ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସୈଫ ଅଲି ଖାନଙ୍କୁ ଆକ୍ରମଣ ଘଟଣା ଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ଏତେ କଡା ସିକ୍ୟୁରିଟି ଭିତରେ ମଧ୍ୟ ଘର ଭିତରକୁ ପ୍ରବେଶ କରି ଦୁର୍ବୃତ୍ତ ଜଣଙ୍କ ଅଭିନେତାଙ୍କ ଉପରେ ଆକ୍ରମଣ କରିବା ଘଟଣା ଏବେ ଅଞ୍ଚଳର ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏନେଇ ବିଭିନ୍ନ ଲୋକ ବିଭିନ୍ନ କଥା କହୁଥିବା ବେଳେ ଶେଷରେ ମୁହଁ ଖୋଲିଛନ୍ତି ସୈଫଙ୍କ ପତ୍ନୀ ତଥା ଅଭିନେତ୍ରୀ କରୀନା କପୁର । ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଗୁଜବରୁ ଦୁରେଇ ରହିବାକୁ କହିଛନ୍ତି କରୀନା ।
କରୀନା କପୁର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ଅଭିନେତ୍ରୀ ଗତକାଲି ପରିବାର ପାଇଁ ଦିନଟି କିପରି ଥିଲା, ବର୍ତ୍ତମାନ ଅବସ୍ଥା କେମିତି ଅଛି ସେନେଇ ସୂଚନା ଦେବା ସହ ପ୍ରଶଂସକଙ୍କୁ ଗୁଜବରୁ ଦୁରେଇ ରହିବାକୁ ଅନୁରୋଧ କରିଛନ୍ତି । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି କରୀନା ଲେଖିଛନ୍ତି, ଆମ ପରିବାର ପାଇଁ ଆଜିର ଦିନ ଖୁବ୍ ଚ୍ୟାଲେଞ୍ଜିଂ ଥିଲା । ହଠାତ୍ ଏମିତି ସବୁ ଘଟିଗଲା ଯାହା ଆମେ କଳ୍ପନା ବି କରିନଥିଲୁ । ଏହା ଆମ ପାଇଁ ଆଶ୍ଚର୍ୟ୍ୟଜନକ ଥିଲା । ଆମ ପାଇଁ ଏହା ଏକ ଘଡ଼ିସନ୍ଧି ମୂହୂର୍ତ୍ତ । ତେଣୁ ମୁଁ ସମସ୍ତ ଗଣମାଧ୍ୟମ, ପାପାରାଜି ଏବଂ ପ୍ରଶଂସକଙ୍କୁ ଅନୁରୋଧ କରୁଛି ଯେ ଘଟଣାକୁ ନେଇ କୌଣସି ଗୁଜବ ପ୍ରଚାର ନ କରନ୍ତୁ । ଫ୍ୟାନ୍ସମାନେ ଯେଉଁଭଳି ଭାବେ ଅପଡେଟ୍ ଜାଣିବାକୁ ଉଦ୍ୟମ କରୁଛନ୍ତି, ତାହା ଆମ ପାଇଁ ବହୁତ ବଡ ବିଷୟ ବୋଲି ଲେଖିଛନ୍ତି କରୀନା । କରୀନା ପୋଷ୍ଟରେ ଆହୁରି ଲେଖିଛନ୍ତି ଯେ, ଗଣମାଧ୍ୟମରେ ହେଉ କି ସୋସିଆଲ ମିଡିଆରେ, ଏପରି କୌଣସି ଭୁଲ ସୂଚନା ଦିଅନ୍ତୁ ନାହିଁ । ଆମେ ଆପଣଙ୍କର ଚିନ୍ତାକୁ ବୁଝିପାରୁଛୁ । ଆପଣମାନେ ଆମର ସୁରକ୍ଷାକୁ ନେଇ ଯେଉଁଭଳି ଚିନ୍ତିତ ହେଉଛନ୍ତି ତାହା ଆମ ପରିବାର ପାଇଁ ଏକ ବଡ଼ କଥା ।
ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ମୁମ୍ବାଇର ପୋଶ୍ ଅଞ୍ଚଳ ବାନ୍ଦ୍ରାସ୍ଥିତ ଅଭିନେତାଙ୍କ ଘରେ ଏହି ଘଟଣା ଘଟିଥିଲା । ଜଣେ ଘରୋଇ ସହାୟିକା ସନ୍ଦିଗ୍ଧଙ୍କୁ ଦେଖି ଯେତେବେଳେ ବଡ଼ ପାଟିରେ ଚିତ୍କାର କରିଥିଲେ, ପାଟି ଶୁଣି ସୈଫ୍ ଅଲ୍ଲୀ ଖାନ ସେଠାରେ ପହଞ୍ଚିଥିଲେ । ଏହାପରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଅଭିନେତାଙ୍କୁ ସନ୍ଦିଗ୍ଧ ୬ ଥର ଛୁରାମାଡ଼ କରିଥିଲେ । ଏଥିରେ ଜଣେ କର୍ମଚାରୀ ମଧ୍ୟ ଆହତ ହୋଇଥିଲେ । ତୁରନ୍ତ ସୈଫଙ୍କୁ ଲୀଳାବତୀ ହସ୍ପିଟାଲ ନିଆଯାଇଥିଲା । ସୈଫଙ୍କ ମେରୁଦଣ୍ଡ ହାଡ଼ରେ ଗଭୀର ଆଘାତ ଲାଗିଥିବା ନେଇ ଜଣାପଡିବା ପରେ ତାଙ୍କର ସର୍ଜରୀ କରାଯାଇଛି । ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ରହିଛି । ସେପଟେ ସିସିଟିଭି ଆଧାରରେ ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି ପୋଲିସ । କିନ୍ତୁ ଘଟଣା ପରେ ଫେରାର ହୋଇଯାଇଥିବା ଅଭିଯୁକ୍ତକୁ ଧରିବା ପାଇଁ ୧୦ଟି ଟିମ୍ ଗଠନ କରିଛି ପୋଲିସ ।
Comments are closed.