Latest Odisha News

BREAKING NEWS

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର…

ପ୍ରଚାରରେ ସାମିଲ୍ ହୁଅ ଓ କେବଳ ତାଳିମାର…

ବିଚିତ୍ର ବିଶ୍ୱାଳ

ଯେମିତି ସରକାରଙ୍କ ସବୁ ବିଫଳତା ପାଇଁ ଅତୀତର କଂଗ୍ରେସ ସରକାରକୁ ଦାୟୀ କରାଯାଉଛି (ଏପରିକି ଏଇ ଗତ ପାଂଚ ବର୍ଷ ଭିତରେ ଆରମ୍ଭ ହୋଇଥିବା କୌଣସି ଯୋଜନାର ବିଫଳତା ପାଇଁ ବି କଂଗ୍ରେସ ସରକାରକୁ ଦାୟୀ କରାଯାଉଛି) ସେମିତି ପ୍ରତ୍ୟେକ ସଫଳତା ପାଇଁ ବି କେବଳ ଓ କେବଳ ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମକୁ ହିଁ ପ୍ରଚାର କରଯାଉଛି । ଯେଉଁ କ୍ଷେତ୍ରରେ ସରକାରଙ୍କର କିଛି ଭୂମିକା ବି ନାହିଁ, ସେଥିରେ ବି ପ୍ରଧାନମନ୍ତ୍ରୀ ମୋଦିଙ୍କ ନାମକୁ ନେଇ ଏମିତି ପ୍ରଚାର କରାଯାଉଛି, ଯେମିତି ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ପ୍ରମୋସନ୍ କରି ଭଗବାନ୍ ଆସନରେ ଅବସ୍ଥାପିତ କରାଯିବ । ଚାଟୁକାରୀ ମିଡ଼ିଆ ଓ ଭକ୍ତମାନେ ଏ କାମରେ ପୁରା ପ୍ରାଣରେ ଲାଗିପଡ଼ିଛନ୍ତି । ସେଥିପାଇଁ ମୋଦିଙ୍କୁ ଓ ତାଙ୍କ ଭକ୍ତମାନଙ୍କୁ ‘ପ୍ରଶ୍ନ’ ପସନ୍ଦ ନୁହେଁ । ମୋଦିଙ୍କୁ ପ୍ରଶ୍ନ କଲ ମାନେ ତୁମେ ଦେଶଦ୍ରୋହୀର ଭୂଷଣ ପାଇବା ପାଇଁ ପ୍ରସ୍ତୁତ ରୁହ ।

କାଲି ଯଦି ଭାରତର କେହି ବିଶ୍ୱ ସୁନ୍ଦରୀ ପ୍ରତିଯୋଗିତାରେ ଜିତନ୍ତି, ତାହେଲେ ତା’ର ଶ୍ରେୟ ବି ମୋଦିଙ୍କୁ ଦିଆଯିବ ଓ ମୋଦି ମହାଶୟ ବି ଖୁସିରେ ଖୁସିରେ ମିଡ଼ିଆ ସାମ୍ନାରେ ନହେଲେ ନିଜ ମନ କି ବାତ୍ କହି ଏହାର ଶ୍ରେୟ ନେବାକୁ ଟିକେ ବି ପଛେଇବେ ନାହିଁ । କାରଣ ଏବେ ଗୋଟେ ସ୍ଲୋଗାନ୍ ଚାଲିଛି, ମୋଦି ହେ ତୋ ମୁମକୀନ୍ ହେ । ପରିସ୍ଥିତି ଏମିତି ହୋଇଛି ଯେ କେନ୍ଦ୍ର ସରକାରର ଭିନ୍ନଭିନ୍ନ ବିଭାଗରେ ଥିବା ମନ୍ତ୍ରୀମାନଙ୍କ ନାମ ବି ସାମ୍ନାକୁ ଆସୁନି । କେବଳ ମୋଦି, ମୋଦି ଓ ମୋଦି । ଏହା ଏକ ଭୟଙ୍କର ସ୍ୱେଚ୍ଛାଚାରିତାର ପୂର୍ବାଭାଷ ବୋଲି ବୁଝିବାକୁ ହେବ । ଏବେ ଟିକେ ଟିକେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ନାମ ଶୁଣାଯାଉଛି । କାରଣ ମୋଦିଙ୍କ ଚିନ୍ତାଧାରା ସ୍କୁଲର ସେ ଦ୍ୱିତୀୟ ସ୍କଲାର ଷ୍ଟୁଡେଂଟ ।

ଯେତେବେଳେ ଭାରତ ଗତ ବିଶ୍ୱକପରେ ଭଲ ପ୍ରଦର୍ଶନ କରୁଥିଲା (ସେମିଫାଇନାଲରେ ହାରିବା ପୂର୍ବରୁ) ତାକୁ ବି ମୋଦିଙ୍କ ସଫଳତା ବୋଲି ବର୍ଣ୍ଣନା କରିବାକୁ କେତେକ ଗଣମାଧ୍ୟମ କୁଣ୍ଠାବୋଧ କରିନଥିଲେ । ଅନେକ ତ କହୁଥିଲେ ମୋଦି ଅଛନ୍ତି ମାନେ ଭାରତ ବିଶ୍ୱକପ୍ ଜିତିବ । ଚନ୍ଦ୍ରଯାନ-୨ ଯେଉଁ ଦିନ ଉତକ୍ଷେପଣ ହେଲା, ତାହାର ସବୁ ଶ୍ରେୟ ବି ସେଦିନ କେବଳ ମୋଦିଙ୍କୁୁ ହିଁ ଦିଆଯାଇଥିଲା । ମୋଦି ବି ହସି ହସି ସେ ଶ୍ରେୟକୁ ଗ୍ରହଣ କରୁଥିଲେ । ଚନ୍ଦ୍ରଯାନ-୨ର ଏଭଳି ଘମାଘୋଟ୍ ପ୍ରଚାର କରାଗଲା ଯେ ସାରା ଦେଶ ଓ ସବୁ ମିଡ଼ିଆରେ କେବଳ ଚନ୍ଦ୍ରଯାନ-୨ର ହିଁ ଚର୍ଚ୍ଚା ଚାଲିଲା । ଯାହାର ଘର ଖଣ୍ଡେ ବି ନାହିଁ, ଦିନ ରାତି ଘର ଭିତର ଦେଇ ସୂର୍ଯ୍ୟ ଓ ଚନ୍ଦ୍ର ଦେଖୁଛି, ଯାହା ପାଇଁ ଚାଲିବାକୁ ଖଣ୍ଡେ ରାସ୍ତା ବି ନାହିଁ, ଗମନାଗମନର ସୁବିଧା ବି ନାହିଁ, ସିଏ ବି ଚନ୍ଦ୍ରଯାନ -୨ର ଖୁସିରେ ମତୁଆଲା ହେଲା । ଏସବୁ ପ୍ରଚାର କ’ଣ ଛାଏଁଛାଏଁ ହେଉଛି ନା ଏହା ପଛରେ କିଛି ଗଭୀର ଦୁରଭିସନ୍ଧି ଅଛି?

ଏଠାରେ ସମସ୍ତେ ବୁଝିନେବା ଉଚିତ୍ ଯେ ଏସବୁ ପ୍ରଚାର ଅତ୍ୟନ୍ତ ଉଦ୍ଦେଶ୍ୟମୂଳକ ଭାବେ ହିଁ କରାଯାଉଛି । ଲୋକଙ୍କୁ ସେମାନଙ୍କର ମୌଳିକ ସମସ୍ୟାରୁ ଦୂରେଇ ରଖି କେବଳ ପ୍ରଚାରରେ ଭାସିଭାସି ମୋଦି-ମାନିଆରେ ମଜେଇ ରଖିବା ପାଇଁ ଏସବୁ ଅତ୍ୟନ୍ତ ଚତୁରତାର ସହିତ କରାଯାଉଛି । ଆମେ ବି ସବୁ ଛାଡ଼ିଛୁଡ଼ି ନିଜକୁ ଦେଶପ୍ରେମୀର ପରିଚୟ ଦେଇ ସଗର୍ବେ ସେଇ ସବୁ ପ୍ରଚାରରେ ମାତି ଯାଉଛୁ । ସ୍ୱାଧୀନଚେତା ମଣିଷମାନଙ୍କୁ ପ୍ରଶ୍ନ ବିମୁଖ, ନାମ ସଂକୀର୍ତନବାଦୀ ‘ଭକ୍ତ’ରେ ପରିଣତ କରିବାର ଏହା ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର ।

ଏଠାରେ ସୂଚନାଯୋଗ୍ୟ ଯେ, ଚନ୍ଦ୍ରଯାନ-୨ ପ୍ରକଳ୍ପର ଆରମ୍ଭ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ହିଁ କରିଥିଲେ । ମୋଦିଙ୍କ ସମୟରେ ହିଁ ଏହା ଶେଷ ହେଲା ଓ ଚନ୍ଦ୍ରକୁ ପ୍ରେରଣ କରାଗଲା । କିନ୍ତୁ ମୋଦି ଏହାକୁ କେବଳ ଓ କେବଳ ନିଜର ବାହାଦୂରୀ ବୋଲି ଦେଖେଇ ଖୁବ୍ ଜୋରରେ ପ୍ରଚାର କରାଇଲେ ।

ଯଦି ଆମେ ନିରିଖେଇ ଦେଖିବା ଆଜିର ସମୟରେ ଲୋକଙ୍କୁ କେବଳ ଷ୍ଟାଡ଼ିୟମର ଦର୍ଶକ ଭୂମିକାରେ ସୀମିତ ରଖିବାକୁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚେଷ୍ଟା କରାଯାଉଛି । ଯାହାଙ୍କ କାମ ହେବ କେବଳ ପ୍ରଚାରରେ ସାମିଲ୍ ହୋଇ ତାଳି ମାରିବା ଓ ଗୁଣ କୀର୍ତ୍ତନ କରିବା । କିନ୍ତୁ ସେମାନେ ପ୍ରଶ୍ନ କରିବେ ନାହିଁ । ଗଣତନ୍ତ୍ରକୁ ବଂଚେଇ ରଖିବାର ମୂଖ୍ୟ ଉପାଦାନ ହେଉଛି ପ୍ରଶ୍ନ କରିବା । କିନ୍ତୁ ଆଜି ପ୍ରଶ୍ନକୁ ଚାପିଦେବା ପାଇଁ ଯୋଜନାବଦ୍ଧ ଭାବେ ପ୍ରଚାରତନ୍ତ୍ରକୁ ଆପଣା ଯାଉଛି । ପ୍ରତ୍ୟେକ ଘଟଣାକୁ ଆଜି କେବଳ ବଢେ଼ଇ ଚଢେ଼ଇ ପ୍ରଚାର କରାଯାଉଛି ଓ ସେଥିରେ ମୋଦିଙ୍କ ନାମକୁ ହିଁ ଯୋଡ଼ାଯାଉଛି । ଉଦ୍ଦେଶ୍ୟ ଗୋଟିଏ ଯେ ଏତେ ଜୋରରେ ସରକାର ସପକ୍ଷବାଦୀ ପ୍ରଚାର କରାଯିବ, ଯେମିତି ସମସ୍ତେ ସେଥିରେ ଭାସିବାକୁ ବାଧ୍ୟ ହେବେ ଓ ଆଉ କେହି ବି ପ୍ରଶ୍ନ କରିବାକୁ ଆତ୍ମବିଶ୍ୱାସ ଠୁଳ କରିପାରିବେ ନାହିଁ ।

………………………
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.