Saif Ali Khan on religion: ୯ ବର୍ଷର ତୈମୁରଙ୍କ କଥାରେ ମୁଗ୍ଧ ହେଲେ ବାପା ସୈଫ୍ ଅଲି ଖାନ୍, ଧର୍ମ ନେଇ ସବୁ ବେଳେ ଶିଖାନ୍ତି ‘ଭଗବାନ ଜଣେ, ନାଁ ଅଲଗା ଅଲଗା’
ମୁମ୍ବାଇ: ବଲିଉଡ୍ ଅଭିନେତା ସୈଫ୍ ଅଲି ଖାନ୍ ଓ କରିନା କପୁରଙ୍କ ଦୁଇ ପୁଅ ତୈମୁର ଓ ଜେହ୍ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ସୈଫ୍ ନିଜ ପିଲାଙ୍କ ପାଳନ-ପୋଷଣ, ଧର୍ମ ଓ ଆଧ୍ୟାତ୍ମିକତାକୁ ନେଇ ଖୋଲାଖୋଲି ମତ ରଖିଛନ୍ତି। ଏହି ସମୟରେ ସେ ୯ ବର୍ଷର ପୁଅ ତୈମୁରଙ୍କ ଏକ ଉତ୍ତରର ପ୍ରଶଂସା କରି କହିଛନ୍ତି, ଯାହା ତାଙ୍କୁ ବହୁତ ପ୍ରଭାବିତ କରିଥିଲା।
ଲଣ୍ଡନରେ ଆୟୋଜିତ ‘ୱି ୱିମେନ୍ସ’ କାର୍ଯ୍ୟକ୍ରମରେ ସୈଫ୍ କହିଥିଲେ ଯେ, ସେ ନିଜ ପିଲାମାନଙ୍କୁ ସବୁବେଳେ ଶିଖାନ୍ତି ଯେ ଭଗବାନ ଜଣେ, କେବଳ ତାଙ୍କୁ ଭିନ୍ନ ଭିନ୍ନ ନାଁରେ ଡକାଯାଏ। ଧର୍ମର ପ୍ରକୃତ ଅର୍ଥ ହେଉଛି ମଣିଷକୁ ଭଲ ପାଇବା, କ୍ଷମା କରିବା ଓ ପରସ୍ପର ପ୍ରତି ସମ୍ମାନ ରଖିବା। ସେ କହିଥିଲେ, ସେ ଜଣେ ବେଶୀ ପୂଜା କରୁଥିବା ବ୍ୟକ୍ତି ନୁହନ୍ତିଳ ତଥାପି ତାଙ୍କ ମା’ ଶର୍ମିଳା ଟାଗୋର ତାଙ୍କୁ ଏହି ଶିକ୍ଷା ଦେଇଥିଲେ ଏବଂ ସେ ମଧ୍ୟ ସେହି ମୂଲ୍ୟବୋଧ ନିଜ ପିଲାଙ୍କୁ ଦେଉଛନ୍ତି।
ସୈଫ୍ ନିଜ ପିଲାବେଳର ସ୍ମୃତି ବଖାଣି କହିଥିଲେ ଯେ, ସେ ଏକ ଖ୍ରୀଷ୍ଟିଆନ ସ୍କୁଲରେ ପଢ଼ିଥିଲେ ଏବଂ ଘରେ ବିଭିନ୍ନ ଧର୍ମର ପ୍ରାର୍ଥନା ଓ ପର୍ବପର୍ବାଣିକୁ ସମାନ ସମ୍ମାନ ଦିଆଯାଉଥିଲା। ତାଙ୍କ ଘରେ ଯେପରି ଧୁମଧାମରେ ଦୀପାବଳି ପାଳନ ହୁଏ, ସେହିପରି ଉତ୍ସାହର ସହ ଖ୍ରୀଷ୍ଟମାସ ମଧ୍ୟ ପାଳନ କରାଯାଏ।
ଆଲୋଚନା ବେଳେ ସୈଫ୍ ତାଙ୍କ ୯ ବର୍ଷର ପୁଅ ତୈମୁର ସହ ଏକ କୌତୁହଳ ପୂର୍ଣ୍ଣ ବାର୍ତ୍ତାଳାପ ସେୟାର କରିଥିଲେ । ସୈଫ୍ କହିଥିଲେ ଯେ, ସେ ଥରେ ତୈମୁରଙ୍କୁ ପଚାରିଥିଲେ, “ଧର୍ମ ଓ ଅଭ୍ୟାସ ମଧ୍ୟରେ ପାର୍ଥକ୍ୟ କ’ଣ?” ଏହାର ଉତ୍ତରରେ ୯ ବର୍ଷର ତୈମୁର କହିଥିଲେ, “ଧର୍ମରେ ଆମେ ପ୍ରାର୍ଥନା କରୁ, କିନ୍ତୁ ଅଭ୍ୟାସରେ ଆମେ ପ୍ରାର୍ଥନା କରୁନାହିଁ।” ପୁଅର ଏହି ଉତ୍ତର ଶୁଣି ସୈଫ୍ ଆଶ୍ଚର୍ଯ୍ୟ ହେବା ସହ ଏହାକୁ ଖୁବ୍ ପରିପକ୍ୱ ଚିନ୍ତାଧାରା ବୋଲି କହିଥିଲେ।
ସୈଫ୍ ଆହୁରି କହିଛନ୍ତି, ତାଙ୍କ ପରିବାରର ଦୃଷ୍ଟିକୋଣ କେବଳ ଧାର୍ମିକ ନୁହେଁ, ବରଂ ଆଧ୍ୟାତ୍ମିକ। ଏହି ବିଷୟରେ ସେ ଓ କରିନା ନିୟମିତ ଭାବେ ପିଲାମାନଙ୍କ ସହ ଆଲୋଚନା କରନ୍ତି, ଯାହାଦ୍ୱାରା ସେମାନେ ସବୁ ଧର୍ମକୁ ସମାନ ସମ୍ମାନ ଦେବା ଶିଖନ୍ତି।
ତେବେ ସୈଫ୍ ଏବଂ କରିନା ୨୦୦୭-୦୮ ମସିହାରେ ‘ଟଶନ’ ସେଟରେ ଦେଖା ହୋଇଥିଲେ ଏବଂ ଦୁହେଁ ଦୁହିଁଙ୍କ ପ୍ରେମରେ ପଡିଯାଇଥିଲେ। ପ୍ରାୟ ପାଞ୍ଚ ବର୍ଷ ଧରି ଡେଟିଂ କରିବା ପରେ, ସେମାନେ ଅକ୍ଟୋବର ୧୬, ୨୦୧୨ରେ ମୁମ୍ବାଇରେ ଏକ ଛୋଟ ସମାରୋହରେ ବିବାହ କରିଥିଲେ। ବର୍ତ୍ତମାନ ଏହି ଦମ୍ପତିଙ୍କ ଦୁଇଟି ପୁଅ, ତୈମୁର ଅଲ୍ଲୀ ଖାନ ଏବଂ ଜେହ ଅଲ୍ଲୀ ଖାନ ଅଛନ୍ତି। ପୂର୍ବରୁ ସୈଫ୍ ଅଭିନେତ୍ରୀ ଅମ୍ରିତା ସିଂହଙ୍କୁ ବିବାହ କରିଥିବା ବେଳେ ତାଙ୍କ ସହ ତାଙ୍କର ଗୋଯିଏ ପୁଅ ଇବ୍ରାହିମ ଅଲି ଖାନ୍ ଏବଂ ଝିଅ ସାରା ଅଲି ଖାନ୍ ଅଛନ୍ତି ।
