Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୧)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

୧: ଭୋଳୁର ଭାବନା

ଭୋଳୁର ମନ ଭାରି ଖରାପ । ରାନି ତାକୁ ଆଡ଼ ଆଖିରେ ଦେଖୁନି । ସେ ରକିିକୁ କଣେଇ କଣେଇ ଚାହୁଁଛି । ସକାଳେ ରକି ମର୍ଣ୍ଣିଂ ୱାକ୍ ରେ ଆସେ । ତାକୁ ଦେଖିଲାମାତ୍ରେ ରାନି ଚଞ୍ଚଳ ହୋଇ ପଡ଼ୁଛି । ତା ଆଖି କେବଳ ରକିକୁ ଅନୁସରଣ କରୁଛି । କିନ୍ତୁ ସେ ଯେ ରକିକୁ ଚାହୁଁଛି ତାହା ରକି ଯେମିତି ନ ଜାଣିପାରେ ସେଥିପାଇଁ ତାକୁ ସିଧା ଡବଡବ କରି ଚାହୁଁନି । ତା ମୁଣ୍ଡକୁ ସିଧା ରଖି କେବଳ ଆଖି ବୁଲେଇ କଣେଇ ଚାହୁଁଛି । ଏହାକୁ ଅପାଙ୍ଗରେ ଚାହିଁବା ବୋଲି କହନ୍ତି । ଏ ଶବ୍ଦଟା ଭୋଳୁ ସଦ୍ୟ ଶିଖିଛି । ଭରତପୁରରେ ଏବେ ଗୋଟେ ନାଚ ସ୍କୁଲ ହୋଇଛି । ସେଠି ଓଡ଼ିଶୀ ଶିଖାଯାଏ । ସ୍କୁଲ ପାଇଁ ଜାଗା ଠିକଣା ହୋଇ ପାରିନି ବୋଲି ସ୍କୁଲଟା ଏବେ ନେତାଜୀ କ୍ଲବ ଘରେ ଚାଲୁଛି । ଜଣେ ଗୁରୁଜୀ ଆସୁଛନ୍ତି କଟକରୁ । ଭରତପୁରର କିଛି ଝିଅ ଓଡ଼ିଶୀ ଶିଖୁଛନ୍ତି । ସେଠି ସେଦିନ ଗୁରୁଜୀ ସେମାନଂକୁ ଭଙ୍ଗିମା କଥା କହୁ କହୁ ଏ ଶବ୍ଦଟିର ଅର୍ଥ କହିଥିଲେ । ଭୋଳୁ ସେତେବେଳେ କ୍ଲବ ଘରର ବାରଣ୍ଡାରେ ବସି ଶୁଣୁଥିଲା ।

ଭୋଳୁ ହେଲା ଭରତପୁର ଉପରସାହି ବଜାରର ନମ୍ବର ୱାନ୍ କୁକୁର । ତାକୁ ବର୍ତ୍ତମାନ ସାଢେ଼ ତିନି ବର୍ଷ ବର୍ଷ । କୁକୁର ଜୀବନରେ ଏହାକୁ ପୂର୍ଣ୍ଣ ଯୌବନ ବୋଲି କହିଦେବ । ଦେଖିବାକୁ ଯେମିତି ସୁନ୍ଦର, ଗର୍ଜନ ବି ସେମିତି । ଭାଉ ଭାଉ କରି ରାତିରେ ଯେତେବେଳେ ସେ ଗର୍ଜନ କରି ଉଠେ ସେତେବେଳେ ଠାଉରିଆ ଚୋରମାନେ ଡରି ପଳେଇଯାଆନ୍ତି ।

ଭୋଳୁ ଦେହର ରଂଗ କସରା । ସେଥିରେ ଧଳା ଛିଟ ଅଛି । ଲାଂଜ ସରୁ । ଗୋଜିଆ ମୁହଁରେ କଳା ଚିହ୍ନ । ତା ଦେହରେ ବେଶୀ ଲୋମ ନାହିଁ । କିନ୍ତୁ ଚମଡ଼ା ଭାରି ଚିକ୍କଣ । ସେ ଖୁବ ବଳିଷ୍ଠ ନୁହେଁ । କିନ୍ତୁ ତା ମାଂସପେଶୀରେ ଯେ ତାକତ ଅଛି ତାହା ଦେଖିଲାମାତ୍ରେ ଜଣାପଡେ଼ । ସେ ଯେତେ ଜୋରରେ ଦଉଡ଼ି ପାରେ ଭରତପୁରର କ୍ୱଚିତ କୁକୁର ତାହା ପାରନ୍ତି । ଆଉ ତାର ସାହସ ବି ବହୁତ । ମଣିଷ ହେଟ୍ ହେଟ୍ କଲେ କି ଟେକା ପକେଇଲେ ଅନ୍ୟ କୁକୁର ଯେତେବେଳେ ସେ ଜାଗା ଛାଡ଼ି ପଳେଇଯାନ୍ତି, ଭୋଳୁ ଭାଉ ଭାଉ ହୋଇ ଟେକା ପକଉଥିବା ଲୋକ ଆଡ଼କୁ ଖେଦି ଯାଏ ଯେ ସେମାନେ ଡରି ପଳେଇଯାଆନ୍ତି । ସେ ଏବେ ଭରତପୁର ଉପରସାହି କୁକୁର ସମାଜର ଅନୌପଚାରିକ ଦଳପତି । ଦଳପତି ନାଲୁକୁ ନ ବର୍ଷ ହେଲାଣି । କୁକୁର ଜୀବନରେ ଏଟା ବାର୍ଦ୍ଧକ୍ୟର ଆରମ୍ଭ । ଦଳକୁ ନେତୃତ୍ୱ ଦେବା ପାଇଁ ଶାରିରୀକ ଯେଉଁ ସ୍ପୁର୍ତ୍ତି ଦରକାର ତା ଭିତରେ ତାର ଅଭାବ ଦେଖା ଦେଳାଣି । କ୍ରମଶଃ ତା ଜାଗା ନେଉଛି ଭୋଳୁ । ଅନ୍ୟ ସାହିର କୁକୁର ଦଳଙ୍କ ସହିତ ଜାଗା ଲଢେ଼ଇ ପାଇଁ ମାରପିଟ୍ ବେଳେ ହେଉ, ବା ନିଜ ଦଳ ଭିତରେ ବିବାଦର ସମାଧାନ ପାଇଁ ହେଉ- ଭୋଳୁ ହିଁ ଆଗେଇ ଆସେ । ତେଣୁ ସମସ୍ତେ ତାକୁ ଆସନ୍ତା ଦଳପତି ଭାବେ ସ୍ୱୀକାର କରିବାକୁ ଲାଗିଲେଣି । ଭରତପୁର ବଜାରର କୁକୁର ସମାଜରେ ତାର ଲେଡି ଫ୍ୟାନ୍ ସଂଖ୍ୟା କିଛି କମ ନୁହେଁ । ଅନେକେ ତ ଖୋଲାଖୋଲି ତାକୁ ସହବାସର ଆମନ୍ତ୍ରଣ ଜଣେଇଲେଣି । ହେଲେ ଭୋଳୁ କାହାରି ଆଡ଼କୁ ସେ ଆଖିରେ ଚାହିଁନି । କାରଣ ତାର ଦିଲ୍ ରେ ରାଜ୍ କରିଛି ରାନି ।

ରାନି କଥା କହିବା ପୂର୍ବରୁ ଆଗେ ଭରତପୁର ସହିତ ଆପଣମାନଂକର ପରିଚୟ କରେଇ ଦିଏ । ଭରତପୁର ଗୋଟେ ଛୋଟ ମଫସଲ ସହର । ପାଞ୍ଚ ନମ୍ବର ଜାତୀୟ ରାଜପଥ କଡ଼ରେ । ଏ ଅଞ୍ଚଳରେ ଚାଷବାଷ ଭଲ ହୁଏ । ପନିପରିବା ଭଲ ହୁଏ । ଜାତୀୟ ରାଜପଥ କଡ଼ରେ ଥିବାରୁ ଭରତପୁର କୃଷି ବ୍ୟବସାୟ କେନ୍ଦ୍ର ଭାବରେ ବଢ଼ିଉଠିଛି । ଜାତୀୟ ରାଜପଥରୁ ଭରତପୁର ବଜାର ଦେଇ ପିଚୁ ରାସ୍ତାଟିଏ ଖସି ଆସିଛି । ତାରି ଦୁଇ ପାଖରେ ବଜାର । ବଜାରଟି ଦୁଇଟି ଭାଗରେ ବିଭକ୍ତ । ଉପରସାହି, ତଳ ସାହି । ଲୋକେ କହନ୍ତି ଉପରସାହି ବଜାର । ତଳ ସାହି ବଜାର । ଉଭୟ ବଜାରର ଗୋଟେ ଗୋଟେ ପୋଷାକୀ ନାମ ଅଛି । ଉପରସାହି ବଜାରଟି ମହାତ୍ମା ଗାନ୍ଧି ଆଉ ତଳ ସାହି ବଜାରଟି ଉକ୍ରଳମଣି ଗୋପବନ୍ଧୁଙ୍କ ନାଁରେ ନାମିତ । ଉଭୟ ବଜାରରେ ଭଭୟ ମହାପୁରୁଷଙ୍କ ଆବକ୍ଷ ପ୍ରତିମୂର୍ତ୍ତି ବି ରହିଛି । ତେବେ ସେ ପ୍ରତିମୂର୍ତ୍ତି ଦୁଇଟି ଏତେ ବାଜେ ତିଆରି ହୋଇଛି ଯେ ଚନ୍ଦା ମୁଣ୍ଡ ଆଉ ଚଷମା ନଥିଲେ ଉପରସାହିର ମୂର୍ତ୍ତିଟିକୁ ମହାତ୍ମା ଗାନ୍ଧୀ ବୋଲି ବୁଝି ହୋଇ ନଥାନ୍ତା କି ଦାଢ଼ି ନ ଥିଲେ ଗୋପବନ୍ଧୁଙ୍କୁ ଗୋପବନ୍ଧୁ ବୋଲି ବୁଝି ହୋଇ ନଥାନ୍ତା । ଥରେ ଦଳେ ମାତାଲ ଗାନ୍ଧୀଙ୍କ ଚଷମାଟିକୁ ଦେଲେ ଭାଂଗି । ତାକୁ ନେଇ ଜୋର ହଂଗାମା ହେଲା । ଦଶ ପନ୍ଦର ଗାନ୍ଧିବାଦୀ ତାଙ୍କ ମୂର୍ତ୍ତିତଳେ ସତ୍ୟାଗ୍ରହରେ ବସିଗଲେ । ସେମାନେ ବସଗଲେ ତ ଆହୁରି ଦଶ ପଚାଶ ରାସ୍ତାକୁ ଓହ୍ଲେଇ ଆସିଲେ । ଟାୟାର ଜାଳି ରାସ୍ତା ଅବରୋଧ କରି ପକେଇଲେ । ଦୁଇ ଦିନ ସ୍କୁଲକଲେଜ ହାଟବଜାର ବନ୍ଦ । ସମସ୍ତେ କହିଲେ ଆବେ ଚଷମା ନଥିଲେ ଗାନ୍ଧୀଙ୍କୁ ଗାନ୍ଧୀ ବୋଲି ଆମେ ଚିହ୍ନିବୁ କେମିତି! ତାପରେ ଫେର ତାଙ୍କ ମୂର୍ତ୍ତି ପାଇଁ ନୂଆ ଚଷମା ତିଆରି ହେଲା । ସେମିତି ଦାଢ଼ି ନଥିଲେ ଗୋପବନ୍ଧୁଙ୍କୁ ଚିହ୍ନିବା ମୁସକିଲ । ଆଚ୍ଛା ଗୋପବନ୍ଧୁ କଣ ଦାଢ଼ି ସହିତ ଜନ୍ମ ହୋଇଥିଲେ ନା ଗାନ୍ଧି ଚଷମା ପିନ୍ଧି ଜନ୍ମ ହୋଇଥିଲେ? ସେମାନେ ବି ପିଲା ଥିଲେ । ପିଲାବେଳେ ବିନା ନିଶଦାଢ଼ି ମାଖୁନା ଚେହେରା ଥିବ । ଆହୁରି ପିଲାଦିନେ ସେମାନେ ବି ପ୍ୟାଣ୍ଟ୍ ରେ ସୁସୁ କରିଥିବେ । ସେ ସମୟର ମୂର୍ତ୍ତି କାହିଁକି ସ୍ଥାପନ କରାହେଉନି? ଏସବୁୁ କଥା ଭୋଳୁ କି ରାନି ଭଳି କୁକୁରମାନଙ୍କ ମୁଣ୍ଡରେ ପଶେନି । ଦାଶୁ ମୁଣ୍ଡରେ ପଶେ । ଦାଶୁ ହେଲା ଭରତପୁରର ଦୀର୍ଘଦିନର ବାସିନ୍ଦା ପାଗଳ । ଦାଶୁ କଥା ପରେ କହିବି । ଆଗେ ରାନି କଥା କହେ ।

ରାନି ହେଲା ଉପରସାହି ବଜାରର ସବୁଠାରୁ ସୁନ୍ଦରୀ କୁତ୍ତୀ । ରାନିର ବୟସ ବର୍ତ୍ତମାନ ତିନି । କୁକୁର ଜାତିରେ ଏଇଟା ହେଲା ଭରା ଯୌବନ । ରାନି ଯଦି ମଣିଷ ହୋଇଥାନ୍ତା, ତେବେ ତାକୁ ଦେଖି କବିମାନେ କହିଥାନ୍ତେ: ଗହମ ରଂଗର ଝିଅ । ଚିକ୍କଣ ଗହମ ରଂଗ ଉପରେ ଗାଢ଼ ବାଦାମୀ ରଂଗର ଛିଟା ରହିଛି । ଆଖି ଦିଟା ପାଖରେ କିଛି କଳା ଛିଟା ତାର ସୌନ୍ଦର୍ଯ୍ୟକୁ ଆହୁରି ବଢେ଼ଇଦେଇଛି । ଯେମିତି କଳା ଜାଇ କିଶୋରୀମାନଂକ ସୌନ୍ଦର୍ଯ୍ୟକୁ ବଢେ଼ଇ ଦିଏ । ତା ଚାରି ପାଦର ଥାବାରେ ବି କଳା ଚିହ୍ନ । ରାନିର ଆଖି ଯୋଡ଼ାକ ଭାରି ସୁନ୍ଦର । ବର୍ଷାର ସମୁଦ୍ର ଭଳି ଟିକେ ମାଟିଆ ନୀଳ । ରାନିର ଲାଂଗୁଡ଼ ଅନ୍ୟାନ୍ୟ କୁକୁରଠୁଁ ଭିନ୍ନ । ଅନ୍ୟାନ୍ୟ କୁକୁରର ଲାଂଜ ଯେମିତି ବଙ୍କା, ରାନିର ଲାଂଜ ତାଠୁଁ ଅଧିକ ବଙ୍କା । ସେଇ ବଙ୍କିମ ଲାଂଗୁଡ଼ ଦୋହଲାଇ ରାନି ଯେତେବେଳେ ଚାଲିଯାଏ- ଭୋଳୁର ଛାତି କଣ ହୋଇଯାଏ । ଅନ୍ୟ କୁକୁରମାନଙ୍କ ଛାତି ବି ସେମିତି କଣ ହେଉଥିବ, କିନ୍ତୁ କେହି ଭୋଳୁର ଭୟରେ କେହି କେବେ ତାହା ପ୍ରକାଶ କରି ନାହାନ୍ତି ।

ସୁନ୍ଦରୀ ସୁନ୍ଦର ପ୍ରତି ଆକର୍ଷିତ ହେବ- ଏହାହିଁ ହେଲା ନିୟମ । ଭୋଳୁ ବି ସେଇଆ ଭାବିଥିଲା । ଏଥର ଭାଦ୍ରରେ ସହବାସ ଋତୁ ଆସିଲେ ସେ ଆଉ ରାନି ମିଳିତ ହେବେ- ଏହା ସେ ନିିଶ୍ଚିତ ଭାବେ ଭାବି ନେଇଥିଲା । ତାକୁ ନେଇ କେତେ ସ୍ୱପ୍ନ ବି ସେ ଦେଖି ସାରିଥିଲା । କେଇଥର ତ ଏକାନ୍ତରେ ରୋମାଣ୍ଟିକ୍ ଗୀତ ବି ଗାଇଥିଲା । ଲୋକେ ତା ଗୀତକୁ କାନ୍ଦଣା ବୋଲି ଭାବି ଢେଲାପଥର ପକେଇଲେ- ତାହା ଭିନ୍ନ କଥା । କୁକୁର ଭାଉଉଉଉଉ, ଭାଉଉଉଉଉଉଉଉଉଉ ଶବ୍ଦରେ ଡାକିଲେ ବା ଲୋକଙ୍କ ଧାରଣାରେ କାନ୍ଦିଲେ କିଛି ଲୋକ କାହିଁକି ଫିଡ଼ିକିି ଯାଆନ୍ତି, ଶବ୍ଦ ପ୍ରଦୂଷଣ ଜନିତ ବିରକ୍ତି ଛଡ଼ା ତାର ଆଉ ଗୋଟେ ବଡ଼ କାରଣ ରହିଛି । ଲୋକମାନଙ୍କ ବିଶ୍ୱାସ କାହାରି ମରିବା ସମୟ ହୋଇଗଲେ ଯମରାଜ ତା ଆତ୍ମାକୁ ନେବା ଆସନ୍ତି । ତାଙ୍କ ସହିତ ଆସେ ଗୋଟେ ତିନି ମୁଣ୍ଡିଆ କୁକୁର । ମଣିଷ ତାର ଉପସ୍ଥିତି ଟେର ପାଏନା । କୁକୁର ପାଏ । ତେଣୁ ସେ ଭୋ ଭୋ କରି କାନେ୍ଦ: କହିବାକୁ ଚେଷ୍ଟା କରେ- ଆହା ତିନିମୁଣ୍ଡିଆଟା ଆସିଗଲା ଏବେ କେହି ଜଣେ ମଣଷ ସେପାରିକୁ ଯିବ । କିଏ ଯିବ ତାହା ମର୍ତ୍ତ୍ୟର କୁକୁରମାନେ ଜାଣନ୍ତି ନାହିଁ । ତେଣୁ କେହି ବି ମରିପାରେ- ଅନାଗତ ମୃତ୍ୟୁର ଏ ଆଶଙ୍କା ମଣିଷକୁ ଡରେଇ ଦିଏ । ତେଣୁ ସେ ମୃତ୍ୟୁର ସଙ୍କେତକୁହିଁ ଅବଜ୍ଞା କରିବାକୁ ଚାହେଁ । ସେ ସଙ୍କେତ ଦେଉଥିବା କୁକୁରମାନଙ୍କ ଉପରେ ବିରକ୍ତ ହୁଏ । ତାକୁ ଚୁପ୍ କରେଇବାକୁ ଚାହେଁ । ଏହା ଭିତୋର ଆପଣ ଚାହିଁଲେ ବହୁ ଦାର୍ଶନିକ ତତ୍ତ୍ୱ ଆବିଷ୍କାର କରି ପାରନ୍ତି ।

… ଛାଡ଼ନ୍ତୁ ଏସବୁ କଥା । ଭୋଳୁ କଥାକୁ ଫେରେ । ରାନି ସହିତ ନିଜକୁ ମିଶାଇ ବହୁ ସୁଖସ୍ୱପ୍ନ ଭୋଳୁ ଦେଖୁଥିଲା । ଆଉ ସେ ସ୍ୱପ୍ନଗୁଡ଼ିକ ସତ ହେବାକୁ ଅପେକ୍ଷା କରି ବସିଥିଲା ।

ହେଲେ ଗହମ ରଂଗ ରାନି ପାଇଁ ଭୋଳୁର ମହମ ସ୍ୱପ୍ନ ଭିତରେ ଭିଲିଆନ ଭଳି ପଶି ଆସିଲା ରକି । ରକି ହେଲା ସୁଖମୟ ବାବୁଙ୍କ ପୋଷା କୁକୁର । ବଳିÂ, ଲୋମଶ ଜର୍ମାନ ଶେଫାର୍ଡ । କସରା ରଂଗର ଚମଡ଼ା ଉପରେ ନାଲିଚିଆ ଲୋମ । ଖରା ପଡ଼ିଲେ ଚିକ୍ଚିକ୍ ଦିଶେ, ଆଖି ଝଲସି ଯାଏ । ଭରତପୁର ସହରରେ ବିଦେଶୀ କୁକୁର କିଛି ଅଛନ୍ତି, ହେଲେ ରକି ଭଳି ଶାନ୍ଦାର କୁକୁର ଆଉ ଗୋଟାଏ ନାହିଁ । ରକି ଯେତେବେଳେ ସକାଳେ ପ୍ରାତଃଭ୍ରମଣରେ ବାହାରେ ଆଖପାଖର ଅନେକ କୁତ୍ତୀ ତାକୁ ଲୋଭିଲା ଆଖିରେ ଚାହାନ୍ତି । ରାନି ଅନ୍ୟମାନଂକ ଭଳି ଖୋଲାଖୋଲି ଲୋଭି ଆଖିରେ ନ ଚାହିଁଲେ ବି ଦୂରରୁ ତାକୁ କଣେଇ କଣେଇ ଚାହେଁ । ରକି ପ୍ରତି ଯେ ରାନିର ଦୂର୍ବଳତା ଅଛି- ତାହା ରାନିର ହାବଭାବ ଭଂଗିମାରୁ ସ୍ପଷ୍ଟ ଜାଣିହୁଏ । କୁକୁର ତ ଆଉ ମଣିଷ ନୁହେଁ- ନିଜ ମନର ଭାବକୁ ଗୋପନ କରିବାର ବିଦ୍ୟା ଜାଣିଥିବ । ଜୀବଜନ୍ତୁମାନେ ଏସବୁ ଛଳାକଳା ଭଲ ଭାବେ ଜାଣନ୍ତିନି । ତେଣୁ ରାନିକୁ ଦେଖିଲେ ହିଁ ଭୋଳୁ ଜାଣିପାରେ ସେ ରକି ପ୍ରତି ଆକୃଷ୍ଟ । ହେଲେ ରକି ତା ପ୍ରତି ଆକୃଷ୍ଟ ହେବା ତ ଦୂର କଥା – ତାକୁ ଦେଖେ କି ନାହିଁ କହି ହେବ ନି । ବୋଧହୁଏ ଲକ୍ଷ୍ୟ ବି କରେନି । ସେମାନେ ବଡ଼ ଘରର ବିଦେଶୀ କୁକୁର, ସେମାନଙ୍କ ଲେବୁଲ୍ ଅଲଗା । ସେମାନେ କାହିଁକି ରାସ୍ତାର କୁକୁର କୁତ୍ତୀଙ୍କୁ ଲକ୍ଷ୍ୟ କରିବେ କହୁନାହାନ୍ତି! ହେଲେ ରାନି ରକି ପ୍ରତି ଆକୃଷ୍ଟ । ଆଉ ଏଇ ହେଲା ଭୋଳୁର ପ୍ରବ୍ଲେମ୍ । ରାନି ଉପରେ ତାର ପ୍ରଚଣ୍ଡ ଅଭିମାନ । ମୁଁ ତୋ ପାଖରେ ଅଛି । ତୋ ସାହିର ପିଲା । ଖାଲି କଣ ସେତିକି, ତୁ ଯେଉଁ ସମାଜରେ ଅଛୁ, ମୁଁ ତାର ଭବିଷ୍ୟତ ଦଳପତି । ମୋ ପ୍ରତି ଆକର୍ଷିତ ନ ହୋଇ ବାହାର କୁକୁର ପ୍ରତି ଆକର୍ଷିତ ହେଉଛୁ- ଏଟା କଣ ଠିକ୍?

ଘଟଣାକୁ ନେଇ ତାର ଈଶ୍ୱରଙ୍କ ପାଖରେ ପ୍ରବଳ ଆପତ୍ତି । ଈଶ୍ୱର ସମସ୍ତ କୁକୁର ଜାତିକୁ ଏକା ପରି କାହିଁକି ନ କରନ୍ତି? କାହିଁକି ସେ ରକିକୁ ଏଡେ଼ ହୃଷ୍ଟ ପୁଷ୍ଟ ସୁନ୍ଦର ଆଉ ସବଳ କରିଛନ୍ତି । କାହିଁକି ରକି ସୁଖମୟବାବୁଙ୍କ କାର୍ ରେ ବୁଲିବ, ଭୋଳୁ ରାସ୍ତାରେ? କାହିଁକି ରକି ପକ୍କା ଘରେ ରାଜା ଭଳି ରହିବ, ଆଉ ଭୋଳୁ ରାସ୍ତା କଡ଼ ଗୁମୁଟି ତଳେ? ଈଶ୍ୱରଙ୍କ ଏ ଅବିଚାର ଉପରେ ରାଗି ଯାଇ ଦିନେ ଦିନେ ଭୋଳୁ ରାସ୍ତା କଡେ଼ ତିଆରି ହେଉଥିବା ନୂଆ ମନ୍ଦିରରେ ମୁତି ଦେଇ ଆସେ । ସେ ମନ୍ଦିରଟା କେଉଁ ଠାକୁରଙ୍କର ତାହା ଭୋଳୁ ଠିକ୍ ଜାଣିନି । କିନ୍ତୁ ମୁତିଦେଇ ତାକୁ ଟିକେ ଉଶ୍ୱାସ ଲାଗେ । ଲାଗେ- ଏବେ ହୁଏତ ସେ ଠାକୁର ତା ଅନ୍ତରର କ୍ରୋଧ ବିଷୟରେ ଜାଣିବେ ।

ପୁଣି ସେଇ ଠାକୁରଙ୍କ ଆଗରେ ବେଳେବେଳେ ଅନୁନୟ କରେ: ହେ ପ୍ରଭୁ, ରାନିକୁ ସୁବୁଦ୍ଧି ଦିଅ । ରକି ହେଲା ବାହାର କୁକୁର । ସେ କଣ ରାନିକୁ ତା ଦିଲ୍ର ରାନି କରି ରଖିବ । ଦେହ ସୁଖ ମେଣ୍ଟି ଗଲେ ସେ ତା ଜାଗାକୁ ଚାଲିଯିବ । ତୁ ତୋର ପିଲାଛୁଆ ଧରି ଏଇଠି ବାର ଦୁଆର ଶୁଣ୍ଡି ପିଣ୍ଡା ହେବୁରେ ବାୟାଣି । ସେତେବେଳେ ତୋତେ କିଏ ଦେଖିବ!

ପୁଣି ବେଳେବେଳେ ଠାକୁରଙ୍କୁ କହେ: ଆଚ୍ଛା ଏତେ ଜୀବଜନ୍ତୁ ମରୁଛନ୍ତି- ପ୍ରଭୁ ରକିକୁ ମାରି ଦେଇ ପାରନ୍ତ ନି । ଟ୍ରକ୍ ତଳେ ଚାପା ପଡ଼ିଯାଉ । ବା ତାକୁ ହାର୍ଟଆଟାକ୍ ହୋଇଯାଉ । ମୋ ହାର୍ଟକୁ ଯିଏ ଆଟାକ୍ କରୁଛି- ପ୍ରଭୁ ତା ହାର୍ଟ ଅଚଳ କରେଇ ଦିଅ । ହେଲେ ଆଜି ଚାରି ମାସ ହେବାକୁ ବସିଲାଣି- ରକିର ହାର୍ଟ ଆଟାକ୍ ହେବା ଭଳି କିଛି ଲକ୍ଷଣ ଦିଶୁନି । ବରଂ ଦିନକୁ ଦିନ ସେ ଆହୁରି କୋଦା ହେଉଛି । ଇଆଡେ଼ ରାନି ଦିନକୁ ଦିନ ଅଧିକ ତା ପ୍ରତି ଆକର୍ଷିତା ହେବା ଭଳି ଲାଗୁଛି । ରକିକୁ ଦେଖିଲେ ସେ ଅଧିକ ଚଞ୍ଚଳ ହୋଇ ଉଠୁଛି । ଆଗକୁ ଭାଦ୍ର ମାସ ଆସୁଛି -ସହବାସର ଋତୁ। କଣ ଯେ ହେବ! ଭୋଳୁ ଭାରି ଚିନ୍ତାରେ ଅଛି ।

Leave A Reply

Your email address will not be published.