ଓଡ଼ିଶା ସାହିତ୍ୟରେ ତରୁଣ ପିଢ଼ିର ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଦ୍ବିତୀ ଚନ୍ଦ୍ର ସାହୁ । ସ୍ତମ୍ଭ , ଗଳ୍ପ , କବିତା , ଉପନ୍ୟାସ , ଫିଚର, ଶିଶୁ ସାହିତ୍ୟ , ନାଟକ , ଗୀତ ଓ ଗବେଷଣାତ୍ମକ ନିବନ୍ଧ ରଚନା ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ବୃତ୍ତିଗତ ଭାବେ ଜଣେ ଶିକ୍ଷକ ହିସାବରେ ଆଦିବାସୀ ଅଞ୍ଚଳରେ ଶିକ୍ଷାକୁ ନେଇ ବହୁ ପରୀକ୍ଷାନିରୀକ୍ଷା ପୂର୍ବକ ନୂଆ ଦିଗ ପ୍ରଦାନ କରିବାରେ ସେ ସକ୍ଷମ ହୋଇଛନ୍ତି। ଆଦର୍ଶ ଶିକ୍ଷକ ଭାବେ ରାଜ୍ୟସ୍ତରୀୟ ଶିକ୍ଷକ ପୁରସ୍କାର ପ୍ରାପ୍ତ ଶ୍ରୀ ସାହୁ ସ୍ଵକୀୟ ସାହିତ୍ୟ ସାଧନା ପାଇଁ ଅନେକ ସାହିତ୍ୟିକ ଅନୁଷ୍ଠାନରୁ ସ ସମ୍ବର୍ଦ୍ଧିତ।
ତାଙ୍କ ରଚିତ ପୁସ୍ତକ ମାନଙ୍କ ଭିତରେ ସଉରା , ଅପହୃତ ସଂଳାପ , ଅଦେଖା ଭବିଷ୍ୟ , କୁହୁକର ମହକ , ହାରି ଯାଇଥିବା ମଣିଷ , ହଜିଯାଇଥିବା ଠିକଣା , ଶବର ପଣ୍ଡିତ ମଙ୍ଗେଇ ଗମାଙ୍ଗ ( ସଉରା ଭାଷାରେ ମଧ୍ୟ ) ବଂଶଧାରା , ଜୀବନ ଯୁଦ୍ଧ , ବାପାଙ୍କ ଗାମୁଛା, ଦ୍ଵିତୀୟ ବାଟ , କିଞ୍ଚିତ ଇତ୍ୟାଦି ବେଶ ଆଦୃତ।
ଶ୍ରେଷ୍ଠ ଲେଖକ ସମ୍ମାନ (ଧର୍ମକ୍ରାନ୍ତି ସାହିତ୍ୟ ସଂସଦ ରାୟଗଡ଼ା) ଶ୍ରେଷ୍ଠ ଲେଖକ ( ଉତ୍କଳ ସାହିତ୍ୟ ଓ ସଂସ୍କୃତି , ଭୁବନେଶ୍ୱର ) ପ୍ରତିଭାଶ୍ରୀ ( ପଲ୍ଲୀଧ୍ୱନୀ ସାହିତ୍ୟ ପତ୍ରିକା ) , ଶ୍ରେଷ୍ଠ ଯୁବ ଲେଖକ ( ରାଷ୍ଟ୍ରଦୀପ ପ୍ରଚାର ସମିତି ,କଟକ ) ଶ୍ରେଷ୍ଠ ଲେଖକ ( ନବୀନ ପାଠାଗାର ଓ ସାହିତ୍ୟ ଅନୁଷ୍ଠାନ , ବ୍ରହ୍ମପୁର ) ଶ୍ରେଷ୍ଠ ସୁଯୋଗ୍ୟ ଲେଖକ ସମ୍ମାନ ( ରାୟଗଡ଼ା ସାହିତ୍ୟ ସଂସଦ ) ଯୁବ ଶ୍ରେଷ୍ଠ ସୁଯୋଗ୍ୟ ଲେଖକ ( ନିର୍ବାଣ ) ଶ୍ରେଷ୍ଠ ଲେଖକ ( ରାୟଗଡ଼ା) ଶ୍ରେଷ୍ଠ ଲେଖକ (ଜୋସେଫ ବାରା ଫାଉଣ୍ଡେସନ ) , ସୁଲେଖା ସାରସ୍ୱତ ସମ୍ମାନ (ପୁରୀ ) ଶ୍ରେଷ୍ଠ ଲେଖକ ( ଟିକିରି ସାହିତ୍ୟ ପରିବାର ) ଶ୍ରେଷ୍ଠ ଯୁବ ଲେଖକ ସମ୍ମାନ ( ଉତ୍କଳ ସାହିତ୍ୟ ସମାଜ ବ୍ରହ୍ମପୁର ) ଶ୍ରେଷ୍ଠ ଯୁବ ଲେଖକ ( ଦାସିଆ ସାଂସ୍କୃତିକ ପରିଷଦ ) ସାରସ୍ୱତ ସମ୍ମାନ (ପ୍ରେସ କ୍ଲବ ସିମିଳିଗୁଡ଼ା) ଶ୍ରେଷ୍ଠ ଉପନ୍ୟାସିକ ସମ୍ମାନ ( ଦୀକ୍ଷା ଉପନ୍ୟାସ ପତ୍ରିକା ଭୁବନେଶ୍ୱର ) କଥା କଳିକା ସମ୍ମାନ ଇତ୍ୟାଦି ସମ୍ମାନରେ ସେ ସମ୍ମାନିତ।
ଲେଖକ ଦ୍ବିତୀ ଚନ୍ଦ୍ର ସାହୁଙ୍କ ସହ” ଆଳାପ ” ଆମ ପ୍ରତିନିଧି ସୁପ୍ରିୟା ପଣ୍ଡାଙ୍କ ସହ ।
୧.ଆପଣ ଏକାଧାରରେ ଜଣେ ସଫଳ ସ୍ତମ୍ଭକାର, କଥାକାର, ଗାଳ୍ପିକ, ଔପନ୍ଯାସିକ ଓ କବି ।ତେବେ କେଉଁ ପରିଚୟ ଆପଣଙ୍କୁ ଅଧିକ ଆତ୍ମସନ୍ତୋଷ ଦେଇଛି ଓ କାହିଁକି?
ଉତ୍ତର: ମୁଁ ଭାବେ ପ୍ରତିଟି ମଣିଷ ପାଇଁ ସମୟ ସବୁଠାରୁ ବଡ଼ ଆହ୍ଵାନ । ମଣିଷ ସବୁବେଳେ ସମୟ ଓ ନିୟତିର ଦାସ ମୋ ଭିତରର ଲେଖକୀୟ ସତ୍ତା ଯାହା ସ୍ଫୁରଣ କରାଏ ତାହା ହିଁ ଅଗତ୍ୟା ମୁଁ ଲେଖିଥାଏ । ସୃଜନ ପରେ ମୁଁ ଆତ୍ମତୃପ୍ତି ପାଏ ଏବଂ ଏହି ତୃପ୍ତି ଟିକକ ପୁଣି ଆଉ ଏକ ଉନ୍ନତ ମାନର ଲେଖା ଲେଖିବାକୁ ପ୍ରେରିତ କରିଥାଏ ।
୨. ଲେଖା ଲେଖି କେବେ ଆରମ୍ଭ କଲେ ?
ଉତ୍ତର : ମୋ ଭାଇ କୀର୍ତ୍ତି ଚଦ୍ର ସାହୁ ଜଣେ ସାମ୍ବାଦିକ । ସେ ମୋତେ ଖବର ଡାକନ୍ତି ଓ ମୁଁ କାଗଜରେ ଲେଖେ । ସେଇଠି ମୋ ଲେଖାଲେଖିର ଖଡ଼ି ଛୁଆଁ । ତା ପରଠୁ ଲେଖୁଛି ଆଉ ଲେଖୁଛି । ଏଯାଏଁ ତ ଚାଲିଛି ଏମିତି ।
୩. ଲେଖିଲା ବେଳେ ଅନୁଭୁତିକୁ ରୂପ ଦେଇଛନ୍ତି କି?
ଉତ୍ତର:କହିବାକୁ ଗଲେ ମୋ ଲେଖା ପ୍ରାୟତଃ ଅନୁଭୂତିର ଅନୁଶୀଳନ । ଜୀବନର ପ୍ରତି ମୁହୂର୍ତ୍ତର ଘାତ ସଂଘାତ, ଭେଟୁଥିବା ଚିତ୍ର ଓ ଚରିତ୍ରମାନେ ହିଁ ଜୀବନ୍ତ ହୋଇ ମୋ ଲେଖାର ଚିତ୍ରକଳ୍ପ ହୋଇଯାଆନ୍ତି । ଏମିତି କି କେତେ ଲେଖା ପ୍ରକାଶ ପାଇବାର କିଛି କାଳ ଭିତରେ ମୋ ଆଖପାଖରେ ଅବିକଳ ଘଟିଯାଇଛି । ତାପରେ ପାଠକ ମୋତେ ଚେତେଇ ସ୍ତବ୍ଧ କରିଛନ୍ତି ।
୪. ଆପଣ କେଉଁ ଦିଗକୁ ଅଧିକ ଧ୍ୟାନ ଦେଇ ଲେଖାଲେଖି କରନ୍ତି ?
ଉତ୍ତର: ଲେଖକ ହେବା ଆଗରୁ ପ୍ରଥମେ ମୁଁ ସଚେତନ ନାଗରିକଟିଏ । ଲେଖିଲା ବେଳେ ସାମାଜିକ ପ୍ରଭାବକୁ ନେଇ ଯତ୍ନଶୀଳ ଅବଶ୍ୟ ରହିଥାଏ । ତେବେ ଦେହଦାହ ଆଧାରିତ ଲେଖା ଠାରୁ ମୁଁ ବହୁ ଦୂରରେ ।
୫. ଏଯାବତ ଆପଣଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି କ’ଣ ?
ଉତ୍ତର: କହି ପାରିବିନି । ମୋ ବିଚାରରେ ପ୍ରତି ଲେଖାର ଗୋଟେ ନିୟତି ଥାଏ । ନିୟତି ଅନୁସାରେ ସେ ତାର ପରିଚୟ ପାଏ । ଅତଏବ ସର୍ବଶ୍ରେଷ୍ଠ ବିଚାରକ କେବଳ ମୋର ପ୍ରିୟ ପାଠକବର୍ଗ ବୋଲି କହିବି ।
୬. ଓଡିଆ ସାହିତ୍ୟରେ ଗଳ୍ପର ଭୂମିକା କଣ ଓ ଅଣୁଗଳ୍ପ ର ରୂପରେଖ କେମିତି ହେବା ଉଚିତ ?
ଉତ୍ତର: ଗଳ୍ପରେ ଗୋଟେ ଆତ୍ମା ଥାଏ । ତାହା ପାଠକଙ୍କୁ ପ୍ରଲୁବ୍ଧ କରାଏ । ଗଳ୍ପ ଚିରକାଳ ଏଇ କାମ କରି ଆସିଛି । ଆଉ ବଡ଼ ବଡ଼ କଥାକୁ ଚୁମ୍ବକରେ ପାଠକଙ୍କ ମଗଜରେ ଭରିବାର ପ୍ରକରଣ ହେଉଛି ଅଣୁଗଳ୍ପ । ଯାହା ଖାଲି ଗାଳ୍ପିକର ଶବ୍ଦ ଚାତୁରୀ ଉପରେ ଓ ଅଣୁଗଳ୍ପର ତଜା ପଣ ଅଧିକ ନିର୍ଭର କରେ ।
୭. ଯଦି ପାଠକ ନକରାତ୍ମକ ମତ ରଖନ୍ତି ଆପଣଙ୍କ ପ୍ରତିକ୍ରିୟା କଣ ହେବ ?
ଉତ୍ତର : ତା’ ତ ଅହୋ ଭାଗ୍ୟ । ତନ୍ନତନ୍ନ କରି ପଢ଼ୁଥିବା ପାଠକଟି ଆଜି କାହିଁ କୋଉଠୁ ପାଇବେ ! ପୁଣି ପଢି ନିଛକ ମତାମତ ରଖିବା ତ ଆହୁରି ଦୁଷ୍ପ୍ରାପ୍ୟ । ହୃଦୟଭରା ଧନ୍ୟବାଦ ଜଣାଏ ତାହା ପାଇଲେ। କୃତକୃତ୍ୟ ହୁଏ ।
୮.ଜଣେ ସଫଳ ଲେଖକ ( ଲେଖିକା )କେମିତି ହୋଇ ପାରିବ?
ଉତ୍ତର : ପ୍ରସିଦ୍ଧ ଲେଖକ ହେବା ଆଜିକାଲି ଭାରି ସହଜ । ଏଥିପାଇଁ ଆମ ହାତରେ ବହୁତ ବାଟ ଅଛି । କିନ୍ତୁ ସଫଳ ହେବାକୁ ହେଲେ ନିରନ୍ତର ଭଲ ଲେଖିବା ସହ ଅନ୍ୟ ଲେଖକମାନେ ଛାଡିଯାଇଥିବା କଥାକୁ ପରଷି ନିଜର ସ୍ଵାତନ୍ତ୍ର୍ୟ ସୃଷ୍ଟି କରିବା ଲୋଡ଼ା ।
୯. ଆପଣଙ୍କ ରଚନାରେ ସରଳ ଆଞ୍ଚଳିକ କଥିତ ଭାଷାର ପ୍ରୟୋଗ ସାଙ୍ଗକୁ ଜନଜୀବନର ଚିତ୍ର ଦେଖିବାକୁ ମିଳେ । ଏ ସଂପର୍କରେ କିଛି କହନ୍ତୁ ।
ଉତ୍ତର : ଏହା ହୁଏତ ମୋର ଶୈଳୀ । ମୋ ଲୋକଙ୍କ କଥାକୁ ମୁଁ ଯଦି କହିବିନି କି ଅନ୍ୟକୁ ଜଣେଇବିନି ତ ସେ କାମ ଆଉ କିଏ କରିବ ? ତେଣୁ ଜାଣିବା ଜଣେଇବା ଓ ତାର ବହୁଳ ବ୍ୟବହାର ଲାଗି ମୁଁ ଆଞ୍ଚଳିକ କଥିତ ଭାଷାକୁ ବ୍ୟବହାର କରେ । ଆଉ ସେସବୁ ହିଁ ଚରିତ୍ରକୁ ଜୀବନ୍ତ କରେ । ଶେଷ ଯାଏଁ ପାଠକଙ୍କୁ ବାନ୍ଧି ରଖିଥାଏ ଲେଖାଟି ଭିତରେ ।
୧୦. ଆପଣ ଅନେକ ଉପଯୋଗୀ ଫିଚର୍ ଲେଖିଛନ୍ତି। ଫିଚର୍ ସଂପର୍କରେ ଆପଣଙ୍କ ଦୃଷ୍ଟିଭଙ୍ଗୀ କେମିତି?
ଉତ୍ତର: ଉଦ୍ଭଟ ନହୋଇ ପ୍ରାସଙ୍ଗିକ ହେବା ଲୋଡ଼ା । କଥା କହିଲା ଭଳି ଉପସ୍ଥାପନା ଫିଚରକୁ ରସାଳ କରେ । ପାଠକଙ୍କ ମନରେ ଆତୁରତା ଭରିଦିଏ ।
୧୧.ଓଡ଼ିଆ ସାହିତ୍ୟର ଭବିଷ୍ୟତକୁ ଆପଣ କିପରି ଭାବରେ ଦେଖନ୍ତି ?
ଉତ୍ତର: ଡଙ୍ଗର ଉପରକୁ ଉଠୁଥିବା ଖଟିଖିଆ ମଣିଷ ପରି । ସେଠି ପହଞ୍ଚିଗଲେ ସେଇ ମଣିଷ ବାସ୍ତବିକତାକୁ ଦେଖେ । ଆଉ ଯୁଝିବାକୁ ବଳ ଗୋଟାଏ ।
୧୨.ନୂଆ ଲେଖକଙ୍କ ପାଇଁ ଆପଣଙ୍କ ବାର୍ତ୍ତା କଣ ହେବ?
ଉତ୍ତର: ଖଣ୍ଡି ଉଡା ଚଢେଇ ପରି ଡେଣା ଝାଡ଼ିବା ଲୋଡ଼ା । ଡେଣାରେ ଦମ୍ଭ ନ ଗୋଟାଇ ପାରିଲେ ତଳେ ଥିବା କୁମ୍ଭୀର ମୁହଁକୁ ଚାଲିଯିବାର ଭୟଟି ମନରେ ରହିବା ଉଚିତ । ଆସ ! ଗୋଠ ହୋଇ ଉଡିବା । ଗୋଠର ଶକ୍ତିକୁ ବଢ଼େଇ ସାତ ସମୁଦ୍ର ତେର ନଈ ପାରିହେବା ।
Comments are closed.