ଭୁବନେଶ୍ବର: ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର। ଭୁବନେଶ୍ବର ସାଲିଆସାହି ଉଛେଦ ନେଇ ବିଏମସି କମିସନର ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ଯୋଗ୍ୟ ସେମାନଙ୍କୁ ମିଳିବ ଘର। ଯୋଗ୍ୟ ହିତାଧିକାରୀ ଘର ପାଇବାରୁ ଆଦୌ ବଞ୍ଚିତ ହେବେ ନାହିଁ। ଏବେ ସୁଦ୍ଧା ଆମ ପାଖରେ ୪୫୫ ଘର ମହଜୁଦ ରହିଛି, ଯେତେ ଆବଶ୍ୟକ ପଡ଼ିବ ଦିଆଯିବ ବୋଲି କହିଛନ୍ତି ବିଏମସି କମିସନର।
କିନ୍ତୁ ଯେଉଁମାନେ ଅଯୋଗ୍ୟ ସେମାନଙ୍କୁ କେବେ ବି ଘର ଦିଆଯାଇପାରିବନି ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର। ଏବେ ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ବିକଶିତ ଭୁବନେଶ୍ୱର ପାଇଁ ବାମପାର୍ଶ୍ବ ସମାନ୍ତରାଳ ରାସ୍ତାର ଆବଶ୍ୟକତା ରହିଛି। ତେଣୁ ରାସ୍ତା ନିର୍ମାଣ ପାଇଁ ଜବରଦଖଲ ମୁକ୍ତ କରାଯାଉଛି। ଲଟେରୀ ମାଧ୍ୟମରେ ଲୋକଙ୍କୁ ଘର ଆବଣ୍ଟନ କରାଯାଇଛି। ଏବେ ଉଚ୍ଛେଦ କରାଯାଉଥିବା ଲୋକଙ୍କୁ ବୁଦ୍ଧ ବିହାରରେ ଥିବା ଫ୍ଲାଟ ରଖାଯାଇଛି। ଅନ୍ୟ କିଛି ଲୋକଙ୍କୁ ସ୍ଥାନୀୟ ଗୋଷ୍ଠୀ କେନ୍ଦ୍ର ଓ ମଣ୍ଡପରେ ରଖାଯାଇଛି। ସେମାନଙ୍କୁ ତିନି ବେଳା ଖାଇବାକୁ ଦିଆଯାଉଛି। ଉଚ୍ଛେଦ ଯୋଗୁଁ ପିଲାଙ୍କ ପାଠପଢ଼ା ଯେମିତି ବାଧାପ୍ରାପ୍ତ ନହେବ ସେଥିପାଇଁ ସ୍ଥାନୀୟ ସ୍କୁଲରେ ବ୍ୟବସ୍ଥା ପାଇଁ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି।
ଅନ୍ୟପଟେ ଏନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କର ମଧ୍ୟ ପ୍ରତିକ୍ରିୟା ଆସିଛି। ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଲିଆସାହିରେ ଉଚ୍ଛେଦ ସବୁ ବସ୍ତି ବାସିନ୍ଦାଙ୍କୁ ମିଳିବ ସରକାରୀ ଘର। ଯେଉଁମାନେ ଘର ଛାଡୁନାହାନ୍ତି ସେମାନଙ୍କୁ କିଛି ଲୋକ ବିଭ୍ରାନ୍ତ କରୁଛନ୍ତି । ତାହାର କାରଣ ହେଲା ସେମାନେ ଏକାଧିକ ଘରକୁ ଭଡ଼ା ସୂତ୍ରରେ ଦେଇଛନ୍ତି । ସେମାନଙ୍କ ଘର କାଳେ ଭାଙ୍ଗିଯିବ ସେ ଭୟରେ ସେମାନେ ବିଭ୍ରାନ୍ତି କରୁଛନ୍ତି ବୋଲି ନଗର ଉନ୍ନୟନ ମନ୍ତ୍ରୀ କହିଛନ୍ତି।
ସୂଚନାଯୋଗ୍ୟ ଯେ ନନ୍ଦନକାନନରୁ ଜୟଦେବ ବିହାରକୁ ଯୋଡିବାକୁ ଏକାମ୍ରକାନନରୁ ସମାନ୍ତରାଳ ବାମପାର୍ଶ୍ବର ରାସ୍ତା କାମ ଅଧାରେ ଅଟକି ରହିଛି। ୨୦୦ ଫୁଟିଆ ଏ ରାସ୍ତାକାମରେ ବସ୍ତି ବାସିନ୍ଦାଙ୍କ ଘର ବାଧକ ସାଜିଥିଲା । ବସ୍ତିବାସିନ୍ଦା ସରକାରୀ ଘର ପାଇବା ପରେ ବି ଘର ଛାଡୁନଥିଲେ। ବିଡିଏ ବିଏମସିର ଯୁଗ୍ମ ଏନଫାର୍ସମେଣ୍ଟ ଟିମ୍ ପହଞ୍ଚି ଜବରଦଖଲକାରୀଙ୍କୁ ଉଚ୍ଛେଦ କରିଥିଲେ। ଉଚ୍ଛେଦ ବେଳେ ଲୋକମାନେ ପ୍ରତିବାଦ କରିଥିଲେ। ଏପରିକି ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀ ଲୋକମାନଙ୍କୁ ବୁଝାସୁଝା କରିବା ସହ ଜବରଦଖଲ ଉଚ୍ଛେଦ କରିଥିଲେ।
Comments are closed.