୍ରଙ୍କୁ ଯତ୍ନର ସହିତ ଗଢ଼ିବା ଦରକାର। ସେତିକି ସମୟ ମୁଁ ଦେଇପାରେନି । ସେଥିପାଇଁ ଇଚ୍ଛା କଲେ ମଧ୍ୟ ଲେଖିପାରିନି।
ଅନେକ ସମୟରେ ଆମେ ଦେଖୁ ଯେ ଗପର ରାସ୍ତାରେ ଅନେକ ଆଦର୍ଶ, ସଂସ୍କାର, ସମନ୍ନୟ। ହେଲେ ଅସଲ ଜୀବନ ତାର ଓଲଟା। ଜୀବନ ଆଉ ଗପ ପରସ୍ପରର କେତେ ପରିପୂରକ ବୋଲି ଆପଣ ଭାବନ୍ତି?
ଗପରେ ଅନେକ ଆଦର୍ଶ, ସଂସ୍କାର ଥାଏ। ଜୀବନରେ ତା ଦେଖାଯାଏନି ବୋଲି କୁହାଯାଇ ପାରିବନି। ଗପ ଓ ଜୀବନ ତ ଭିନ୍ନ, ତେଣୁ ଅଲଗା ରୂପରେ ଦୃଷ୍ଟ ହୁଏ। ମାତ୍ର ଗପ ଓ ଜୀବନ ସବୁବେଳେ ପରିପୂରକ। ଜୀବନରୁ ଗପ ଆସେ ଓ ଗପ ନିଶ୍ଚିତ ଭାବରେ ମଣିଷ ଜୀବନକୁ ପ୍ରଭାବିତ କରେ।
ଜୀବନରେ ଗଳ୍ପର ଭୂମିକା କଣ? ମନର କ୍ଷତ ପାଇଁ ଏ କଣ କେବେ ମଲମ ହେବାର କ୍ଷମତା ରଖେ? ଜଣେ କାହିଁକି ଗପଟିଏ ପଢିବ? ଆପଣ କାହିଁକି ପଢନ୍ତି?
ମୋ ଉପରେ ଗପର ପ୍ରଭାବ ବହୁତ ବେଶି। ଲେଖିକା ନୁହେଁ, ମୁଁ ଜଣେ ଭଲ ପାଠିକା ନିଶ୍ଚୟ। ସୁଖରେ ତ ସମସ୍ତେ ପାଖରେ ଥାଆନ୍ତି, କିନ୍ତୁ ମନଖରାପ ସମୟରେ, ନିସଙ୍ଗତାରେ ଲେଖାଟିଏ ଆମ ହାତଧରି ଚାଲିଥାଏ। ମଣିଷର ଶୋକ ଦୁଃଖକୁ ଭୁଲେଇଦବାର ଶକ୍ତି ରଖେ। ମନର କ୍ଷତକୁ ଭରିଦବାରେ ଲେଖାଟିଏ ଯୋଉ କାମ କରେ, ତାହା କେବଳ ପାଠକଟିଏ ହିଁ ବୁଝେ।
ଆପଣଙ୍କ ପାଖକୁ ଗପଟିଏ କେମିତି ଆସେ? ଆଇଡିଆ, ଚରିତ୍ର, ଘଟଣା – କେଉଁ ରୂପରେ ପ୍ରଥମେ ଭ୍ରୂଣ ହୁଏ ଗୋଟେ ଗପ? ତାପରେ କେମିତି ଆପଣ ତାକୁ ଧାରଣ କରନ୍ତି ଓ ଜନ୍ମ ଦିଅନ୍ତି?
ଗପଟିଏ ମୋ ପାଖକୁ କେମିତି ଆସେ, ତାର ଠିକ୍ ନାହିଁ। କେବେ ଗୋଟିଏ ବାକ୍ଯ, କେବେ ଗୋଟିଏ ମଣିଷ, କେବେ କୋଉ ଛବି ବା ଘଟଣା, କେବେ ଗୋଟିଏ ପୁରୁଣା ଘର ଦେଖୁଦେଖୁ ଗପଟିଏ ହଠାତ ଜନ୍ମ ନିଏ। କ୍ରମଶଃ ସେ ରୂପପାଏ। ତାକୁ ଯତ୍ନରେ ବଢେଇବାକୁ ମୁଁ ସେଥିରେ ଶବ୍ଦଯୋଡେ । ରଙ୍ଗ ଭରେ। ସ୍ଵପ୍ନର ପୁଟ ଦିଏ । କିନ୍ତୁ କହିବାକୁ ଗଲେ ସେ ନିଜକୁ ହିଁ ଗଢିନିଏ ମୋ ହାତରେ। ଯେମିତି ଭ୍ରୂଣଟି ମା ଜଠରରେ ସ୍ଥାନ ପାଇଲା ପରେ କ୍ରମଶଃ ବଢିଉଠେ, ଠିକ୍ ସେମିତି।
ସାହିତ୍ୟକୁ ନେଇ ଭବିଷ୍ୟତ ପାଇଁ ଆପଣ କି ସ୍ୱପ୍ନ ଦେଖନ୍ତି? ଭବିଷ୍ୟତର କଥାକାର (ଏବର ନୂଆପିଢି)ଙ୍କ ଉପରେ ଆପଣଙ୍କର ଭରସା ଅଛି କି?
ନୂଆ ପିଢିର କଥାକାରମାନଙ୍କ ଉପରେ ମୋର ବହୁତ ବିଶ୍ୱାସ। ନୂତନ ଚିନ୍ତା, ନୂଆ ସମ୍ଭାବନା ସହିତ ବହୁ ଗଭୀର ବାର୍ତ୍ତା ସେମାନେ ସହଜରେ ଛୋଟ ଓ ସହଜ ଭଙ୍ଗୀରେ ଲେଖୁଛନ୍ତି। ହଠାତ ଦେଖିଲେ ମନେହବ ସହଜ ସରଳ । କିନ୍ତୁ ସରୁ ସୂତାପରି ମୂଳକୁ ଧରି ଭିତରକୁ କ୍ରମଶଃ ଯାଉଯାଉ ବୁଝି ହବ କେତେ ଗଭୀର ସେ ବାର୍ତ୍ତା। ଓଡ଼ିଆ ସାହିତ୍ୟ କେବେ ପଛରେ ନଥିଲା କି ରହିବ ନାହିଁ।
Comments are closed.