Latest Odisha News

ସମ୍ବଲପୁର ଲୋକସଭା ଆସନ: ସୋସିଆଲ ମିଡ଼ିଆରୁ ବାହାରି ମୈଦାନରେ ଲଢିବେ କି ଧର୍ମେନ୍ଦ୍ର ଓ ବବି

ସମ୍ବଲପୁର: ରାଜନୀତି ଯୁଦ୍ଧ କ୍ଷେତ୍ରରେ ଉଭା ହେବେ କି ସୋସିଆଲ ମିଡି଼ଆରେ ଦୁଇ ଯୋଦ୍ଧା ବୋଲାଉଥିବା ବିଧାୟକ ପ୍ରଣବ ପ୍ରକାଶ ଦାସ ବା ବବି ଭାଇ ଓ କେନ୍ଦ୍ରମନ୍ଦ୍ରୀ ଧର୍ମେନ୍ଦ୍ର ପ୍ରଧାନ ବା ମୁକୁ ଭାଇ। ବବି ଭାଇ ଓ ମୁକୁ ଭାଇଙ୍କୁ ନେଇ ଏବେ ସମ୍ବଲପୁର ରାଜନୀତି ବେଶ ଉଷ୍ମ ହୋଇ ପଡ଼ିଛି। ଚର୍ଚ୍ଚା ହେଉଛି ଯେ ଏହି ଦୁଇ ନେତା ସେମାନଙ୍କ ଦଳରୁ ସମ୍ବଲପୁରରୁ ସଂସଦୀୟ ନିର୍ବାଚନ ଲଢିବେ। ତେବେ ଏହି ଦୁଇ ନେତାଙ୍କ ପ୍ରାର୍ଥୀତ୍ୱକୁ ନେଇ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। କିନ୍ତୁ ଏହି ଦୁଇ ନେତା ପ୍ରାର୍ଥୀ ହେବା ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।

BjdElectrycity

ସେପଟେ ଧର୍ମେନ୍ଦ୍ର ପ୍ରଧାନ ଓରଫ ମୁକୁ ଭାଇ ବର୍ତ୍ତମାନ ମଧ୍ୟପ୍ରଦେଶରୁ ରାଜ୍ୟସଭା ସାଂସଦ ରହିଛନ୍ତି। ସେ ପ୍ରାର୍ଥୀ ହେଲେ ବର୍ତ୍ତମାନର ସାଂସଦ ଥିବା ନୀତିଶ ଗଙ୍ଗଦେବଙ୍କ ଟିକେଟ କଟିବା ଥୟ। ଦୀର୍ଘ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ପରେ ପ୍ରତ୍ୟେକ୍ଷ ନିର୍ବାଚନ ଲଢିବାକୁ ଯାଉଛନ୍ତି ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ହେଉଛନ୍ତି ମୂଳତଃ ଅନୁଗୋଳର ତାଳଚେର ବାସିନ୍ଦା। ତେଣୁ ତାଙ୍କର ସିଧାସଳଖ ଭାବେ ସମ୍ବଲପୁର ସହିତ କୌଣସି ସମ୍ପର୍କ ନାହିଁ। କିନ୍ତୁ ପୂର୍ବରୁ ସେ ଦେବଗଡ଼ ଆସନରୁ ନିର୍ବାଚନ ଲଢି ସାଂସଦ ହୋଇଛନ୍ତି। ସିଧାସଳଖ ନ ହେଲେ ବି ପରୋକ୍ଷରେ ସମ୍ବଲପୁର ସହିତ ସେ ସମ୍ପର୍କ ଯୋଡ଼ିବାକୁ ପ୍ରୟାସ କରିଛନ୍ତି। ସେହିପରି ବବି ଭାଇ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଉପକୂଳରୁ ନିର୍ବାଚନ ଲଢି ଆସୁଛନ୍ତି। ବବି ଭାଇ ଯାଜପୁର ବିଧାନସଭା ଆସନରୁ ଗତ ତିନୋଟି ନିର୍ବାଚନରେ ବିଜୟ ହାସଲ କରିଛନ୍ତି। ମାତ୍ର ତିନିଟି ନିର୍ବାଚନ ଲଢିଥିଲେ ମଧ୍ୟ ରାଜନୀତି ମୈଦାନରେ ବବି ହେଉଛନ୍ତି ପୁରୁଣା ଖେଳାଳି। ଛାତ୍ର ଜୀବନରୁ ସେ ସିଧାସଳଖ ଭାବେ ରାଜନୀତିରେ ସଂସ୍ଲିଷ୍ଟ। ତେବେ ମୋଟାମୋଟି କଥା ହେଲା କି ପ୍ରଣବଙ୍କର ପଶ୍ଚିମ ଓଡ଼ିଶାର ରାଜନୀତି ସହିତ ସମ୍ପୃକ୍ତି ନାହିଁ।

ଧର୍ମେନ୍ଦ୍ରଙ୍କ ଭଳି ପ୍ରଣବ ମଧ୍ୟ ସମ୍ବଲପୁରର ଭୋଟର ନୁହନ୍ତି। ବାପା ଅଶୋକ ଦାସଙ୍କ ଘର ସମ୍ବଲପୁରରେ ଥିଲା ବୋଲି କହି ବୁଲୁଥିବା ବବି ଭାଇଙ୍କର ଲାଳନ-ପାଳନ, ଶିକ୍ଷା- ଦୀକ୍ଷା ସବୁକିଛି ଯାଜପୁର ଓ ଭୁବନେଶ୍ୱରରେ ହୋଇଛି। ଯାଜପୁରର ବିଧାୟକ ଭାବେ ପ୍ରଣବ ଅନେକ ରାଜନୀତିକ ନିବେଶ କରିଛନ୍ତି। ସମ୍ବଲପୁର ତାଙ୍କ ପାଇଁ ସମ୍ପୂର୍ଣ୍ଣ ନୂଆ ହୋଇ ରହିବ। ଏହିକ୍ରମରେ ଯଦି ସେ ଦଳର ପ୍ରାର୍ଥୀ ହୁଅନ୍ତି ତେବେ ଧର୍ମେନ୍ଦ୍ରଙ୍କ ଭଳି ସେ ପାର୍ଟିର ସଂଗଠନ ତଥା ଶକ୍ତି ଉପରେ ନିର୍ଭର କରିବେ।

ସେପଟେ ପଶ୍ଚିମ ଓଡ଼ିଶାର ଏକ ପ୍ରମୁଖ ସଂସଦୀୟ କ୍ଷେତ୍ର ହେଉଛି ସମ୍ବଲପୁର ଲୋକସଭା ଆସନ। ଏହି ଆସନରେ ବର୍ତ୍ତମାନ ସମୟରେ କୋଶଳ ଆନ୍ଦୋଳନ ଧିରେ ଧିରେ ବଢିବାରେ ଲାଗିଛି। ଏହି ଦୁଇ ନେତାଙ୍କ ସମ୍ବଲପୁର ସହିତ କୌଣସି ସମ୍ପର୍କ ନାହିଁ। ଏଭଳି ସ୍ଥଳେ ପ୍ରାର୍ଥୀଙ୍କୁ ନେଇ ମୁଣ୍ଡ ବିନ୍ଧାଉଛନ୍ତି ଉଭୟ ବିଜେପି ଓ ବିଜେଡ଼ି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଗତ ନିର୍ବାଚନରେ ବିଜେଡ଼ି ଏହି ଆସନରେ ନଳୀନିକାନ୍ତ ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ତାଙ୍କୁ ଜିତାଇବା ପାଇଁ କଳବଳ କୌଶଳ ସବୁ କିଛି ଲଗାଇଦେଇଥିଲା ଶାସକ ଦଳ। କିନ୍ତୁ ପଶ୍ଚିମ ଓଡ଼ିଶାର ପ୍ରତିଷ୍ଠିତ ନେତା ନୀତିଶ ଗଙ୍ଗଦେବଙ୍କୁ ସେଠାରୁ ପ୍ରାର୍ଥୀ କରି ବିଜେପି ବାଜି ମାରିନେଇଥିଲା।

ଆଗାମୀ ନିର୍ବାଚନକୁ ନେଇ ଏହି ଆସନ ପାଇଁ ସବୁ ରାଜନୈତିକ ଦଳ ଅଙ୍କକଷା ଆରମ୍ଭ କରିଦେଲେଣି। ବିଜେଡ଼ି ପ୍ରଣବ ପ୍ରକାଶ ଦାସଙ୍କ ସ୍ଥାନରେ ଆଞ୍ଚଳିକ ନେତାଙ୍କୁ ପ୍ରଧାନ୍ୟ ଦେବାକୁ ପ୍ରୟାସ କରିପାରେ। ସ୍ଥାନୀୟ ନେତାଙ୍କୁ ପ୍ରାର୍ଥୀ କରି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପକାଇପାରେ ବିଜେଡ଼ି। ବବିଙ୍କ ନାଁ ଚର୍ଚ୍ଚାରେ ରହିଥିବା ବେଳେ ସ୍ଥାନୀୟ ନେତାଙ୍କ ମଧ୍ୟରେ ଜଣାଶୁଣା ରାସେଶ୍ୱରୀ ଦେବୀ, ପ୍ରସନ୍ନ ଆଚାର୍ଯ୍ୟ, ରୋହିତ ପୂଜାରୀଙ୍କ ନାଁକୁ ନେଇ ମଧ୍ୟ ଅଙ୍କ କଷୁଛି ବିଜେଡ଼ି। ବିଜେପିର ସମ୍ଭାବ୍ୟ ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଟକ୍କର ଦେବା ପାଇଁ କାହାକୁ ପ୍ରାର୍ଥୀ କରିବ ବିଜେଡ଼ି ତାହା ସମୟ କହିବ।

ସେପଟେ ପ୍ରାର୍ଥୀଙ୍କୁ ନେଇ ଚିନ୍ତାରେ ଥିବା ବିଜେପି ପାଇଁ ଧର୍ମେନ୍ଦ୍ରଙ୍କ ନାଁ ଆଗରେ ରହିଛି। କିନ୍ତୁ ପଶ୍ଚିମ ଓଡ଼ିଶାରୁ ଅନେକ ତୁଙ୍ଗ ନେତା ରହିଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଦଳ ପଶ୍ଚିମ ଓଡ଼ିଶାର ରାଜପରିବାରର ସଦସ୍ୟଙ୍କୁ ସୁଯୋଗ ଦେବ ନାଁ କେନ୍ଦ୍ରରେ ମନ୍ତ୍ରୀ ଥିବା ଧର୍ମେନ୍ଦ୍ରଙ୍କୁ ନେଇ ନିର୍ବାଚନୀ ବୈତରଣୀ ପାର ହେବାକୁ ପ୍ରୟାସ କରିବ ତାହା ଏବେ ରାଜନୈତିକ ମାହୋଲରେ ଚର୍ଚ୍ଚାରେ କେନ୍ଦ୍ର ବିନ୍ଦୁ।

ତେବେ ସମ୍ବଲପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ ତିନୋଟି ଜିଲ୍ଲାର ୭ଟି ବିଧାନସଭା ଆସନ ରହିଛି। ସମ୍ବଲପୁର ଜିଲ୍ଲାର ୪ ନିର୍ବାଚନ ମଣ୍ଡଳୀ କୁଚିଣ୍ଡା, ରେଙ୍ଗାଳି, ସମ୍ବଲପୁର ଓ ରେଢ଼ାଖୋଲ ଏହି ଲୋକସଭା ମଣ୍ଡଳିରେ ଥିବା ବେଳେ ଦେବଗଡ଼ ଜିଲ୍ଲାର ଗୋଟିଏ ବିଧାନସଭା ମଣ୍ଡଳି ଦେବଗଡ଼ ଏବଂ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ଏହି ନିର୍ବାଚନ ସଂସଦୀୟ ମଣ୍ଡଳୀ ଅଧିନରେ ଆସୁଛି। ୨୦୧୯ ନିର୍ବାଚନରେ ଏହି ୭ଟିଯାକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪ଟିରେ ଶାସକ ବିଜେଡ଼ି ବିଜୟୀ ହୋଇଥିଲେ ବି ଲୋକସଭା ଆସନ ହାରିଥିଲା। କୁଚିଣ୍ଡା, ସମ୍ବଲପୁର, ଦେବଗଡ଼ରେ ବିଜେପି ପ୍ରାର୍ଥୀ ବିଜୟ ହୋଇଥିଲେ। ସ୍ୱଳ୍ପ ସଂଖ୍ୟାରେ ସେମାନେ ନିର୍ବାଚନ ଜିତି ଅଣସମ୍ବଲପୁରିଆଙ୍କୁ ବିଜୟୀ ହେବାର ଇତିହାସ ରଚନା କରିଥିଲେ। ଏଥିଲାଗି ବିଜେଡି ମହଲରେ କନ୍ଦଳ, ଅସନ୍ତୋଷ, ଗୋଡ଼ଟଣା ପ୍ରଭୃତିକୁ ଦାୟୀ କରାଯାଇଥିଲା। ଏଥର ସେସବୁକୁ ଦୂର କରି ଖୋଦ୍‍ ସଂଗଠନ ସମ୍ପାଦକ ତଥା ମୁଖ୍ୟ ରଣନୀତିକାରଙ୍କ ଖାସ୍‍ ବ୍ୟକ୍ତି ଭାବେ ପରିଚିତ ପ୍ରଣବ ପ୍ରକାଶ ଦଳ ପାଇଁ ସମ୍ବଲପୁର ଅକ୍ତିଆର କରିବେ ଆଶା ପ୍ରକାଶ କରିଛନ୍ତି।

Leave A Reply

Your email address will not be published.