Latest Odisha News

BREAKING NEWS

ପ୍ରତିଶ୍ରୁତି ରଖିଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ: ପୁଣି ଚାଲିଲା ସମ୍ବଲପୁର-ପୁରୀ ଇଣ୍ଟରସିଟି

ସମ୍ବଲପୁର: ଆଜିଠାରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ କରିଥିବା ଜଣାଯାଇଛି । ଏହା ୧୦ ତାରିଖ  ସକାଳ ୬ଟାରେ ସମ୍ବଲପୁର ଷ୍ଟେସନରୁ ଛାଡ଼ିଛି। କୋଭିଡ ପାଇଁ ଦୀର୍ଘ ଦିନରୁ ବନ୍ଦ ଥିଲା ସମ୍ବଲପୁର-ପୁରୀ ଇଣ୍ଟରସିଟିର ପୁନଃ ଚଳାଚଳ ଲାଗି ବେଶ୍ କିଛି ଦିନ ହେବ ଦାବି ହେଉଥିଲା।

ଏହାଛଡ଼ା ସକାଳେ ସମ୍ବଲପୁର-ପୁରୀ ଇଣ୍ଟରସିଟିର ଚଳାଚଳ ପାଇଁ ଲୋକେ ଚାହୁଁଥିଲେ। କରଣ ଯେଉଁମାନେ ସକାଳେ ଭୁବନେଶ୍ବର ଆସିବାକୁ ଚାହୁଁଥିଲେ ,ସେମାନଙ୍କ ଲାଗି ଟ୍ରେନର ସୁବିଧା ନଥିଲା। ସମ୍ବଲପୁର-ପୁରୀ ଇଣ୍ଟରସିଟି ପୁନଃ ଚଳାଚଳ ପରେ ସମ୍ବଲପୁର ସମେତ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଖୁସିର ଲହର ଖେଳିଯାଇଛି।

ଗତ ୨ ତାରିଖ ଦିନ ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ନେତୃତ୍ୱରେ ଓଡ଼ିଶାର ବିଧାୟକମାନେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକ ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଶୀଘ୍ର ଚାଲୁ କରିବା ପାଇଁ ମିଳିତ ଭାବେ ଦାବି କରିଥିଲେ ।

ରେଳମନ୍ତ୍ରୀ ଆଗାମୀ ୧୦ ତାରିଖ ପବିତ୍ର ରାମନବମୀ ତିଥିରୁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଚାଲୁ କରିବା ପାଇଁ ନିଷ୍ପତ୍ତି ନେବା ସହିତ ଏ ସମ୍ପର୍କରେ ଯଥା ଶୀଘ୍ର ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ବିଧାୟକଙ୍କ ଠାରୁ ସମସ୍ତ ବିଷୟ ଶୁଣିଲା ପରେ ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମସ୍ତ ବିଷୟକୁ ଗରୁତ୍ବ ଭାବେ ଗ୍ରହଣ କରି ଯଥା ସମ୍ଭବ ଓ ଯଥା ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.