ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୭)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

(ଧାରାବାହିକ ଉପନ୍ୟାସର ସପ୍ତମ ଭାଗ)

୭: ଠିପି ଆଉ ବୋତଲ

ଠିପି ଆଉ ବୋତଲ ହେଲା ରଜନୀକାନ୍ତର ସବୁଠାରୁ ବିଶ୍ୱସ୍ତ ଦୁଇ କୁକୁରର ନାଁ । ସେମାନଙ୍କର ଏମିତି ବିଚିତ୍ର ନାଁ ଦେଇଥିଲେ ରଜନୀକାନ୍ତର ନାମକରଣ କରିଥିବା କବି ଭରତ ମଲ୍ଲିକ । ଶରତର ଏକ ସୁନ୍ଦର ସନ୍ଧ୍ୟାରେ ଭରତବାବୁ ଦେଶୀ ଭାଟିରେ ବସିଥିବା ବେଳେ ଆବିସ୍କାର କଲେ କାଳିଆ କସରା ଧେଡ଼ମେଡ଼ ଦୁଇ କୁନି କୁନି କୁକୁର ତାଙ୍କ ଗୋଡ଼ ପାଖରେ ଲୁଙ୍ଗୁର ଲୁଙ୍ଗୁର ହେଉଥିଲେ । ଜଣେ ତାଙ୍କ ଗୋଡ଼କୁ ଚାଟିପକେଇଲା ତ ଆଉ ଜଣେ ତାଙ୍କ ଧୋତିକୁ ଟାଣି ପକେଇଲା । ଭରତବାବୁଙ୍କୁ ଭାରି ଖୁସି ଲାଗିଲା । ଆଉ ସେଇଠି ସେ ସେମାନଙ୍କର ନାମକରଣ କରି ଦେଇଥିଲେ । କାଳିଆଟିର ନାଁ ହେଲା: ଠିପି । ଆଉ କସରାର ନାଁ: ବୋତଲ । ତାପରଠୁଁ ସମସ୍ତେ ସେମାନଙ୍କୁ ଠିପି ଆଉ ବୋତଲ ନାଁରେ ହିଁ ଡାକିଲେ । ଭାଟିକୁ ନୂଆ ଆସିଥିବା ଲୋକ ବେଳେବେଳେ କନଫ୍ୟୁଜ ହୋଇଯାଉଥିଲେ । ଭାଟିରେ ପଶି ଠିକ ବସିଥିବ- କିଏ ଜଣେ ଡାକିବ: ବୋତଲ କୁଆଡେ଼ ଗଲୁ- ଇଆଡେ଼ ଆଇଲୁ । ଠିପି, ନେ ଏ ପକୁଡ଼ି ଦିଟା ଖାଇଦେ । ସେମାନେ ଭାବୁଥିଲେ: ଏଠି ଏତେ ଭଲ ମାଲ ମିଳେ- ସାଙ୍ଗେ ସାଙ୍ଗେ ନିଶା! ଠିପି ପକୁଡ଼ି ଖା । ବୋତଲ ଇଆଡେ଼ ଆ ।

ଆଚ୍ଛା, କୁକୁରର ନାମକରଣ ଗୋଟେ ଇଣ୍ଟେରେଷ୍ଟିଂ ବିଷୟ । ଏ ବିଷୟରେ ଆପଣ ଜାଣିବା ପାଇଁ ଚାହିଁଲେ ମୋତେ କବି ଭରତ ମଲ୍ଲିକ ଏଇ ଭାଟିରେ ଦେଇଥିବା ଗୋଟେ ଛୋଟ ଭାଷଣକୁ ଦୋହରାଇବାକୁ ପଡ଼ିବ । ହଁ, କବି ଭରତ ମଲ୍ଲିକ ଏଇ ସରକାରୀ ଦେଶୀ ମଦଦୋକାନରେ ବହୁତ ଭଲ ଭଲ କଥା ଯାଇଛନ୍ତି । ଦୁଃଖ ହେଲା, ଏଠି ତାଙ୍କ କଥାର କଦର କଲା ଭଳି ଲୋକ କମ । କଦରଦାନ ନଥିଲେ ଭଲ କଥା ବି ଗୁରୁତ୍ୱ ପାଏନି ଆଜ୍ଞା! ଏଇ ସବୁ କଥା ସେ ଭଲ ଜାଗାରେ ଅନୁଷ୍ଠିତ ସେମିନାରରେ ବଡ଼ ବଡ଼ ଲୋକଙ୍କ ଗହଣରେ କହିଥାନ୍ତେ- ତାହା କେତେ ପ୍ରଚାର ପାଇଥାନ୍ତା । ଗବେଷକମାନେ ସେଗୁଡ଼ିକ ଉଦ୍ଧୃତ କରି ନିବନ୍ଧମାନ ଲେଖିଥାନ୍ତ! ଛାଡ଼ନ୍ତୁ ।

ପୃଥିବୀର ସବୁ ପାନଶାଳା ଭଳି ଭରତପୁରର ସରକାରୀ ଦେଶୀ ମଦଭାଟିରେ ବି ଅନେକ ସମୟରେ ବିଚିତ୍ର ସବୁ ବିଷୟ ଆଲୋଚନା ଭିତରକୁ ଆସିଯାଏ । ସେଦିନ କଉ କଥାରୁ କେଜାଣି, କୁକୁରର ନାମକରଣ ଉପରେ କଥା ପଡ଼ିଥିଲା । କବି ଭରତ ମଲ୍ଲିକ କହିଲେ, ସମୟ ସହିତ ଦେଖ କୁକୁର ନାଁ ସବୁ କେମିତି ବଦଳି ଗଲାଣି । ଗୋଟେ ସମୟରେ ବିଦେଶୀ କୁକୁରର ଇଂରାଜୀ ଢାଞ୍ଚାର ନାଁ ଦିଆଯାଉଥିଲା, ଆଉ ଦେଶୀ କୁକୁରର ଦେଶୀ ନାଁ । ବିଦେଶୀ କୁକୁର ନାଁ ଟାଇଗର, ରକି, ଜ୍ୟାକି । କୁତ୍ତୀ ହୋଇଥିଲେ ରୋଜି, ରିକି ଇତ୍ୟାଦି । ଦେଶୀ କୁକୁର ନାଁ କାଳିଆ, କସରା, ବୁଲଟୁ, ସୁଲଟୁ, ଇତ୍ୟାଦି ।

ତାପରେ ଗୋଟେ ସମୟରେ ଦେଖିଲି ଲୋକଙ୍କ ଭିତରେ ଦେଶଭକ୍ତି ବଢ଼ିଲାଣି । ସେମାନେ ପୋଷା କୁକୁରର ସଂସ୍କୃୃତ-ମିଶ୍ରିତ ନାଁ ଦେଉଛନ୍ତି । ବିଦେଶୀ କୁକୁରକୁ ବି ସଂସ୍କୃତ-ମିଶା ନାଁ ଦଉଛନ୍ତି । ଆଗରୁ ଯେଉଁ କାଳିଆ ଲାବ୍ରାଡର କି ଆଲସେସିଆନ କୁକୁରର ନାଁ ଦିଆଯାଉଥିଲା ବ୍ଲାକି, ତାକୁ ଏବେ ନାଁ ଦେଉଛନ୍ତି: କୃଷ୍ଣକାନ୍ତ କିମ୍ବା ରଜନୀରଂଜନ । କୁକୁରର ଏପରି ନାମକରଣ କରୁଥିବା ଲୋକମାନେ ହେଲେ ଅତ୍ୟନ୍ତ ଭଦ୍ରଲୋକ । ସେମାନେ ଏତେ ଭଦ୍ର ଯେ କୁକୁରକୁ ବି ତୁ ବୋଲି ଡାକନ୍ତିନି । ଦିନେ ଏମିତି ଜଣେ ବ୍ୟକ୍ତିଙ୍କ ଘରକୁ ଯାଇଥିଲି- ସେ ମୋ ସହିତ କଥା ହେଉ ହେଉ ଘର ଭିତରକୁ ଚାହିଁ କହିଲେ କୃଷ୍ଣକାନ୍ତ ଏଠିକି ଆସ । ମୁଁ ଭାବିଲି କାହାକୁ କେଜାଣି ଡାକୁଛନ୍ତି! ଆସି ପହଞ୍ଚିଲା କାଳିଆ ରଂଗର ଗୋଟେ ଲାଂଜ କଟା ଲାବ୍ରାଡର । ଭଦ୍ରଲୋକ ତାକୁ ପଚାରିଲେ, କୃଷ୍ଣକାନ୍ତ ଖାଇଛ? କୁକୁରଟି ତା ଭାଷାରେ ତାଙ୍କୁ କଣ ଉତ୍ତର ଦେଲା, ମୁଁ ବୁଝିପାରିଲିନି, ହେଲେ ଭଦ୍ରଲୋକ କହିଲେ, ହେଉ । ଯାଅ, ଭିତରେ ଯାଇ ଟିଭି ଦେଖ ।

କୁକୁର ଧୀର ମନ୍ଥର ଗତିରେ ଭିତରକୁ ଚାଲିଗଲା ।

କେହି କେହି ପୁଣି କୁକୁରକୁ ଏତେ ଭଲ ପାଆନ୍ତି ଯେ କୁକୁରକୁ କୁକୁର ବୋଳି କହିଲେ ରାଗି ଯାଆନ୍ତି ।

ଏଇ କୃଷ୍ଣକାନ୍ତ ନାମକ କୁକୁରଟି ମୋ ଚପ୍ପଲକୁ କାମୁଡ଼ିଲା ବୋଲି ମୁଁ କହିଲି ଆଜ୍ଞା ଆପଣଙ୍କ କୁକୁରଟାକୁ ଟିକେ ଭିତରକୁ ଯିବାକୁ କହିବେ, ପ୍ଲୀଜ । ମୋ ଚପ୍ପଲକୁ କାମୁଡ଼ିଛି । ସେ ବଡ଼ କ୍ଷୁବ୍ଧ ହେଲେ । କହିଲେ ଦେଖନ୍ତୁ ମୋତେ ବରଂ ଆପଣ ଦି ଚାପୁଡ଼ା ମାରନ୍ତୁ । ମୁଁ ବରଂ ଆପଣଙ୍କୁ ଆଉ ହଳେ ନୂଆ ଚପ୍ପଲ କିଣି ଦେଉଛି ହେଲେଊ ମୋ କୁକୁରକୁ ଆପଣ କୁକୁର ବୋଲି କହିବେ ନି । ମୁଁ କହିଲି, କୁକୁରକୁ କୁକୁର ବୋଲି କହିବିନି । ଆଉ କଣ ବୋଲି କହିବି? ସେ କହିଲେ, ଯାହା ବି କୁହନ୍ତୁ, କୁକୁରବୋଲି କହିବେନି । ସେ ମୋ ପୁଅ ।

ସେଠୁ ମୁଁ କହିଲି, ହଉ ଆଜ୍ଞା ଆପଣଙ୍କ ପୁଅକୁ ଆକଟ କରନ୍ତୁ । ମୋ ଚପ୍ପଲଟା ନ କାମୁଡ଼ୁ । ଭିତରକୁ ଯାଉ ।

ଭରତ ବାବୁ ଏମିତି ଭାବରେ କଥାଗୁଡ଼ିକୁ କହିଲେ ଯେ ଉପସ୍ଥିତ ସମସ୍ତେ ହସି ଉଠିଲେ । କେହି କେହି ତ ହାତତାଳି ବି ଦେଇଦେଲେ । ଏକଥା ସମସ୍ତେ ଜାଣନ୍ତି ଯେ କବି ସବୁଠୁଁ ଅଧିକ ଭଲ ପାଏ ହାତତାଳି । ହାତତାଳିର ଶବ୍ଦ ଶୁଣି ଭରତବାବୁ ଆହୁରି ଉତ୍ସାହିତ ହୋଇ କହିଚାଲିଲେ ।

ମଝିରେ କିଛିଦିନ ଗୋଟେ ଧାରା ଆରମ୍ଭ ହୋଇଥିଲା । ଲୋକେ ନିଜ ଶତ୍ରୁ ନାଁରେ କୁକୁରର ନାଁ ରଖିଲେ । ଧରନ୍ତୁ ମୋତେ ନିର୍ମଳ ବାବୁ ଲୋକଟିକୁ ଜମା ଭଲ ଲାଗେନି । ତ ମୁଁ ଗୋଟେ କୁକୁର ରଖି ତା ନାଁ ଦେବି ନିର୍ମଳ । ଆଉ ପ୍ରତି ଦିନ ତାକୁ ଦି ନାତ ଦେବି । କି ଚପ୍ପଲରେ ଚାରି ଥର ପିଟିବି । ରାଜନୈତିକ ନେତାମାନଙ୍କ ଭିତରେ ଏ ଧାରାଟି ବେଶି ହୋଇଥିଲା ବୋଲି ଲୋକେ ମୋତେ କହିଲେ । ଏବେ ସେ ଧାରା ବଦଳିଗଲାଣି । ଏବେ ଏମିତି ଧାରା ରଖିବା ବି ବଡ଼ ଡେଞ୍ଜରସ ହୋଇଗଲାଣି ।

ଶ୍ରୋତାମାନଙ୍କ ଭିତରୁ ଜଣେ ପଚାରିଲା, କହେିଁକି?

ଭରତବାବୁ ନିଜ ଗ୍ଲାସରୁ ଗୋଟେ ଢୋକ ପିଇ କହିଲେ, ଆରେ ବାବୁ ଏକବାର ରାଜନୀତିରେ ଆଜି ଯିଏ ଶତ୍ରୁ କାଲି ଘନିଷ୍ଠ ମିତ୍ର ହେବ । ମିତ୍ର ବଦଳେଇ ପାରିବେ । କୁକୁର ନାଁ ଚେନଜ କଲେ କୁକୁର କନଫ୍ୟୁଜ ହୋଇଯିବ ଯେ! ହାଃ, ହାଃ!

ଆଚ୍ଛା, କିଛି ଅଜ୍ଞାତ କାରଣରୁ କିଛି ଲୋକ ନିଜ କୁକୁର ସହିତ ଇଂରାଜୀ କିମ୍ବା ହିନ୍ଦୀ ଭାଷାରେ କଥା ହୁଅନ୍ତି । ଗୋ । କମ । ସିଟ । ଇଁହା ଆଓ । ଉଁହା ବୈଠୋ । ହେଲେ ଦେଶୀ କୁକୁରକୁ ସେମାନେ ଓଡ଼ିଆରେ କହନ୍ତି । ଏବକୁ ସେ ଧାରାର ଟିକେ ପରିବର୍ତ୍ତନ ହେଲାଣି । ୟଙ୍ଗ ପିଲାମାନେ ଦେଖୁଛି ବିଦେଶୀ କୁକୁରକୁ ଓଡ଼ିଆରେ ଆଉ ଓଡ଼ିଆ କୁକୁରକୁ ଇଂରାଜୀରେ ଆଦେଶ ଦେଉଛନ୍ତି । ଗେଲ କରୁଛନ୍ତି । ଆମ ସାହିର ଗୋପାଳ ଦିନରେ ତା କୁକୁର ସହିତ ଓଡ଼ିଆରେ କଥାବାର୍ତ୍ତା କରେ । ସଂଜ ପରେ ଦି ପେଗ ଚଢେ଼ଇ ଦେଲା ପରେ ସେ କୁକୁର ସହିତ ଇଂରାଜୀରେ କଥାବାର୍ତ୍ତା କୋର । ଦିନରେ ଯେଉଁ କୁକୁରକୁ ସେ ସୁନା ବୋଲି ଡାକେ, ରାତିରେ ତାକୁ ଗୋଲ୍ଡି ବୋଳି ଡାକେ । ଆଉ କି ଆଶ୍ଚର୍ଯ୍ୟ ତା କୁକୁରକୁ ଏଥିରେ ଅଭ୍ୟସ୍ଥ ହୋଇଯାଇଛି । ଦିନରେ ସୁନା କହିଲେ ଧାଇଁ ଆସିିବ । ରାତିରେ କିନ୍ତୁ ତାକୁ ଗୋଲଡି ବୋଲି ଡାକିଲେହିଁ ଶୁଣିବ ।

ଆଚ୍ଛା କୁକୁରର ନାମକରଣର ଏ ପରିବର୍ତ୍ତନ ସହିତ ସାମାଜିକ ପରିବର୍ତ୍ତନର କିଛି ଯୋଗସୂତ୍ର ଖୋଜି ପାଉଛନ୍ତି ଆପଣ?

ଭରତବାବୁଙ୍କ ପ୍ରଶ୍ନଟି ଦେଶୀ ଭାଟିର ଝାଟିମାଟି କାନ୍ଥ ସ୍ପର୍ଶ କରି, ଲମ୍ବାଳିଆ ହଲ ଘରଟିରେ ଖେଳିବୁଲୁଥିବା ସିଗାରେଟ ଆଉ ବିଡ଼ି ଧୁଆଁର ଗନ୍ଧ ନେଇ ପୁଣି ତାଙ୍କ ପାଖକୁ ଫେରି ଆସିଲା । ଭରତବାବୁ କହିଲେ, ଦେଖ, ସମାଜର ତୃଣମୂଳ ସ୍ତରରେ ଆସପିରିସନ – ଉଚ୍ଚାଭିଳାସ ବଢ଼ୁଛି । ତାର ଗୋଟେ ପ୍ରତିଫଳନ ହେଲା: ଆଗରୁ ଯେଉଁ କୁକୁରର ନାଁ ହେଉଥିଲା- ବୁଲା, ଅଇଁଠା ଏବେ ତାକୁ ର୍ୟାମ୍ବୋ, ଚାମ୍ପିଆନ ବୋଲି ଡକାଯାଉଛି । ଆଉ ସମାଜର ଗୋଟେ ସ୍ତରରେ ଉଗ୍ର ଭାଷା-ଭିତ୍ତିକ ଆଞ୍ଚଳିକତାବାଦର ଗୋଟେ ଢେଉ ଆସିଛି । ମୁଁ ମୋ ଭାଷାକୁ ବହୁତ ଭଲ ପାଉଛି- ଏହାକୁ ଦେଖେଇ ହେବାର ଗୋଟେ ପ୍ରବଣତା ବଢ଼ୁଛି । ଭଲ ପାଇବା ଆଉ ଭଲ ପାଉଛି ବୋଲି ଦେଖେଇ ହେବା- ଏ ଦିଟା କିନ୍ତୁ ଅଲଗା କଥା । ବର୍ତ୍ତମାନ ଭଲ ପାଇବାଟା ବଢ଼ିଛି କି ନାହିଁ ମୁଁ ନିଶ୍ଚିତ ଭାବେ କହି ପାରିବିନି, ହେଲେ ଦେଖେଇ ହେବାର ପ୍ରବଣତାଟି ନିଶ୍ଚିତ ଭାବେ ବଢ଼ୁଛି । ଆଉ ସୋସିଆଲ ମିଡିଆ- ଫେସବୁକ ହ୍ୱାଟସଆପ ଇତ୍ୟାଦିର ବ୍ୟପକ ପ୍ରସାରଣ ଫଳରେ ଦେଖେଇ ହେବାର ବାଟ ବି ବେଶ ସୁଗମ ହୋଇଯାଇଛି । ତେଣୁ ବିଦେଶୀ କୁକୁରର ଭାରତୀୟ ଶୁଭୁଥିବା, ଓଡ଼ିଆ, ବଂଗଳା, ମାଲୟାଲମ, କନ୍ନଡ଼ ଶୁଭୁଥିବା ନାଁ ଦେବାର ଚଳଣି ହୋଇଛି । ଏ ଚଳଣିଟି କ୍ରମଶଃ ବଢ଼ୁଛି ।

ଆଉ ଗୋଟେ କଥା । ଏବେ ଏକ ପ୍ରତିଷ୍ଠିତ ସମ୍ବାଦପତ୍ରରେ ଗୋଟେ ଖବର ବାହାରିଥିଲା ଯେ ଗବେଷକମାନେ କହୁଛନ୍ତି: ଯୁବକଯୁବତୀମାନେ ବିବାହ କରି ସନ୍ତାନ ସନ୍ତତିର ବାପାମା ହେବା ବଦଳରେ କୁକୁର ରଖିବାକୁ ବେଶି ପସନ୍ଦ କରୁଛନ୍ତି । କାରଣ, ସେମାନଙ୍କ ଭିତରୁ କେତେକଙ୍କ କହିବା କଥା ହେଲା: ଛୁଆ ପାଳିବାଠୁଁ କୁକୁର ପାଳିବା ସହଜ । ସେଥିରେ ଝାମେଲା କମ । କୁକୁର ପାଳିବା ପାଇଁ ନଅ ମାସ ତାକୁ ପେଟ ଭିତରେ ଧରି ରଖିବାକୁ ପଡ଼ିବନି । ତା ପାଇଁ ରାତି ଉଜାଗର ହେବାକୁ ପଡ଼ିବ ନି । କୁକୁର ସ୍କୁଲ ଯିବନି । କୁକୁର କଣ ପଢ଼ିବ ସେ ଚିନ୍ତା କରିବାକୁ ପଡ଼ିବନି । ତା କେରିଅରର ଚିନ୍ତା କରିବାକୁ ପଡ଼ିବନି । ସେ ତା ଜୀବନରେ କଣ କରିବ ସେ ବିଷୟରେ ମୁଣ୍ଡ ଖେଳେଇବାକୁ ପଡ଼ିବନି । କୁକୁରର ଡିମାଣ୍ଡ କମ । ସକାଳୁ ଟିକେ ହଗେଇ ମୁତେଇ ଆଣିବ । ଟାଇମରେ ଖାଇବାକୁ ଦେଇଦେବ । ଟାଇମରେ ଇଂଜେକସନ ଔଷଧ ଦେବ । ମୁଡ ହେଲେ ଗେଲ କରିବ । ବାସ । ମଣିଷ ପିଲାର ଝାମେଲା ବହୁତ ବେଶି । ଡିମାଣ୍ଡ ବି ବହୁତ ବେଶି ।

ପିଲାପିଲା କରିବାର ଆଗରୁ ଗୋଟେ କାରଣ ଥିଲା: ନିଜର ସନ୍ତାନ ତମକୁ ବୁଢ଼ାକାଳେ ଦେଖିବ । ଅର୍ଥାତ ସନ୍ତାନ, ବିଶେଷ କରି ପୁଅ ହେଲା ଭବିଷ୍ୟତ ପାଇଁ ଗୋଟେ ଇନସିଓରାନ୍ସ ପଲିସି- ଜୀବନବୀମା । ଦେହପା ଖରାପ ହେଲେ ସେ ଦେଖାଶୁଣା କରିବ । ସେ ଆଉ ତାର ପରିବାର ପାଖରେ ଥିବେ ତେଣୁ ଏକୁଟିଆ ଲାଗିବ ନାହିଁ । ପୁଅନାତି ପାଖରେ ଥିଲେ ସୁରକ୍ଷା ପାଇଁ ବି ଚିନ୍ତା ରହିବନି ।

ସେ କାଳ ପଖାଳ ଗଲାଣି । ପୁଅମାନେ ଆଉ ତମକୁ ଦେଖିବା ପାଇଁ ତମ ପାଖରେ ରହିବେ ଏମିତି କିଛି ଗ୍ୟାରେଣ୍ଟି ନାହିଁ । ମଧ୍ୟବିତ୍ତ ଏବଂ ଉଚ୍ଚବିତ୍ତ ପରିବାରରେ ଅଧିକାଂଶ ଆଉଛ ରହୁନାହାନ୍ତି । ଆଗକୁ ଆହୁରି ରହିବେନି । କାରଣଟା ସରଳ । ସମାଜର ଏ ଶ୍ରେଣୀର ଉଚ୍ଚାକାଂକ୍ଷା ଅଧିକ । ସେମାନେ ଚାହାଁନ୍ତି- ମୁଁ ଯେଉଁ ସ୍ତରରେ ଅଛି, ମୋ ପୁଅ/ଝିଅ ମୋଠୁଁ ଉଚ୍ଚ ସ୍ତରରେ ପହଞ୍ଚନ୍ତୁ । ମୁଁ ଯଦି ଢେଙ୍କାନାଳରେ ଚାକିରି କରୁଛି, ତେବେ ମୋ ପୁଅ ଏହାଠୁଁ ବଡ଼ ସହରକୁ ଯାଉ । ଦିଲ୍ଲୀ, ବମ୍ବେ ବାଙ୍ଗାଲୋରରେ ରହୁ । ମୁଁ ଯଦି ଭୁବନେଶ୍ୱରରେ ବେପାର କରୁଛି, ତେବେ ମୋ ପୁଅ ଲଣ୍ଡନ, ନିଉ ୟର୍କରେ ବେପାର କରୁ । ତେଣୁ ଗୋଟେ ସମୟରେ ହୁଏତ ତମେ ନିଜେ ଚାହିଁବନି ସେ ତମ ପାଖରେ ଥାଉ । ତମେ ଚାହିଁବ ସେ ଅନ୍ୟ କୁଆଡେ଼ ଯାଉ । ବିଦେଶକୁ ଯାଉ । କିଛି ନ ହେଲେ ବଡ଼ ସହରରେ ବଡ଼ ଚାକିରି କରୁ । ଗୋଟେ ଗପ କହେ । ଜଣେ ବୁଢ଼ା ଲୋକ ତାଙ୍କ ସାଂଗକୁ କହୁଛନ୍ତି: ମୋର ତିନୋଟି ପିଲା । ଦୁଇଟି ଖୁବ ଭଲ । ଖୁବ ପାଠୁଆ । ଭଲ ଚାକିରି ପାଇ ବିଦେଶ ଗଲେ । ସେଠି ଘରଦୁଆର କରି ସେଟଲଡ । ସେମାନେ ଆଉ ଦେଶକୁ ଫେରିବେନି । ସେମାନଙ୍କ ପିଲାମାନେ ବି ଆଉ ଓଡ଼ିଆ କହି ପାରୁନାହାନ୍ତି । ସେମାନେ ସେଠିକାର ଭାଷା କହନ୍ତି । ସେଠିକାର ସଂସ୍କୃତିରେ ମହଣ ହୋଇ ଗଲେଣି । ମୋର ଏଇ ସାନ ପୁଅଟି ବିଲକୁଲ ନିଷ୍କର୍ମା । କିଛି କରି ପାରିଲାନି । ଏଇଠି ଜମିବାଡ଼ି ଦେଖୁଛି । ଆଉ ମୋତେ ଦେଖୁଛି ।

ଭାବି ଦେଖନ୍ତୁ କିଛି ଲୋକ ସେମାନଙ୍କ ସନ୍ତାନ ମାନେ ଦୂରକୁ ଗଲେ, ଭଲ ଚାକିରି କଲେ- ତାକୁ ନିଜର ଗୌରବ ବୋଲି ଭାବୁଛନ୍ତି । ଏଥିରେ କିଛି ସମସ୍ୟା ବି ନାହିଁ । ହେଲେ କଥା ହେଲା: ପ୍ରତ୍ୟେକ ଗୌରବ ପଛରେ କିଛି ବଳିଦାନ ଥାଏ । ଏ କ୍ଷେତ୍ରରେ ବଳିଦାନଟି ହେଲା ତମେ ଆଉ ଆଶା କରିବନି ପୁଅବୋହୁ ଆସି ବୁଢ଼ାକାଳେ ତମ ପାଖରେ ରହି ତମର ସେବା କରିବ । ଝିଅ ଆସି ତମ ପାଖରେ ତମକୁ ଜଗି ରହିବ । ତାହା ସେମାନଙ୍କ ପାଖରେ ସମ୍ଭବ ବି ନୁହେଁ ।

ମଧ୍ୟମ ଓ ଉଚ୍ଚ ବର୍ଗର ବହୁ ଯୁବକଯୁବତୀମାନଙ୍କ ଯୁକ୍ତି ହେଲା: ଏକଥା ଯେତେବେଳେ ଆଉ ନାହିଁ- ତେବେ ସନ୍ତାନ ଉତ୍ପାଦନ ଏବଂ ଲାଳନପାଳନ କରି ଲାଭ କଣ? ମଣିଷ ସହିତ ମଣିଷର ଆବେଗିକ ସମ୍ପର୍କ ବି କମି କମି ଯାଉଛି । ତେଣୁ ମଣିଷ ପଶୁ ସହିତ ଆବେଗିକ ସମ୍ପର୍କ ସ୍ଥାପନ କରୁଛି ।

ସେଦିନ ଜଣେ ମହିଳା ସହିତ ଦେଖା ହେଲା । ତାଙ୍କର ତିନୋଟି କୁକୁର । କହିଲେ ସ୍ୱାମୀ ଗୋଟିଏ ଥିଲା । ମୋତେ ଛାଡ଼ି ଚାଲିଗଲା । ତିନୋଟି କୁକୁର । କେହି ମୋତେ ଛାଡ଼ି ଯାଉନାହାନ୍ତି । ସବୁବେଳେ ପାଖେ ପାଖେ । ମୋ ଉପରେ ଗାରୁ ଗାରୁ ହେଉନାହାନ୍ତି କି ମୋ ଉପରେ ହାତ ଉଠଉ ନାହାନ୍ତି । ଏବେ ଆପଣ କୁହନ୍ତୁ ସ୍ୱାମୀକୁ ଆଦର କରିବି ନା କୁକୁରକୁ ଆଦର କରିବି ।

ପାର୍କରେ ଦେଖାହେଲେ ସନାତନ ବାବୁ । କହିଲେ ସନ୍ତାନ ଥିଲା । ଆମେରିକାରେ ଯାଇ ବସିଛି । ଫୋନ କଲେ ଜବାବ ନାହିଁ । ମୋ ଟମି ଅଛି । ମୋତେ ଛାଡ଼ି କୁଆଡେ଼ ଯାଉନି । ତେଣୁ କୁକୁର ଭଲ ।

ପରିବାର ଯେତେ ଭାଂଗୁଛି, ଛୋଟ ହେଉଛି- ବିଭିନ୍ନ କାରଣରୁ ଲୋକେ ଯେତେ ଏକୁଟିଆ ରହିବାକୁ ବାଧ୍ୟ ହେଉଛନ୍ତି – ସେମାନେ କ୍ରମଶଃ ମଣିଷଠୁଁ ପୋଷା ଜୀବଜନ୍ତୁଙ୍କୁ ଅଧିକ ଭଲ ପାଉଛନ୍ତି । ଭଲ ପାଉଛନ୍ତି ନା ସେମାନଙ୍କ ଭିତରେ ଆବେଗିକ ସାହାରା- ଇମୋସନାଲ ସକର ଖୋଜୁଛନ୍ତି- ସେ ଭିନ୍ନ ବିତର୍କର ବିଷୟ ହୋଇପାରେ । ହେଲେ କଥା ହେଲା: ପାଶ୍ଚାତ୍ୟ ଦେଶରେ ଏ ଧାରା ଅଧିକ । ପୋଷା ଜୀବମାନଙ୍କ ଭିତରେ କୁକୁର ହେଲା ଏକ ନମ୍ବର । ତେଣୁ ସେଠି କୁକୁର ଉପରେ ଇମୋସନାଲ ଡିପେନଡାନ୍ସ ଆବେଗିକ ନିର୍ଭରଶୀଳତା ଅଧିକ । ଆଉ ଯାହା ଉପରେ ତମେ ଆବେଗିକ ଭାବେ ନିର୍ଭରଶୀଳ ତା ଉପରେ ତମେ ଅଧିକ ଖର୍ଚ୍ଚ କରିବ । ସେଠି ଲୋକଙ୍କ ପାଖରେ ଧନ ଅଧିକ । ତେଣୁ ପୋଷା ଜୀବଜନ୍ତୁ ଉପରେ ଖର୍ଚ୍ଚ ବି ଅଧିକ । ତେଣୁ ଏହା ଉପରେ ଗଢ଼ି ଉଠିଛି ବହୁ ସହସ୍ର କୋଟି ଡଲରର ପେଟ- ଇଣ୍ଡଷ୍ଟ୍ରି । ପୋଷା-ଜୀବଜନ୍ତୁ-ଭିତ୍ତିକ ଶିଳ୍ପ । ତେବେ ଏସବୁ ଭିନ୍ନ ପ୍ରସଙ୍ଗ । ସରଳ କଥାଟା ହେଲା: ତମେ ଯାହାକୁ ବେଶୀ ଭଲ ପାଉଛ ତାକୁ ଆଦରରେ ନିଜ ଭାଷାରେହିଁ ଡାକିବ । ପ୍ରେମ ଆଉ ଘୃଣା ନିଜ ଭାଷାର ଶବ୍ଦରେହିଁ ବେଶୀ ଫିଟ । ଗାଳି ଦେବା ପାଇଁ ଆଉ ଗେଲ†ା କରିବା ପାଇଁ ଲୋକ ନିଜ ମାତୃଭାଷାରେ ହିଁ ବେଶି ସ୍ୱଚ୍ଛନ୍ଦ । ତେଣୁ ଏବେ କୁକୁରର ଦେଶୀ ନାଁ ହିଁ ତମେ ଦେଖିବ ଅଧିକ ।

କୁକୁରର ନାମକରଣକୁ ନେଇ ଏତେ ଗମ୍ଭୀର ସମାଜତାତ୍ୱିକ ଆଲୋଚନା ଚାଲିଥିଲାବେଳେ ବୋତଲ ଆଉ ଠିପି ଭାଟିର ବେଞ୍ଚ ତଳେ ପଡ଼ିଥିବା ପାଉଁରୁଟି ଟୁକୁରା, ଛେଳି ପୁଣ୍ଟି ତରକାରୀର ଅବଶିଷ୍ଟାଂଶ ଖୋଜି ବୁଲୁଥିଲେ । ସେମାନେ ଯଦି ବୁଝୁଥାନ୍ତେ ଯେ କୁକୁରର ନାମକରଣକୁ ନେଇ କେତେ ଗଭୀର ଭାବନା ଚିନ୍ତା ହେଉଛି, କେତେ ଖୁସି ନ ହେଉଥାନ୍ତେ!

ଆଚ୍ଛା ଏବେ ଶୁଣନ୍ତୁ ଠିପି ଆଉ ବୋତଲର କାହାଣୀ । ଗୋଟେ କଲେଜ କ୍ୟାମ୍ପସରେ ରହୁଥିଲେ ଏକ କୁକୁର ଆଉ ତା ପତ୍ନୀ । ହଷ୍ଟେଲର ଅଇଁଠାମଇଠା, ସୁଇପରର ଗଳି ଆଉ ନାତ ଆଉ ରୋଷେଇଆ ଓ ଦାରୁୱାନର ଆଦର ସମପରିମାଣରେ ଖାଇ ଜୀବନ କଟଉଥିଲେ ସେମାନେ । ସମୟକ୍ରମେ ସେମାନଂକର ଛଟି ପୁଅଝିଅ ହେଲେ । କୁନି କୁନି କୁକୁରଛୁଆଗୁଡ଼ିକ ଟଳମଳ ହୋଇ କ୍ୟାମ୍ପସସାରା ବୁଲିଲେ । ଆଖପାଖରେ ଯାହାକୁ ଦେଖିଲେ ତାଙ୍କ ପଛେ ପଛେ ଗଲେ । ତାଙ୍କ ପାଖରେ ନସରପସର ହେଲେ ।

କ୍ୟାମ୍ପସର ପିଲାମାନଙ୍କୁ, ବିଶେଷ କରି ଝିଅପିଲାମାନଙ୍କୁ ଏ କୁନି କୁକୁରଛୁଆ ଗୁଡ଼ିକ ବହୁତ ଭଲ ଲାଗିଲା । ସେମାନେ କସରା, ଧଳା କଳା ମିଶାମିଶି ରଂଗର କୁକୁର ଛୁଆଙ୍କୁ ବହୁତ ଭଲ ପାଇଲେ । ଗେଲହା କଲେ । କ୍ଷୀର ଆଣିଦେଲେ । ବିସ୍କୁଟ ଆଣିଦେଲେ । ଏତେ ଖୁଆଇଲେ ଯେ ଦିଟା କୁକୁର ଛୁଆଙ୍କୁ ଝାଡ଼ା ହେଲା । ସେମାନଙ୍କୁ ପୁଣି ମୁଣିରେ ପୁରେଇ ପଶୁଡାକ୍ତରଙ୍କ ପାଖକୁ ନେଲେ । ବୟସ୍କ ପଶୁଡାକ୍ତର କହିଲେ, ଆଜ୍ଞା ଏମାନେ ହେଲେ କୁକୁର । ମଣିଷ ନୁହନ୍ତି । ପୁଣି ଛୋଟ ଛୁଆ । ଏତେ ଖୁଆନ୍ତୁ ନି । ଦେହ ଖରାପ ହୋଇଯିବ ।

ପିଲାମାନଙ୍କ ସ୍ନେହ ଓ ଆଦରରେ କୁକୁର ଛୁଆ ଛଟି ଶୁକ୍ଳ ପକ୍ଷ ଚନ୍ଦ୍ର ଭଳି ବଢ଼ିଲେ । ସବୁବେଳେ ସେମାନେ କ୍ୟାମ୍ପସର ପିଲାମାନଂକ ପଛେ ପଛେ । ପିଲାମାନେ ସେମାନଙ୍କୁ ଆଦରରେ କୋଳେଇଲେ । କୁଣ୍ଢେଇଲେ । ସେମାନଙ୍କ ସହିତ କେତେ କଥା ହେଲେ । ଅଧିକ ରାତିରେ କେତେକ ପିଲା ତ ସେମାନଙ୍କ ସହିତ ନିଜ ମନର କଥା ବାଣ୍ଟିୁ ବାଣ୍ଟୁ କାନ୍ଦି ପକଉଥିଲେ । କୁନି କୁକୁରଛୁଆମାନେ ସେମାନଙ୍କ ଗାଲକୁ ଚାଟି ପାଦକୁ ଚାଟି ସାନ୍ତ୍ୱନା ଦେଉଥିଲେ ।

କୁକୁରମାନଙ୍କ ଉପସ୍ଥିତି ପାଇଁ କ୍ୟାମ୍ପସ ସଫା କରୁଥିବା ଲୋକମାନେ ଟିକେ ବିରକ୍ତ ହେଲେ । ନିର୍ଦେଶକଙ୍କ ପାଖରେ ଅଭିଯୋଗ କଲେ । କହିଲେ, ଏମାନେ ଚାରିଆଡେ଼ ହଗିମୁତି ଅଳିଆ କରୁଛନ୍ତି । ଆମେ କଣ କୁକୁର ଗୁହ ସଫା କରିବାକୁ ଏଠି ଅଛୁ?

ନିଦେ୍ର୍ଧଶକ ପ୍ରଥମେ ଏସବୁ କଥାକୁ ଅଗ୍ରାହ୍ୟ କରିଦେଲେ । ସବୁ କଥାକୁ କାନ ଦେବାକୁ ତାଙ୍କୁ ସମୟ କାହିଁ! କିନ୍ତୁ ଯେଉଁଦିନ କୁକୁର ଛୁଆମାନେ ତାଙ୍କ ଘର ବାହାରୁ ନୂଆ ଚଟି ହଳକ କାମୁଡ଼ି ନଷ୍ଟ କରିଦେଲେ ଆଉ ପାପୋସ ଉପରେ ମୁତି ଦେଲେ- ସେ ବିରକ୍ତ ହୋଇ କହିଲେ, ଏମାନଂକୁ କ୍ୟାମ୍ପସରୁ ବାହାର କର ।

ହେଲେ ଛାତ୍ରଛାତ୍ରୀମାନେ ଏହାକୁ ବିରୋଧ କଲେ । କହିଲେ ସେମାନଙ୍କୁ ବିସ୍ଥାପିତ କରିବା ଚଳିବନି । ପଶୁପ୍ରେମୀମାନେ ଆନ୍ଦୋଳନ ଆରମ୍ଭ କରିଦେଲେ । ରାଜନୀତି ଲୋକମାନେ ବି ଆସିଗଲେ । ସେମାନେ କହିଲେ କୁକୁରକୁ ବିସ୍ଥାପନ ମାନବିକତା ବିରୋଧୀ । କୁକୁରମାନେ ରହିବେ । ନିର୍ଦ୍ଦେଶକଙ୍କୁ ବରଂ ବାହାର କର ।

ମଝାମଝି କଂପରମାଇଜ ଭାବରେ ନିର୍ଦ୍ଦେଶକ ଏବଂ କୁକୁର ଛୁଆମାନେ ଉଭୟ ରହିଲେ ।

ପିଲାମାନଙ୍କ କୋର୍ସ ସରିଲା । ସେମାନଙ୍କର ଯିବାର ସମୟ ହୋଇଗଲା । କୁକୁରମାନଙ୍କ ଆଦର ଆହୁରି ବଢ଼ିଗଲା ।

କୁକୁରଛୁଆମାନେ ଭାବିଲେ ପିଲାମାନେ ବୋଧେ ସେମାନଙ୍କୁ ସାଂଗରେ ନେଇଯିବେ । ସେମାନେବି ଖୁସି ହୋଇ କୋର୍ସ ସରିବା ଦିନକୁ ଅପେକ୍ଷା କରି ରହିଲେ । କୁକୁର ଯେତିକି ସ୍ୱପ୍ନ ଦେଖିପାରେ ତାଠୁଁ ବହୁତ ଅଧିକ ସ୍ୱପ୍ନ ଦେଖିବାକୁ ଲାଗିଲେ ।

କୋର୍ସ ସରିଲା । ଛାତ୍ରଛାତ୍ରୀମାନଙ୍କ ଯିବାର ସମୟ ହୋଇଗଲା । ସେମାନଙ୍କୁ ନେବା ପାଇଁ ଗାଡ଼ିମଟର ଆସିଲା । କୁକୁରଛୁଆମାନେ ଆତୁର ହୋଇଗୁଠିଲେ । ହେଲେ ଇଏ କଣ ସେମାନେ ଯେ ଗାଡ଼ିରେ ବସିଲେ । ପରସ୍ପରକୁ ବିଦାୟ ସମ୍ଭାଷଣ ଜଣାଇଲେ । ଆଉ ଗାଡ଼ିରେ ବସିଲେ ।

କୁକୁରଛୁଆମାନେ ସେମାନଙ୍କ ଭାଷାରେ କହିଲେ, ଆମକୁ ନିଅ । ତମେ ଗଲାପରେ ଆମର କଣ ହେବ । ହଷ୍ଟେଲ ବନ୍ଦ ହୋଇଯିବ । ଆମେ ଖାଇବୁ କଣ? ରହିବୁ କେଉଁଠି? ଆମକୁ ଏଠୁ ନେଇଯାଅ ।

କୁକୁର ଭାଷା ମଣିଷ ତା ସୁବିଧା ଅନୁସାରେ ବୁଝେ । ଏ ସମୟରେ କେହି ବୁଝିଲେନି ।

ଗାଡ଼ି ପରେ ଗାଡ଼ି ଯିବାକୁ ଲାଗିଲା । କୁକୁରଛୁଆମାନେ ପ୍ରତ୍ୟେକ ଗାଡ଼ି ପଛରେ ଧାଇଁଲେ । ଭାଉ ଭାଉ ହୋଇ କହିଲେ- ଆମକୁ ନିଅ ।

ଛାତ୍ରଛାତ୍ରୀମାନେ ଚାଳିଗଲେ । କୁକୁରଛୁଆମାନେ କ୍ୟାମ୍ପସରେ ରହିଗଲେ । ଆଶା କଲେ- ହୁଏତ କାଲି ସେମାନେ ଫେରିବେ ଆଉ ସେମାନଙ୍କୁ ଘରକୁ ନେଇଯିବେ ।

ହେଲେ ସେ କାଲି ଆଉ କେବେ ବି ଆସିଲାନି ।

ଶୀର୍ଣ୍ଣ ଦେହ, କ୍ଳାନ୍ତ ଆଖି । ଗୋଟେ ଗାଡ଼ି କ୍ୟାମ୍ପସ ଭିତରକୁ ଆସିଲାମାତ୍ରେ ଥୋମଣି ଟେକି ଚାହୁଁଥିଲେ । ଅପେକ୍ଷା କରୁଥିଲେ ନାଲି ଶାଲୁୱାର ପିନ୍ଧା ତନୁ ପାତଳି କିଶୋରୀଟି କିମ୍ବା ଜିନ ହାଫପ୍ୟାଣ୍ଟ ପିନ୍ଧା ଦାଢ଼ିବାଲା ପିଲାଟି ସେମାନଙ୍କୁ ଘରକୁ ନେଇ ଯିବେ । ଛାତିରେ ଜାକି ଚୁମା ଦେବ । ସେଇ ସୁଖସ୍ୱପ୍ନରେ ବୁଡ଼ି ରହି ଛଟି କୁକୁରରୁ ଚାରୋଟି ମରିଗଲେ ।

ସେମାନେ ମରିଗଲା ପରେ ବାକି ଦୁଇଟି କୁକୁରର ମୋହଭଂଗ ହେଲା । ସେମାନେ କଲେଜର କ୍ୟାମ୍ପସରୁ ବାହାରି ରାସ୍ତାକୁ ଆସିଲେ । ସେମାନେ ଖାଦ୍ୟ ସଂଗ୍ରହ କରିବା ଶିଖିନଥିଲେ । ନିଜକୁ ଅନ୍ୟ କୁକୁରମାନଙ୍କ ପାଖରୁ କେମିତି ସୁରକ୍ଷିତ ରହିବାକୁ ପଡେ଼ ତାହା ବି ଜାଣିନଥିଲେ । ଭିଡ଼ ରାସ୍ତାରେ ଗାଡ଼ିମଟର, ଗାଈ ଷଣ୍ଢ, ବୁଲାକୁକୁର । ସେମାନେ ବଡ଼ ତଟସ୍ଥ ହୋଇ ରାସ୍ତାର ଗୋଟେ କୋଣରେ ଠିଆ ହୋଇଥିଲେ । ସେଇ ସମୟରେ ସେମାନଙ୍କୁ ସାହା ହୋଇ ଠିଆ ହୋଇଥିଲା ରଜନୀକାନ୍ତ । ଆଶ୍ରୟ ଦେଇଥିଲା । ଗୋଟେ ସହାନୁଭୂତିଶୀଳ କୁକୁର ସମାଜ ଯୋଗାଇ ଦେଇଥିଲା । ଭରତପୁର ଦେଶୀ ମଦଭାଟିରେ ଶୈଶବ କଟିଲା ସେମାନଙ୍କର କ୍ରମଶଃ ସେମାନେ ବଡ଼ ହେଲେ । ରଜନୀକାନ୍ତ ସେମାନଙ୍କୁ ଖାଦ୍ୟ ସଂଗ୍ରହ କରିବା, ନିଜକୁ ରକ୍ଷା କରିବାର, ଅନ୍ୟକୁ ଆକ୍ରମଣ କରିବାର କଳା କୌଶଳ ଶିଖାଇଲା । କ୍ରମଶଃ ଠିପି ଆଉ ବୋତଲ ରଜନୀକାନ୍ତର ସବୁଠୁଁ ବିଶ୍ୱସ୍ତ ସହଚାରୀ ହୋଇ ଉଠିଲେ । ସବୁବେଳେ ସେମାନେ ରଜନୀକାନ୍ତ ପାଖେ ପାଖେ ଥାଆନ୍ତି । ଦୁହେଁ ମଣିଷକୁ ଭାରି ଘୃଣା କରନ୍ତି । ଯେତେବାଟେ ମଣିଷକୁ ହଇରାଣ କରାଯାଇପାରେ ତାହା କରନ୍ତି । ରାତିରେ ସାଇକଲ, ମୋଟରସାଇକଲବାଲା ପଛରେ ଭୋ ଭୋ ହୋଇ ଦଉଡ଼ିଯାଆନ୍ତି । ଅନେକେ ପଡ଼ିଯାଅନ୍ତି । ସେଥିରେ ଉଭୟେ ଭାରି ଖୁସି ହୁଅନ୍ତି । ଶଳା ଅକୃତଜ୍ଞ ମଣିଷ । ପଡ଼ ଶଳେ । ମର । ଭାଉ ଭାଉ ।

କେବଳ ମାତାଲଙ୍କୁ ସେମାନେ ଭଲ ପାଆନ୍ତି । ମାତାଲଙ୍କର ସେମାନେ କିଛି କ୍ଷତି କରନ୍ତିନି । କବି ଭରତ ମଲ୍ଲିକଙ୍କୁ ଆଉ କିଏ ଭୁଲି ଯାଇ ପାରିଥାଇପାରେ ଠିପି ଆଉ ବୋତଲ କିନ୍ତୁ ମନେ ରଖିଛନ୍ତି । ତାଙ୍କର ମାତାଲ କଣ୍ଠର ଡାକ- ଏ ବୋତଲ, ଏ ଠିପି କୁଆଡେ଼ ଗଲ ବେ.. ପଂଜାବି ପକେଟରୁ ବିସ୍କୁଟ କାଢ଼ି ସେମାନଙ୍କୁ ଦେବା- ଏସବୁ ସେମାନେ ଭୁଲି ନାହାନ୍ତି । ଭରତପୁର ଦେଶୀ ଭାଟିରେ କଟିଥିବା ସେମାନଙ୍କ ଶୈଶବ, ସେଠିକାର ଲୋକମାନଙ୍କ ଦାନରେ ସେମାନଙ୍କ କ୍ଷୁନ୍ନିନିବୃତ୍ତିକୁ ଭୁଲିନାହାନ୍ତି ସେମାନେ । କୁକୁର ଆଉ ଯାହା ହେଲେ ହୋଇପାରେ, ଅକୃତଜ୍ଞ କେବେ ନୁହେଁ।