ଭୁବନେଶ୍ୱର: ବଲିଉଡ଼ ଜଗତର ହ୍ୟାସାଭିନେତା ସଲିଲ୍ ମିତ୍ରଙ୍କ ଦେହାନ୍ତରେ ଶୋକ ପ୍ରକାଶ କରି କମେଡ଼ି କିଙ୍ଗ୍ ପପୁ ପମ୍ ପମ୍ କହିଛନ୍ତି, ସେ ଥିଲେ ଜଣେ ଅଦ୍ୱିତୀୟ କଳାକାର । ଅଭିନେତା ସଲିଲ୍ ମିତ୍ରଙ୍କର ସୋମବାର ରାତିରେ ରାଜଧାନୀସ୍ଥିତ କିମ୍ସ ହସ୍ପିଟାଲରେ ପରଲୋକ ହୋଇଯାଇଛି ।
“ସଲିଲ୍ ଦା ଜଣେ ଅଦ୍ୱିତୀୟ କଳାକାର ଥିଲେ । ତାଙ୍କର ମୃତ୍ୟୁରେ ସମଗ୍ର ଓଲିଉଡ଼ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଛି, ଯାହାକି ପୂରଣ ହୋଇପାରିବ ନାହିଁ । ଆମେ ଦୁହେଁ ଅନେକ ଓଡ଼ିଆ ଫିଲ୍ମରେ ଏକାଠି କାମ କରିଛୁ । ମୁଁ ଯେଉଁ ଫିଲ୍ମ ନିର୍ମାଣ କରିଥିଲି ସେଥିରେ ମଧ୍ୟ ଆମେ ଦୁଇ ଜଣ ଅଭିନୟ କରିଥିଲୁ । ଓଡ଼ିଆ ଫିଲ୍ମ ଜଗତ ଲାଗି ସେ ଯେମିତି ଜଣେ ଲକ୍କି ମାସକଟ୍ ଥିଲେ । ଓଡ଼ିଆ ସିନେମା ଜଗତରେ ସମସ୍ତଙ୍କର ଏକ ବିଶ୍ୱାସ ଓ ଧାରଣା ରହି ଆସିଛି ଯେ, ଯେଉଁ ଫିଲ୍ମରେ ସଲିଲ୍ ଦା ରହିଥିବେ ମାନେ ସେହି ଫିଲ୍ମଟି ହିଟ୍ ହେବା ଥୟ । ବେଳେ ବେଳେ କିଛି ସିନରେ ସେ ଡ଼ାଇଲଗ୍ ନ କହୁଥିଲେ ମଧ୍ୟ ତାଙ୍କ ମୁଖଭଙ୍ଗୀକୁ ଦେଖି ଛାଏଁ ଦର୍ଶକ ମାନେ ହସୁଥିଲେ । ମୁଁ ଯେଉଁ ଦୁଇଜଣ କଳାକାରଙ୍କୁ ଖୁବ୍ ଭଲ ପାଉଥିଲି ସେମାନେ ହେଲେ ସଲିଲ୍ ଦା ଏବଂ ଅନ୍ୟ ଜଣେ ହେଲେ ମୀନ ଭାଇ (ମୀନକେତନ ଦାସ, ଯିଏକି ୨୦୧୭ରେ କ୍ୟାନସରରେ ପୀଡ଼ିତ ହୋଇ ମୃତ୍ୟୁ ବରଣ କରିଛନ୍ତି),” ଗଣମାଧ୍ୟମକୁ ସୂଚନା ଦେଇ ପପୁ ଏହା କହିଛନ୍ତି ।
ତାଙ୍କର ମୃତ୍ୟୁ ଖବର ଗୁଜବ ପ୍ରଚାରିତ ହେବା ସମ୍ପର୍କରେ ପପୁ ପମପମ୍ କହିଥିଲେ, “ଗତବର୍ଷ ମୁଁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଥିବା ବେଳେ ସୋସିଆଲ୍ ମିଡ଼ିଆରେ ମୋର ମୃତ୍ୟୁ ଖବରକୁ ନେଇ ଗୁଜବ ପ୍ରସାରିତ ହୋଇଥିଲା । ମୁଁ ଜାଣିନି ଭଗବାନ ମୋତେ କିପରି ମୃତ୍ୟୁମୁଖରୁ ଟାଣିଆଣିଲେ । ମୁଁ ବଞ୍ଚିଗଲି ସତ, ମାତ୍ର ସଲିଲ ଦା ମୋତେ ଛାଡ଼ି ଚାଲିଗଲେ । ସେ ଯେଉଁମାନଙ୍କୁ କାଲି ଖୁବ୍ ହସାଉଥିଲେ ସେମାନେ ପ୍ରକୃତରେ ଆଜି ତାଙ୍କ ଲାଗି କାନ୍ଦୁଛନ୍ତି ।”
Comments are closed.