ସଫରନାମା-୩୭
ଦେବୀଶଙ୍କର ଦାଶ
|| ୧ ||
ସାଥୀଙ୍କ ଗହଳି ମୁଁ ଏକା ଠିଆ
ମୋର ହିଁ ସହର ମୁଁ ଭଡ଼ାଟିଆ
ତମ ମିଛ ଏଠି ସଭିଙ୍କୁ ପସନ୍ଦ
ମୁଁ ଯଦି କହେ ମୁଁ କପଟିଆ
ଦେଇପାର ଆଜି ହଜାରେ ମରଣ
ଛାଇ ବି ତ ନାହିଁ ମୁଁ ନିଛାଟିଆ
ତମ ପ୍ରେମ ପାଇଁ ଢେର୍ ଲମ୍ବା ଧାଡ଼ି
ବିରହ ବେଳକୁ ମୁଁ ଏକୁଟିଆ
ଗୋଟାପଣେ ଓଦା ଆଖିର ଲୁହରେ
ତଥାପି କହିବ ମୁଁ ଖରାଟିଆ ?
ଆକାଶ ଆଡ଼କୁ ସଭିଙ୍କର ହାତ
ପ୍ରେମ ଯଦି ମାଗେ ମୁଁ ଅଝଟିଆ
|| ୨ ||
କିଛି ଲୁହ ଥାଉ ବାକି ଗପ ଗୋଟେ ପାଇଁ
କିଛି ପ୍ରେମ ଥାଉ ବାକି ପାପ ଗୋଟେ ପାଇଁ
ଅନେକ କହିଲେ ଚେହେରାକୁ ଚାନ୍ଦ
କିଛି ରାତି ଥାଉ ବାକି ଦୀପ ଗୋଟେ ପାଇଁ
ବାଟ ସାରା ଏଠି ବହୁରୂପୀ ହାଟ
କିଛି ରଙ୍ଗ ଥାଉ ବାକି ରୂପ ଗୋଟେ ପାଇଁ
ପାଦଚିହ୍ନ ନେଇ ଗଲାଣି ଲହରି
କିଛି ଢେଉ ଥାଉ ବାକି ଶିପ ଗୋଟେ ପାଇଁ
ଭାଙ୍ଗିଗଲା ଯାହା ମନ ଥିଲା ମୋର
କିଛି ଲହୁ ଥାଉ ବାକି ମାପ ଗୋଟେ ପାଇଁ
କବର ଫୁଲର କାହାଣୀ ସରିଛି
କିଛି ବାସ୍ନା ଥାଉ ବାକି ଧୂପ ଗୋଟେ ପାଇଁ
|| ୩ ||
ସବୁ ରାତି କଣ ସକାଳେ ସରେ ?
ସବୁ ମେଘ କଣ ମାଟିକୁ ଫେରେ ?
ମନେ ପଡେ ଯାହା ତାର କିଛି କଥା
ସବୁ ମହୁ କଣ ଫୁଲରୁ ଝରେ ?
ବାହାରେ ବର୍ଷା ତଥାପି ଜଳେ ମୁଁ
ସବୁ ନିଆଁ କଣ ବାରୁଦ ଝୁରେ ?
ସାମ୍ନାରେ ଦରିଆ ତଥାପି ଏ ଶୋଷ
ସବୁ ଶୋଷ କଣ ପାଣିରେ ମରେ ?
ଆକାଶ ଛାତିରେ ତଥାପି ଅଂଧାର
ସବୁ ତାରା କଣ ଆଲୁଅ ଧାରେ ?
ଦେବୀ ଗାଉଥାଏ ଦୁଃଖର ଦୋହା
ମୃତ୍ୟୁ କଣ ଆସେ ଜୀବନେ ଥରେ !!
…………………
ବୁଲାଦ୍ୱାର ସାହି, କେନ୍ଦୁଝର ଗଡ଼
Comments are closed.